ହୀରାନୀଳା କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶଙ୍କୁ ଗିରଫ କଲା ଭିଜିଲାନ୍ସ

କଳାହାଣ୍ଡି: ହୀରାନୀଳା କଲେଜ ପୂର୍ବତନ ପ୍ରିନ୍ସିପାଲ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ପାଖାପାଖି ୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି ।   ଏତେ ପରିମାଣର ସମ୍ପତ୍ତି ଅର୍ଜନ ଉପାୟ ନେଇ ରମେଶ ଚନ୍ଦ୍ର ସାହୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏବଂ ତାଙ୍କୁ କୋରାପୁଟ ସ୍ୱତନ୍ତ୍ର ଜିଲ୍ଲା ଜଜ (ଭବାନୀପାଟଣା)ଙ୍କ ନିକଟକୁ ପରଓ୍ୱାଡ କରାଯାଇଛି ।

ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଥିଲା । କଲେଜ ଅଧ୍ୟକ୍ଷଙ୍କ ଠାରୁ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିଲା । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ପ୍ରତକ୍ଷ୍ୟ କିମ୍ୱା ପରୋକ୍ଷ ମାଲିକାନାରେ ଥିବା ପ୍ରାୟ ୫ଟି ସ୍ଥାନରେ କରାଯାଇଥିଲା ରେଡ୍ । ଚଢାଉ ବେଳେ ୧ଲକ୍ଷ ୯୪ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି । ମୋଟ୍ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ ।

ଏଥିରେ ଦାମୀକାର, ଟ୍ରକ, ଜେସିବି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ଟି ପ୍ଲଟ୍ ଓ ଅନେକ ଗୁଡିଏ ଫ୍ଲାଟ ରହିଛି । କଲେଜରେ ଆର୍ଥିକ ଅନିୟମିତତା ଓ ଟଙ୍କା ହେରଫେର ଅଭିଯୋଗ ରହିଛି ପ୍ରିନ୍ସିପାଲଙ୍କ ନାଁରେ । ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ପିଅନ ଚାକିରି ପାଇଁ ଲାଞ୍ଚ ନେବା ଅଭିଯୋଗରେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ଏହା ସହିତ ସୁଇପର ଚାକିରି ଦେବାକୁ ଲକ୍ଷେ ୭୦ ହଜାର ଲାଞ୍ଚ ନେଇଥିବା ନେଇ ମଧ୍ୟ ମାମଲା ରହିଛି । ପୂର୍ବରୁ ଅଧ୍ୟକ୍ଷ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ୨୦୨୧ରେ ଉପଜିଲ୍ଲାପାଳଙ୍କ ଆଦେଶ ପରେ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇ କଲେଜରେ ଆର୍ଥିକ ଅନିୟମିତତାର ତଦନ୍ତ ହୋଇଥିଲା । ସେହିଦିନ ଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତ୍ତି ଭିଜିଲାନ୍ସ ସ୍କାନରରେ ରହିଥିଲା ।

ଏଥିସହିତ ପଢ଼ନ୍ତୁ: କଳାହାଣ୍ଡି କଲେଜ ଅଧ୍ୟକ୍ଷଙ୍କ ୫କୋଟିରୁ ଅଧିକ ସମ୍ପତ୍ତି ଜବତ କଲାଣି ଭିଜିଲାନ୍ସ