ଶାନ୍ତି ସେନାରୁ ସମସ୍ତ ସୈନିକଙ୍କୁ ଫେରାଇ ନେବ ୟୁକ୍ରେନ୍

1 min read
Russia Ukraine War Volodymyr Zelensky Recall UN Peacekeeping Force

ନୂଆଦିଲ୍ଲୀ: ୧୩ ଦିନ ଧରି ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଟାଳିବାକୁ ତିନି ତିନ ଥର ଆଲୋଚନା ସରିଲାଣି । ତଥାପି ନିଷ୍କର୍ସ ବାହାରି ପାରୁନି । ଯୁଦ୍ଧରେ ୟୁକ୍ରେନ୍ ସେନା ବିପୁଳ କ୍ଷତି ସହିଲାଣି । ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଶାନ୍ତି ସେନାକୁ ଫେରାଇ ନେବାକୁ ଡିକ୍ରିରେ ହସ୍ତାକ୍ଷର କରିଛନ୍ତି ।

ୟୁକ୍ରେନ୍ ମିଡିଆ ଅନୁସାରେ, ଜାତିସଂଘର ଶାନ୍ତି ଅଭିଯାନରେ ଥିବା ୟୁକ୍ରେନ୍ ସୈନିକଙ୍କୁ ଫେରାଇ ନେବା ଲାଗି ଜେଲେନସ୍କି ହସ୍ତାକ୍ଷର କରିଛନ୍ତି । ୟୁକ୍ରେନକୁ ଋଷ ଠାରୁ ରକ୍ଷା କରିବା ଲାଗି ଜେଲେନସ୍କି ଶାନ୍ତି ସେନାରୁ ସୈନ୍ୟ ଫେରାଇ ନେବା ଲାଗି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ୟୁକ୍ରେନ୍ ପାଖରେ ପ୍ରାୟ ୨ ଲକ୍ଷ ଯବାନ ରହିଛନ୍ତି । ଯେତେବେଳେ କି ଋଷ ପାଖରେ ୮ ଲକ୍ଷରୁ ଅଧିକ ସକ୍ରିୟ ଯବାନ ଅଛନ୍ତି । ଜାତିସଂଘ ଶାନ୍ତି ସେନାରେ ୟୁକ୍ରେନର ପ୍ରାୟ ୩୦୭ ସୈନ୍ୟ ଅଛନ୍ତି । ଯେଉଁଥିରେ ୮ ମହିଳା ଯବାନ ଥିବା ଜଣାପଡ଼ିଛି ।

 Russia Ukraine War Volodymyr Zelensky Recall UN Peacekeeping Force

ଶାନ୍ତି ସେନାର ଆରମ୍ଭ

୧୯୪୮ ମେ ୨୯ରେ ଜାତିସଂଘ ଶାନ୍ତି ସେନାର ଆରମ୍ଭ ହୋଇଥିଲା । ଜାତିସଂଘର କୌଣସି ନିର୍ଦ୍ଦିଷ୍ଟ ସେନା ନଥିବା ବେଳେ ଏହାର ସଦସ୍ୟ ରାଷ୍ଟ୍ର ଜାତିସଂଘର ମିଶନ ଲାଗି ନିଜ ଯବାନଙ୍କୁ ପଠାଇଥାନ୍ତି । ଜାତିସଂଘ ଶାନ୍ତି ସେନାରେ ସାମିଲ୍ ସୈନିକଙ୍କ ପରିଚୟ ନିଜ ଦେଶକୁ ନେଇ ହୋଇଥାଏ ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଚାହାଁନ୍ତି, ଋଷ ବିରୋଧୀ ଯୁଦ୍ଧ ପାଇଁ ଜାତିସଂଘ ଶାନ୍ତି ସେନାକୁ ୟୁକ୍ରେନ୍ ପଠାଉ । କିନ୍ତୁ ଉଭୟ ଦେଶ ଏନେଇ ରାଜି ନହେବା ଯାଏ ଜାତିସଂଘ ଶାନ୍ତି ସେନା କୌଣସି ସଂଘର୍ଷ କିମ୍ବା ଯୁଦ୍ଧ ଅଞ୍ଚଳକୁ ଯାଇପାରିବ ନାହିଁ ।

ଶାନ୍ତି ସେନା ଓ ଭାରତ

ଜାତିସଂଘର ତଥ୍ୟ ଅନୁସାରେ, ଶାନ୍ତିସେନାରେ ଭାରତର ୫ ହଜାର ୫୭୯ ସୈନିକ ରହିଛନ୍ତି । ଯେଉଁଥିରେ ୯୭ ଜଣ ମହିଳା ଯବାନ ଅଛନ୍ତି । ଏମାନଙ୍କୁ ବିଭିନ୍ନ ଦେଶରେ ମୁତୟନ କରାଯାଇଛି । ଜାତିସଂଘ ଶାନ୍ତିସେନାରେ ସବୁଠୁ ଅଧିକ ୬ ହଜାର ୩୮୯ ସୈନିକ ବାଂଲାଦେଶର ରହିଥିବା ବେଳେ ଦ୍ୱିତୀୟରେ ନେପାଳ ୫ ହଜାର ୬୪୯ ଯବାନ ରହିଛନ୍ତି । ଭାରତ ତୃତୀୟ ସ୍ଥାନରେ ରହିଛି । ଜାତିସଂଘ ଶାନ୍ତିସେନାରେ ୧୨୩ ଦେଶର ୭୫ ହଜାର ୮୫ ଜଣ ଯବାନ ରହିଛନ୍ତି ।

  • ବିଶ୍ୱବ୍ୟାପୀ ଦେଶଗୁଡ଼ିକ ନିଜ ସେନା ଉପରେ ଯେତିକି ଖର୍ଚ୍ଚ କରନ୍ତି, ତାର ମାତ୍ର ୦.୫ ପ୍ରତିଶତ ଜାତିସଂଘ ଶାନ୍ତି ସେନା ପାଇଁ ଖର୍ଚ୍ଚ ହୁଏ ।
  • ବିଗତ ୭୨ ବର୍ଷରେ ୧୨୫ ଦେଶର ୧୦ ଲକ୍ଷରୁ ଅଧିକ ପୁରୁଷ ଓ ମହିଳା ଯବାନ ଜାତିସଂଘର ୭୧ଟି ମିଶନରେ ଭାଗ ନେଇ ସାରିଛନ୍ତି ।
  • ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଶାନ୍ତି ସେନାର ୪ ହଜାର ୧୭୩ ଯବାନ ସହିଦ ହୋଇଛନ୍ତି ।
  • ଏବେ ଶାନ୍ତି ସେନାରେ ମୋଟ ୭୫ ହଜାର ୮୫ ଯବାନ ରହିଛନ୍ତି । ୬୯ ହଜାର ୩୩୫ ଜଣ ପୁରୁଷ ଓ ୫ ହଜାର ୭୫୦ ଜଣ ମହିଳା ସୈନ୍ୟ ଅଛନ୍ତି ।