ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ଘୋଷଣା କଲେ ସ୍ଥିତି ଭୟଙ୍କର ହେବ: ଭ୍ଲାଦିମିର ପୁଟିନ୍

1 min read

ମସ୍କୋ: ଥମିବାର ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବା ବେଳେ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର କଟକଣା ମଧ୍ୟ ସମଧରଣର ଯୁଦ୍ଧ ପରି । ୟୁକ୍ରେନ ଆକାଶକୁ ଯଦି ନୋ-ଫ୍ଲାଏ ଜୋନ ଘୋଷଣା କରାଯାଏ, ତେବେ ପରିସ୍ଥିତି ଭୟାବହ ହେବ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି । ପୂର୍ବରୁ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ଘୋଷଣା କରିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ପ୍ରସ୍ତାବକୁ ନାଟୋ ଅଗ୍ରାହ୍ୟ କରିଥିଲା । ଏହା ଯଦି କରାଯାଏ ତେବେ ୟୁରୋପରେ ଯୁଦ୍ଧର ଭୟାବହତା ଅଧିକ ହେବ ବୋଲି ନାଟୋ ଆଶଙ୍କା କରିଥିଲା । ପୁଟିନ ମଧ୍ୟ କହିଛନ୍ତି ଯେ, ଏକ ସାମରିକ ଶକ୍ତିବିହୀନ ଓ ଅଣନାଜିଶକ୍ତି ସମ୍ପନ୍ନ ତଥା ଏକ ନିରପେକ୍ଷ ରାଷ୍ଟ୍ର ଭାବେ ସେ ୟୁକ୍ରେନକୁ ଦେଖିବାକୁ ଚାହାଁନ୍ତି ।

ଅନ୍ୟପକ୍ଷରେ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଟଫାଲି ବେନେଟ । କ୍ରେମଲିନରେ ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଆଲୋଚନା । ୟୁକ୍ରେନର ମଧ୍ୟସ୍ଥିମାନେ ଦର୍ଶାଇଛନ୍ତି କି, ଆସନ୍ତାକାଲି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାରେ କିଛି ସଫଳତା ମିଳିବା ଆଶା କରାଯାଉଛି । ପୂର୍ବରୁ ହୋଇଥିବା ଦୁଇ ପର୍ଯ୍ୟାୟ କଥାବାର୍ତ୍ତା ବିଭିନ୍ନ କାରଣରୁ ବିଫଳ ହୋଇଥିଲା । ତେଣେ ୟୁକ୍ରେନର ଦୁଇ ସହର ମାରିଉପୋଲ ଓ ଭୋଲନୋଭାଖାରେ ଜାରି ହୋଇଥିବା ଅସ୍ତ୍ରବିରତି ଘୋଷଣା ବିଫଳ ହୋଇଛି । ଏନେଇ ମସ୍କୋ ଓ କିଭ୍ ପରସ୍ପର ଉପରେ ଦୋଷାରୋପ କରିଛନ୍ତି । ମାରିଓପୋଲରେ ଋଷ ସୈନ୍ୟ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ପ୍ରାୟ ୧୫ ଲକ୍ଷ ନାଗରିକ ସୀମାବର୍ତ୍ତୀ ରାଷ୍ଟ୍ରକୁ ଚାଲି ଯାଇଥିବା ସୂଚନା ମିଳିଛି ।

ସେପଟେ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦେଇଛି ଚେତାବନୀ । ଏହି ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ଯଥେଷ୍ଟ କ୍ଷତି କରାଇବ ବୋଲି ଆଇଏମଏଫ କହିଛି । ତୁରନ୍ତ ସାହାଯ୍ୟ ପ୍ରଦାନ ଲାଗି ଆମେରିକା ସିନେଟର ମାନଙ୍କୁ ଜରୁରୀ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହା ସହ ପୂର୍ବ ୟୁରୋପରେ ଥିବା ଋଷୀୟ ବିମାନକୁ ୟୁକ୍ରେନକୁ ପ୍ରଦାନ କରିବା ଲାଗି ସେ ଅନୁରୋଧ କରିଛନ୍ତି ।

Leave a Reply