ସଚେତନ କରୁଛି ସଂଳାପ: ‘ଦିନ ହୋ ୟା ରାତ୍, ମୈ କଚରା ବାହାର ଫେକେଗା ନେହି’

1 min read

ଭୁବନେଶ୍ୱର: ‘ପୁଷ୍ପା’ ଚଳଚ୍ଚିତ୍ରରେ ହିରୋଙ୍କ ଅଭିନୟ ହେଉ କି ସଂଳାପ ସବୁକିଛି ଏବେ ଚର୍ଚ୍ଚାରେ । ଚଳଚ୍ଚିତ୍ରର ଅଭୂତପୂର୍ବ ସଫଳତା ପରେ ବିଭିନ୍ନ ଭାଷାରେ ହୋଇଛି ଫିଲ୍ମର ରିମେକ୍ । ଫିଲ୍ମର ହିରୋ ଆଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ଆପଣାଇବାକୁ ଚେଷ୍ଟା କରୁଛନ୍ତି । ‘ପୁଷ୍ପା’କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆଗ୍ରହକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଲୋକଙ୍କୁ କରାଯାଉଛି ସଚେତନ ।

ଚର୍ଚ୍ଚାରେ ‘ପୁଷ୍ପା’ ଚଳଚ୍ଚିତ୍ରର ଡାଏଲଗ । ସବୁ ଫର୍ମାଟରେ ହେଉଛି ଭାଇରାଲ । ସଚେତନତା ସୃଷ୍ଟିର ସାଜିଛି ମାଧ୍ୟମ । କମ୍ ସମୟରେ ଅଧିକ ଲୋକଙ୍କ ନିକଟରେ ପହଁଞ୍ଚିବା ଜରୁରୀ । ଏହି ଲକ୍ଷ୍ୟ ପୂରଣ କରିବାକୁ ଯାଇ ସହଜ ମାଧ୍ୟମ ଆପଣଉଛନ୍ତି ସମସ୍ତେ । ଏଥିରୁ ବାଦ୍ ପଡିନାହିଁ ବିଭିନ୍ନ ସରକାରୀ ବିଭାଗ । ଟ୍ରାଫିକ୍ ନିୟମ ସମ୍ପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA), ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଓ ମୋ ବସ୍ ସେବା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ଯାଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଜାରି ରହିଛି ପ୍ରୟାସ ।

ଯେମିତି କି ‘‘ପୁଷ୍ପା ହୋ ୟା ପୁଷ୍ପା ରାଜ୍, ମୋ ବସ୍ କରେଗା ସବକେ ଦିଲମେ ରାଜ୍ । ପୁଷ୍ପା ହୋ ୟା ପୁଷ୍ପାରାଜ୍, ବିନା ହେଲମେଟ୍ କା ଚାଲାଣ ସବକା କଟେଗା । ଏବଂ ‘ଦିନ ହୋ ୟା ରାତ୍, ମୈ କଚରା ବାହାର ଫେକେଗା ନେହି’ ଏଭଳି ‘ପୁଷ୍ପା’ ଷ୍ଟାଇଲରେ ଏବଂ ପୁଷ୍ପା ଫିଲ୍ମ ହିରୋ ଆଲ୍ଲୁ ଅର୍ଜ୍ଜୁନଙ୍କ ଫଟୋକୁ ବ୍ୟବହାର କରି ଟ୍ୱିଟର ଜରିଆରେ ଦିଆଯାଉଛି ସଚେତନତାର ବାର୍ତ୍ତା ।

ପିଲା ଠାରୁ ବୟସ୍କ, ସମସ୍ତଙ୍କ ମଧ୍ୟରେ ଭାଇରାଲ ହେଉଛି ପୁଷ୍ପା ସିନେମାର ଡାଏଲଗ୍ । ରାସ୍ତାଘାଟରେ ମଧ୍ୟ ଏହି ଷ୍ଟାଇଲକୁ କରିବାକୁ ଚେଷ୍ଟା କରୁଛନ୍ତି ଯୁବପୀଢି । ମାଧ୍ୟମ ଯାହା ବି ହେଉନା କାହିଁକି କମ୍ ସମୟରେ ଲୋକେ ଯାହାକୁ ଗ୍ରହଣ କରୁଛନ୍ତି ତାହା କରାଯିବା ହିଁ ସମୟୋପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ସମୟ ସହ ତାଳ ଦେଇ ବିଭିନ୍ନ ସମୟରେ ଅପେରା ହେଉକି ସିନେମା ସେଗୁଡିକର ଡାଏଲଗ ଭାଇରାଲ ହୋଇଥାଏ । ଏବେ ପୁଷ୍ପାକୁ ନେଇ ୩ଟି ସରକାରୀ ସଂସ୍ଥା ପ୍ରୟାସ ଆରମ୍ଭ କରିଥିବା ବେଳେ ଆଗକୁ ଅଧିକ ସଂସ୍ଥା ଆସିପାରନ୍ତି ।

Leave a Reply