ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଆକ୍ରମଣ, ଇମ୍ରାନଙ୍କୁ ଦାୟୀ କଲେ ଝିଅ

1 min read

ଲଣ୍ଡନ୍‌: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ।  ଲଣ୍ଡନରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ନୱାଜ ସରିଫଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ଜଣେ କର୍ମଚାରୀ। ଏଥିସହ ଏହି ଘଟଣାରେ ଆହତ ହୋଇଥିବା ନୱାଜ ସରିଫଙ୍କ ଝିଅ ମରିୟମ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ତେବେ ଏହି ଘଟଣା ପରେ ଆକ୍ରମଣକାରୀକୁ ଧରିବା ଲାଗି ଉଦ୍ୟମ ଜାରି ରହିଛି । ପାକିସ୍ତାନର ଜଣେ ସାମ୍ବାଦିକ ଟୁଇଟ୍‌ କରି କହିଛନ୍ତି ଯେ, ପାକିସ୍ତାନର ଶାସକ ଦଳ ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ଜଣେ କର୍ମୀ ନୱାଜ୍‌ ସରିଫ୍‌ଙ୍କୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଶରିଫ୍‌ଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରମଣ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜି ରାତି ସୁଦ୍ଧା ଗିରଫ କରାଯିବ ବୋଲି ସୁନିଶ୍ଚିତ କରାଯିବା ଉଚିତ।

ପାକିସ୍ତାନର ବିରୋଧୀଦଳ ‘ପିଟିଆଇ’ର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ଆଣିବା ଦିନକ ପୂର୍ବରୁ ଉପରୋକ୍ତ ଘଟଣା ଘଟିଛି। ଯଦି ଅନାସ୍ଥା ଭୋଟ୍‌ ସଫଳ ହୁଏ ତେବେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବେ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)’ର ନେତା ତଥା ନୱାଜ୍‌ ସରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ଶରିଫ୍।

ନୱାଜ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଝିଅ ମରିୟମ୍‌ । ସେ କହିଛନ୍ତି ଯେ, ହିଂସାକାଣ୍ଡ ସୃଷ୍ଟି କରୁଥିବା ଶାସକ ଦଳର କର୍ମୀମାନଙ୍କୁ ଜେଲ୍‌ ଦଣ୍ଡାଦେଶ ଦେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି, ହିଂସାକାଣ୍ଡ ପାଇଁ ଉସ୍‌କାଉଥିବା ସ୍ୱୟଂ ଇମ୍ରାନ୍‌ ଖାନଙ୍କୁ ମଧ୍ୟ ଗିରଫ କରାଯିବା ନିହାତି ଆବଶ୍ୟକ ।