ଅମିତ ଶାହଙ୍କ ବଡ଼ ବୟାନ ! ଜାମ୍ମୁ କାଶ୍ମୀରରେ CRPF ଯବାନଙ୍କ ଆବଶ୍ୟକତା ପଡ଼ିବନି…

1 min read

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ନେଇ ଦିନକୁ ଦିନ ନୂଆ ନୂଆ ପଦକ୍ଷପ ନିଆଯାଉଛି । ଦି କାଶ୍ମୀର ଫାଇଲ୍ ରିଲିଜ୍ ହେବା ପରେ ସବୁଆଡ଼େ ଜାମ୍ମୁ କାଶ୍ମୀରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ନିୟୋଜନ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ବୟାନ ଦେଇଛନ୍ତି । ଶନିବାର ଦିନ ସିଆରପିଏଫ (CRPF) ର ୮୩ ତମ ସ୍ଥାପନ ଦିବସରେ ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ହୁଏତ ଆଗାମୀ ଦିନରେ ଜାମ୍ମୁ କାଶ୍ମୀରରେ CRPF ର କୌଣସି ଆବଶ୍ୟକତା ପଡ଼ି ନପାରେ ।

ଗୃହମନ୍ତ୍ରୀ ଶାହା ଜାମ୍ମୁ କାଶ୍ମୀରରେ CRPF ଯବାନମାନଙ୍କର ଭୂମିକାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଯବାନମାନେ କେବଳ ବର୍ଡରରେ ଆତଙ୍କବାଦର ମୁକାବିଲା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି, ବରଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଢ କରିବା ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି । CRPF ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଉତ୍କୃଷ୍ଟ କାର୍ଯ୍ୟ କରଛନ୍ତି । ମୁଁ ନିଶ୍ଚିତ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ତିନୋଟି କ୍ଷେତ୍ରରେ CRPF ର କୌଣସି ଆବଶ୍ୟକତା ରହିବ ନାହିଁ । ଏବଂ ଏହାର ସମ୍ପୂର୍ଣ୍ଣ ଶ୍ରେୟ CRPF କୁ ହିଁ ଯିବ । CRPF କୁ ପ୍ରଶଂସା କରି ଶାହା କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାରେ ବହୁତ ଉନ୍ନତି ହୋଇଛି । CRPF ଯବାନମାନଙ୍କୁ ସମ୍ବୋଧିତ କରିବାବେଳେ ସେ ଧାରା ୩୭୦ ଏବଂ ୩୫A ର ହଟାଇବା ବିଷୟରେ ମଧ୍ୟ କହିଥିଲେ ।

ସେ କହିଛନ୍ତି ଯେ, ଏହି ଧାରା ହଟିବା ପରେ ଜାମ୍ମୁ କାଶ୍ମୀରର ସାଧାରଣ ଲୋକ ଉପକୃତ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଜାମ୍ମୁ କାଶ୍ମୀରରେ ଏହା ହେଉଛି ପ୍ରଥମ ଥର ଯେଉଁଠାରେ CRPF ସ୍ଥାପନ ଦିବସ ପାଳନ କରାଯାଉଛି ଏହାପୂର୍ବରୁ ଏହି ଦିବସଟି  ରାଜଧାନୀ ଦିଲ୍ଲୀରେ ହିଁ ପାଳନ କରାଯାଉଥାଲା ।

CRPF ଯବାନମାନଙ୍କୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ମୁଁ CRPF ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମୁଁ CRPF ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।  ଐତିହାସିକ ସହର ଜାମ୍ମୁରେ CRPF ସ୍ଥାପନ ଦିବସ ପାଳନ କରାଯାଉଛି । ମୁଁ ସର୍ବପ୍ରଥମେ ମାଆ ବୈଷ୍ଣବ ଦେବୀଙ୍କୁ ପ୍ରଣାମ କରୁଛି । ଅମିତ ଶାହା କହିଛନ୍ତି ଯେ, ଜାମ୍ମୁ ହେଉଛି ସେହି ସ୍ଥାନ ଯେଉଁଠାରେ ପି. ପ୍ରେମନାଥ ଡୋଗରା ଏବଂ ଡକ୍ଟର ସ୍ୟାମା ପ୍ରସାଦ ମୁଖାର୍ଜୀ, ଏକ ରାଷ୍ଟ୍ର , ଏକ ଧ୍ୱଜା ଏକ ସମ୍ବୀଧାନ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ଆମେ ଖୁସି ଯେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନକୁ ପୂରା କରିପାରିଛୁ । ଏହାସହ ସେ ସିଆରପିଏଫ୍ ଯବାନମାନଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।