ହଟିଲା କଟକଣା, ରବିବାର ବି ଜଗା ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ରବିବାର ବି ଶ୍ରୀମନ୍ଦିର ଯାଇପାରିବେ ଭକ୍ତ । କୋଭିଡ କଟକଣା କୋହଳ ହେବା ପରେ ରବିବାର ଜଗାକୁ ଦର୍ଶନ କରୁଛନ୍ତି ଭକ୍ତ । ଦୀର୍ଘଦିନ ପରେ ରବିବାରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କଟକଣା ପାଇଁ ପୂର୍ବରୁ ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହୁଥିଲା । ରବିବାର ଶ୍ରୀମନ୍ଦିର ବନ୍ଦ ରଖି ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିଲା । ଯାହା ଫଳରେ ଅନେକ ଭକ୍ତ ରବିବାର ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ । ତେବେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଏବେ ରବିବାର ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଇଛି । ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଯାହା ଫଳରେ ଆଜି ରବିବାରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ପ୍ରତିଦିନ ସାଧାରଣ ଦର୍ଶନକୁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମହଲରେ ଖୁସି ଦେଖାଦେଇଛି  ।