spot_img
Home Blog Page 4639

ସମାଜବାଦୀର ସଂଘର୍ଷ ଇତିହାସରେ ଆଜିର ଦିନ ଛପି ରହିବ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଜେପି ସରକାର ଆଜି ଜାଣିଶୁଣି ହେଲିକପ୍ଟରକୁ ଅଟକାଇଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ମୁଜାଫରନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶଙ୍କୁ ଯିବାକୁ ଥିଲା ।

ପ୍ରାୟ ଅପରାହ୍ନ ୨ଟା ୩୪ମି. ସମୟରେ ସେ ଟ୍ୱିଟ୍ କରି ଅଭିଯୋଗ କରିଥିଲେ ଯେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖାଯାଇଛି। ହେଲିକପ୍ଟର ଉଡ଼ିବାକୁ ଦିଆଯାଉ ନାହିଁ। କିନ୍ତୁ ଏଠାରୁ ଏବେ ଜଣେ ବରିଷ୍ଠ ବିଜେପି ନେତା ଉଡାଣ ଭରିଲେ । ହେଲେ ଆମକୁ ମୁଜାଫରନଗର ଯିବାକୁ ଅନୁମତି ଦିଆଯାଉ ନାହିଁ। ପରାଜିତ ବିଜେପିର ଏହା ଏକ ନୖେରାଶଜନକ ଷଡଯନ୍ତ୍ର। ଲୋକମାନେ ସବୁକିଛି ବୁଝୁଛନ୍ତି|

ତେବେ ୩ଟା ବେଳକୁ ଅଖିଳେଶ ଯାଦବ ମୁଜାଫରନଗରକୁ ଉଡ଼ାଣ ଭରିଥିବା ନେଇ ଖବର ଆସିଥିଲା। ପରେ ପୁଣି ଅଖିଳେଶ ଟ୍ୱିଟ୍ କରି କହିଛନ୍ତି ଯେ କ୍ଷମତାର ଅପବ୍ୟବହାର ହେଉଛି ପରାଜିତ ଲୋକଙ୍କର ସଙ୍କେତ । ଏହି ଦିନ ସମାଜବାଦୀ ସଂଗ୍ରାମ ଇତିହାସରେ ରେକର୍ଡ ହେବ!

ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ନାତୁଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦ୍ୟୁରପ୍ପାଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟା ନୀରଜଙ୍କ ସନ୍ଦେହଜନକ ମୃତ୍ୟୁ। ମାତ୍ର ୩୦ ବର୍ଷୀୟ ସୈନ୍ଦର୍ଯ୍ୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଣ୍ଟ୍ରାଲ ବେଙ୍ଗାଳୁରୁର ବସନ୍ତନଗର ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଛନ୍ତି ।

ତାଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ବାଉରିଂ ଆଣ୍ଡ ଲେଡି କର୍ଜନ ହସ୍ପିଟାଲରେ ସୌନ୍ଦର୍ଯ୍ୟାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ସୌନ୍ଦର୍ଯ୍ୟା ବିବାହ କରିଥିଲେ। ସୌନ୍ଦର୍ଯ୍ୟା ହେଉଛନ୍ତି ୟେଦ୍ୟୁରପ୍ପାଙ୍କ ବଡଝିଅ ପଦ୍ମାଙ୍କ କନ୍ୟା। ସେ ସ୍ଥାନୀୟ ଏମଏସ ରାମେୟା ହସ୍ପିଟାଲରେ ଜଣେ ଡାକ୍ତର ଭାବେ ପ୍ରାକ୍ଟିସ କରୁଥିଲେ। ସୌନ୍ଦର୍ଯ୍ୟାଙ୍କ ଏକ ୪ ମାସର ସନ୍ତାନ ରହିଛି ।  ତେବେ ଆଜି ସକାଳେ ସୌନ୍ଦର୍ଯ୍ୟା ରହୁଥିବା ଘରର କବାଟ ନ ଖୋଲିବାରୁ ଆଟେଣ୍ଡାଣ୍ଟ ଜଣକ ସୌନ୍ଦର୍ଯ୍ୟାଙ୍କ ସ୍ବାମୀ ଡାକ୍ତର ନୀରଜଙ୍କୁ ଖବର ଦେଇଥିଲେ । ପରେ କବାଟ ଭାଙ୍ଗି ଦେଖିବାରୁ ଜଣାପଡିଥିଲା ସୌନ୍ଦର୍ଯ୍ୟା ବେଡରୁମର ସିଲିଂ ଫ୍ୟାନରେ ସୁଇସାଇଡ କରିଛନ୍ତି।

ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଆରଗା ଜ୍ଞାନେନ୍ଦ୍ର କହିଛନ୍ତି- କିଛିଦିନ ଧରି ସୌନ୍ଦର୍ଯ୍ୟା ମାନସିକ ଚାପରେ ଥିଲେ । ଘଟଣା ପ୍ରକାଶ ପାଇବା ପରେ ହସ୍ପିଟାଲକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।

 

 

ନାଜାଲ କୋଭିଡ ବୁଷ୍ଟର ଡୋଜ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ । ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଲେ DCGI । ଏହି ପ୍ରକ୍ରିୟାରେ ୯୦୦ରୁ ଅଧିକ ବିଷୟରେ ଗବେଷଣା ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି DCGI । ଇଣ୍ଟରନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ସଫଳ ହେଲେ ଏହି ସଞ୍ଜୀବନୀକୁ ସହଜରେ ଦେଶରେ ବ୍ୟବହାର କରାଯାଇପାରିବ । DCGIର ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି ଏହି ଡୋଜର ଫେଜ-୩ ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଏହି ଅନୁମତି ଦେଇଛନ୍ତି । ଯଦି ଏହି ଟିକାର ଟ୍ରାଏଲ ସଫଳତା ଲାଭ କରେ ତେବେ ଏହା ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ ହେବ ।

ଗତ ୩ ସପ୍ତାହ ତଳେ ପ୍ରୋଟୋକଲ ଦାଖଲ କରିବା ଲାଗି ଭାରତ ବାୟୋଟେକକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନାଜାଲ ଡୋଜ ଯୋଗୁ କରୋନା ଭାରିଆଣ୍ଟ ଶରୀରରେ ପ୍ରବେଶ କରିପାରି ନଥାଏ । ଓମିକ୍ରନ ପରି ମାରାତ୍ମକ ଭୂତାଣୁର ସଫଳ ମୁକାବିଲା ଲାଗି ସକ୍ଷମ ହୋଇପାରିବ ନାଜାଲ ଡୋଜ । ଦେଶରେ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି କୋଭିଡ ଟିକା ଭାବେ ବ୍ୟବହୃତ ହେଉଛି ।

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ କମିବା ଅବସ୍ଥାରେ ରହିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ  ମିଶ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆହୁରି କହିଛନ୍ତି କି ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତ୍ତମାନ ତଳମୁହାଁ ରହିଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ଏବେ ବି ୨୧ ଲକ୍ଷ ଲୋକ ବାକି ଅଛନ୍ତି । ସମସ୍ତ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି, ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କରୋନାର ନୂଆ ଭାରିଆଣ୍ଟ: ୩ ଜଣରେ ନେଉଛି ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଆଶା ଥିଲା ଓମିକ୍ରନ ଭାରିଆଣ୍ଟ ପରେ କରୋନାର ପ୍ରକୋପ କମିବ ଓ ଏହା ସାଧାରଣ ଫ୍ଲ୍ୟୁରେ ପରିଣତ ହୋଇଯିବ । ଯାହାକୁ ନେଇ ବିଶ୍ବବାସୀ ଆଶ୍ୱସ୍ତ ହୋଇଥିଲେ । ହେଲେ ଏବେ ଯେଉଁ ଖବର ଆସୁଛି ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ସାକ୍ଷାତ କାଳ । ୩୩ ପ୍ରତିଶତ ସଂକ୍ରମିତଙ୍କ ଜୀବନ ନେବାକୁ ସକ୍ଷମ । ଅର୍ଥାତ ପ୍ରତି ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହେଉଛି । ଏହି ନୂଆ ଭାରିଆଣ୍ଟର ନାଁ ’NeoCov’ ରଖାଯାଇଛି । ଯାହା ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି । ଚୀନର ଉହାନ ସହର ବୈଜ୍ଞାନକ ଏହି ଭାରିଆଣ୍ଟକୁ ଚିହ୍ନଟ କରିଛନ୍ତି ।

ତେବେ ଏହି ’NeoCov’ ଭାଇରସ ନୂଆ ନୁହେଁ । ୨୦୧୨ ଓ ୨୦୧୫ରେ ପଶ୍ଚିମ ଏସିଆ ଦେଶରେ ଏହା ଦେଖିବାକୁ ମିଳିଥିଲା । ଏହା SARS-CoV-9 ପରି ମଣିଷଙ୍କୁ କରୋନା ସଂକ୍ରମିତ କରାଯାଉଛି । ଦକ୍ଷିଣ ଆଫ୍ରିକାର ମିଳିଥିବା ଏହି ନୂଆ NeoCov ବାଦୁଡ଼ିଙ୍କ ଶରୀରରେ ଦେଖିବାକୁ ମିଳିଛି । ଯାହା ଏପର୍ଯ୍ୟନ୍ତ ମଣିଷଙ୍କ ଦେହରେ ଚିହ୍ନଟ ହୋଇନାହିଁ ।

ବାୟୋରେକ୍ସଭି ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ NeoCoV ଓ ଏହାର ସହଯୋଗୀ PDF-2180-CoV ମଣିଷଙ୍କୁ ସଂକ୍ରମିତ କରିପାରେ । ଉହାନ ବିଶ୍ୱବିଦ୍ୟାଳୟ ଓ ଚାଇନିଜ ଏକାଡେମୀ ଅଫ ସାଇନ୍ସର ଗବେଶଷଙ୍କ ଅନୁସାରେ କରୋନାର ଏହି ନୂଆ ଭାଇରସକୁ ମଣିଷ ଦେହରେ ସଂକ୍ରମିତ ହେବାକୁ କେବଳ ଗୋଟିଏ ମ୍ୟୁଟେସନ ଆବଶ୍ୟକ । ଏହା ସଂକ୍ରମିତ ହେଲେ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବ ।
ଋଷର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ବିଭାଗ ତରଫରୁ ମଧ୍ୟ NeoCoVକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ‘ବର୍ତ୍ତମାନ NeoCoV ପାଖରେ ମଣିଷ ଶରୀରରେ ସକ୍ରିୟ ଭାବେକୁ କ୍ଷମତା ନାହିଁ । ଏହା ଲୋକଙ୍କ ମଧ୍ୟରେ ସଂକ୍ରମିତ ହେବ କି ନାହିଁ ତାହା ପରେ ଜଣାପଡିବ । ହେଲେ ଏବେ ପ୍ରଶ୍ନ ଯଦି NeoCoV ସଂକ୍ରମିତ ହୁଏ ତେବେ ଓମିକ୍ରନ ଓ ଏହାର ସବ ଭାରିଆଣ୍ଟ BA.9କୁ ସାମ୍ନା କରୁଥିବା ବିଶ୍ୱ ଏହାର ମୁକାବିଲା କେମିତି କରିବ ? ’
ସେପଟେ ଡେନମାର୍କ ବିଶେଷଜ୍ଞଙ୍କ ଅନୁସାରେ ନୂଆ ଭାରିଆଣ୍ଟ NeoCoV ଯୋଗୁଁ ଓମିକ୍ରନର ଦୁଇଟି ପିକ୍ ଅଲଗା ଅଲଗା ସମୟରେ ଆସିପାରେ, ଯାହା ଚିନ୍ତା ବଢାଇଛି ।

KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଗିରଫ, ୩ ମାସ ପରେ ଗିରଫ କଲା ପୋଲିସ

ଭୁବନେଶ୍ୱର: ଶେଷରେ ଗିରଫ ହେଲା ବହୁଚର୍ଚ୍ଚିତ KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । ବୁବୁକୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି । ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ୩ ମାସ ପରେ ବୁବୁକୁ ଗିରଫ କରିଛି ପୋଲିସ । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୋଲିସ । KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନାକୁ ଗିରଫ କରିବା ପୂର୍ବରୁ ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିସାରିଥିଲା ପୋଲିସ ।

KBN ଗ୍ୟାଙ୍ଗ ରାଜଧାନୀ ରାଜରାସ୍ତାରେ ଖଣ୍ଡା ବୁଲାଇ ବାଇକ୍ ଓ କାରରେ ଷ୍ଟଣ୍ଟ କରି ଭିଡିଓ ଭାଇରାଲ୍ କରୁଥିଲେ । ତେବେ ଭାଇରାଲ ହୋଇଥିବା ଭିଡିଓରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି ପୋଲିସ । କେବିଏନ ଗ୍ୟାଙ୍ଗର କିଛି ଯୁବକ ଟାଉନ ଟାଇଗର ନାମରେ ଏକ ଗ୍ରୁପ ତିଆରି କରିଥିଲେ । ଦାଦାବଟି ଓ ଦାଦାଗିରି କରି ପତିଆର ଜାହିର କରିବା ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା । ସନିଆ ଓରଫ ସନାତନ ଥିଲା ଗ୍ରୁପ ଆଡମିନ୍ । ପୋଲିସର ଆକ୍ସନ ପରେ ଗ୍ରୁପରୁ ଅନେକ ଯୁବକ ଲେଫ୍ଟ ହୋଇଯାଇଥିଲେ । ଲେଫ୍ଟ ହୋଇଥିବା ଯୁବକଙ୍କୁ ଖୋଜୁଛି ପୋଲିସ । ୨୯ ଜଣକ ଯୁବକଙ୍କ ନାମରେ ମାମଲା ରୁଜୁ କରି ଖୋଜୁଛି ପୋଲିସ ।

ରାଜଧାନୀରେ ଲୁଟେରାଙ୍କ ରାଜ୍, ବରଯାତ୍ରୀରେ ଆସି ଲୁଟିନେଲ ସୁନାଗହଣା

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ଲୁଟେରାଙ୍କ ଦୈରାତ୍ମ୍ୟ । କେତେବେଳେ ଗ୍ରାହକ ବେଶରେ ଆସି ଔଷଧ ଦୋକାନରୁ ଲୁଟି ନେଇଛନ୍ତି ଟଙ୍କା ତ କେତେବେଳେ ବରଯାତ୍ରୀ ବେଶରେ ଲୁଟ୍ ହେଉଛି । ଏଥର ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲେ, ଭ୍ୟାନିଟି ବ୍ୟାଗ୍ ଧରି ଛୁ ମାରିଲା ଲୁଟେରା । ୨ ଲକ୍ଷ ଟଙ୍କାର ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଚୋରି ସମୟର ସିସିଟିଭି ଭିଜୁଆଲ ବର୍ତ୍ତମାନ ସାମ୍ନାକୁ ଆସିଛି । ଲୁଟେରା ଜଣକ ଜଣେ ନାବାଳକକୁ ଢାଲ କରିଥିଲା ।

ଏହି ଘଟଣା କେଶୁରା ଛକ ପଲ୍ଲବୀ ମଣ୍ଡପରେ ହୋଇଛି । କେଶୁରା ଛକ ପଲ୍ଲବୀ ମଣ୍ଡପରେ ଚାଲିଥିଲା ବାହାଘର । ଏହି ସମୟରେ ଜଣେ ନାବାଳକ ଓ ଜଣେ ବୟସ୍କ ବ୍ୟକ୍ତି ମଣ୍ଡପକୁ ଆସିଥିଲେ । ତା’ପରେ ଭୋଜି ଖାଇଥିଲେ । ମୌକା ପାଇ ମହିଳାଙ୍କ ସୁନା ଗହଣା ଥିବା ବ୍ୟାଗ୍ ଉଠାଇ ନେଇ ଚମ୍ପଟ୍ ମାରିଥିଲେ । ଏନେଇ ସହିଦନଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଛି ।

ଦେଶରେ ଖୋଲିବ ସ୍କୁଲ! କେନ୍ଦ୍ର ସରକାର ଜାରି କରିପାରନ୍ତି ସ୍ୱତନ୍ତ୍ର ଗାଇଡଲାଇନ

ନୂଆଦିଲ୍ଲୀ: ଦେଶରେ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ସରକାର ଜାରି କରିପାରନ୍ତି ଆଡଭାଇଜରି । ସାମାଜିକ ଦୂରତା, ଅନ୍ୟାନ୍ୟ ନିୟମ ଭିତରେ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ସରକାର ଯୋଜନା କରିବେ ବୋଲି ସୂଚନା ମିଳିଛି । କୋଭିଡ-୧୯ ଯୋଗୁ ଦେଶରେ ସ୍କୁଲ ଶିକ୍ଷା ଗଭୀର ପ୍ରଭାବିତ ହୋଇଛି । ସ୍କୁଲଗୁଡିକୁ ଖୋଲିବା ଲାଗି ଅଭିଭାବକମାନେ ବି ବିଭିନ୍ନ ରାଜ୍ୟରେ ଦାବି କରିଆସୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଭିତରେ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିବାର ସମ୍ଭାବନା ଦେଖାଦେଇଛି ।

ବର୍ତ୍ତମାନ କିଛି ରାଜ୍ୟରେ ଦଶମରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ଲାଗି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିସାରିଛନ୍ତି । ଏହି ନିଷ୍ପତ୍ତି ଫଳରେ ଅତିକମରେ ଗୋଟିଏ କୋଭିଡ ଟିକା ନେଇଥିବା ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନେ ଅଫଲାଇନ କ୍ଲାସରେ ଯୋଗ ଦେଇପାରିବେ । ସମସ୍ତ କର୍ମଚାରୀ ଓ ୧୮ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ କୋଭିଡର ଉଭୟ ଡୋଜ ନେଇଥିବା ଜରୁରୀ ବୋଲି କୁହାଯାଇଛି । କୋଭିଡରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ସମସ୍ତ ଶ୍ରେଣୀର ସ୍କୁଲ ଖୋଲା ଯାଇଥିବାବେଳେ ହରିଆଣା ଓ ଚଣ୍ଡିଗଡରେ ଦଶମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ଲାଗି ଘୋଷଣା କରାଯାଇଛି । ଦିଲ୍ଲୀର ଲେଫଟନାଣ୍ଟ ଗଭର୍ଣ୍ଣର ମଧ୍ୟ ହରିଆଣା ସରକାରଙ୍କ ପରି ପଦକ୍ଷେପ ନେଇଛନ୍ତି ।

ଉତ୍ତରାଖଣ୍ଡ ଲୋକଙ୍କ ପାଇଁ ମୁଲାୟମ ସିଂ ଯାଦବ ଖଳନାୟକ କାହିଁକି ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ । ଉଭୟ ରାଜ୍ୟରେ ବିଜେପିକୁ କ୍ଷମତାରୁ ହଟାଇବା ଲକ୍ଷ୍ୟରେ ସାମାଜବାଦୀ ପାର୍ଟି । ଉତ୍ତରାଖଣ୍ଡରେ ଯେବେ ଯେବେ ନିର୍ବାଚନ ହୁଏ ଚର୍ଚ୍ଚାକୁ ଆସିଥାନ୍ତି ମୁଲାୟମ ସିଂ ଯାଦବ । ଭଲ କାମ ପାଇଁ ନୁହେଁ, କାରଣ ଅଲଗା । ଯାହା ରାଜ୍ୟବାସୀଙ୍କ ମନରେ ମୁଳାୟମ ଓ ସପା ପାଇଁ ଭରିଛି ଘୃଣାର ପାହାଡ । ତେବେ କାହିଁକି ଏହି ପାହାଡୀ ରାଜ୍ୟର ଲୋକଙ୍କ ମନରେ ମୁଲାୟମଙ୍କୁ ନେଇ ଏତେ ଘୃଣା ? ମୁଲାୟମ ରାଜ୍ୟବାସୀଙ୍କ ସହ ଏମିତି କ’ଣ କରିଛନ୍ତି ଓ କହିଛନ୍ତି ଯେ ଲୋକେ ତାଙ୍କୁ ଖଳନାୟକ ରୂପରେ ଦେଖିଥାନ୍ତି ? ଉତ୍ତରାଖଣ୍ଡ ନିର୍ବାଚନକୁ ନେଇ ବିଶେଷ ଉପସ୍ଥାପନା ‘ନାୟକ ନେହିଁ, ଖଲନାୟକ…’ ।

ସୂଚନାଯୋଗ୍ୟ ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଛି । ଆମ ଆଦମୀ ପାର୍ଟି ମଧ୍ୟ ପୂରା ବଳ ଲଗାଇ ଦେଇଛି । ଏହାବାଦ ସପା ଓ ବସପା ମଧ୍ୟ ଏହି ପାହାଡୀ ରାଜ୍ୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ବାସପା ତ ଏଠାରେ କିଛି ଆସନରେ ଜିତିବାକୁ ସକ୍ଷମ ହେଉଛି । ହେଲେ ସପା ପାଇଁ ଉତ୍ତରାଖଣ୍ଡ ଏବେ ବି ବହୁତ ଦୂର । ରାଜ୍ୟର ୨୭ ବର୍ଷର ଇତିହାସରେ ଏହି ଦଳ ବିଧାନସଭା ନିର୍ବାଚନରେ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । ପ୍ରତିଥର ନିର୍ବାଚନରେ ସପାକୁ ମାଟି କାମୁଡ଼ିବାକୁ ପଡିଛି ।

ମୁଲାୟମ ସିଂ ସମାଜବାଦୀ ପାର୍ଟିର ମୂଳଦୁଆ ପକାଇବା ପରେ ଦଳର ପ୍ରଥମ ସମ୍ମିଳନୀ ଉତ୍ତରାଖଣ୍ଡର ନୈନିତାଲରେ କରିଥିଲେ । ଏହାପରେ ବି ରାଜ୍ୟ ପ୍ରତିଷ୍ଠାର ଦୁଇ ଦଶକ ପରେ ମଧ୍ୟ ରାଜ୍ୟବାସୀ ସପାକୁ ଗ୍ରହଣ କରୁନାହାନ୍ତି କାହିଁକି ?

କାହିଁକି ମୁଲାୟମଙ୍କ ପ୍ରତି ଏତେ ଘୃଣା ?

ସପା ପ୍ରତି ରାଜ୍ୟବାସୀଙ୍କ ଏହି ଘୃଣା ୨୭ ବର୍ଷ ପୁରୁଣା । ଏହା ରାମପୁର ତିରାହା କାଣ୍ଡ ସହ ଜଡିତ । ଯାହାକୁ ନେଇ ଆଜି ବି ସପାକୁ ରାଜ୍ୟବାସୀ ଗ୍ରହଣ କରୁନାହାନ୍ତି ।

ମୁଲାୟମ ଖଳନାୟକ କାହିଁକି ?

୧୯୯୪ ମସିହା ସେପ୍ଟେମ୍ବର ଓ ଅକ୍ଟୋବର ମାସ ଘଟଣା । ମସୁରୀ ଓ ରାମପୁର ତିରାହାରେ ସଂଘଟିତ ବର୍ବରତା ଆଜି ବି ଭୁଲି ନାହାନ୍ତି ରାଜ୍ୟବାସୀ । ସେହି ରାତିରେ ଉତ୍ତରାଖଣ୍ଡର ନିରୀହ ପୁରୁଷଙ୍କ ଜୀବନ ଯାଇଥିବା ବେଳେ ମହିଳାଙ୍କ ଉପରେ ସୀମା ଲଙ୍ଘିଥିଲା ନିର୍ଯାତନା । ଘଟଣାକୁ ୨୭ ବର୍ଷ ବିତି ଗଲାଣି ସତ ହେଲେ ରାଜ୍ୟବାସୀଙ୍କ ହୃଦୟରେ ହୋଇଥିବା କ୍ଷତ ଆଜି ସତେଜ ଅଛି । ଏହା ହିଁ କାରଣ ରାଜ୍ୟବାସୀ ମୁଲାୟମଙ୍କୁ ନିଜର ପରମ ଶତ୍ରୁ ଭାବିଥାନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ଉତ୍ତରପ୍ରଦେଶରୁ ଅଲଗା ହେବା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ମୁଲାୟମ ସିଂ ଯାଦବ । ଜଳ, ଜଙ୍ଗଳ, ଜମି ଓ ପାହାଡରୁ ପଳାୟନ ପ୍ରସଙ୍ଗକୁ ନେଇ ଉତ୍ତରାଖଣ୍ଡକୁ ଅଲଗା ରାଜ୍ୟ କରିବାର ଦାବି ଜୋରରେ ଥିଲା । ସଡ଼କରେ ବିକ୍ଷୋଭ, ଶୋଭାଯାତ୍ରା ପ୍ରଦର୍ଶନ ବହୁତ ଚାଲିଥିଲା । ଯାହା ମୁଲାୟମ ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟି ଥିଲା । ରାଜ୍ୟ ପୋଲିସ ସ୍ଥିତି ସାମାନ୍ୟ କରିବାରେ ଲାଗିଥିଲେ । ଏହି ସମୟରେ ମୁଲାୟମ ପ୍ରଦର୍ଶନକାରୀଙ୍କ ଉପରେ ଶକ୍ତି ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦୁଇ ସେପ୍ଟେମ୍ବରର କାଳରାତି

ଦୁଇ ସେପ୍ଟେମ୍ବରକୁ ମସୁରୀ ହତ୍ୟାରେ ୬ ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିଲା । ସେତେବେଳେ ରାଜ୍ୟ ଆନ୍ଦୋଳନ ସଂଘର୍ଷ ସମିତି ନେତୃତ୍ବରେ ପ୍ରଦର୍ଶନ କରାଯାଉଥିଲା । ୧ ସେପ୍ଟେମ୍ବରରେ ଖଟିମାରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଗୁଳି ଚଲାଇଥିଲା । ସେହି ରାତିରେ ସଂଘର୍ଷ ସମିତି ଝୁଲାଘର ସ୍ଥିତ ପୋଲିସ କାର୍ଯ୍ୟାଳନକୁ ନିଜ ନିୟନ୍ତ୍ରଣକୁ ନେଇ ଧାରଣାରେ ବସିଥିଲେ । ପୋଲିସ ୫ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଏହାର ବିରୋଧରେ ୨ ସେପ୍ଟେମ୍ବର ଅନ୍ୟ ଆନ୍ଦୋଳନକାରୀ ଝୁଲାଘରରେ ପହଞ୍ଚି ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ହେଲେ ରାତିରେ ସେଠାରେ ମୁତୟନ ପୋଲିସ କର୍ମୀ କୌଣସି ଚେତାବନୀ ନଦେଇ ମଉନ ବ୍ରତ ଶୋଭାଯାତ୍ରା ଉପରେ ଆଖିବୁଜା ଗୁଳି ଚଲାଇବା ଆରମ୍ଭ କରି ଦେଇଥିଲେ । ଏଥିରେ ୬ ଜଣ ଆନ୍ଦୋଳନକାରୀଙ୍କ ଜୀବନ ଚାଲି ଯାଇଥିଲା ଓ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିଲା ।

ଏକ ଅକ୍ଟୋବର ନର ସଂହାର

ଅକ୍ଟୋବର ପହିଲଶ ରାତିରେ ରାଜ୍ୟ ସରକାର ନିର୍ଦ୍ଦେଶରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିଲା ଆଉ ଏକ ରକ୍ତାକ୍ତ ଆକ୍ରମଣ । ରାମପୁର ତିହାରାରେ ଆନ୍ଦୋଳନକାରୀଙ୍କ ଉପରେ ଆଖି ବୁଜା ଗିଳି ଚଲାଇ ଥିଲେ ସୁରକ୍ଷାରେ ନିୟୋଜିତ ପୋଲିସ କର୍ମଚାରୀ । ଏଥିରେ ୭ ଜଣ ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିଲା ଓ ବହୁ ଲୋକ ଆହତ ହୋଇଥିଲେ । ଘଟଣାର କିଛି ବର୍ଷ ପରେ କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଉତ୍ତରାଖଣ୍ଡ ଲୋକେ ଏମିତି ନ୍ୟାୟ ମିଳିବ ବୋଲି କେବେ ଭାବି ନଥିଲେ ।

ଏହି ଦୁଇଟି ଘଟଣା ଉତ୍ତରାଖଣ୍ଡର ଲୋକଙ୍କ ମନରେ ମୁଲାୟମଙ୍କ ପ୍ରତି ଘୃଣା ଭରି ଦେଇଥିଲା । ଯାହା ଏବେ ବି ସେମିତି ରହିଛି ଓ ମୁଲାୟମଙ୍କ ପରେ ଅଖିଳେଶ ଦଳର ନେତୃତ୍ବ ନେବା ପରେ ବି ଲୋକଙ୍କ ମନରୁ ଏହାକୁ ହଟାଇ ପାରିନାହାନ୍ତି ।

ମୁଲାୟମଙ୍କ ବିବାଦୀୟ ବୟାନ

ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମଙ୍କ ନିର୍ଦ୍ଦେଶରେ ପୋଲିସ ନରସଂହାର ଚଲାଇଥିବା ବେଳେ ମୁଲାୟମ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟନା ଦେବାରେ ଲାଗିଥିଲେ । ଏମିତି ଏକ ବହୁ ଚର୍ଚ୍ଚିତ ବୟାନରେ ମୁଲାୟମ ସବୁ ସୀମା ଟପି ଯାଇଥିଲେ । ଏଥିରେ ସେ କହିଥିଲେ, ‘ମୁଁ ସେମାନଙ୍କ ଚିନ୍ତା କାହିଁକି କରିବି ? ସେମାନେ କ’ଣ ମୋତେ ଭୋଟ ଦେଇଥିଲେ ?

ଏହି ବୟାନ ହିଁ ଯଥେଷ୍ଟ ଥିଲା ଉତ୍ତରାଖଣ୍ଡର ଲୋକଙ୍କ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଚିନ୍ତା କରୁନାହାନ୍ତି ।  ନରସଂହାର ଓ ମୁଲାୟମଙ୍କ ବୟାନ ପାଇଁ ଆଜି ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ସମାଜବାଦୀ ପାର୍ଟି ପାଦ ମଜବୁଦ କରିପାରିନି । ପ୍ରତି ନିର୍ବାଚନରେ ଦଳ ପ୍ରାର୍ଥୀ ଦେଉଛି ଓ ରାଜ୍ୟବାସୀ ସାଇକେଲିଆ ଦଳକୁ ପ୍ରତ୍ୟାଖାନ କରି ଚାଲିଛନ୍ତି ।

ଭିଜିଲାନ୍ସ ଜାଲରେ ଲାମ୍ପସ ଏମଡି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାମ୍ପସ ଏମଡି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ । ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁକୁଡା ଲାମ୍ପସ ଏମଡି ପରୀକ୍ଷିତ ସାହୁ । ବାସଭବନ ଓ ଅଫିସରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍ କୁକୁଡାଠାରେ ଥିବା ଅଫିସ ଓ ରାଜଗାଙ୍ଗପୁର ବଗାନପଡାରେ ଥିବା ବାସଭବନରେ ଚଢ଼ାଉ ଜାରି ରଖିଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଗୋଟିଏ ୩ ମହଲା କୋଠାଘର ଓ ଗୋଟିଏ କାର ଠାବ କରାଯାଇଥିବାବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ବର୍ତ୍ତମାନ ମଧ୍ୟ ଚଢାଉ ଜାରି ରହିଛି । ଯାଞ୍ଚ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।