ହିରୋରୁ ଜିରୋ, ଦିନେ ଥିଲେ ପର୍ପଲ କ୍ୟାପ ବିଜେତା, ଏବେ ହେଲେ ନେଟ୍‌ ବୋଲର

1 min read

ନୂଆଦିଲ୍ଲୀ: ଦିନେ ଆଇପିଏଲରେ ପର୍ପଲ କ୍ୟାପ ବିଜେତା ଥିଲେ କିନ୍ତୁ ଏବେ ନେଟ୍ ବୋଲର । ଦିନେ ଆଇପିଏଲରେ ହିରୋ ଥିଲେ ଏବେ ପାଲଟି ଯାଇଛନ୍ତି ଜିରୋ । ଇଣ୍ଡିଆନ ପ୍ରିମିୟର ଲିଗର ସିଜିନ୍-୧୫ ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମେ’ ୨୯ରେ ଖେଳାଯିବ । ଚଳିତ ଥର ଆଇପିଏଲରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି ।  ଯେପରିକି ଆଇପିଏଲ ମେଗା ଅକ୍ସନରେ ସୁରେଶ ରୈନା ଓ ଷ୍ଟିଭ୍ ସ୍ମିଥଙ୍କ ଭଳି ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନଥିଲେ । ତେବେ ଏହାରି ମଧ୍ୟରେ ଏବେ ଆଉ ଏକ ଖବର କ୍ରିକେଟ ଫ୍ୟାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨୦୧୫ ବିଶ୍ୱକପ ଖେଳିଥିବା ଭାରତୀୟ ଦ୍ରୁତ ବୋଲର ମୋହିତ ଶର୍ମାଙ୍କୁ ଆଇପିଏଲରେ କୌଣସି ଦଳ କିଣିନାହିଁ । ଯାହା ଫଳରେ ସେ ଏବେ ନେଟ୍ ବୋଲର ଭାବରେ ଏକ ଫ୍ରାଞ୍ଚାଇଜ୍ ସହ ଯୋଡି ହୋଇଛନ୍ତି ।

ଦିନ ଥିଲା ଆଇପିଏଲରେ ନିଜର ଘାତକ ବୋଲିଂରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନକୁ ପଠାଉଥିଲେ । କିନ୍ତୁ ଆଜି ତାଙ୍କୁ ଆଇପିଏଲରେ କୌଣସି ଦଳ କିଣିନାହିଁ । ତେଣୁ ତାଙ୍କୁ ଗୁଜୁରାଟ ଟାଇଟନ୍ସ ନେଟ୍ ବୋଲର ଭାବରେ ଦଳରେ ସାମିଲ କରିଛି । ମୋହିତ ଶର୍ମା ଚଳିତ ଆଇପିଏଲ ମେଗା ଅକ୍ସନରେ ବି ସାମିଲ ହୋଇଥିଲେ । ତାଙ୍କ ବେସ୍ ପ୍ରାଇସ ୫୦ ଲକ୍ଷ ରହିଥିଲା । କିନ୍ତୁ ମୋହିତ ଶର୍ମାଙ୍କୁ କୌଣସି ଦଳ କିଣିନଥିଲା । ଯାହା ଫଳରେ ଗୁଜୁରାଟ ଟିମ୍ ତାଙ୍କୁ ନେଟ୍‌ ବୋଲର ଭାବରେ ଦଳରେ ସାମିଲ କରିଛି ।

ମୋହିତ ଶର୍ମା ୨୦୧୪ ମସିହାରେ ଖେଳାଯାଇଥିବା ଆଇପିଏଲରେ ପର୍ପଲ କ୍ୟାପ ନିଜ ନାମରେ କରିଥିଲେ । ସେହି ସିଜିନରେ ମୋହିତ ୨୩ ଓ୍ୱିକେଟ ଅକ୍ତିଆର କରିଥିଲେ । ସେ ସମୟରେ ସେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳୁଥିଲେ । ଚେନ୍ନାଇ ବ୍ୟତୀତ ସେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି । ମୋହିତ ଶର୍ମାଙ୍କ ବ୍ୟତୀତ ଗୁଜୁରାଟ ଦଳରେ ଲୁକମାନ ମେରିଓ୍ୱାଲା ଓ ବିରେନ୍ଦ୍ର ସରନଙ୍କୁ ମଧ୍ୟ ନେଟ୍ ବୋଲର ଭାବରେ ସାମିଲ କରିଛି ।