spot_img
Home Blog Page 4558

ବଢ଼ିଲା ଅଶୋଧିତ ତୈଳଦର, ବ୍ୟାରେଲ ପିଛା ୧୦୭ ଡାଲର ପହଞ୍ଚିଲା ତୈଳଦର

ନୂଆଦିଲ୍ଲୀ: ଯୁଦ୍ଧ ଆରମ୍ଭରୁ ବଢିଲା ଅଶୋଧିତ ତୈଳଦର । ତେଲର ଦାମ୍ ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିଛି । ୨୦୧୪ ପରେ ପ୍ରଥମଥର ଲାଗି ଅଶୋଧିତ ତୈଳ ଦର ଏଭଳି ସ୍ତରରେ ପହଂଚିଛି । ଆଗାମୀ ଦିନରେ ବଜାରରେ ତୈଳଦର ଆହୁରି ବଢିବାର ଆଶଙ୍କା ରହିଛି । ଏହା ଭାରତ ପାଇଁ ଚିନ୍ତା ବଢାଇଛି । ଭାରତ ନିଜ ୮୨ ପ୍ରତିଶତ ତେଲ ବାହାରୁ ଆମଦାନୀ କରୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଚଳିତବର୍ଷ ମଧ୍ୟରେ ଅଶୋଧିତ ତୈଳ ଦର ୨୨ ଡଲାର ବୃଦ୍ଧି ଘଟିଛି । ବିଶ୍ୱରେ ଋଷ ହେଉଛି ତୃତୀୟ ବୃହତ ତୈଳ ଆମଦାନୀ ରାଷ୍ଟ୍ର । ତେଣୁ ଯୁଦ୍ଧ ଭିତରେ ଆମଦାନୀ ପ୍ରଭାବିତ ହେବ ବୋଲି ଆଶାଙ୍କା ବୃଦ୍ଧି ପାଇଛି । ସମ୍ଭାବ୍ୟ ତୈଳ ସଙ୍କଟର ମୁକାବିଲା ପାଇଁ ଭାରତ ସରକାର ଖାଲି ଥିବା ତୈଳ ଭଣ୍ଡାର ଗୁଡିକୁ ଭର୍ତ୍ତି କରିବାକୁ ଯୋଜନା କରୁଛନ୍ତି ।

ଋଷର ଆକ୍ରମଣ ପରେ ଦୁଇ ଭାଗ ହେଲା ବିଶ୍ୱ, ଋଷ ବିରୋଧରେ ଏକାଠି ହେଲେ ନାଟୋର ଅଧିକାଂଶ ସଦସ୍ୟ

କିଭ୍: ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ଭାଗରେ ବାଣ୍ଟି ହେଉଛି ବିଶ୍ବ । ବଦଳିବାରେ ଲାଗିଛି ବିଶ୍ବ ଦୃଶ୍ୟପଟ । ଋଷକୁ ସବୁଠାରୁ ଅଧିକ ବିରୋଧ ଆମେରିକା କରୁଥିବାବେଳେ ନାଟୋକୁ କରୁଛି ଅଧିକ ସଂଗଠିତ । ଋଷ ବିରୋଧରେ ଆମେରିକାର ପକ୍ଷ ନେଇଛି ବ୍ରିଟେନ । ଋଷ ବିରୋଧରେ ସମସ୍ତ ଯୋଜନାରେ ସାମିଲ ହେବ ବ୍ରିଟେନ । ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୋଲାଖୋଲି ଋଷ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ୟୁରୋପୀୟ ରାଷ୍ଟ୍ରସଂଘ ମୁଖ୍ୟ ଉର୍ସୁଲା ଭନ ଲିଏନ । ବୁଲଗେରିଆ, ଏସ୍ତୋନିଆ, ଲାଟଭିଆ, ଲିଥୁଆନିଆ, ରୋମାନିଆ, ସ୍ଲୋଭେନିଆ, ଚେକ ପ୍ରଜାତନ୍ତ୍ର, ପୋଲାଣ୍ଡ ଆଦି ରାଷ୍ଟ୍ର ଋଷକୁ ବିରୋଧ କରିଛନ୍ତି ।

ସେପଟେ ଆମେରିକା ଓ ନାଟୋ ବିରୋଧୀ ଆଭିମୁଖ୍ୟ ନେଇଛି ଚୀନ । ଋଷ ଉପରେ ଆକ୍ରମଣ ନ କରିବା ଲାଗି ବିଭିନ୍ନ ପକ୍ଷକୁ ଚୀନ ଆହ୍ବାନ ଦେଇଛି । ଋଷ ସହ ନିଜର ବାଣିଜ୍ୟକ ଓ ଅର୍ଥନୈତିକ ସମ୍ପର୍କ ଜାରି ରହିବ ବୋଲି ଚୀନ କହିବା ସହ ଋଷର ନିରାପତ୍ତାକୁ ପ୍ରାଥମିକତା ଦେଇଛି ଚୀନ । ଋଷ ସହ ବ୍ୟାପକ ଅର୍ଥନୈତିକ ସହଭାଗିତାରେ ଯୋଡି ହୋଇଥିବାରୁ ଜର୍ମାନୀ ଜଗରଖି ପଦକ୍ଷେପ ନେଉଛି । ଚାନସେଲନର ଓଲାଫ ସ୍କଜଙ୍କ ସୋସାଲ ଡେମୋକ୍ରାଟିକ ପାର୍ଟି ଋଷକୁ ସମର୍ଥନ କରୁଥିବା ସୂଚନା ମିଳିଛି । ଗତ କିଛିବର୍ଷ ଧରି ଋଷ ଓ ଜର୍ମାନୀ ମଧ୍ୟରେ ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ବିପୁଳ ନିବେଶ ଘଟିଥିବାରୁ ଜର୍ମାନୀ ଦୋଛକିରେ ପଡ଼ିଛି ।

ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୈଠକକୁ ତୀବ୍ର ବିରୋଧ କରିଛି ଆମେରିକା । ଋଷକୁ ପାକିସ୍ତାନ ନୈତିକ ସମର୍ଥନ ଜଣାଇଥିବାରୁ ଏହା ବିରୋଧରେ କ୍ଷୋଭ ପ୍ରକାଶ କରିଛି ଆମେରିକା । ପାକିସ୍ତାନ ଇତିହାସରେ ଦୀର୍ଘ ୨୩ ବର୍ଷ ପରେ ପ୍ରଥମଥର ଲାଗି ଜଣେ ପ୍ରଧାନମନ୍ତ୍ରୀ ଋଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ । ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଋଷକୁ ସମର୍ଥନ ଜଣାଇଛନ୍ତି । ସିରିୟା ରାଷ୍ଟ୍ରପତି ବସର ଅଲ- ଅସାଦ ଋଷକୁ ସମର୍ଥନ ଜଣାଇଥିବାବେଳେ ଭେନିଜୁଏଲା ମଧ୍ୟ ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ ଜଣାଇଛି । ଅନ୍ୟପକ୍ଷରେ ଭାରତ ଏହି ମାମଲାରେ ସମଦୂରତାରେ ରହିଛି ।

ଋଷ ବିରୋଧରେ ରକ୍ତମୁଖା ବାଇଡେନ, ୟୁକ୍ରେନକୁ ଦେବ ୬୦୦ ନିୟୁତ ଡାଲରର ଭୟଙ୍କର ମାରଣାସ୍ତ୍ର

ଓ୍ୱାଶିଂଟନ: ଋଷ ବିରୋଧରେ ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଋଷ ସୈନ୍ୟଙ୍କ ମୁକାବିଲା ଲାଗି ୟୁକ୍ରେନକୁ ଆମେରିକା ଯୋଗାଇବ ୬୦୦ ନିୟୁତ ଡଲାର ମୂଲ୍ୟର ଭୟଙ୍କର ମାରଣାସ୍ତ୍ର । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିନିଧି ସଭାର ସ୍ପିକର ନାନସି ପେଲୋସି । ଏହା ସହ ୟୁକ୍ରେନକୁ ସମସ୍ତ ପ୍ରକାର ମାନବିକ ସହାୟତା ଯୋଗାଇବାକୁ ସେ ଘୋଷଣା କରିଛନ୍ତି । ଅତ୍ୟାଧୁନିକ ଓ ଅତି ଭୟଙ୍କର ଏହି ମାରଣାସ୍ତ୍ର ପ୍ରଥମ ଥର ଲାଗି ପ୍ରୟୋଗ ହେବ ବୋଲି ସୂଚନା ମିଳିଛି ।

ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ବାଇଡେନ ଘୋଷଣା କରିଛନ୍ତି । ଏହା ସହ ଗ୍ରୁପ-୭ ରାଷ୍ଟ୍ର ମଧ୍ୟ ଋଷ ବିରୋଧରେ କଡ଼ା କଟକଣା ଜାରି କରିବେ ବୋଲି କହିଛନ୍ତି ବାଇଡେନ । ରାଷ୍ଟ୍ର ଉଦ୍ଦେଶ୍ୟରେ ଭାଷଣ ଦେଇ ବାଇଡେନ କହିଛନ୍ତି- ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ବାଇଡେନଙ୍କ ଏହି ଘୋଷଣା ପରେ ଆମେରିକାସ୍ଥିତ ଋଷର ୪ଟି ବିଶାଳ ବ୍ୟାଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ସହ ସମସ୍ତ କାରବାର ଉପରେ ନିଷେଧାଦେଶ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେପଟେ ଯୁଦ୍ଧ ସ୍ଥିତି ନେଇ ଭାରତ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି ୟୁକ୍ରେନ ସଂକଟ ପରିପ୍ରେକ୍ଷୀରେ ଭାରତର ଭୂମିକାକୁ ଆମେରିକା ଗୁରୁତ୍ୱ ଦେଉଛି । ଏନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ।

ଇତିହାସ ରଚିଲେ ରୋହିତ ଶର୍ମା, ଟି-୨୦ କ୍ରିକେଟରେ କଲେ ସର୍ବାଧିକ ରନ ସ୍କୋର

ଲକ୍ଷ୍ନୌ: ଭାରତ-ଶ୍ରୀଲଙ୍କା ମଧ୍ୟରେ କାଲିଠାରୁ ଆରମ୍ଭ ହୋଇଛି ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଗତକାଲି ଲକ୍ଷ୍ନୌରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଭାରତ ୬୨ ରନରେ ଜିତି ନେଇଛି । ଏହି ମ୍ୟାଚରେ ବିଜୟ ସହ ଇତିହାସ ରଚିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ରୋହିତ ଶର୍ମା ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ ସ୍କୋର କରିବାର କ୍ରିକେଟର ହୋଇଛନ୍ତି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ଓ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ।

ଏହି ମ୍ୟାଚ ପୂର୍ବରୁ ରୋହିତ ଶର୍ମା ଏହି କିର୍ତ୍ତିମାନ କରିବାକୁ ୩୭ ରନ ଆବଶ୍ୟକ ରହିଥିଲା । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମଟି-୨୦ରେ ଯେତେବେଳେ ରୋହିତ ୩୭ ରନ କରିଥିଲେ ସେ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବାର ଖେଳାଳି ହୋଇଛନ୍ତି । ଟି-୨୦ କ୍ରିକେଟରେ ରୋହିତ ଶର୍ମା ୧୨୩ଟି ମ୍ୟାଚ ଖେଳି ୩ ହଜାର ୩୦୭ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ କ୍ରିକେଟର ମାର୍ଟିନ ଗପ୍ଟିଲ ୧୧୨ ମ୍ୟାଚରେ ୩ ହଜାର ୨୯୯ ରନ କରିଛନ୍ତି ଓ ତୃତୀୟ ସ୍ଥାନରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୯୭ ମ୍ୟାଚ ଖେଳି ୩ ହଜାର ୨୯୬ ରନ ସ୍କୋର କରିଛନ୍ତି ।

ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ ମହାସମର, ମୁମ୍ବାଇ ଓ ପୁନେରେ ଖେଳାଯିବ ସମସ୍ତ ମ୍ୟାଚ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ବାଜିଛି ବିଗୁଲ । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ଆଇପିଏଲର ମହାସମର । ଟାଟା ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେବା ନେଇ ଗଭର୍ନିଙ୍ଗ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ଥର ଆଇପିଏଲ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି ବିସିଆଇ । ମାର୍ଚ୍ଚ ୨୬ରେ ଆଇପିଏଲ ଆରମ୍ଭ ହେଉଥିବାବେଳେ ମେ’ ୨୯ ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ ଖେଳାଯିବ । ଏନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ଆଇପିଏଲର ସମସ୍ତ ମ୍ୟାଚ ମୁମ୍ବାଇ ଓ ପୁନେରେ ଖେଳାଯିବ ।

ଚଳିତବର୍ଷ ଆଇପିଏଲରେ ୧୦ ଟିମ୍ ଭାଗ ନେଇଛନ୍ତି । ସେହିପରି ମୁମ୍ବାଇ ଓ ପୁନେର ୪ ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ଚଳିତ ଆଇପିଏଲର ମୁମ୍ବାଇରେ ୫୫ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ୧୫ଟି ମ୍ୟାଚ ପୁନେରେ ଖେଳାଯିବ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ସିସିଆଇ ଷ୍ଟାଡିୟମରେ ୧୫ଟି ମ୍ୟାଚ ଓ ଡି.ଓ୍ୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ଓ ପୁନେରେ ୧୫ଟି ମ୍ୟାଚ ଖେଳାଯିବ ।

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ । ଏଏସଆଇ ହରେକୃଷ୍ଣ ନାୟକଙ୍କ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସର ଏହି ରେଡରେ ୩ ଜଣ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ଅଫିସର ସାମିଲ ହୋଇଛନ୍ତି ।

କଟକ ଫ୍ରେଣ୍ଡସ କଲୋନୀରେ ଦୁଇ ମହଲା କୋଠା ଓ ପୁରୀ କୃଷ୍ଣପ୍ରସାଦ ମାଲୁଦାରେ ନିର୍ମାଣାଧୀନ ୨ ମହଲା କୋଠା ଠାବ ହୋଇଛି । ସେହିପରି ଝାରସୁଗୁଡା OMVD/RTO ଅଫିସ ଓ ବିଜୁ ନଗର ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଅନ୍ୟପକ୍ଷରେ ଗଞ୍ଜାମ ଲାଞ୍ଜିପାଲିର ସଂପର୍କୀୟଙ୍କ ଘରେ ଓ ବ୍ରହ୍ମପୁର ରାମନଗରରେ ଥିବା ଏକ ଘରେ ରେଡ ଚାଲିଛି ।

ଆସନ୍ତାକାଲିଠାରୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି, ଜିଲ୍ଲା ପରିଷଦ ଜୋନଓ୍ୱାରୀ ବାହାରିବ ଫଳାଫଳ

ଭୁବନେଶ୍ୱର: ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ । ଆସିବ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନଓ୍ୱାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ । ଦ୍ବିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ଗଣତି ହେବ । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣତି ହେବ ।

ପ୍ରତି ପଞ୍ଚାୟତରେ ସର୍ବନିମ୍ନ ୧୧ ଏବଂ ସର୍ବାଧିକ ୨୫ଟି ଓ୍ବାର୍ଡ ରହିଛି । ସେହି ଅନୁସାରେ ପ୍ରତି ବ୍ଲକରେ ଥିବା କାଉଣ୍ଟିଂ ହଲରେ ୬ଟି ଟେବୁଲ ରହିବ । ପ୍ରଥମେ ବାଲଟ ବାକ୍ସ ଖୋଲିବା ପରେ ଏଜେଣ୍ଟଙ୍କ ଆଗରେ ସିଲ୍ ଖୋଲାଯିବ । ଏହା ପରେ ଓ୍ବାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି, ସମିତି ସଭ୍ୟ ପାଇଁ ନୀଳ ଏବଂ ଜିଲ୍ଲା ପରିଷଦ ପାଇଁ ଧଳା ବାଲଟ ପେପରକୁ ଅଲଗା କରି ୫୦ ଟିକିଆ ବଣ୍ଡଲ କରାଯିବ। ପ୍ରଥମ ରାଉଣ୍ଡ ପରେ ଓ୍ବାର୍ଡମେମ୍ବରଙ୍କ ଗଣତି ଓ ଫଳାଫଳ ବାହାରିବ । କାଉଣ୍ଟିଂ ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରବେଶ ନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପୂର୍ବରୁ ଆରିଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟିଂ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ସ୍ଥିତି ସୁଧୁରିଥିବାରୁ କେବଳ ଡବଲ ଡୋଜ୍ ଟିକାର ପ୍ରମାଣପତ୍ର ଦେଖାଇଲେ କାଉଣ୍ଟିଂ ହଲକୁ ପ୍ରବେଶ କରିପାରିବେ ଏଜେଣ୍ଟ । ପ୍ରଥମ ଥର ପାଇଁ ବ୍ଲକ ଅଫିସରେ ଗଣତି ହେଉଥିବା ବେଳେ ବିଡିଓ ଓ କାଉଣ୍ଟିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଋଷ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାଟୋ!

ମସ୍କୋ: ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା । ସେପଟେ ଘନେଇଲା ଆଣବିକ ଆକ୍ରମଣର ବିପଦ । ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜାଁ ୟେଭିସ ଡ୍ରିଏନ କହିଛନ୍ତି, ଋଷ ଜାଣିରଖିବା ଆବଶ୍ୟକ ଯେ ନାଟୋ ରାଷ୍ଟ୍ରଗୋଷ୍ଠୀ ନିକଟରେ ଆଣବିକ ଅସ୍ତ୍ର ରହିଛି । ଏପରିକି ଋଷ ବିରୋଧରେ କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଇପାରେ ବୋଲି ସେ ଆଭାସ ଦେଇଛନ୍ତି । ତେଣେ ୟୁକ୍ରେନର ତିନି ପଟୁ ଷଣ୍ଢୁଆସୀ ଆକ୍ରମଣ କରୁଛନ୍ତି ଋଷ ସୈନ୍ୟ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରାଜଧାନୀ କିଭକୁ ଅକ୍ତିଆର କରିବା ଲାଗି ଜୋରଦାର ଷ୍ଟ୍ରାଇକ ।

ଋଷ ଦାବି କରିଛି ଆକ୍ରମଣର ପ୍ରଥମ ଦିନରେ ହିଁ ଧ୍ୱଂସ ହୋଇଛି ୟୁକ୍ରେନର ୮୩ଟି ଘାଟି । ଏହା ସହ ୨୦୦ରୁ ଅଧିକ ଥର ବିଭିନ୍ନ କୌଶଳଗତ ସ୍ଥାନରେ କରାଯାଇଛି ହମଲା । ସୁଖୋଇ ଯୁଦ୍ଧବିମାନ ଜରିଆରେ ୟୁକ୍ରେନ ରାଜଧାନୀ କିଭ ଓ ଅନ୍ୟାନ୍ୟ ଅଞ୍ଚଳରେ ବୋମା ବର୍ଷଣ କରାଯାଉଛି ଏବଂ ଖୋଲା ହେଲିକପ୍ଟରରୁ ଗୁଳିମାଡ କରାଯାଉଥିବା ପରିଲକ୍ଷିତ ହୋଇଛି । କୃଷ୍ଣ ସାଗର ଓ ଆଜୋଭ ସମୁଦ୍ରକୁ ସମ୍ପୂର୍ଣ୍ଣ କବଜା କରିଛନ୍ତି ଋଷ ଓ ସହଯୋଗୀ ବେଲାଋଷ । ୟୁକ୍ରେନର ସମି, ଖରକିଭ, ଖେରସନ, ଓଡେଶାରେ ଜୋରଦାର ସଂଘର୍ଷ ଚାଲିଥିବାବେଳେ ବହୁ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି ।

ଋଷୀୟ ସୈନ୍ୟ ୟୁକ୍ରେନର ଚର୍ଣ୍ଣୋବିଲ ଆଣବିକ କାରଖାନାକୁ କବଜାକୁ ନେଇଛନ୍ତି । କିଭ୍ ଅଞ୍ଚଳର ହୋସ୍ତୋମେଲ ବିମାନ ବନ୍ଦରକୁ ବି ସିଜ୍ କରିଛନ୍ତି ଋଷ ସୈନ୍ୟ । ଋଷ ବିରୋଧରେ ଜୋରଦାର ଆକ୍ରମଣ କରିବା ଲାଗି ନିଜ ସୈନ୍ୟବାହିନୀ ଓ ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ନିଜ ଦେଶକୁ ରକ୍ଷା କରିବା ଲାଗି ଆଗେଇ ଆସିବା ଲାଗି ନାଗରିକଙ୍କୁ ସେ ଆହ୍ବାନ ଦେଇଛନ୍ତି । ଖାରକିଭରେ ୪ଟି ଋଷୀୟ ଟ୍ୟାଙ୍କକୁ ନଷ୍ଟ କରିଥିବା ସହ ଲୁହାନସ୍କରେ ୫୦ ସୈନ୍ୟ ପ୍ରାଣ ହରାଇଥିବା ଦାବି କରିଛନ୍ତି ୟୁକ୍ରେନ । ୟୁକ୍ରେନର ୨ଟି ବିମାନକୁ ଖସାଇ ଦେଇଥିବା ଦାବି କରିଛନ୍ତି ବିଦ୍ରୋହୀ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ ଋଷକୁ ଚେତାବନୀ ଦେଇଛନ୍ତି । ୟୁକ୍ରେନ ଉପରେ ଆକ୍ରମଣର ଫଳାଫଳ ଭୟଙ୍କର ହେବ ବୋଲି ସେ ସୂଚନା ଦେଇଛନ୍ତି । ଆକ୍ରମଣ ବିରୋଧରେ ଋଷର ବିଭିନ୍ନ ସ୍ଥାନରେ ହୋଇଥିବା ବିକ୍ଷୋଭରେ ୧୭୦୦ରୁ ଅଧିକ ୟୁକ୍ରେନ ସପକ୍ଷବାଦୀଙ୍କୁ ଅଟକ ରଖିଛି ଋଷ ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ । ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଠିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କଲସ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କୋଣାର୍କ ଓ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୫ ଓ ୨୬ ଫେବ୍ରୁଆରୀରେ କୋଣାର୍କ ଓ ଭୁବନେଶ୍ୱରଠାରେ ହେବ ଦୁଇ ଦିନିଆ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଯୋଗ ଦେବେ ବରିଷ୍ଠ ଅଧିକାରୀ ଓ ଶିଳ୍ପ ଜଗତର ପ୍ରତିନିଧି।

ପୁତିନଙ୍କ ସହ କଥା ହେଲେ ମୋଦି: ‘ଯୁଦ୍ଧ ନୁହେଁ NATO ସହ ହେଉ ସକାରାତ୍ମକ ଆଲୋଚନା ’

ନୂଆଦିଲ୍ଲୀ: ଋଷ-ଯୁକ୍ରେନ ବିବାଦ ଭିତରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।  ଋଷ ରାଷ୍ଟ୍ରପତି ପୁତିନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗୋଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ବାର୍ତ୍ତାଳପ କରିଛନ୍ତି  ।  ନାଟୋ ସହ ଆଲୋଚନା କରି ଶାନ୍ତି ଫେରାଇ ଆଣିବାକୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୨୦ରୁ ୨୫ ମିନିଟ ଧରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ୟୁକ୍ରେନରେ ଋଷର ଯୁଦ୍ଧ ପରେ ସେଠାରେ ଫଶି ରହିଥିବା ଭାରତୀୟଙ୍କ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ଭାରତ ସରକାର ।

ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ପୋଲାଣ୍ଡ ଓ ହଙ୍ଗେରୀ ବାଟ ଦେଇ ୟୁକ୍ରେନରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ । ଆକାଶ ମାର୍ଗକୁ ଆସନ୍ତା ମାସେ ପାଇଁ ୟୁକ୍ରେନ୍ ସରକାର ସିଲ୍ କରିଥିବା ବେଳେ ବିମାନରେ ଆଣିବା ସମ୍ଭବ ନୁହେଁ ବୋଲି ସରକାର କହିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ।

ସେପଟେ ୟୁକ୍ରେନ୍‌ରେ ଥିବା ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପୁଲାଇନ୍‌ ବ୍ୟବସ୍ଥା କରାଯାଇଛି । କେହି ଅସୁବିଧାରେ ଥିଲେ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଏପଟେ ଭାରତରେ ଥିବା ପୋଲାଣ୍ଡ ରାଜଦୁତଙ୍କ ସହ ମଧ୍ୟ ବୈଦେଶିକ ସଚିବ ଆଲୋଚନା କରିଛନ୍ତି । ଋଷ ସାରା ବିଶ୍ୱ ପାଇଁ ଭୟଙ୍କର ସଂକଟ ଆଣିବ ବୋଲି ପୋଲାଣ୍ଡ ରାଷ୍ଟ୍ରଦୂତ କହିଛନ୍ତି । ଏଥିପାଇଁ ପୋଲାଣ୍ଡ ୟୁକ୍ରେନ୍ ସମର୍ଥନରେ ଥିବା ସେ କହିଛନ୍ତି । ଶାନ୍ତିରେ ବିଶ୍ୱାସ କରୁଥିବା ଭାରଚତ ପୁଣି ଥରେ ନିଜକୁ ପ୍ରତିପାଦିତ କରିଛି  । ଯୁଦ୍ଧ ନୁହେଁ ସମ୍ପର୍କ ଏବଂ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରିଛି ଭାରତ  । ଯୁଦ୍ଧ ନହୋଇ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ନିବେଦନ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।