spot_img
Home Blog Page 4575

ଭାରତ ବିରୋଧରେ ମାଫିଆ ଡନ୍ ଦାଉଦ୍ ଇବ୍ରାହିମର ନୂଆ ୟୁନିଟ୍, ଟାର୍ଗେଟରେ ନେତା ଓ ଶିଳ୍ପପତି

ମୁମ୍ବାଇ: ଅନେକ ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ଦାଉଦ୍ । ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କସ୍କର । ଭାରତର ପବ୍ଲିକ୍ ଏନିମି ନମ୍ବର ୱାନ୍ । ଆଇଏସଆଇର ଜୟଚନ୍ଦ୍ । ଯିଏ ପାକିସ୍ତାନରେ ଶରଣ ନେଇ ଭାରତ ଉପରେ କରିଛି ଅନେକ ଆକ୍ରମଣ । ଆଉ ଏବେ ପୁଣି ତିଆରି କରିଛି ଆକ୍ରମଣର ବ୍ଲୁ ପ୍ରିଣ୍ଟ୍ । ଦାଉଦର ବ୍ଲୁ ପ୍ରିଣ୍ଟରେ ଅଛନ୍ତି ନାମି ଦାମୀ ନେତା ଓ ବ୍ୟବସାୟୀ । ଲକ୍ଷ୍ୟ ହେଉଛି ନେତାଙ୍କ ଉପରେ ଆକ୍ରମଣ କରି ଭାରତରେ ଅସ୍ଥିରତା ଓ ହିଂସାକୁ ହାୱା ଦେବା । ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଭାରତୀୟ ଅର୍ଥନୀତିକୁ କ୍ଷତାକ୍ତ କରିବା । ଆଉ ଏଥିରେ ତାକୁ କିଏ ସାହାଯ୍ୟ କରୁଥିବ ତାହା କିଛି ଅଛପା ନୁହେଁ କିମ୍ବା ମିଲିୟନ ଡଲାରର ପ୍ରଶ୍ନ ନୁହେଁ  ।

ପୁଣି ଆକ୍ଟିଭ୍ ହେଲା ମୁଛଡ୍ ଓରଫ ବିଗ୍ ବସ । କରାଚୀରେ ବସି ମୁମ୍ବାଇ ଅଣ୍ଡରୱାର୍ଲଡକୁ ନିୟନ୍ତ୍ରଣ କରୁଥିବା ଦାଉଦ୍ ଭାରତକୁ ଟାର୍ଗେଟ୍ କରିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ତିଆରି କରିଛି । ଯେଉଁ ୟୁନିଟର କାମ ହେବ ଭାରତୀୟ ନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିବା । ଏଭଳି ଦାବି କରିଛି ନ୍ୟାସନାଲ ଇଣ୍ଟେଲିଜେନ୍ସ ୟୁନିଟ୍ ବା ଏନ୍ ଆଇ ଏ ।

ଏନ ଆଇ ଏ ଅନୁସାରେ ଏହି ୟୁନିଟ୍ ଭାରତୀୟ ଅର୍ଥବ୍ୟବସ୍ଥାକୁ କ୍ଷତି ପହଂଚାଇବାକୁ ଚାହୁଁଛି । ଶିଳ୍ପପତିଙ୍କୁ ଟାର୍ଗେଟ୍ କରି ଭାରତର ଅର୍ଥନୀତିକୁ କ୍ଷତି ପହଂଚାଇବା ଯଦି ଦାଉଦର ଲକ୍ଷ୍ୟ ତେବେ ନେତାଙ୍କ ହତ୍ୟା କରି ଦେଶରେ ଦଙ୍ଗା ସୃଷ୍ଟି ମଧ୍ୟ ଡି-କମ୍ପାନୀର ଯୋଜନା । ଡି-କମ୍ପାନୀର ଏହି ଶଣ୍ଢୁଆସୀ ପ୍ଲାନିଂ ବାବଦରେ ଏନ୍ ଆଇ ଏ ଜାଣିବାକୁ ପାଇଛି । ସୂଚନାଯୋଗ୍ୟ ଯେ, ୧୯୯୩ ବମ୍ବେ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ୍ ଦାଉଦ୍ ଇବ୍ରାହିମ୍ ପାକ୍ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ ଶରଣରେ କରାଚୀରେ ରହୁଛି । କରାଚୀର କ୍ଲିଫ୍ଟନ ଏରିଆରେ ଦାଉଦ୍ କଡା ସୁରକ୍ଷା ଘେରରେ ରହୁଛି । କ୍ଲିଫ୍ଟନ ଏରିଆରୁ ଦାଉଦ୍ ତା’ର ହଜାର ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟର ନିୟନ୍ତ୍ରଣ କରୁଛି ।

ଦାଉଦ୍ ଭାରତରୁ ପଳାୟନ ପରେ ଆଇ ଏସ ଆଇ ସଂପର୍କରେ ଆସିଥିଲା । ଆଇ ଏସ ଆଇ ମୁମ୍ବାଇରେ ସିରିଜ୍ ବ୍ଲାଷ୍ଟ୍ କରିବାକୁ ଡି-କମ୍ପାନୀର ନେଟୱର୍କକୁ ବ୍ୟବହାର କରିଥିଲା । ମୁମ୍ବାଇ ସିରିଜ୍ ବ୍ଲାଷ୍ଟ ବେଳେ ଦାଉଦ୍ ଦୁବାଇରେ ରହୁଥିଲା । ତେବେ ପରେ ସେ ସେଠାରୁ ପାକିସ୍ତାନକୁ ପଳାଇ ଥିଲା । ପାକିସ୍ତାନରେ ତା’ ସହିତ ସାନଭାଇ ଅନିସ ଇବ୍ରାହିମର ପରିବାର ରହୁଛି । ଏହାସହ ଦାଉଦର ମୁଖ୍ୟ ସେନାପତି ଛୋଟା ସକିଲ ମଧ୍ୟ କରାଚୀରେ ରହୁଛି ।

ଜିହାଦୀଙ୍କ ସହିତ ଦାଉଦର ସମ୍ପର୍କ ଢେର ପୁରୁଣା । ଦାଉଦ୍ ଆଇଏସଆଇ ଜରିଆରେ ୧୯୯୬ରେ ତାଲିବାନ ସମ୍ପର୍କରେ ଆସିଥିଲା । ତାଲିବାନ ଦ୍ୱାରା ଉତ୍ପାଦିତ ହେରୋଇନ୍ ଭଳି ମାଦକ ପଦାର୍ଥରେ ମୁଖ୍ୟ ବିତରକ ହେଉଛି ଦାଉଦ୍ ଇବ୍ରାହିମ୍ । ଦାଉଦର ଜିହାଦୀ ସମ୍ପର୍କ ତାକୁ ଆମେରିକାର ରଡାରକୁ ଆଣିଥିଲା । ୨୦୦୩ରେ ଦାଉଦକୁ ଆମେରିକା ଗ୍ଲୋବାଲ ଜିହାଦୀ ଭାବେ ଘୋଷଣା କରିଥିଲା । ଭାରତ ଭଳି ଆମେରିକା ମଧ୍ୟ ଦାଉଦକୁ ଖୋଜୁଛି । କିନ୍ତୁ ଦାଉଦ୍ ଏବେବି ଆଇଏସଆଇର ସୁରକ୍ଷା ଘେରରେ ରହୁଛି । ଦାଉଦକୁ ଜୀବନ୍ତ ଓ ମୃତ ଧରିବାକୁ ଭାରତର କିଛି ଉଦ୍ୟମ ବିଫଳ ହୋଇଛି । ଏବେ ଦାଉଦର ନୂଆ ୟୁନିଟ୍ ଭାରତର ସୁରକ୍ଷା ପାଇଁ ଗୋଟିଏ ବଡ଼଼ ପ୍ରଶ୍ନ ଭାବେ ଉଭା ହେବ ।

 

ଋଷ ସମର୍ଥନରେ ବେଲାଋଷ, ପରମାଣୁ ଅସ୍ତ୍ର ମୁତୟନ ପାଇଁ ଆଲେକଜାଣ୍ଡାର ଦେଲେ ଧମକ

ନୂଆଦିଲ୍ଲୀ: ୟୁକ୍ରେନକୁ ଖୋଲା ଧମକ ଦେଉଛି ଋଷ । ସୀମାରେ ସୈନିକ ଓ କ୍ଷେପଣାସ୍ତ୍ରର ଉପସ୍ଥିତି ବଢାଇ ଦେଇଛି ଯୁଦ୍ଧ ଆଶଙ୍କାର ତାତି । ଏହାରି ଭିତରେ ଆସିଛି ଆଉ ଗୋଟିଏ ନୂଆ ଧମକ । ଋଷର ପରମମିତ୍ର ବେଲଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶୋଙ୍କୋ ଦେଇଛନ୍ତି ଏହି ଧମକ । ବେଲାଋଷ କ୍ଷମତାକୁ ମାଡ଼ି ବସିଥିବା ଆଲେକଜାଣ୍ଡାର କହିଛନ୍ତି ଯେ, ଯଦି ଆମ ଶତ୍ରୁ ମାନେ କୌଣସି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରନ୍ତି ତେବେ ଆମେ ଋଷ ନିର୍ମିତ ପରମାଣୁ ଅସ୍ତ୍ର ମୁତୟନ କରିବୁ । ଆଲେକଜାଣ୍ଡାରଙ୍କ ଧମକ ଏମିତି ସମୟରେ ଆସିଛି ଯେତେବେଳେ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକା ଓ ଋଷ ମୁହାଁମୁହିଁ ହୋଇଛନ୍ତି ।

ଗୋଳିଆ ପାଣିରୁ ଲାଭ ଉଠାଇବା ଚକ୍କରରେ ଆଲେକଜାଣ୍ଡାର ଋଷ ସମର୍ଥନରେ ଛିଡ଼ା ହୋଇଛନ୍ତି । ଋଷକୁ ସମର୍ଥନ କରି ନିଜ କ୍ଷମତା ବଞ୍ଚାଇବା ତାଙ୍କ ଉଦ୍ଦେଶ୍ୟ ।

Belarus shows off its war games with Russia

ଆଲେକଜାଣ୍ଡାର କିଏ ?

୧୯୯୦ ଦଶକରେ ସୋଭିଏତ ସଂଘର ବିଘଟନ ସହିତ ମଧ୍ୟ ଏସିଆରେ ଅନେକ ଦେଶ ସ୍ୱାଧୀନ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଥିଲେ ୟୁକ୍ରେନ୍,ବେଲାଋଷ ଓ କାଜାକସ୍ତାନ । ଏହି ସବୁ ଦେଶ ୧୯୧୭ କମ୍ୟୁନିଷ୍ଟ ବିପ୍ଲବ ପରଠାରୁ କମ୍ୟୁନିଷ୍ଟ ବ୍ଲକରେ ସାମିଲ ହୋଇଥିଲେ । ଏହି ସବୁ ଦେଶ ଗୁଡ଼ିକୁ ସୋଭିଏତ ସଂଘ ସାମରିକ ବଳ ପ୍ରୟୋଗ କରି ନିଜ ନିୟନ୍ତ୍ରଣରେ ରଖିଥିଲା । ସୋଭିଏତ ସଂଘର ବିଘଟନ ପରେ ବେଲାଋଷ ସ୍ୱାଧୀନ ହୋଇଥିଲା । ଆଉ ୧୯୯୪ରେ ଆଲେକଜାଣ୍ଡାର କ୍ଷମତାକୁ ଆସନ୍ତି । ସେବେଠାରୁ ଆଲେକଜାଣ୍ଡାର ବେଲାଋଷର ସୁପ୍ରିମ ଲିଡର ଭାବେ ଦମନମୂଳକ ଶାସନ ଚଳାଇଛନ୍ତି । ଋଷର ସମର୍ଥନ ଉପରେ ଆଲେକଜାଣ୍ଡାରଙ୍କ ଶାସନ ତିଷ୍ଠିଛି । ଆଲେକଜାଣ୍ଡାର ମଧ୍ୟ ଭ୍ଲାଦିମିର ପୁତିନଙ୍କ ଭଳି ସମ୍ବିଧାନ ସଂଶୋଧନ କରି ୨୦୩୫ ପର୍ଯ୍ୟନ୍ତ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ।

Belarus shows off its war games with Russia

ଗୋଟିଏ ସମୟରେ ୟୁକ୍ରେନ୍, ବେଲାଋଷ ଓ କାଜାକସ୍ତାନ ପାଖରେ ୩୨ଶହ ପରମାଣୁ ବୋମା ଥିଲା !

ଋଷରେ କମ୍ୟୁନିଷ୍ଟ ଶାସନ ଅମଳରେ ସୋଭିଏତ ଗଣରାଜ୍ୟ ପାଖେ ମୋଟ ୩୫ ହଜାର ପରମାଣୁ ଅସ୍ତ୍ର ଥିଲା । ଏହା ସୋଭିଏତ ସଂଘର ବିଭିନ୍ନ ଅଞ୍ଚଳର ମୁତୟନ ଥିଲା । ସୋଭିଏତ ସଂଘ ବିଘଟନ ପରେ ୟୁକ୍ରେନ୍, କାଜାକସ୍ତାନ ଓ ବେଲାଋଷ ପାଖରେ ୩୨ଶହ ପରମାଣୁ ଅସ୍ତ୍ର ଥିଲା । ତେବେ ପରେ ଏହି କ୍ଷପଣାସ୍ତ୍ର ସବୁର ପରମାଣୁ ୱାରହେଡକୁ ନିଷ୍କ୍ରିୟ କରି ଋଷକୁ ଫେରାଇ ଦିଆଯାଇଥିଲା ।

ଏବେ ଆଲେକଜାଣ୍ଡର ନିଜ ଦେଶର ମାଟିରେ ପରମାଣୁ ଅସ୍ତ୍ର ମୁତୟନ ପାଇଁ ଋଷକୁ ଖୋଲା ଅଫର ଦେଇ ଆମେରିକା ଭଳି ଦେଶଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । କାରଣ ହେଉଛି ବେଲାଋଷ ଭଳି ଦେଶ ଯଦି ଖୋଲାଖୋଲି ଋଷ ବ୍ଲକରେ ଯୋଗ ଦିଅନ୍ତି ତେବେ ଏହା ଆଗକୁ ଶକ୍ତି ସମୀକରଣକୁ ବିଗାଡ଼ି ଦେଇପାରେ । ଯାହା ହୁଏତ ତୃତୀୟ ବିଶ୍ୱଯୁଦ୍ଧର ବାଟ ସଫା କରିବ ।

ଜାମ୍ମୁ ଓ କାଶ୍ମୀରର ସୋପିଆନରେ ସେନାକୁ ସଫଳତା, ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନରେ ଏନକାଉଣ୍ଟର । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଛି ଜଣେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ଜୈନପୋରା ଅଞ୍ଚଳ ଅନ୍ତର୍ଗତ ଚେରମାର୍ଗ ଗ୍ରାମରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେମାନଙ୍କୁ କାବୁ କରିବା ଲାଗି ନିରାପତ୍ତା ରକ୍ଷୀ ଚାରିପଟୁ ଘେରିଦେବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ପ୍ରତି ଜବାବରେ ସୁରକ୍ଷାକର୍ମୀ ଗୁଳିମାଡ କରିବାରୁ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା । ଏହି ଏନକାଉଣ୍ଟରରେ ପୋଲିସ, ସେନା ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି । ଚଳିତ ବର୍ଷର ଏହା ହେଉଛି ୧୫ତମ ଏନକାଉଣ୍ଟର । ବର୍ତ୍ତମାନ ସୁଦ୍ଧା ଏନକାଉଣ୍ଟରରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଲେଣି । ତନ୍ମଧ୍ୟରେ ଅଛନ୍ତି ୩ଜଣ ଟପ୍ କମାଣ୍ଡର, ୮ ଜଣ ପାକ୍ ଆତଙ୍କବାଦୀ, ୧୪ଜଣ କର୍ମୀ ।

ରାଜଧାନୀରେ ଫେଲ୍ ମାରିଲା ବାଲ୍ୟ ବିବାହ, ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡଲାଇନ

ଭୁବନେଶ୍ୱର: ରାଜଧାନୀରେ ଫେଲ୍ ମାରିଲା ବାଲ୍ୟ ବିବାହ । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅର ବାହାଘର । ବାହାଘର ସରିଥିଲା, ହେଲେ କନ୍ୟାର ବିବାହ ବୟସ ହୋଇନଥିବାରୁ କନ୍ୟାକୁ ମଣ୍ଡପରୁ ଉଦ୍ଧାର କରିଛି ପୋଲିସ । ଯାହା ଫଳରେ ଶିଶୁପାଳ ହୋଇ ଫେରିଛି ବର । ଏହା କୌଣସି ଗ୍ରାମାଞ୍ଚଳ ଦୃଶ୍ୟ ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭିଳି ଦୃଶ୍ୟ । ଗତକାଲି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଡୁମଡୁମାର ଗାର୍ଡେନ ମୁନ ମଣ୍ଡପରେ ଚାଲିଥିଲା ବାହାଘର । ନାବାଳିକାର ବିବାହ କରାଯାଉଥିବା ନେଇ ଚାଇଲ୍ଡ ଲାଇନରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ନାବାଳିକାକୁ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନରେ ରଖାଯାଇଛି । ନକଲି ଆଧାର କାର୍ଡରେ ଝିଅର ପରିବାର ଲୋକ ମିଥ୍ୟା ଜନ୍ମ ତାରିଖ ଦେଇଥିଲେ । ତେବେ ଏହି ଘଟଣାରେ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ କରିବ ଚାଇଲ୍ଡ ଲାଇନ୍ ।

ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ

ନୂଆପଡ଼ା: ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସୁନାରି ସିକୁଁଆ ଗାଁ’ର ସରପଞ୍ଚ ପ୍ରାର୍ଥୀ ଚୂଳ ବୈଠାରୁଙ୍କୁ ଗୁରୁତର ଅବସ୍ଥାରେ ଗାଁ ରାସ୍ତା ପୋଲତଳୁ ଉଦ୍ଧାର କରାଯାଇଛି । ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚୂଳ ବୈଠାରୁ ରାତି ୮ରୁ ଘରୁ ଯାଇଥିଲେ । କିନ୍ତୁ ସେ ଘରକୁ ଆଉ ଫେରି ନ ଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ତେବେ ଆଜି ସୁନାରି ସିକୁଆରୁ ଗଣ୍ଡବହଲିକୁ ଯାଉଥିବା ରାସ୍ତାପୋଲ ତଳୁ ଚୂଳଙ୍କୁ ହାତଗୋଡ଼ ବନ୍ଧା ହୋଇଥିବା ଓ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହା ଏକ ରାଜନୈତିକ ହିଂସାକାଣ୍ଡ ଓ ଚୂଳ ବୈଠାରୁଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କୁ ପରିବାର ଲୋକ ସନ୍ଦେହ କରୁଥିବା ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି ।

ରାସ୍ତା କଡ଼ରୁ ମିଳିଲା ଭୋଟ୍ ବାକ୍ସ, ମତଦାନ ବେଳେ ଲୁଟି ନେଇଥିଲେ ଦୁର୍ବୃତ୍ତ

ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ ହୋଇଥିବା ଭୋଟ୍‌ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ୩୫ରୁ ୪୦ ବିଜେପି କର୍ମୀ ପଟସରା ପଞ୍ଚାୟତର ଢୋଲବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୨ ନମ୍ବର ବୁଥରେ ପଶି  ଆତଙ୍କରାଜ ଖେଳାଇଥିଲେ । ଲୁହା ରଡ଼, ଜିଆଇ ପାଇପ ଓ ମାରଣାସ୍ତ୍ର ଧରି ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତଙ୍କୁ ଆକ୍ରମଣ କରି ଭୋଟ ବକ୍ସ ଲୁଟି ନେଇଥିଲେ । ସେଠାରୁ ଯାଇ ଡିହ-ପଟସରା ସ୍କୁଲରେ ଗଣ୍ଡଗୋଳ କରି ଟ୍ରଙ୍କରୁ ଭୋଟ ବକ୍ସ ନେଇ ଯାଇଥିଲେ । ଯାହାଫଳରେ ଦୁଇଟି ଯାକ ବୁଥରେ ଭୋଟ ବନ୍ଦ ହୋଇଥିଲା । ଏହି ଖବର ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାରଣ ହୋଇଥିଲା । ତେବେ ଆଜି ସେହି ବୁଥ ନିକଟରୁ ୫ ଶହ ମିଟର ଦୂର କୁଳ ପଟସରା ୩ ନମ୍ବର ବୁଥ ନିକଟ ରାସ୍ତା କଡ଼ରୁ ଭୋଟ୍ ବାକ୍ସ ଉଦ୍ଧାର ହୋଇଛି ।

ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର

ଭୁବନେଶ୍ୱର: ଆଜିଠୁ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସଡିଜେଏମ କୋର୍ଟ । ରମେଶଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା । ଠକ ରମେଶର ୩୦ ବର୍ଷର ଇତିହାସ ଖୋଜିବ ପୋଲିସ୍ । ରମେଶଙ୍କ ବାବଦରେ ଯେଉଁ ସବୁ ତଥ୍ୟ ମିଳିଛି, ସେ ସବୁ ଠିକଣା, ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଖୋଳତାଡ କରିବ ପୋଲିସ୍ । ମୋବାଇଲରେ ପତ୍ନୀଙ୍କ ନାମ କୋଡ ଓ୍ବାର୍ଡରେ ସେଭ୍ କରୁଥିଲେ ରମେଶ । ଏବେ ସୁଦ୍ଧା ଠକେଇର ଶିକାର ହୋଇଥିବା ଉଭୟ ପୁରୁଷ ଓ ମହିଳାଙ୍କୁ ଯୋଗାଯୋଗ କଲାଣି ସ୍ୱତନ୍ତ୍ର ଟିମ୍ ।

ନକଲି ଡାକ୍ତର ରମେଶ ସ୍ୱାଇଁ ପତ୍ନୀଙ୍କର ନମ୍ବରକୁ ୱାଇଫ ୱାନ୍, ୱାଇଫ୍ ଆଡଭୋକେଟ, ୱାଇଫ୍ ଟିଚର, ୱାଇଫ୍ ଡକ୍ଟର, ୱାଇଫ୍ ପୋଲିସ୍ ବୋଲି ସେଭ୍ କରିଥିଲା । ଲାଇନରେ ଥିବା ମହିଳାଙ୍କୁ ଟୁ ବି ୱାଇଫ ଜିଲ୍ଲା ନାମରେ ସେଭ୍ କରିଥିଲେ । ରମେଶ ୧୯୮୨ ଠାରୁ ୨୦୧୮ ପର୍ଯ୍ୟନ୍ତ କ’ଣ କରୁଥିଲା ପୂରା ବାୟୋଡାଟା ଖୋଜୁଛି ପୋଲିସ । ସେପଟେ ରମେଶ ବିରୋଧରେ ରାଜ୍ୟ ବାହାରେ ମଧ୍ୟ ଠକେଇ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ବର ସତ୍ୟ ବିହାର ଅଞ୍ଚଳର ଜଣେ ବିଲଡରଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକିଥିବା ପୋଲିସ ଜାଣିବାକୁ ପାଇଛି । କେନ୍ଦ୍ରାପଡାର ଜଣେ ଲୋକଙ୍କୁ ତହସିଲଦାର କହି ୫ ଲକ୍ଷ ଟଙ୍କା ଚୂନ ଲଗାଇଛି । ସେହିପରି ଜଗତସିଂହପୁର, କଟକ, ଢେଙ୍କାନାଳ, ବଡମ୍ବା ପରେ ବୌଦ୍ଧରୁ ମଧ୍ୟ ଆସିଛି ଠକେଇ ଅଭିଯୋଗ । ବୌଦ୍ଧ ବାଉଁଶୁଣି ଥାନା ମଙ୍ଗଳାମୁଣ୍ଡାର ପ୍ରକାଶ  ସ୍ୱାଇଁଙ୍କ ଭଉଣୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ଷ୍ଟାଫ୍ ନର୍ସ ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ରିମାଣ୍ଡରେ ଆସିଲା ପରେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଓ ଠକେଇର ନେଟୱର୍କର ଛାନଭିନ କରିବ ପୋଲିସ । କେବଳ ସେତିକି ନୁହେଁ ଅନେକ ଲୋକଙ୍କୁ କିଡନୀ ମଧ୍ୟ ଅପରେସନ କରିଥିବା ପୋଲିସ ସୂଚନା ପାଇଛି ପୋଲିସ୍ ।

ପରାଜୟ ଭୟରେ ହିଂସା ଆପଣାଉଛି ବିଜେପି

ଭଦ୍ରକ: ନିର୍ବାଚନ ପରେ ପରାଜୟର ଭୟ ଘାରିଛି ବିଜେପିକୁ ।  ରକ୍ତମୁଖା ହୋଇ ଉଠିଛନ୍ତି ବିଜେପିକର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଜାଗୁଳା ପଞ୍ଚାୟତରୁ । ଜାଗୁଳା ପଞ୍ଚାୟତରେ ଭୋଟ ସମୟରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିଲା । କିନ୍ତୁ ଅପରାହ୍ନରେ ଅଡାବନ୍ଧ ଗାଁ’ର ନାଳୁ ନାମକ ବ୍ୟକ୍ତିକୁ ମାଡ଼ ମାରିବା ସହିତ ଗାଡ଼ି ଭାଙ୍ଗିଥିଲେ ବିଜେପି କର୍ମୀ । ଏସମ୍ପର୍କରେ ନାଳୁ ବିଜେଡିକର୍ମୀଙ୍କୁ ଜଣାଇଥିଲେ । ଏହି ଘଟଣାରେ ସନ୍ଧ୍ୟାରେ ବିଚାର ହେବାକୁ ଥିବାବେଳେ ଧାମରା ଛକରେ ବିଜେଡି କର୍ମୀ ବୁଲୁଥିବା ସମୟରେ ଅତର୍କିତ ଆକ୍ରମଣ କରିଥିଲେ ବିଜେପି କର୍ମୀମାନେ । ଠେଙ୍ଗାରେ ପିଟି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଉପସ୍ଥିତ ଥିଲେ ବି  ନିରବ ଦ୍ରଷ୍ଟା ସାଜିଥିଲେ । କିଛି ସମୟ ଧରି ଧାମରା ଛକ ବିଜେପି କର୍ମୀମାନେ ରଣକ୍ଷେତ୍ର କରିଦେଇଥିଲେ । ଭୟରେ କେହି ଆସିନଥିଲେ । ରକ୍ତାକ୍ତ ଅବସ୍ଥାରେ କିଛି ଲୋକଙ୍କୁ ଚିକିତ୍ସା ପାଇଁ ଧାମରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାର ସ୍ଥାନାନ୍ତରିତ କରାଯାଇଛି  ।

ଶିନା ବୋରା ହତ୍ୟା ମାମଲାର ଉତ୍ତର ରଖିଲା ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ସ୍ୱତନ୍ତ୍ର କୋର୍ଟ ନିକଟରେ ଉତ୍ତର ଦାଖଲ କରିଛି ସିବିଆଇ । ଶିନା ବୋରା ଜୀବିତ ଥିବା ନେଇ ତାଙ୍କ ମା’ ତଥା ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିବା ପରେ ସିବିଆଇ ନିଜ ପକ୍ଷ ରଖିଛି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ମାମଲାର ହେବ ଶୁଣାଣି । ଶିନା ବୋରା ହତ୍ୟାକାଣ୍ଡ ପରେ ଗତ ୨୦୧୫ରୁ ଜେଲରେ ଅଛନ୍ତି ଇନ୍ଦ୍ରାଣୀ । କନ୍ୟା ଶିନା ବୋରା ଜୀବିତ ଅଛନ୍ତି ଏବଂ ଜାମ୍ମୁ ଓ କାଶ୍ମୀରର ଏକ ଅଞ୍ଚଳରେ ସେ ରହୁଥିବା ସମ୍ପର୍କରେ ଜଣେ ଜେଲ୍ ଅନ୍ତେବାସୀ ତାଙ୍କୁ କହିଥିବା ନେଇ ଦାବି କରିଥିଲେ ଇନ୍ଦ୍ରାଣୀ । ଏହି ବିସ୍ଫୋରକ ବୟାନ ପରେ ସିବିଆଇ କୋର୍ଟଙ୍କ ବିନା ନିର୍ଦ୍ଦେଶରେ ଆଗେଇ ପାରିବ ନାହିଁ ବୋଲି ଦର୍ଶାଇଥିଲା ।

ସେପଟେ ଇନ୍ଦ୍ରାଣୀଙ୍କ ଜାମିନ ଆବେଦନର ଶୁଣାଣି କରିବା ଲାଗି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ ସିବିଆଇର ପ୍ରତିକ୍ରିୟା ଚାହିଁଛନ୍ତି । ଇନ୍ଦ୍ରାଣୀଙ୍କ ଆବେଦନ ଅନୁସାରେ, ଜଷ୍ଟିସ ଏଲ. ନାଗେଶ୍ବର ରାଓଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସିବିଆଇକୁ ନୋଟିସ ଜାରି କରିଛନ୍ତି । ପୂର୍ବରୁ କନ୍ୟା ଶିନା ବୋରା ଜୀବିତ ଥିବା ନେଇ ମୁମ୍ବାଇର ଏକ କୋର୍ଟକୁ ଜଣାଇଥିଲେ । ଇନ୍ଦ୍ରାଣୀଙ୍କ ଜାମିନ ଲାଗି ସୁପ୍ରିମକୋର୍ଟରେ ଲଢୁଛନ୍ତି ବରିଷ୍ଠ ଆଇନଜୀବନ ମୁକୁଲ ରୋହତଗୀ । କନ୍ୟା ଶିନା ବୋରାଙ୍କୁ ମା’ ଇନ୍ଦ୍ରାଣୀ ହତ୍ୟା କରିଥିବାର ପ୍ରମାଣ ଥିବାବେଳେ ଶିନା କିପରି ଜୀବିତ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଶିନା ବୋରାଙ୍କୁ ହତ୍ୟା କରିବା ଅଭିଯୋଗରେ ଗତ ୨୦୧୫ରେ ମା’ ଇନ୍ଦ୍ରାଣୀ, ତାଙ୍କର ସ୍ବାମୀ ପିଟର ମୁଖାର୍ଜୀ ଓ ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନା ଗିରଫ ହୋଇଥିଲେ ।

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ । ୧ ହଜାର ୩୮୨ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ ହଜାର ୪୯୫ଟି ଓ୍ବାର୍ଡରେ ଭୋଟିଂ ହେବ । ୫୬ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଆଜି ପ୍ରତି ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି  । ପ୍ରତି ବୁଥ୍ ଉପରେ ନଜର ରଖାଯାଇଛି  । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି  ।

ସେପଟେ ଆସନ୍ତା ୨୨ତାରିଖରେ ସାରା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଜୋରଦାର ଚାଲିଛି ପ୍ରଚାର । ଗାଁ ଦାଣ୍ଡରେ ନେତା କରୁଛନ୍ତି ହାଇଭୋଲଟେଜ୍ ଲଢେଇ । ସୂଚନା ଅନୁସାରେ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ସେହିପରି ଭାବରେ ୨୦ରେ ତୃତୀୟ ପର୍ଯ୍ୟାୟ, ୨୨ରେ ଚତୁର୍ଥ ପର୍ଯ୍ୟାୟ ଓ ଫେବ୍ରୁଆରୀ ୨୪ରେ ପଞ୍ଚମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେବ ।