ଶ୍ରୀଲଙ୍କାରେ ଭୟଙ୍କର ହେଉଛି ପରିସ୍ଥିତି, ଦେଶରେ କର୍ଫ୍ୟୁ ଜାରି

କଲମ୍ବୋ: ଶ୍ରୀଲଙ୍କାରେ ଜଳୁଛି ବିଦ୍ରୋହର ନିଆଁ । ସାରା ଦେଶର ଦୟନୀୟ ସ୍ଥିତି ସମେତ ବିଭିନ୍ନ ସ୍ଥାନରେ ତୀବ୍ର ଅଶାନ୍ତି ସୃଷ୍ଟି ହୋଇଛି । ଜାରି ରହିଛି ଜରୁରୀ ପରିସ୍ଥିତି । ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ସହରରେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ରହୁଛି । ୩୦ ପ୍ରତିଶତ ମହଙ୍ଗା ହେଲାଣି ଔଷଧ । ପେଟ୍ରୋଲ ପମ୍ପରେ ଭିଡ଼ିକୁ ନଜରରେ ରଖି ଯବାନ ମୁତୟନ ହୋଇଛନ୍ତି । ଅସ୍ଥିର ଜର୍ଜରିତ ରାଷ୍ଟ୍ରରେ ରାଷ୍ଟ୍ରପତି ଇସ୍ତଫା ଦେବା ଲାଗି ଦାବି ଜୋର ଧରିବା ପରେ ରାଜପକ୍ଷେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଜରୁରୀ ସାମଗ୍ରୀର ଯୋଗାଣକୁ ନିର୍ଦ୍ଦେଶନାମାରେ ଗୁରୁତ୍ବ ଦିଆଯାଇଛି । ଇନ୍ଧନ, ଖାଦ୍ୟ ପଦାର୍ଥ, ବିଦ୍ୟୁତ ଅଭାବ ଯୋଗୁ ଦେଶ ଅଭୁତପୂର୍ବ ସଙ୍କଟ ବଳୟକୁ ଠେଲି ହୋଇଯାଇଛି ।

ଅନ୍ୟପଟେ,  ଆର୍ଥିକ ସଙ୍କଟ ଯୋଗୁଁ ବ୍ୟାପିବାରେ ଲାଗିଥିବା ହିଂସାର ମୁକାବିଲା ପାଇଁ ସରକାର ଦେଶରେ ଜରୁରୀ ପରିସ୍ଥିତି ସହିତ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେନା ଓ ପୁଲିସକୁ ଅଖଣ୍ଡ କ୍ଷମତା ଦିଆଯାଇଛି। ରାଜଧାନୀ କଲମ୍ବେ‌ାର ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଏବେ ସେନା ଛାଉଣି ପାଲଟିଯାଇଛି।

ସେପଟେ ଭାରତ ଯୋଗାଇଥିବା ୪୦ ହଜାର ଟନ ଡିଜେଲ ଭରା ଜାହାଜ ଶ୍ରୀଲଙ୍କାରେ ପହଞ୍ଚିଛି । ଶ୍ରୀଲଙ୍କାକୁ ଭାରତ ଦେଇଥିବା ୧୦୦ କୋଟି ଡଲାର ଋଣ ମଧ୍ୟରେ ରହିଛି ଏହି ତୈଳ । ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ କଡା କଟକଣା ଲାଗିଛି ।