କିଭର ଅଧିକାଂଶ ଅଞ୍ଚଳରୁ ଋଷ ସୈନ୍ୟ ହଟିବା ପରେ ରାସ୍ତାରେ ପଡ଼ିଛି ହାତଗୋଡ ବନ୍ଧା ଶବ

1 min read

Ukrainian soldiers walk next to destroyed Russians armored vehicles in Boucha, Ukraine, Saturday, April 2, 2022. (AP Photo/Rodrigo Abd)

କିଭ୍: ୩୯ ଦିନରେ ଋଷ-ୟୁକ୍ରେନ ୱାର । କମୁଛି ଋଷ ସୈନ୍ୟ ବଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି ୟୁକ୍ରେନ ସୈନ୍ୟ । ରାଜଧାନୀ କିଭର ଅଧିକାଂଶ ଅଞ୍ଚଳକୁ ମୁକ୍ତ କରାଯାଇଛି ବୋଲି ଦାବି କରିଛି ୟୁକ୍ରେନ । ବିଭିନ୍ନ ସ୍ଥାନରେ ୟୁକ୍ରେନ ସୈନ୍ୟଙ୍କ ଆକ୍ରମଣରେ ଋଷ ସୈନ୍ୟ ପଛକୁ ହଟୁଥିବା ସୂଚନା ମିଳୁଛି । ଉପପ୍ରତିରକ୍ଷା ମନ୍ତ୍ରୀ ଗାନ୍ନା ମାଲିଆର କହିଛନ୍ତି, ଋଷ ସୈନ୍ୟଙ୍କ କବଳରୁ ଇରପିନ, ଗୋସ୍ତୋମେଲ ସହର ସମତେ କିବର ବ୍ୟାପକ ଅଞ୍ଚଳକୁ ମୁକ୍ତ କରାଯାଇଛି ।

ଏହାସହ ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଛି ବୋଲି ସେ କହିଛନ୍ତି । ଫେବ୍ରୁଆରୀ ୨୪ ଆକ୍ରମଣ ପରଠାରୁ ଏହି ସମସ୍ତ ଅଞ୍ଚଳରେ ଋଷ ନିଜର ପ୍ରାଧାନ୍ୟ ବଜାୟ  ରଖିଥିଲା । ମାତ୍ର ଦିନକୁ ଦିନ ଏହି ସହର ଉପରେ ଋଷ ନିଜର ନିୟନ୍ତ୍ରଣ ହରାଇବାରେ ଲାଗିଛି । ବୁଚା ସହରରେ ଗୋଟିଏ ସ୍ଥାନରେ ୨୦ରୁ ଅଧିକ ଶବ ପଡିରହିଥିବା ବେଳେ ୩୦୦ରୁ ଅଧିକ ଶବ ପୋତାଗଲାଣି ବୋଲି କହିଛନ୍ତି ବୁଚା ସହରର ମେୟର । ଏହାସହ ଅନେକ ଶବଗୁଡ଼ିକର ହାତ ଗୋଡ ବନ୍ଧା ହୋଇଥିବାର ମଧ୍ୟ ଦେଖାଯାଇଛି ।

 ବର୍ତ୍ତମାନ ସୁଦ୍ଧା ଇରପିନରେ ୬୪୦ରୁ ଅଧିକ ବିସ୍ଫୋରଣ ଘଟିଥିବା ବେଳେ, ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । କିବରେ ଆକ୍ରମଣ ହ୍ରାସ କରାଯିବା ନେଇ ମସ୍କୋର ଘୋଷଣା ପରେ ୟୁକ୍ରେନର ଏହି ଦାବିକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ସର୍ବପ୍ରଥମେ ଋଷ ଅକ୍ତିଆର କରିଥିବା ଚେର୍ଣ୍ଣୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଏବେ ୟୁକ୍ରେନ ପତାକା ଉଡୁଥିବା ଦେଖାଦେଇଛି । ସେପଟେ ମାରିଉପୋଲରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ଜୀବନ ବିକଳରେ ଲୋକେ ପଳାୟନ କରୁଥିବା ଦେଖାଯାଇଛି  ।