spot_img
Home Blog Page 4692

ଲୋନ ଦେବାକୁ ମନା କଲା ବ୍ୟାଙ୍କ, ଉତ୍ତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇଲେ ଯୁବକ

ବେଙ୍ଗାଲୁରୁ: ଲୋନ ପାଇଁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ଲୋନ ଦେବାକୁ ମନା କରିଦେଇଥିଲେ । ଯାହା ଫଳରେ ଉକ୍ତ ବ୍ୟକ୍ତି ରାଗିଯାଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ଲୋନ ନେବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ । କିନ୍ତୁ ସେହି ବ୍ୟକ୍ତିଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ପରେ ବ୍ୟାଙ୍କ ତାଙ୍କୁ ଲୋନ ଦେବାକୁ ମନା କରିଦେଇଥିଲା । ଯାହା ଫଳରେ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ ।

ବ୍ୟାଙ୍କରେ ନିଆଁ ଲଗାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୩୬, ୪୭୭ ଓ ୪୩୫ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

କରୋନାରେ ଆକ୍ରାନ୍ତ ହେଲେ ଲତା ମଙ୍ଗେସକର

ମୁମ୍ବାଇ: ଭାରତରେ ପୁଣି ଥରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏଥିରେ ଅନେକ ବଲିଉଡ ତାରକା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ବଲିଉଡ ତାରକାଙ୍କ ଲିଷ୍ଟରେ ଏବେ ଯୋଡି ହୋଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ICUରେ ଭର୍ତ୍ତି ହୋଇଛନ୍ତି ।

କରୋନାରେ ଆକ୍ରାନ୍ତ ହେବା ପରେ ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା । ସେ କହିଛନ୍ତି କି ତାଙ୍କଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖା ଯାଇଛି । ଯେହେତୁ ତାଙ୍କର ବୟସ ଅଧିକ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିମୋନିଆରେ ବି ସଂକ୍ରମିତ ଅଛନ୍ତି ବୋଲି କହିଛନ୍ତି ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ସିରିଜ୍ ଜିିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

କେପ ଟାଉନ୍: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚ ସହ ସିରିଜ୍ ଜିତିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବ୍ରିଗେଡ । ଏହି ବିଜୟ ସହ ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଏହି ସିରିଜକୁ ବିଜୟ ଲାଭ କରି ନିଜ କ୍ୟାରିୟରରେ ଆଉ ସଫଳତାର ଫର୍ଦ୍ଦ ଯୋଡିବାକୁ ଚେଷ୍ଟା କରିବେ ଅଧିନାୟକ ବିରାଟ କୋହଲି । ତେଣୁ ଦ୍ୱିତୀୟ ମ୍ୟାଚର ପରାଜୟର ତ୍ରୁଟିକୁ ଭୁଲି ତୃତୀୟ ମ୍ୟାଚରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ଗଡ଼ ଦଖଲ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ଯଦି ଦକ୍ଷିଣ ଆଫ୍ରିକା କଥା କହିବା ତାହାଲେ ଘରୋଇ ମାଟିରେ ଭାରତକୁ ପରାସ୍ତ କରି ସିରିଜକୁ ୨-୧ରେ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା ।

କେପ ଟାଉନରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ପୁଣି ଥରେ ଟିମକୁ ଫେରିଛନ୍ତି । ଯାହା ଫଳରେ ଭାରତୀୟ ଦଳର ମନୋବଳ ବଢ଼ିଛି । ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୧୧୩ ରନରେ ବିଜୟ ଲାଭ କରିଥିଲା । କିନ୍ତୁ ଜୋହାନ୍ସବର୍ଗରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ୧-୧ରେ ବରାବର କରିଥିଲା । ତେଣୁ କେପ ଟାଉନରେ ଖେଳାଯାଉଥିବା ମ୍ୟାଚରେ ବିଜୟ ଲାଭ କରି ସିରିଜ ହାତେଇବାକୁ ଉଭୟ ଦଳ ଚେଷ୍ଟା କରିବେ ।

ଅନ୍ତିମ ମ୍ୟାଚରେ ଭାରତର ଚୁଡାନ୍ତ ଏକାଦଶ କଥା ଯଦି କହିବା ତାହାଲେ ଶେଷ ମ୍ୟାଚରେ ଭାରତ ଦୁଇଟି ପରିବର୍ତ୍ତନ କରିବ । ତୃତୀୟ ମ୍ୟାଚରେ ହନୁମା ବିହାରୀଙ୍କ ସ୍ଥାନରେ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଥିବା ବେଳେ ଆଘାତ କାରଣରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳକୁ ଫେରି ପାରନ୍ତି ଅନୁଭବୀ ଇଶାନ୍ତ ଶର୍ମା ।

ଯଦି କେପ ଟାଉନରେ ଭାରତୀୟ ଦଳର ରେକର୍ଡ କଥା କହିବା ତାହାଲେ ଏପର୍ଯ୍ୟନ୍ତ ଭାରତ କେପ ଟାଉନରେ ଗୋଟିଏ ବି ଟେଷ୍ଟରେ ବିଜୟ ଲାଭ କରିପାରିନାହିଁ । କେପ୍‌ ଟାଉନ୍‌ରେ ଭାରତ ୫ଟି ଟେଷ୍ଟ ଖେଳିଥିଲେ ହିଁ ଗୋଟିଏ ବି ମ୍ୟାଚରେ ବିଜୟର ସ୍ୱାଦ ଚାଖିପାରି ନାହିଁ । ୩ଟି ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେଣୁ ଏହି ମ୍ୟାଚକୁ ଜିତି କେପ ଟାଉନରେ ପରାଜୟର ଧାରା ଭାଙ୍ଗି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

 

ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ତାରିଖ । ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ।  ସକାଳ ୭ରୁ ଅପରାହ୍ନ ୧ ଯାଏଁ ପଡିବ ଭୋଟ  । ଫେବୃଆରୀ ୧୬,୧୮,୨୦, ୨୨, ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ  ।  ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ ।  ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ  । ୨୨ ଜାନୁଆରୀରେ ପ୍ରାର୍ଥୀପତ୍ର ହେବ ଯାଞ୍ଚ   । ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ  ।ଏନେଇ ପ୍ରେସମିଟ୍‌ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ  ।

ସେପଟେ ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ପ୍ରଥମ ପର୍ଯ୍ୟାରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍‌, ୧୬ଶହ ୬୯ଟି ପଞ୍ଚାୟତ ଓ ୨୨ହଜାର ୩୭୯ ବୁଥ୍‌ରେ ନିର୍ବାଚନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ଟି ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନ୍‌, ୧୫୧୪ ଗ୍ରାମପଞ୍ଚାୟତ ଓ ୨୦ହଜାର ୪୩୬ ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧୭୧ ଜିଲ୍ଲା ପରିଷଦ, ୧୩୮୨ ଗ୍ରାମପଞ୍ଚାୟତ, ୧୮୪୯୫ ବୁଥ୍‌ରେ ଭୋଟ୍ ହେବ ।

ଚତୁର୍ଥ ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ, ୧୬୩ ଜିଲ୍ଲା ପରିଷଦ, ୧୨୫୪ ଗ୍ରାମପଞ୍ଚାୟତ, ୧୭୮୯ ବୁଥ୍‌ରେ ଭୋଟ୍ ଗ୍ରହଣ ହେବ । ପଞ୍ଚମ ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକ, ୧୩୧ ଜିଲ୍ଲା ପରିଷଦ, ୯୭୫ ଗ୍ରାମପଞ୍ଚାୟତ, ୧୩୫୧୪ ବୁଥ୍‌ରେ ଭୋଟ୍ ହେବ । ପ୍ରତ୍ୟକ୍ଷ ନିର୍ବାଚନ ସରିବା ପରେ ୧୧ମାର୍ଚ୍ଚରେ ନାଏବ ସରପଞ୍ଚ, ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୩ ମାର୍ଚ୍ଚରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ୨୫ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ । କରୋନା କଟକଣାରେ ହେବ ମତଦାନ ।

କୋଭିଡ କଟକଣାରେ ନିର୍ବାଚନ ଆହୁତ କରିବା ନେଇ କମିଶନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ସଭା, ସମିତି, ଶୋଭାଯାତ୍ରା, ସାଇକେଲ୍‌ ଓ ବାଇକ୍‌ ରାଲିକୁ ଅନୁମତି ନାହିଁ । ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ସମାବେଶ ନିଷିଦ୍ଧ କରାଯାଇଛି । କେବଳ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋର୍‌ ଟୁ ଡୋର୍‌ ବୁଲି ପ୍ରଚାର କରିପାରିବେ । କୋଭିଡ୍‌ ଦୃଷ୍ଟିରୁ ଡିଜିଟାଲ୍‌, ଭର୍ଚୁଆଲ୍‌ ମୋବାଇଲ୍‌କୁ ପ୍ରଚାରର ମାଧ୍ୟମ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟ୍‌ ଗଣତି ପରେ ପ୍ରାର୍ଥୀଙ୍କ ବିଜୟ ଶୋଭାଯାତ୍ରାକୁ ବାରଣ କରାଯାଇଛି । କୌଣସି ରାଜନୈତିକ ଦଳ ମାର୍ଗଦର୍ଶିକାର ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେପଟେ କରୋନା ଟିକାର ଡବଲ୍ ଡୋଜ୍‌ ଓ ଆରଟିପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ଦେଖାଇ ଭୋଟ୍‌ ଦେଇପାରିବେ । ପରିସ୍ଥିତି ଦେଖି କଟକଣା ନିଷ୍ପତ୍ତି ନିଆଯିବ ।

 

କରୋନା ସଂକ୍ରମଣକୁ ଦେଖି ଦିଲ୍ଲୀରେ ବଢ଼ିଲା କଟକଣା, ବନ୍ଦ ହେଲା ସମସ୍ତ ପ୍ରାଇଭେଟ ଅଫିସ୍

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛି ।  ଦିଲ୍ଲୀ କଥା ଯଦି କହିବା ତାହାଲେ ଦିଲ୍ଲୀରେ ସୋମବାର ୧୯ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଥିଲା । ସେହିପରି ସୋମବାର କରୋନାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ଦେଖି କଡ଼ା କଟକଣା ଲାଗୁ କରାଯାଇଛି । ଲାଗୁ କରାଯାଇଥିବା ନୂଆ ନିୟମ ଅନୁସାରେ ଦିଲ୍ଲୀରେ ଥିବା ସମସ୍ତ ପ୍ରାଇଭେଟ ଅଫିସ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ ଅଫିସର ସମସ୍ତ କର୍ମଚାରୀ ଓ୍ୱାର୍କ ଫ୍ରମ ହୋମ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଏହି ଆଦେଶ ଦେଇଛି ।

ଏହା ବ୍ୟତୀତ DDMA ଆହୁରି କଡ଼ା କଟକଣା ମଧ୍ୟ ଲାଗୁ କରିଛି । DDMAର ନୂଆ ଆଦେଶ ଅନୁସାରେ ଦିଲ୍ଲୀରେ ସବୁ ରେଷ୍ଟୁରାଣ୍ଟ ଓ ବାର୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ । କିନ୍ତୁ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ହୋମ୍ ଡେଲିଭରୀ ହୋଇପାରିବ । ସେହିପରି ଦିଲ୍ଲୀରେ ବର୍ତ୍ତମାନ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏହା ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଡ଼ା କଟକଣା ଲାଗୁ କରାଯାଇଥିଲା । ଦିଲ୍ଲୀରେ ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଥିଲା । କିନ୍ତୁ ଏହି କଟକଣା ଲାଗୁ ସତ୍ତ୍ୱେ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ହୋଇନଥିଲା । ଯାହା ଫଳରେ DDMA ଏପରି କଡ଼ା କଟକଣା ଲାଗୁ କରିଛି ।

ଦେଶରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତର ଭାବରେ ପଞ୍ଚମ ଦିନରେ ଲକ୍ଷେ ଉପରେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୬୮ ହଜାର ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୨୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ତୁଳନାରେ ଆଜି ୬.୫ ପ୍ରତିଶତ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧ ଲକ୍ଷ ୬୮ ହଜାର ୬୩ କେସ୍ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରୁ ସର୍ବାଧିକ ୩୩ ହଜାର ୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୧୯ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ୧୯ହଜାର ୨୮୬ କରୋନା କେସ୍ ରିପୋର୍ଟ ହୋଇଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଯଦି କହିବା ତାହାଲେ ଦେଶରେ ଓମିକ୍ରନ ଆକ୍ରାନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୪୪୬୧ ପାର୍ କରିଛି । ଅନ୍ୟପକ୍ଷରେ ଦିଲ୍ଲୀ ଜେଲରେ ୬୬ଜଣ କଏଦୀଙ୍କ ସମେତ ୪୮ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତିହାର ଜେଲରେ ୪୨ କଏଦୀଙ୍କ ସହ ୩୪ ଜଣ ଷ୍ଟାଫ୍ ଓ ମାଣ୍ଡୋଲି ଜେଲରେ ୨୪କଏଦୀ ଓ ୬ଜଣ ଜେଲ କର୍ତ୍ତୃପକ୍ଷ କରୋନା ପଜିଟିଭ୍ ହୋଇଛନ୍ତି ।

 

ବିଶ୍ୱରେ ବିରଳ, ମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃଦୟ

ୱାସିଂଟନ୍: ପ୍ରଥମଥର ମାନବ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ । ଜେନେଟିକ ଅପରେସନ  ମାଧ୍ୟମରେ ଜଣେ ୫୭ ବର୍ଷୀୟ ପୁରୁଷ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ  । ପ୍ରଥମ ଥର ପାଇଁ  ଏହି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି  । ଶୁକ୍ରବାର ଅସ୍ତ୍ରୋପ୍ରଚାର କରାଯାଇଥିବାବେଳେ ଏହାର ସବିଶେଷ ତଥ୍ୟ ସୋମବାର ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ  ପ୍ରଦାନ କରିଛି  । ମିଳିଥିବା ସୂଚନା ମୁତବାକ  ଡେବିଟ ବେନେଟ ନାମକ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥିଲେ  । ପରେ ତାଙ୍କର ଚିକିତ୍ସା ପଦ୍ଧତି ଆରମ୍ଭ କରାଯାଇଥିଲା  ।

ଅପରେସନ ପୂର୍ବରୁ ଡେବିଟ କହିଥିଲେ, ମୋ ପାଖରେ ଦୁଇଟି ବିକଳ୍ପ ରହିଛି  । ଆପଣ ମୋତେ ମାରିଦିଅନ୍ତୁ ନଚେତ, ମୋର ହାର୍ଟ ପ୍ରତିରୋପଣ କରନ୍ତୁ  । ଅନ୍ଧାରରେ ବାଡି ବୁଲଇବା ଭଳି ମୁଁ ବଞ୍ଚୁଛି  । କେଉଁ ମୂହୂର୍ତ୍ତରେ ମଧ୍ୟ ମୋର ମୃତ୍ୟୁ ଘଟିପାରେ ବୋଲି କହିଥିଲେ ଅପରେସନ ହୋଇଥିବା  ଡେବିଟ ବେନେଟ୍  । ପୂର୍ବରୁ ହାର୍ଟ ବାଇପାସ ମେସିନ ସାହାରା ନେଇ ଡେବିଟ ମୃତ୍ୟୁ ସହ ସଂଘର୍ଷ କରୁଥିଲେ  । ଏଭଳି ଏକ ମାମଲା ମେଡିକାଲରେ ପହଁଚିବା ପରେ ଅମରଜେନ୍ସି ଅସ୍ତ୍ରୋପ୍ରଚାର ନେଇ ଫୁଡ୍ ଆଣ୍ଟ ଡ୍ରଗ୍ସ  ଆଡିମିନଷ୍ଟ୍ରେସନର ଅନୁମତି ମଗାଯାଇଥିଲା  ।  ପରେ ଆରମ୍ଭ ହୋଇଥିଲା ଅପରେସନ  ।

ନୂଆବର୍ଷରେ ହୋଇଥିବା ଏହି ଐତିହାସିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି ବୋଲି ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପକ୍ଷରୁ କୁହାଯାଇଛି । ମଣିଷ ଦେହରେ ପଶୁଙ୍କ ଅଙ୍ଗ ପ୍ରତିରୋପଣ କରିବାରେ ଏହା ଏକ ବିରାଟ ମାଇଲଖୁଣ୍ଟ ସୃଷ୍ଟି କରିଛି । ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଥିବା ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏବେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣ ପାଇଁ ରଖାଯାଇଛି ।

ଯେହେତୁ ପ୍ରଥମ ଥର ପାଇଁ ମାନବ ଶରୀରରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି  । ତେଣୁ ଏହାକୁ ଚ୍ୟାଲେଞ୍ଜର ସହ ଗ୍ରହଣ କରିଥିଲେ ଡାକ୍ତରୀ ଟିମ୍  । ଚିକିତ୍ସା କରୁଥିବା ଡାକ୍ତର  ଗ୍ରୀଫିଥ୍ କହିଛନ୍ତି, ଏହା ଏକ ବ୍ରେକ ଥ୍ର୍ୟୁ ସର୍ଜରୀ ରହିଥିଲା, ମଣିଷ ଶରୀରରେ ଅଙ୍ଗ ପ୍ରତ୍ୟାରୋପଣରେ ଏହି ମାମଲା ଏକ ନୂଆ ଫର୍ଦ୍ଦ ଯୋଡିଛି  । ଅପରେସନ ପରେ ବର୍ତ୍ତମାନ ଚିକିତ୍ସିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି  ।

ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୭୦୭୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୭୦୭୧ ପଜିଟିଭ୍ । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ 707 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ 4128ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି 2943।

ସେପଟେ ପୂର୍ବପରି ସଂକ୍ରମିତଙ୍କ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ 2226 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ ୮୩, ବାଲେଶ୍ୱରରୁ ୧୯୮, ବରଗଡ଼ରୁ ୮୫, ଭଦ୍ରକ ୫୪ ଓ ବଲାଙ୍ଗୀରରୁ ୧୯୦ ଜଣ ଚିହ୍ନଟ ହୋଇଛନ୍ତି  ।

ସେହିପରି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ମାମଲା ସୁ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି  । କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୪୭ ଚିହ୍ନଟ ହୋଇଛନ୍ତି  । ସମ୍ୱଲପୁରରୁ ୬୦୯ ଜଣ ଓ ପୁରୀରୁ ୧୫୬ ଜଣ ଚିହ୍ନଟ ହୋଇଛନ୍ତି  ।

ପ୍ରେସମିଟ ଡାକିଲେ SEC, ଆଜି ବାଜିବ ପଞ୍ଚାୟତ ବିଗୁଲ୍

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ୧୧.୩୦ରେ ଘୋଷଣା ହୋଇପାରେ ନିର୍ବାଚନୀ ତାରିଖ। ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ପ୍ରେସମିଟ୍  । ପୂର୍ବାହ୍ନ ସାଢ଼େ ୧୧ଟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ  ।

ଗତକାଲି ସର୍ବଦଳୀୟ ବୈଠକ ବସିଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସପକ୍ଷରେ ଅଛନ୍ତି  । ସେପଟେ ବିରୋଧି ଦଳ ବିଜେପି ଓ କଂଗ୍ରେସ ନିର୍ବାଚନ ଘୁ଼ଞ୍ଚାଇବା ନେଇ ଯୁକ୍ତି ବାଢିଥିଲେ  । ଅନ୍ୟପଟେ ଯେହେତୁ ଜାତୀୟ ନିର୍ବାଚନ କମିଶନ ପାଞ୍ଚଟି ରାଜ୍ୟରେ କୋଭିଡ କଟକଣା ମୁତାବକ ନିର୍ବାଚନ କରିବାକୁ ଚାହୁଁଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଉକ୍ତ କଟକଣା ମୁତାବକ ନିର୍ବାଚନ କରିବାକୁ ଆଗ୍ରହୀ ଅଛନ୍ତି  ।

ସେପଟେ ଅପରାହ୍ନରେ ନିର୍ବାଚନ ଆୟୋଗ ରାଜ୍ୟ ପୋଲିସ ଡିଜି ଓ ଗୃହ ସଚିବଙ୍କ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ବୈଠକ କରିଥିଲେ  । ପରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏ ବିଷୟରେ ଅବଗତ କରିଥିଲେ । ତେଣୁ ନିର୍ବାଚନକୁ ସଠିକ ସମୟରେ ଆହୁତ କରିବାକୁ ଚାହୁଁଥିବା ନିର୍ବାଚନ ଆୟୋଗ ଆଜି ସାଢେ ୧୧ଟା ସମୟରେ ତାରିଖ ଘୋଷଣା କରିପାରନ୍ତି  ।

ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ  । ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଯାଇଛି  ।  ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା  । ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସେ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ  ବିଧାୟକ ରହିଥିଲେ। ପ୍ରଥମେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳରୁ ୧୯୯୦ରେ ଖଡ଼ିଆଳରୁ ସେ ବିଧାନସଭାକୁ ଆସିଥିଲେ। ଏହାପରେ ପୁଣି ୧୯୯୫ରେ ସେଠାରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦାନ କରି ସେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ ମସିହାରେ ଦୁଇ ଥର  ମନ୍ତ୍ରୀ ମଧ୍ୟ ରହିଥିଲେ।

୨୦୧୪ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ସେହିବର୍ଷ ବିଧାନସଭା ନିର୍ବାଚନ‌ରେ ଭାରତୀୟ ଜନତା ପାର୍ଟିରୁ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବିଜୁ ଜନତା ଦଳକୁ ଫେରି ଆସିଥିଲେ।