spot_img
Home Blog Page 4526

ଗଛରେ ଚଢ଼ି ଓହ୍ଲାଇ ପାରୁନି ଭାଲୁ

ଉମରକୋଟ: ଗଛରେ ଚଢ଼ି ଓହ୍ଲାଇ ପାରୁନି ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମରେ ଏକ ଶାଳ ଗଛରେ ଭାଲୁ ଚଢ଼ି ଯାଇଛି । ହେଲେ ଗଛଟି ବହୁତ ଉଚ୍ଚ ଥିବାରୁ ତଳକୁ ଆସି ପାରୁନାହିଁ ଭାଲୁ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ଆଡ଼କୁ ଆସିଥିଲା । ସକାଳ ହୋଇଯିବାରୁ ଲୋକମାନେ ମହୁଲ ସଂଗ୍ରହ କରିବାକୁ ବାହାରିବାରୁ ଲୋକଙ୍କୁ ଦେଖି ଭୟଭୀତ ହୋଇ ଗଛ ଉପରେ ଚଢ଼ି ଯାଇଥିଲା ଭାଲୁ । ଏନେଇ ଗ୍ରାମବାସୀ ଉମରକୋଟ ବନ ବିଭାଗକୁ ଖବର ଦେଇଛନ୍ତି ।

ମୃତ୍ୟୁର ଅନ୍ୟ ନାଁ ‘ଲେଡି ଡେଥ୍’

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବଢିବା ସହ ପଦାକୁ ଆସୁଛି ଜଣକ ପରେ ଜଣେ ସ୍ନାଇପରଙ୍କ କାରନାମା । ଯେଉଁମାନଙ୍କ ଟାର୍ଗେଟରେ ରହିଛନ୍ତି ଉଭୟ ପକ୍ଷର ସେନା । ବିଶେଷ କରି ମହିଳା ସ୍ନାଇପରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଯୁଦ୍ଧ ଭିତରେ ୟୁକ୍ରେନ ସେନା ଋଷର ଏମିତି ଜଣେ ମହିଳା ସ୍ନାଇପରଙ୍କୁ କାବୁ କରିଛି, ଯିଏ ୪୦ ଲୋକଙ୍କୁ ହତ୍ୟା କରି ସାରିଛି । ଇରିନା ଷ୍ଟାରିକୋଭା ନାମକ ଏହି ମହିଳାଙ୍କ ଫଟୋ ବି ଜରି କରିଛି ୟୁକ୍ରେନ । ୨୦୧୪ରୁ ୟୁକେନ ଇରାନାଙ୍କୁ ଖୋଜୁଥିଲା । ପୂର୍ବ ୟୁକ୍ରେନରେ ଉଗ୍ରବାଦୀଙ୍କ ସହ ମିଶି ଇରିନା କାମ କରୁଥିଲା ।

ସେହିପରି ଯୁଦ୍ଧ ଭିତରେ ୟୁକ୍ରେନର ଜଣେ ଲେଡି ସ୍ନାଇପରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ମହିଳା ଜଣଙ୍କ ୟୁକ୍ରେନ ବ୍ୟାଟଲ୍ ଫିଲ୍ଡରେ ଏବେ ବି ଋଷ ସେନାଙ୍କ ପାଇଁ କାଳ ହୋଇ ବୁଲୁଛନ୍ତି ।

ତେବେ ଆଜି ଆମେ ଏମିତି ଜଣେ ଲେଡି ସ୍ନାଇପରଙ୍କ ବିଷୟରେ କହିବାକୁ ଯାଉଛି ଯାହାକୁ ବିଶ୍ବ ‘ଲେଡି ଡେଥ୍’ ଭାବେ ଜାଣେ । ତେବେ କିଏ ଏହି ମହିଳା ? କେଉଁ ସମୟରେ ଖେଳୁଥିଲେ ରକ୍ତର ହୋଲି ? କେତେ ଜଣ ତାଙ୍କ ବନ୍ଧୁକର ଶିକର ହୋଇଛନ୍ତି ? ଶେଷ ସମୟ କେମିତି କଟିଥିଲା, ଆସନ୍ତୁ ଜାଣିବା ।

ଲେଡି ଡେଥ୍ ଲଡ୍ୟୁମିଲା ପାଭଲିଚେଙ୍କୋ

ସମୟ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର । ସୋଭିଏତ ସଂଘରୁ ଲଢୁଥିବା ଲଡ୍ୟୁମିଲା ପାଭଲିଚେଙ୍କୋଙ୍କୁ ନେଇ ସାରା ଦୁନିଆ ଭୟଭିତ ଥିଲା । ସେ ଏମିତି ଜଣେ ସ୍ନାଇପର ଥିଲେ, ଯାହାଙ୍କ ଆଗକୁ ଆସିବାର ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ । ଜଣେ କି ଦୁଇ ଜଣ ନୁହେଁ ୩୦୯ ଲୋକଙ୍କୁ ଶିକାର କରିଥିଲା ଲଡ୍ୟୁମିଲାଙ୍କ ବନ୍ଧୁକ ।

ସୋଭିଏତ ଋଷ ପାଇଁ ଯୁଦ୍ଧକୁ ଓହ୍ଲାଇଥିବା ଏହି ଲେଡି ସ୍ନାଇପର ବୁଲି ବୁଲି ନାଜି ସମର୍ଥକଙ୍କୁ କରୁଥିଲେ ଟାର୍ଗେଟ୍ । ତାଙ୍କ ୩୦୯ ଟାର୍ଗେଟରେ ଅଧିକାଂଶ ଥିଲେ ନାଜି । ତାଙ୍କ ଲକ୍ଷ୍ୟ ଏତେ ସଠିକ ଥିଲା ଯେ, କୁହାଯାଏ ତାଙ୍କ ଆଗକୁ ଆସୁଥିବା ଶତ୍ରୁଙ୍କ ମୃତ୍ୟୁ ସୁନିଶ୍ଚିତ । ଏଥିପାଇଁ ତାଙ୍କୁ ‘ଲେଡି ଡେଥ’ ନାଁ ଦିଆଯାଇଥିଲା ।

୧୯୪୨ରେ ଏକ ଘା’ କାରଣରୁ ସେ ସ୍ନାଇପର କାମ ଛାଡି ଦେଇଥିଲେ । ବର୍ତ୍ତମାନର ୟୁକ୍ରେନ ରାଜଧାନୀ କିଭ ବାସିନ୍ଦା ଥିଲେ ଲଡ୍ୟୁମିଲା ପାଭଲିଚେଙ୍କୋ ।

ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ପ୍ରସ୍ତୁତ ହେଉଛି ନକଲି ମଦ

କଟକ: ଅସଲି ଦୋକାନରେ ନକଲି ପ୍ରଡକ୍ଟ । ମୟୁରଭଞ୍ଜ ମୋରଡାସ୍ଥିତ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ପ୍ରସ୍ତୁତ ହେଉଛି ନକଲି ମଦ । ଦୋକାନରେ ଚଢ଼ାଉ କରି ଦୁଇ ନମ୍ବରୀ କାରବାରର ପାର୍ଦ୍ଦାଫାସ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ କରାଯାଇ ଖୋଲାଖୋଲି ବିକ୍ରି କରାଯାଉଥିଲା । ମଦ ଦୋକାନ ପଛ ପଟେ ଦୀର୍ଘଦିନ ଧରି ଏହି କାରନାମା ଚାଲିଥିଲା । ନକଲି ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସ୍ପିରିଟ, ଠିପି, ନକଲି ଲେବୁଲ ସହ ଅନ୍ୟାନ୍ୟ ସାମଗ୍ରୀକୁ ଫ୍ଲାଇଂ ସ୍କ୍ୱାଡ ଜବତ କରିଛି । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ସ୍ୱୀକୃତି । ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ରାଜଧାନୀ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ କ୍ରୀଡା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି । ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ, କହିଲେ, ୟୁକ୍ରେନରେ ଚାଲିଛି ଗଣହତ୍ୟା

କିଭ୍: ୟୁକ୍ରେନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳାଇଛନ୍ତି ଗଣହତ୍ୟା । ଜଣେ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଏହି ଗଣହତ୍ୟା ଜାରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଥମ ଥର ଲାଗି ବାଇଡେନ ଗଣହତ୍ୟା ଶବ୍ଦର ପ୍ରୟୋଗ କରିଛନ୍ତି । ଗତ ସପ୍ତାହରେ ପୁଟିନ ଜଣେ ଯୁଦ୍ଧ ଅପରାଧୀ ବୋଲି ଦର୍ଶାଇଥିଲେ ବାଇଡେନ । ସେପଟେ ଋଷ କବଜାରେ ଥିବା ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରାଗଲେ ୟୁକ୍ରେନ କବଜାରେ ଥିବା ବନ୍ଦୀମାନଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ଋଷ ସହ ଯୁଦ୍ଧକୁ ଅଧିକ ଶକ୍ତିଶାଳୀ କରିବା ଲାଗି ୟୁକ୍ରେନକୁ ଆମେରିକା ଖୁବ୍ ଶୀଘ୍ର ୭୫୦ ନିୟୁତ ଡଲାରର ସାମରିକ ସହାୟତା ଘୋଷଣା କରିବ ବୋଲି ସୂଚନା ମିଳିଛି । ଏହି ପ୍ୟାକେଜ କ୍ରମେ ଆମେରିକାଠାରୁ ୟୁକ୍ରେନ ପାଇବ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ହାଓଜିର କମାଣ । ଜେଲେନସ୍କି କହିଛନ୍ତି ଏହି ଅସ୍ତ୍ର ୟୁକ୍ରେନରେ ପହଞ୍ଚିଲେ ଯୁଦ୍ଧର ତରିକା ବଦଳିବ । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ପୋର୍ଟସିଟି ମାରିୟୁପୋଲରେ ଋଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରିଥିବାର ସ୍ପଷ୍ଟ ସୂଚନା ମିଳିଛି । ଏହି ସହରରେ ଋଷ ରାସାୟନିକ ପଦାର୍ଥ ମିଶ୍ରିତ ଲୁହବୁହା ଗ୍ୟାସ ସମେତ ଅନ୍ୟାନ୍ୟ ପ୍ରକାର ଗ୍ୟାସ ପ୍ରୟୋଗ କରିବାକୁ ଋଷ ପ୍ରସ୍ତୁତ ଥିବା କହିଛନ୍ତି ବ୍ଲିଙ୍କେନ ।

ୟୁକ୍ରେନର ଆଜୋଭରେ ଏକ ଋଷୀୟ ଡ୍ରୋନ ଜରିଆରେ କିଛି ବିଷାକ୍ତ ପଦାର୍ଥ ନିକ୍ଷେପ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ପଦାର୍ଥ ଯୋଗୁ ସୈନ୍ୟ ଓ ନାଗରିକଙ୍କ ନିଶ୍ୱାସ ପ୍ରଶ୍ୱାସରେ ସଙ୍କଟ ଦେଖାଦେବା ସହ ସେମାନେ ସ୍ନାୟୁବିକ ସମସ୍ୟାରେ ପଡ଼ିଥିଲେ । ସେପଟେ ଯୁଦ୍ଧର ୪୯ ଦିନରେ ପୋର୍ଟସିଟି ମାରିୟୁପୋଲ ସମେତ ପୂର୍ବାଞ୍ଚଳରେ ହମଲାକୁ ଜୋରଦାର କରିଛି ଋଷ । ଋଷ ସମର୍ଥିତ ବିଦ୍ରୋହୀଙ୍କ କବଜାରେ ଥିବା ଦୋନବାସ ଅନ୍ତର୍ଗତ ଦୋନେସ୍କ ଓ ଲୁଗାନସ୍କକୁ କ୍ରିମିଆ ସହ ମିଶାଇବା ଲକ୍ଷ୍ୟରେ ଋଷ ଯୋଜନା କରିଛି । ପୂର୍ବ ୟୁକ୍ରେନର କ୍ରାମତୋର୍ସ୍କ ଓ ସ୍ଲୋବାନସ୍କ ପାଲଟିଛି ଋଷର ନୂଆ ଟାର୍ଗେଟ । ଶହ ଶହ ଲୋକ ବସ୍ ଓ ଟ୍ରେନରେ ସହର ଛାଡୁଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ଜାରି ରହିଛି ଖରାବର୍ଷାର ଲୁଚକାଳୀ ଖେଳ, ୧୭ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରା ବର୍ଷାର ଲୁଚକାଳୀ ଖେଳ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହୁଥିବାବେଳେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ସହିତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୧୫ରୁ ବର୍ଷାର ପରିମାଣ ବଢ଼ିବ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି  କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ୮ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କତା ଜାରି ହୋଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୩ ଦିନ ମଧ୍ୟରେ ତାତି ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏଣୁ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଆଜି ଚୈତ୍ର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଦେବ ଦେବ ମହାଦେବ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ବାହୁଡ଼ା ଯାତ୍ରା । ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ରଥ ଆଜି ବାହୁଡ଼ିବ । ମହାମାରୀ ଯୋଗୁ ରୁକୁଣା ରଥ ଯାତ୍ରା ଦୁଇ ବର୍ଷ ଧରି ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତବର୍ଷ ଏହା ବେଶ୍ ଧୁମଧାମରେ ପାଳନ କରାଯାଉଛି । ଆଜି ଅପରାହ୍ନ ସାଢ଼େ ୩ଟାରେ ଅଣଲେଉଟା ରଥର ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସକାଳ ସାଢ଼େ ୬ଟାରେ ମଙ୍ଗଳା ଆଳତୀ ଓ ଅବକାଶ ପରେ ୮ଟା ୩୦ ମିନିଟରେ ରୋଷ ହୋମ ଓ ପାକ୍ କାର୍ଯ୍ୟ କରାଯିବ । ସାଢେ ୯ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ ରହିଛି । ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ଅଧରପଣା ପୂଜା ଓ ସାଢ଼େ ୧ଟାରୁ ୩ଟା ମଧ୍ୟରେ ଲିଙ୍ଗରାଜ ଓ କେଦାରଗୌରୀଙ୍କ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ମାହାଙ୍ଗା ଗଣହତ୍ୟା: କିପରି ୫ ଜଣଙ୍କୁ ମାରିଲା ସୈତାନ ଭାଇ, ଚାଲିଛି ପୋଲିସର ତଦନ୍ତ

ମାହାଙ୍ଗା: ମାହାଙ୍ଗାରେ ବଡ଼ ଭାଇ ପରିବାର ୫ ଜଣଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଛି ପୋଲିସ । ଆଜି ୫ ମୃତ ଦେହର ପୋଷ୍ଟମର୍ଟମ ହେବ । ସେପଟେ ବାଲିଚନ୍ଦ୍ରପୁର ଥାନାରେ ଅଟକଥିବା ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ନିଜ ହେପାଜତକୁ ନେଇଛି ମାହାଙ୍ଗା ପୋଲିସ । କଡ଼ା ସୁରକ୍ଷା ମଧ୍ୟରେ ମାହାଙ୍ଗା ଥାନାକୁ ଅଭିଯୁକ୍ତ ଶିବ ପ୍ରସାଦକୁ ନିଆଯାଇଛି । ଗତକାଲି ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଶିବକୁ ଅଧିକ ପଚରାଉଚରା କରିବା ପରେ ଏହି ଗଣହତ୍ୟା ଉପରୁ ପରଦା ହଟିବ ।

ମାହାଙ୍ଗାରେ ସାନ ଭାଇ ବଡ଼ ଭାଇର ପୂରା ପରିବାର ସଫା କରିବା ପରେ କଟକ ରୁରାଲ୍ ଏସପି ଓ କେନ୍ଦ୍ରାଞ୍ଚଳ ଆଇଜି ଗତକାଲି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଜାଗା ବିବାଦ ନେଇ ଦୀର୍ଘ ଦିନ ଧରି ଦୁଇ ଭାଇଙ୍କ ଭିତରେ ମନୋମାଳିନ୍ୟ ଓ ଝଗଡ଼ା ଲାଗି ରହୁଥିଲା । ୫ଜଣକୁ ହତ୍ୟା ପଛରେ କଣ କେବଳ ସଂପତ୍ତି ବିବାଦ କାରଣ ନା ଆଉ କୌଣସି କଥାକୁ ନେଇ ବିବାଦ ଲାଗି ରହିଥିଲା ? ହଠାତ୍ ହତ୍ୟା କରିବାକୁ ନିଷ୍ପତ୍ତି ନେଲା ଶିବ ନା ଆଗରୁ କରିଥିଲେ ଯୋଜନା ? ପରିବାରର ୫ଜଣଙ୍କୁ ଏକା ମାରିଥିଲା କି ଶିବ ? ନା ହତ୍ୟାରେ ଆଉ କେହି ସହଯୋଗ କରିଥିଲେ? କେମିତି ପଡ଼ୋଶୀ କିଛି ଶୁଣିପାରିଲେନି? ରାତି ଖାଇବାରେ ନିଶା ଦେଇଥିଲା କି ଶିବ? ହତ୍ୟା ପରେ ଓ ପୂର୍ବରୁ କାହାକୁ କଲ୍ କରିଥିଲା ଶିବ ? ଘଟଣାର ସମସ୍ତ ଦିଗ ନେଇ ତନାଘନା କରୁଛି ପୋଲିସ ।

ଆଜି ରାଜଧାନୀ ପାଳିବ ୭୪ତମ ପ୍ରତିଷ୍ଠା ଦିବସ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ସବୁ କ୍ଷେତ୍ରରେ ଆଙ୍କିଛି ବିପ୍ଳବର ନକ୍ସା

ଭୁବନେଶ୍ୱର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ସ୍ୱୀକୃତି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀର ଶୁଭ ଦିଆଯାଇଥିଲା । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ଆମ ରାଜଧାନୀ । ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି ।

ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ୱାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ୱର । ଦୀର୍ଘ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ୱରର ବିକାଶ । ପ୍ରତିଷ୍ଠା ଦିବସରେ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ବେସାମରିକ ପ୍ୟାରେଡ ଓ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେବେ । ଏହାସହ ୧୩ ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ୨୦୨୨ ପ୍ରଦାନ କରାଯିବ ।

ବୁଧବାର ୧୨ଟି ରାଶି ଉପରେ କ’ଣ ରହିବ ବୃହସ୍ପତିଙ୍କ ପ୍ରଭାବ…

୧୨ ଗୋଟି ରାଶି ମଧ୍ୟରୁ ସ୍ୱରାଶି ମୀନ ରାଶିରେ ବୃହସ୍ପତି କରିବେ ପ୍ରବେଶ । ଜାଣନ୍ତୁ ଏହାର ପ୍ରଭାବରେ କେଉଁ ରାଶିର ବଦଳିବ ଭାଗ୍ୟ…

ମେଷ : ମୀନ ରାଶିରେ ବୃହସ୍ପତିଙ୍କ ପ୍ରବେଶ ଫଳରେ ଆପଣଙ୍କୁ ପୈତୃକ ସମ୍ପତ୍ତି ଲାଭ ହେବାର ସମ୍ଭାବନା ରହିଛି । ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବା ସହ ଚାକିରିରେ ଉଚ୍ଚସ୍ତରକୁ ଯାଇପାରନ୍ତି । ବିବାହରେ ବାଧା ଉପୁଜିଥିବା ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ ।  ଶୁଭ ଖବର ମିଳିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ : ବ୍ୟସ୍ତବହୁଳ ଦିନ ରହିବ । କୌଣସି କମ୍ପାନୀରେ କାମ କରୁଥିଲେ କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ । ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ତେବେ ପରିସ୍ଥିତି ଅନୁକୂଳ । ଧନର ଅଭାବ ହୋଇପାରେ । ବାଦବିବାଦରୁ ଦୂରେଇ ରୁହନ୍ତୁ । ଭବିଷ୍ୟତରେ କୌଣସି କ୍ଷତି ସହିବାକୁ ପଡ଼ିପାରେ ।

ମିଥୁନ : ଦିନଟି ଉତ୍ତମ ଫଳଦାୟକ ରହିବ । ମାନସମ୍ମାନ ପ୍ରାପ୍ତ ହୋଇପାରେ । ଋଣ ନେଇଥିବା ଟଙ୍କା ପରିଶୋଧ ହୋଇପାରେ । ଜୀବନସାଥୀ ଏବଂ ପରିବାରର ସହଯୋଗ ରହିବ । କୌଣସି ଧାର୍ମିକ କାର୍ଯ୍ୟ କରିପାରନ୍ତି । ପରିବାରର କୌଣସି ସଦସ୍ୟଙ୍କ ସହ ଧାର୍ମିକ ଯାତ୍ରା ମଧ୍ୟ କରିପାରନ୍ତି । ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ିବ । ଯାହା ଭବିଷ୍ୟତରେ ଆପଣଙ୍କ ସହାୟ ହେବେ । କର୍ମକ୍ଷେତ୍ରରେ ଉନ୍ନତି କରିବେ  । ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ ।

କର୍କଟ : ଅଶେଷ ସମ୍ପତ୍ତି ପ୍ରାପ୍ତି ହୋଇପାରେ । ଧନଲାଭର ଯୋଗ ରହିଛି । ସଫଳତା ପ୍ରାପ୍ତି ହୋଇପାରେ ।  ଚାକିରି ଏବଂ ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ । ବ୍ୟର୍ଥ ଖର୍ଚ୍ଚ କରନ୍ତୁ ନାହିଁ । କାର୍ଯ୍ୟରେ ସଫଳତା ମିଳିପାରେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ : ଦିନଟି ମଧ୍ୟମ ଧରଣର ରହିବ । ଅତୀତରେ କରିଥିବା ଋଣ ପରିଶୋଧ କରିବାରେ ସମସ୍ୟା ଉପୁଜିପାରେ । ଏହି ରାଶିର ବ୍ୟକ୍ତି କୌଣସି ଗୃହ କ୍ରୟ କିମ୍ୱା ମରାମତି କରିବାକୁ ଚାହୁଁଥିଲେ ତେବେ ଅନୁକୂଳ ପରିସ୍ଥିତି ରହିଛି । ସମ୍ପର୍କୀୟଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବା ସହ ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସଦସ୍ୟଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ । ଆଧ୍ୟାତ୍ମିକ ଚିନ୍ତାଧାରା ଆସିପାରେ । ସମ୍ପର୍କରେ ସମସ୍ୟା ଉପୁଜିପାରେ । ଦୈନିକ କାର୍ଯ୍ୟରେ ଲିପ୍ତ ରହିବେ । କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିପାରେ ।

ତୁଳା : ଜୀବନସାଥୀଙ୍କ ସହ କଳହ ସୃଷ୍ଟି ହୋଇପାରେ । କ୍ରୋଧ ଏବଂ କଥାରେ ନିୟନ୍ତ୍ରଣ ଅଭାବରୁ ପାରିବାରିକ ଜୀବନରେ ଅସନ୍ତୋଷ ଲାଗିରହିପାରେ । ଏପଟେ ବିବାହରେ ବାଧା ଉପୁଜୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । ଚାକିରି ଏବଂ ବ୍ୟବସାୟରେ ଅଧିକ ଧ୍ୟାନ ଦିଅନ୍ତୁ ନଚେତ୍ ଅନ୍ୟମନସ୍କ ହେତୁ କ୍ଷତି ସହପାରନ୍ତି । ସନ୍ତାନସନ୍ତିଙ୍କ ପକ୍ଷରୁ ଶୁଭ ଖବର ଆସିପାରେ । ଏଥିପାଇଁ ମନରେ ଆଶ୍ୱସ୍ତି ମିଳିବ ।

ବିଛା : ଆର୍ଥିକ ସ୍ଥିତି ଦୃଢ଼ ହେବ । ବ୍ୟବସାୟରେ ସଫଳତା ମିଳିପାରେ । ଚାକିରିରେ ପଦୋନ୍ନତି ହୋଇପାରେ । ଆପଣଙ୍କ ସଠିକ୍ ନିଷ୍ପତ୍ତି ପାଇଁ ପରିବାରରେ ପ୍ରତିକୂଳ ବାତାବରଣ ରହିବ । ପିତାମାତାଙ୍କ ସହ ସମ୍ପର୍କ ସର୍ବଦା ସୁଦୃଢ଼ ରହିବ । ସବୁବେଳେ ତାଙ୍କ ସାହାଯ୍ୟ ମିଳିବ । ପରିବାର ସହ ସମ୍ପର୍କ ଦୃଢ଼ ହେବ । ବନ୍ଧୁଙ୍କ ସହାୟତା ମିଳିପାରେ । ଭବିଷ୍ୟତ ଚିନ୍ତା ଘାରିପାରେ ।

ଧନୁ : କର୍ମକ୍ଷେତ୍ରରେ ବନ୍ଧୁ କିମ୍ୱା ଉଚ୍ଚପଦାଧିକାରୀଙ୍କଠାରୁ ସହାୟତା ମିଳିପାରେ । ଆମଦାନୀ ବୃଦ୍ଧି ହୋଇପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତୁ । ଯାତ୍ରା ଲାଭଦାୟକ ହେବ । ଜଟିଳ ସମସ୍ୟା ଦେଖାଦେଇପାରେ ।

ମକର : ଏକାଧିକ ସଫଳତା ମିଳିପାରେ । ବ୍ୟବସାୟ ବିସ୍ତାର ହୋଇପାରେ ଏବଂ ଅଧିକ ଲାଭ ମିଳିପାରେ । ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ । ଭାଇ ଓ ବନ୍ଧୁଙ୍କ ସହ କଳହ ମାନସିକ ଚିନ୍ତା ବଢ଼ାଇପାରେ । ଛାତ୍ରଛାତ୍ରୀମାନଙ୍କ ପଢ଼ାରେ ମନ ଲାଗିବ ।

କୁମ୍ଭ : ବେପାର ବାଣିଜ୍ୟରେ ଆର୍ଥିକ ବୃଦ୍ଧି ସହ ଲାଭ ମିଳିପାରେ । ଚାକିରିରେ ଦରମା ବୃଦ୍ଧି ହେବା ସହ ଉଚ୍ଚସ୍ତରକୁ ଯିବାର ଯୋଗ ରହିଛି । ପରିବାର ତରଫରୁ ଭଲ ଖବର ମିଳିପାରେ ଏବଂ ପରିବାର ସହ ଭଲ ସମ୍ପର୍କ ରହିବ । ପୈତୃକ ସମ୍ପତ୍ତି ପ୍ରାପ୍ତି ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିବାର ଉପାୟ ଚିନ୍ତା କରିପାରନ୍ତି । ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ । ଖର୍ଚ୍ଚ ବଢ଼ିପାରେ ।

ମୀନ : ଆତ୍ମବିଶ୍ୱାସ ବଢ଼ିବ । ପରିବାର ଉପରେ ଅଧିକ ଧ୍ୟାନ ଦେବେ । ଗୃହ ନିର୍ମାଣ କିମ୍ୱା ବିସ୍ତାର କାର୍ଯ୍ୟରେ ଅର୍ଥ ନିୟୋତିତ ହୋଇପାରେ । ବ୍ୟବସାୟରେ ସଫଳତା ମିଳିବା ସହ ସମ୍ମାନ ବଢ଼ିବ । ଧନ ସଞ୍ଚୟ କରିପାରନ୍ତି । ସମ୍ପତ୍ତି ବୃଦ୍ଧି ହେବ । ସନ୍ଧ୍ୟା ସମୟରେ କୌଣସି ସମସ୍ୟାରେ ପଡ଼ିପାରନ୍ତି ।