ମାନସ ସ୍ୱାଇଁ ହତ୍ୟା ମାମଲା, ପୁଣି ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଚାନ୍ଦବାଲି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଗତକାଲି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ । ତେଣୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବା ବେଳେ ଆଜି ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ୪ ଅଭିଯୁକ୍ତ ହେଲେ ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ ଓ ଝୁନା ।

ଚାରି ଅଭିଯୁକ୍ତଙ୍କ ରିମାଣ୍ଡ ସମୟରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା କ୍ରାଇମ୍ ସ୍ପଟକୁ ଯାଇ ଡେମୋ ଦେଖାଇଛି । କେମିତି ମାନସକୁ ଅପହରଣ କରିଥିଲା, କାହିଁକି ହତ୍ୟା କରିଥିଲା ସେସବୁର ସତ କ୍ରାଇମବ୍ରାଞ୍ଚ ଆଗରେ କହିଛି ଶର୍ମିଷ୍ଠା । ଗତକାଲି ରିମାଣ୍ଡର ଶେଷ ଦିନରେ ‘ସମ୍ପୂର୍ଣ୍ଣ’ ଅଫିସରେ ନିରଞ୍ଜନ ଓ ଶର୍ମିଷ୍ଠାକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ମର୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତର ସ୍କାଏ ଟାଓ୍ୱାରରେ ଥିବା ଫ୍ଲାଟରେ ସିନ୍ ରିକ୍ରିଏସନ୍ କରିଥିଲା ଟିମ୍ । ଫ୍ଲାଟରେ ଶର୍ମିଷ୍ଠାର ମୋବାଇଲକୁ ଜବତ କରିଛି କ୍ରାଇବ୍ରାଞ୍ଚ । ଆପାର୍ଟମେଣ୍ଟର ସିକ୍ୟୁରିଟି ପାଖରେ ଶର୍ମିଷ୍ଠାର ନଣନ୍ଦ ଛାଡିଯାଇଥିବା ଏକ ଅଣ୍ଡରଟେକିଂ କ୍ରାଇବ୍ରାଞ୍ଚ ପାଇଛି ।

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠାକୁ ଫେରାର ହେବାରେ ସେ ସହାୟତା କରିଥିଲା । ଶର୍ମିଷ୍ଠାକୁ ଦେଇଥିଲା ଗାଡି ଓ ୧୦ ହଜାର ଟଙ୍କା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କାଳିଆପାଣି ସ୍ଥିତ ନିଜ ଶାଶୂଘରକୁ ଯାଇଥିଲା । ଏହାଛଡା ମାନସଙ୍କୁ ଅପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମ ଓ ପରେ ସମ୍ପୂର୍ଣ୍ଣ ଅଫିସକୁ ନିଆଯାଇଥିଲା । ଶର୍ମିଷ୍ଠା ରୁମରୁ ମିଳିଥିବା ନିରଞ୍ଜନଙ୍କ ସିକ୍ରେଟ୍ ଡାଏରୀ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛି ।