ଦିଲ୍ଲୀ ପ୍ରଦୂଷଣ ପାଇଁ ପାକିସ୍ତାନ୍‌ ଦାୟୀ ?

1 min read

ନୂଆଦିଲ୍ଲୀ: ଖାଲି ସୀମା ବିବାଦ ନୁହେଁ ବରଂ ଜଣାପଡ଼ୁଛି ପରିବେଶକୁ ନେଇ ମଧ୍ୟ ପାକିସ୍ତାନ୍‌ ଭାରତର ଶତ୍ରୁ ହୋଇଯାଇଛି । ପାକିସ୍ତାନର ଧୂଳିପୁର୍ଣ୍ଣ ବାୟୁ ଏନସିଆର ଦିଲ୍ଲୀର ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ । ଖରାଦିନେ ମଧ୍ୟ ଦିଲ୍ଲୀର ବାୟୁ ଗୁଣବତ୍ତା ଖୁବ୍‌ ନିମ୍ନମାନର । ପରିବେଶବିତଙ୍କ କହିବା ହେଉଛି ଏଥିରେ ପରିବର୍ତ୍ତନର ଏକମାତ୍ର ସାହାରା ହେଉଛ ବୃଷ୍ଟିପାତ । ଫେବୃଆରୀ ମାସ ଶେଷ ହେବା ବେଳକୁ ଦିଲ୍ଲୀର ବାୟୁ ଗୁଣବତ୍ତା ଉନ୍ନତ ହେବା ଆରମ୍ଭ କରିଥାଏ । କିନ୍ତୁ ଏଥିରେ ଏବେ ବିଳମ୍ବ ହେଉଛି । ସେଥିପାଇଁ GRAP ବା Graded Response Action Plan ଅକ୍ଟୋବର ୧୫ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା ।  ଏହି ଅବଧି ସରିବା ପରେ ଡିଜେଲ ଜେନେରେଟର ଉପରୁ ମଧ୍ୟ ପ୍ରତିବନ୍ଧକ ଉଠାଯାଇଛି । ତେବେ ଗ୍ରାପ୍‌ ହେଉଛି ଏକ ମାପ, ଯାହାଦ୍ୱାରା ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କରାଯାଉଛି । ବାୟୁ ପ୍ରଦୂଷଣ ସହିତ ଲଢ଼ିବା ପାଇଁ ୨୦୧୭ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଲାଗୁ କରାଯାଇଥିଲା । କିନ୍ତୁ ଚଳିତ ଥର ମାର୍ଚ୍ଚ ଶେଷ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ହେଲାଣି, କିନ୍ତୁ କୌଣସି ପରିବର୍ତ୍ତନ ଆସିନାହିଁ ।

ଯଦି CPCB ବା Central Pollution  Control Boardର ତଥ୍ୟ ଉପରେ ନଜର ପକାଇବା ତେବେ, ମାର୍ଚ୍ଚରେ ଏମିତି ଗୋଟିଏ ଦିନ ନଥିଲା ଯେତେବେଳେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ପରିବର୍ତ୍ତନ ଆସିଥିଲା । କେବଳ ସେତିକି ନୁହେଁ ଏପ୍ରିଲ ମାସର ୫ ଦିନ ଉପରେ ଯଦି ନଜର ପକାଇବେ ତେବେ ସ୍ଥିତି ସମାନ ।

ପାକିସ୍ତାନ କିଭଳି ଦାୟୀ?

ପରିବେଶବିତ୍‌ ଏବଂ ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଶୀତ ଶେଷ ହେବା ବେଳକୁ ବାୟୁ ସ୍ତରର ଆର୍ଦ୍ରତା ମଧ୍ୟ ଶେଷ ହେବା ଆରମ୍ଭ କରେ । ଆକାଶ ନିର୍ମଳ ଦେଖାଯାଏ । ପରିଷ୍କାର ପବନ ବହେ । ଯାହା ପ୍ରଦୂଷଣ କମ୍‌ କରେ । କିନ୍ତୁ ମାର୍ଚ୍ଚ ଆରମ୍ଭରୁ ଚଳିତ ଥର ରାଜସ୍ଥାନ ଦେଇ ସେଣ୍ଟ୍ରାଲ ପାକିସ୍ତାନରୁ ଆସୁଥିବା ଗରମ ପବନ ରାଜଧାନୀ ଦିଲ୍ଲୀକୁ ପ୍ରଦୂଷିତ କରିଛି । ବର୍ଷା ଅଭାବରୁ ମୃତ୍ତିକା ସ୍ତର ସମ୍ପୂର୍ଣ୍ଣ ଶୁଷ୍କ । ପବନ ହେବାମାତ୍ରେ ଧୂଳିକଣା ଉଡ଼ୁଛି । ତେବେ କେବଳ ଦିଲ୍ଲୀ କାହିଁକି ଏହି ସମାନ ପରିସ୍ଥିତି ମୁମ୍ବାଇରେ ମଧ୍ୟ ଚଳିତ ଥର ପରିଲକ୍ଷିତ ହୋଇଛି ।