Russia Ukraine War: ଭ୍ୟାକ୍ୟୁମ୍‌-କ୍ଲଷ୍ଟର ବମ୍ ଭଳି ୧୦ ଘାତକ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି ଋଷ

1 min read

ୟୁକ୍ରେନ୍‌: ୟୁକ୍ରେନ୍‌ରୁ ହଟୁନି ଯୁଦ୍ଧର କଳା ବାଦଲ। ଦିନକୁ ଦିନ ଯୁଦ୍ଧର ଘନଘଟା ଅଧିକରୁ ଅଧିକ ଘନେଇବାରେ ଲାଗିଛି। ଏହି ଭିତରେ ୧୩ ଦିନରେ ପହଞ୍ଚିଲାଣି ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଯୁଦ୍ଧ। ଯଦି ଦେଖିବା ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବହୁତ ଭୟଙ୍କର ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ୟୁକ୍ରେନ୍‌ର କହିବା ଅନୁଯାୟୀ ଋଷ ଏହି ଯୁଦ୍ଧରେ ବିଭିନ୍ନ ପ୍ରକାରର ଘାତକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛି। ୟୁକ୍ରେନ୍‌ର ମଧ୍ୟ ଏମିତି କିଛି ଘାତର ଅସ୍ତ୍ର ରହିଛି ଯାହା ଋଷ ଉପରେ ମଧ୍ୟ ଭାରି ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଋେଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଋଷ କେଉଁ କେଉଁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି।

ଭ୍ୟାକ୍ୟୁମ୍‌ ବମ୍‌

ଯୁଦ୍ଧର ୫ମ ଦିନରେ ଋଷ ଭ୍ୟାକ୍ୟୁମ୍‌ ବମ୍‌କୁ ୟୁକ୍ରେନ୍‌ ଉପରେ ବ୍ୟବହାର କରିଥିଲା। ଏହି ଅସ୍ତ୍ର ଥର୍ମୋବେରିକ ହତିଆର ସହ ସମାନ। ଥର୍ମୋବେରିକ ଅସ୍ତ୍ରକୁ ଯୁଦ୍ଧରେ ପ୍ରୟୋଗ ପାଇଁ ଜେନାଭା ସମ୍ମିଳନୀ ଅନୁଯାୟି ନିଷେଧ କରାଯାଇଥିଲା। ଏହି ବମ୍‌ ବହୁ ପରିମାଣରେ ଘାତକ ଏବଂ ଅଧିକମାତ୍ରାରେ ଧ୍ୱଂସ ମଧ୍ୟ କରିଥାଏ। ଏହିପରି ବୋମାଗୁଡିକରେ ପାରମ୍ପରିକ ବାରୁଦ ବଦଳରେ ଉଚ୍ଚ ଚାପର ବିସ୍ଫୋରକ ବ୍ୟବହାର କରାଯାଏ। ଯେତେବଳେ ଏହାକୁ ଲଞ୍ଚ କରାଯାଏ ସେତେବେଳେ ବୋମାଟି ଆଖପାଖର ଅମ୍ଳଜାନକୁ ଶୋଷଣ କରି ଏକ ବଡ଼ ବିସ୍ଫୋରଣ କରିଥାଏ। କେବଳ ଯୁଦ୍ଧରେ ବ୍ୟବହାର ପାଇଁ ଋଷ ଏପରି ବୋମା ତିଆରି କରିଛି। କୁହାଯାଉଛି ଯେ ୨୦୧୬ ରେ ଋଷ ମଧ୍ୟ ସିରିଆ ବିରୁଦ୍ଧରେ ଭାକ୍ୟୁମ୍ ବୋମା ବ୍ୟବହାର କରିଥିଲା।

କ୍ଲଷ୍ଟର ବମ୍‌

ଖାଲି ଏତିକି ନୁହେଁ ୟୁକ୍ରେନ୍‌ ଆହୁରି ମଧ୍ୟ ଦାବି କରିଛିକି ଯୁଦ୍ଧରେ ଋଷ କ୍ଲଷ୍ଟର ବୋମାର ବ୍ୟବହାର କରିଛି। କ୍ଲଷ୍ଟର ବାେମା ଭିତରେ ଅନେକ ବୋମା ମିଳିତ ଆକାରରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଘଟିଥିବା ସମସ୍ତ ଯୁଦ୍ଧରେ ୧୦ ରୁ ଅଧିକ ପ୍ରକାରର କ୍ଲଷ୍ଟର ବୋମା ବ୍ୟବହାର କରାଯାଇଛି। ଯୁଦ୍ଧ ବିମାନ ଏବଂ ରକେଟ୍ ଲଞ୍ଚର୍ ସିଷ୍ଟମରୁ କ୍ଲଷ୍ଟର ବୋମା ଲଞ୍ଚ କରାଯାଇପାରିବ। କ୍ଲଷ୍ଟର ବୋମା ବାୟୁରେ ତରଳିଯାଏ ଏବଂ ଏଥିରୁ ୫ ରୁ ୧୦ ସେମିର ଛୋଟ ବିସ୍ଫୋଟକ ଖସିବାକୁଲାଗେ। ଟାର୍ଗେଟ ନିକଟରେ ଏହି କ୍ଲଷ୍ଟର ବମ୍‌ ପଡ଼ିପବା ପରେ ଅଧିକାଂଶ ବୋମା ବିସ୍ଫୋରଣ ହୁଏନାହିଁ, ଧିରେ ଧିରେ କିଛି କିଛି ସମୟରେ ବିସ୍ଫୋରଣ ହୁଏ। ସିରିଆରେ ମଧ୍ୟ ସମାନ ବୋମା ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା।

ଷ୍ଟିଙ୍ଗର ଏବଂ ଜେବଲିନ୍‌ କ୍ଷେପଣାସ୍ତ୍ର

ଖାଲି ଋଷ ଆକ୍ରମଣ କରୁନାହିଁ। ୟୁକ୍ରେନ୍‌ ମଧ୍ୟ ଋଷ ଆକ୍ରମଣର ଜବାବ ଦେଉଛି। ୟୁକ୍ରେନ୍‌ ମିଜାଇଲ ମାଡ଼କରି ଋଷର ବିମାନକୁ ଧ୍ୱଂସ କରୁଛି। ଷ୍ଟିଙ୍ଗର ଏବଂ ଜେବଲିନ୍‌ ଭଳି ମିଜାଇଲ ବ୍ୟବହାର କରି ୟୁକ୍ରେନ ଋଷର ଅନେକ ଯୁଦ୍ଧ ବିମାନ ଏବଂ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଆମେରିକାରୁ ୟୁକ୍ରେନ ଏହି ଦୁଇଟି ମିଜାଇଲକୁ ଆଣିଥିଲା। ଷ୍ଟିଙ୍ଗର୍ କ୍ଷେପଣାସ୍ତ୍ରର ବିଶେଷତ୍ୱ ​​ହେଉଛି ଏହା ନିମ୍ନ ଉଚ୍ଚତାରେ ଉଡ଼ୁଥିବା ବିମାନକୁ ମଧ୍ୟ ମାରିପାରେ। ସୈନିକ ଏହାକୁ କାନ୍ଧରେ ରଖି ଶତୃକୁ ଆଟାକ କରିପାରେ। ଏଥି ସହିତ ଜାଭେଲିନ୍ କ୍ଷେପଣାସ୍ତ୍ର ଏକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଅଟେ। ଏହା ସହିତ ଶତ୍ରୁ ଦେଶର ଟ୍ୟାଙ୍କ ଏବଂ ସ୍ୱଳ୍ପ ଉଚ୍ଚତାରେ ଉଡ଼ୁଥିବା ବିମାନକୁ ମଧ୍ୟ ନଷ୍ଟ କରିପାରେ। ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ସଶସ୍ତ୍ର ଯାନ ଠାରୁ ଆରମ୍ଭ କରି ବଙ୍କର୍ ପର୍ଯ୍ୟନ୍ତ ଟାର୍ଗେଟ୍ କରାଯାଇପାରିବ।

NLAW ମିଜାଇଲ

ୟୁକ୍ରେନ ସେନା ମଧ୍ୟ NLAW କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଏହି ମିଜାଇଲରେ ଋଷର ସେନା ଟ୍ୟାଙ୍କକୁ ଟାର୍ଗେଟ କରାଯାଉଛି। ଷ୍ଟିଙ୍ଗର୍ ପରି, NALW କ୍ଷେପଣାସ୍ତ୍ରକୁ ମଧ୍ୟ କାନ୍ଧରେ ବୋହି ନେଇହେବ। ଏହି କ୍ଷେପଣାସ୍ତ୍ର ୨୦ ମିଟରରୁ ୪ଶହ ମିଟର ଦୂରରୁ ଏକ ଟ୍ୟାଙ୍କକୁ ଧ୍ୱଂସ କରିଦେଇପାରେ।

୫ କ୍ୱିଣ୍ଟାଲର ବମ୍

ଋଷର ସେନା ୟୁକ୍ରେନ ଉପରେ ଭାରି ଆକ୍ରମଣ କରୁଥିବା କହୁଯାଉଛି। ଏହାରିଭିତରେ ୟୁକ୍ରେନ ଉପରେ ଋଷ ୫ କ୍ୱିଣ୍ଟାଲ ଓଜନର ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା ଏକ ବୋମା ଛବି ଟ୍ୱିଟ୍ କରି ଅଭିଯୋଗ କରିଛନ୍ତିକି ଋଷର ସେନା ୫ କ୍ୱିଣ୍ଟାଲର ବୋମା ମାଡ଼ କରିଛି।

କ୍ରୁଜ୍‌ କ୍ଷେପଣାସ୍ତ୍ର

ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଋଷ ପାଖରେ 3M-୫୪ କ୍ୟାଲିବର କ୍ଷେପଣାସ୍ତ୍ର ରହିଛି। ଏହି କ୍ଷେପଣାସ୍ତ୍ରର ଲମ୍ବ ୬ ରୁ ୯ ମିଟର ଏବଂ ଓଜନ ୧୩୦୦ ରୁ ୨୩୦୦ କିଲୋଗ୍ରାମ ମଧ୍ୟରେ। ଖାଲି ସେତିକି ନୁହେଁ। ଏହି କ୍ଷେପଣାସ୍ତ୍ରରେ ୪ଶହରୁ ରୁ ୫ଶହ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇପାରିବ। ଏହି କ୍ଷେପଣାସ୍ତ୍ରର ଟାର୍ଗେଟ ରେଞ୍ଜ ୨୨୦ କିଲୋମିଟରରୁ ୪୫୦୦ କିଲୋମିଟର।

ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମ

ଋଷ ଏହି ଯୁଦ୍ଧରେ TOS-1 ମଲ୍ଟି ଲଞ୍ଚର ବ୍ୟବହାର କରୁଛି ଯାହା ଗୋଟିଏ କ୍ଲିକ୍‌ରେ ଏକା ସାଙ୍ଗରେ ୩୦ ରାଉଣ୍ଡ ଫାୟାର କରିପାରିବ। ଏହି ରକେଟକୁ ଟି -72 ଟ୍ୟାଙ୍କ ଉପରେ ଲଗାଯାଇପାରିବ। ଏହି ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମର ରେଞ୍ଜ ୩ ଶହ ମିଟରରୁ ୩.୫ କିଲୋମିଟର ପର୍ଯ୍ୟନ୍ତ। ଏହା ସହିତ ଋଷ ବିଏମ -୨୧ ବ୍ୟବହାର କରୁଛି। ଏହା ହେଉଛି ମଲ୍ଟିପଲ୍ ଲଞ୍ଚ୍ ରକେଟ୍ ସିଷ୍ଟମ୍ ଯାହା ଟ୍ରକ୍ ଉପରେ ଲଗାଯାଇଥାଏ। ଏହି ମଲ୍ଟିପଲ୍ ଲଞ୍ଚ୍ ରକେଟ୍ ସିଷ୍ଟମ୍ ୨୦ ସେକେଣ୍ଡରେ ୪୦ ରାଉଣ୍ଡ ମିଜାଇଲ ଫାୟାର କରିଥାଏ। ଯାହାର ଟାର୍ଗେଟ ରେଞ୍ଜ ହେଉଛି ୫ଶହ ମିଟରରୁ ୪୫ କିଲୋମିଟର ।

ଯୁଦ୍ଧ ବିମାନ

ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ ଋଷ ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର ବ୍ୟବହାର କରୁଛି। ଯୁଦ୍ଧ ବିମାନ ଗୁଡ଼ିକ ୟୁକ୍ରେନର ସାମରିକ ବେସ ଏବଂ କୋଠା ଉପରେ ବୋମା ମାଡ଼ କରୁଛି। ଯୁଦ୍ଧ ବିମାନଗୁଡ଼ିକରୁ ଏୟାର-ଟୁ-ଗ୍ରାଉଣ୍ଡକୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଉଛି। ଏହା ସହିତ କିଭ୍‌ରେ ଋଷିଆ ପରିବହନ ହେଲିକପ୍ଟର Mi-8 ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ତୋପ

ୟୁକ୍ରେନ ସହିତ ଯୁଦ୍ଧରେ ଋଷ ସୋଭିଏତ୍ ଯୁଗରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛି। ଯେଉଁଥିରେ ଆର୍ଟିଲିରି ମଧ୍ୟ ରହିଛି। ଖବର ଅନୁଯାୟୀ, ଏହି ଯୁଦ୍ଧରେ ଋଷ ୨୭ ମାଲ୍କା, ୨୩୦ ମିମି ହ୍ୱାଇଜର୍ ବ୍ୟବହାର କରୁଛି। ଏହି ଅସ୍ତ୍ର ୟୁକ୍ରେନର ସାମରିକ ଯାନଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଉଛି। ଏହା ସହିତ, ୨୪୦ ମିଲିମିଟର ଭାରୀ ସ୍ୱୟଂ ଚାଳିତ ମୋର୍ଟାର ବୃହତ ଅଟ୍ଟାଳିକାକୁ ଟାର୍ଗେଟ କରିବା ପାଇଁ ବ୍ୟବହୃତ ହେଉଛି।