ଦେଶରେ ବଢ଼ୁଛି ଏନକାଉଣ୍ଟର, ୫ ବର୍ଷରେ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୬୫୫

ନୂଆଦିଲ୍ଲୀ: ଦେଶରେ ବଢୁଛି ପୋଲିସ ଏନକାଉଣ୍ଟର । ଗତ ୫ ବର୍ଷରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୬୫୫ ଜଣ । ଛତିଶଗଡ଼ରେ ସର୍ବାଧିକ ୧୯୧ ଜଣ ପ୍ରାଣ ହରାଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ଥିବା ଉତ୍ତର ପ୍ରଦେଶରେ ଘଟିଛି ୧୧୭ଟି ଏନକାଉଣ୍ଟର । ସେହିପରି ଆସାମରେ ୫୦ଟି, ଝାଡଖଣ୍ଡରେ ୪୯ଟି, ଜାମ୍ମୁ ଓ କାଶ୍ମୀରରେ ୩୫ଟି ଘଟଣା ଘଟିଛି । ଗତ ୫ ବର୍ଷରେ ଉତ୍ତରପ୍ରଦେଶରେ କେତୋଟି ଏନକାଉଣ୍ଟର ଘଟିଛି ବୋଲି ଲୋକସଭାରେ ଖୋଦ୍ ବିଜେପି ସାଂସଦ ବରୁଣ ଗାନ୍ଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଗତ ୨୦୧୭ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୩୧ ତାରିଖ ମଧ୍ୟରେ ଘଟିଥିବା ଏନକାଉଣ୍ଟର ତଥ୍ୟକୁ ଆଧାର କରି ସଂସଦରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ବିହାରରେ ୨୨ଟି, ହରିଆଣାରେ ୧୫ଟି, ତାମିଲନାଡୁରେ ୧୪ଟି, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ୧୩ଟି ଲେଖାଏଁ ଏନକାଉଣ୍ଟର ଘଟିଛି । ରାଜସ୍ଥାନ ଓ ଦିଲ୍ଲୀରେ ୮ଟି ଲେଖାଏଁ ଏନକାଉଣ୍ଟର ଘଟିଛି । ତେବେ ଏହି ଏନକାଉଣ୍ଟରକୁ ନେଇ କେତୋଟି ଏଫଆଇଆର ଦାୟର ହୋଇଛି, କେତୋଟି ଘଟଣାରେ ସମ୍ପୃକ୍ତ ପୋଲିସ ବିରୋଧରେ ତଦନ୍ତ ଜାରି ରହିଛି, କେତେଜଣ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେସବୁ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ମନ୍ତ୍ରୀ ନିତ୍ୟାନନ୍ଦ । ଏନକାଉଣ୍ଟର ଜନିତ ମୃତ୍ୟୁ ଘଟଣାରେ ତଦନ୍ତ ଲାଗି ଗାଇଡଲାଇନ ଜାତୀୟ ମାନବାଧିକାର କମିଶନ ଜାରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply