ଡାକ୍ତରଙ୍କ ଗାଡ଼ି ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

1 min read

ଭୁବନେଶ୍ୱର: ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । ଖଣ୍ଡଗିରି-ଆମ୍ରି ରାସ୍ତାରେ ଗତକାଲି ରାତିରେ ଏକ ଦୁର୍ଘଟଣାରେ ସାମ୍ବାଦିକ ଜିତେନ୍ଦ୍ର ପ୍ରସାଦ ଦାସଙ୍କର ମୃତ୍ୟୁ ଘଟିଛି । ସେ ‘ପ୍ରମେୟ’ ଖବରକାଗଜର ବରିଷ୍ଠ ସବ୍-ଏଡିଟର ଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଅନ୍ଦୁଳିରେ । ସୂଚନା ଅନୁସାରେ, ଜିତେନ୍ଦ୍ର ଆଜି ରାତିରେ ଖଣ୍ଡଗିରି ପାହାଡ ପଛପଟେ OSRTC ବସ୍ ଡିପୋ ସାମ୍ନାରେ ଚାଲିକି ଯାଉଥିଲେ । ଏହି ସମୟରେ ଆମ୍ରି ହସ୍ପିଟାଲ ଡାକ୍ତର ରଶ୍ମିକାନ୍ତ ମିଶ୍ର ହସ୍ପିଟାଲ ଆଡୁ ବାଇକରେ ଦ୍ରୁତ ଗତିରେ ଘରକୁ ଫେରୁଥିଲେ । ଦ୍ରୁତ ଗତିରେ ଆସି ଜିତେନ୍ଦ୍ରଙ୍କୁ ପଛପଟୁ ଧକ୍କା ଦେଇଥିଲେ ରଶ୍ମିକାନ୍ତ । ଦୁର୍ଘଟଣା ଫଳରେ ଜିତେନ୍ଦ୍ରଙ୍କ ମୁଣ୍ଡ ରୋଡ ଡିଭାଇଡରରେ ପିଟି ହୋଇ ଯାଇଥିଲା ।

ଦୁର୍ଘଟଣା ପରେ ସେଠାରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ଜିତେନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଭରତପୁର ଥାନା ପୋଲିସ ହସ୍ପିଟାଲକୁ ଯାଇ ତଦନ୍ତ କରିଥିଲା । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଜିତେନ୍ଦ୍ର ଜଣେ ସରଳ, ମିଷ୍ଟଭାଷୀ ଓ ପରପୋକାରୀ ମଣିଷ ଭାବେ ପରିଚିତ ଥିଲେ । ଜିତେନ୍ଦ୍ରଙ୍କ ମୃତ୍ୟୁରେ ’ପ୍ରମେୟ’ ଓ ’NEWS 7’ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

Leave a Reply