spot_img
Home Blog Page 4527

ଛୋଟବେଳୁ ସାଙ୍ଗ ହେଉଥିଲୁ, ସୈତାନ ଦାଦା ୩ଜଣଙ୍କୁ ମାରିଦେଲା…

ନନ୍ଦିଘୋଷ ବ୍ୟୁରୋ: ଛୋଟବେଳୁ ସାଙ୍ଗ ହେଉଥିଲୁ  । କାଲି ବି ଦେଖାହୋଇଥିଲା । ଏକାଠି ପଢୁ, ଏକାଠି ସ୍କୁଲ କଲେଜ ସବୁ ଯାଉ  । ହେଲେ ଆଖି ଖୋଲିଲା ବେଳିକୁ ସେ ଆଖି ମୁଦି ସାରିଛି  । କୋହ ସମ୍ଭାଳି ପାରୁନି ପିଲା ଦିନର ସାଙ୍ଗ  । କାରଣ ତା ବନ୍ଧୁ ସ୍ମୃତି ସନ୍ଦୀପା ଆଉ ନାହିଁ  । ସୈତାନ ଦାଦା ଝିଆରୀକୁ ହାଣି ହାଣି ମାରିଦେଇଛି  । କେବଳ ଝିଆରୀ ନୁହେଁ ବାପା, ମାଆ ଓ କୁନି କୁନି ଦୁଇ ଭାଇଙ୍କ କଅଁଳ ଜୀବନକୁ କଟୁରୀ ଚୋଟରେ ମାରିଦେଇଛି ରାକ୍ଷାସ ଦାଦା  ।

ଏ ଆଉ ଏକ ଭିଡ଼ିଓ । ସାନ ଭାଇ ସୌରଭର ଜନ୍ମଦିନ ସେଲିବ୍ରେସନ ହେଉଛି  । ସୌରଭ ହାତରେ ଘଣ୍ଟା ବାନ୍ଧୁଛି, ସାଙ୍ଗ ମାନଙ୍କ ସହ କେକ କାଟୁଛି। କଅଁଳ ବୟସ, ସେ ବା ଜାଣିନି ଦାଦା ଏମିତି କିଛି ଘଟାଇ ବସିବେ  । କାରଣ ଦାଦା ପରା, ସେ ରକ୍ତର । ଜମି ବାଡ଼ିର ଫନ୍ଧି ଫିକର ଭିତରେ ତାହାର ଜ୍ଞାନ ନାହିଁ  । ବାସ ପାଠ ପଢୁଥିଲା, ଏଇଥର ଦଶମ ପରୀକ୍ଷା ଦେଇଥାନ୍ତା  । ଆଉ ବଡ଼ ଭାଇ ସାହିଲ ବି ଶୋଇଯାଇଛି  । ସାଙ୍ଗସାଥି ଓ ଗାଁ ଆଜି ବାକ ଶୂନ୍ୟ  । ଏମିତି କେମିତି ହୋଇପାରେ  । ଗୋଟିଏ ରାତିରେ ଗୋଟିଏ ରକ୍ତର ଭାଇ ଗୋଟେ ପରିବାର ନିପାତ କରିଦେଇପାରେ  ।

କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଘଟିଛି ଏମିତି ଲୋମଟାଙ୍କୁରା ବିଭତ୍ସ ହତ୍ୟା  । କୁସୁପୁର ଗାଁ ନୀରବ ଓ ନିସ୍ତବ୍ଦ । ବଡ଼ ଭାଇର ବଂଶକୁ କଟୁରୀ ଚୋଟରେ ସୁଆଇ ଦେଇଛି ସାନ ଭାଇ ଶିବ  । ଭାଇ, ଭାଉଜ ସହ ଦୁଇ ପୁତୁରା ଓ ଝିଆରୀକୁ ବି ଛାଡିଲାନି ହତ୍ୟାକାରୀ  ।  ରକ୍ତର ସମ୍ପର୍କକୁ ରକ୍ତାକ୍ତ କରିପକାଇଛି ଏ ନର ରାକ୍ଷାସ  । କିନ୍ତୁ  ସ୍ମୃତି ଏବେ ସ୍ମୃତି, ସୌରଭକୁ ଭୁଲିବା ସହଜ ନୁହେଁ ଆଉ ସାହିଲ ହୃଦୟରେ ସାଇତା ହୋଇଗଲା  ।

ମିଶନରେଟ ପୁଲିସ ହାତରେ ମହାଠକ, କେନ୍ଦୁଝରରୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ମହା ଠକ । ମେଡିସିନ ଷ୍ଟୋର ମାଲିକ ଉମେଶ ଚନ୍ଦ୍ର ପାଢ଼ୀଙ୍କୁ କେନ୍ଦୁଝରରୁ ଗିରଫ କଲା ଚନ୍ଦ୍ରଶେଖରପୁର ପୁଲିସ । ୧୦ ପ୍ରତିଶତ ଟଙ୍କାର ଲୋଭ ଦେଖାଇ ଏକାଧିକ ଲୋକଙ୍କୁ ଠାରୁ ପ୍ରାୟ ୫ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଠକେଇ ଟଙ୍କାରେ ଠକ କରୁଖିଲା ଅୟସ । ପୋଲିସର ସୂଚନା ଅନୁସାରେ ଉମେଶଙ୍କର ୨୦୧୯ ମସିହାରୁ AYUSH MEDICARE” ନାମରେ ନୀଳାଦ୍ରୀ ବିହାର ଅଞ୍ଚଳରେ ଗୋଟିଏ ଔଷଧ ଦୋକାନ ଖୋଲିଥିଲା ।

୧୦ ପ୍ରତିଶତ ସୁଧ ହାରରେ ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ଅଭିଯୋଗକାରୀଙ୍କୁ ଲୋଭ ଦେଖାଇଥିଲେ । ଉମେଶ ଅଭିଯୋଗକାରୀଙ୍କ ଠାରୁ NEFT, RTGS, ଚେକ୍, ଫୋନ୍ ପେ, ଓ ଗୁଗୁଲ୍ ପେ ବିଭିନ୍ନ ମାଧ୍ୟମରେ ଭିନ୍ନ ଭିନ୍ନ ସମୟରେ ପ୍ରାୟ ୧୯ ଲକ୍ଷ ଟଙ୍କା ନେଇଥିଲ । କିନ୍ତୁ ପରବର୍ତ୍ତୀ ସମୟରେ ଠକ ଉମେଶ ସୁଧ ଆକାରରେ କୌଣସି ଲାଭ ଟଙ୍କା ଦେଇ ନଥିଲେ । ଟଙ୍କା ମାଗିବାରୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହିତ ଜୀବନରେ ମାରିବାକୁ ଧମକ ଦେଇଥିଲେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୁକ୍ତ ଜଣକ ଗତ ୬ ମାସ ମଧ୍ୟରେ କେବଳ ଅଭିଯୋଗକାରିଙ୍କୁ ନୁହେଁ ବରଂ ଏପରି ଭୁବନେଶ୍ଵର, କଟକ, ପୁରୀ ଏବଂ ଅନନ୍ଦପୁରର ପ୍ରାୟ ୬ ରୁ ଅଧିକ ନିରୀହ ଲୋକମାନଙ୍କୁ ପ୍ରାୟ ୪ କୋଟି ଟଙ୍କା ଠକି ଥିବା ଜଣା ପଡିଛି । ନିଜର ବ୍ୟବସାୟ ଛାଡି କେଉଁଝର ଜିଲ୍ଲା ଘଷିପୁରାରେ ଲୁଚି ରହିଥିଲେ । ଠକ ଉମେଶଙ୍କୁ ଆନନ୍ଦପୁର ଘଷିପୁରାରାରୁ ଗିରଫ କରିବା ପରେ ଅଭିଯୋଗ ସଂଖ୍ୟା ବଢିବାରେ ରିାମଣ୍ଡରେ ଆଣିବ ପୋଲିସ । ଏବେ ଶୁଦ୍ଧା ଥାନାରେ ୬ ଜଣ ଅଭିଯୋଗ କରିଛନ୍ତି । ଯେଉଁମାନେ ଠକେଇର ଶିକାର ହୋଇଥିବେ ଥାନାରେ ଏତଲା ଦେବାକୁ ଡିସିପି ଅପିଲ କରିଛନ୍ତି ।

ଗୋପାଳପୁର ବେଳାଭୂମିରେ ଆଡଭେଞ୍ଚର ପାର୍କ

ଗଞ୍ଜାମ: ଗୋପାଳପୁର ବେଳାଭୂମିରେ ଉଦଘାଟିତ ହେଲା ଆଡଭେଞ୍ଚର ପାର୍କ । ଆଜି ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ପାର୍କ ପର୍ଯ୍ୟଟନ ବିକାଶରେ ସହାୟକ ହେବା ସହ ଯୁବପୀଢିଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଆଡଭେଞ୍ଚର ପାର୍କରେ ଅନେକ ଦୁଃସାହସିକ କ୍ରିଡ଼ାର ମଜା ଉଠାଇ ପାରିବେ ପର୍ଯ୍ୟଟକ ।

ପ୍ରଥମ କରି ଏଠାରେ ୨୫୦ ମିଟର ଲମ୍ବର ରିଭର କ୍ରସିଂ ଜିପ୍ ବିକଶିତ କରାଯାଇଛି । ଏହାସହ ଗନ୍ ସୁଟ୍, ବିଶାଳ ଝୁଲା, ବଗି ଟ୍ରମ୍ପଲିନ୍, ବୁଲ୍ ରାଇଡର, ନେଟ୍ କ୍ରିକେଟର ମଜା ଲୁଟିପାରିବେ ଲୋକେ । ଏହାଛଡା ରକ୍ କ୍ଲାଇମ୍ବିଂ, ରୋପ ଓ୍ବେ, ଡାନ୍ସିଂ କାର୍, ଜୋରବିଙ୍ଗ୍ ପରି ଅନେକ ଦୁଃସାହସିକ କ୍ରୀଡାର ସୁବିଧା ରହିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ରହିଛି ଭଳିକି ଭଳି ସୁବିଧା । ଉଦଘାଟନ ଅବସରରେ 5-T ସଚିବଙ୍କ ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ମେ’ ମାସ ତିନି ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ ହୋଇପାରିବେ । ଗତ ଦୁଇବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ । ଏବେ କୋଭିଡ୍ ‌ସଂକ୍ରମଣ କମିଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଆଜିର ବୈଠକରେ ଆଗାମୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ସେପଟେ ଶ୍ରୀମନ୍ଦିର ରୋଷଘରେ ଚୁଲାଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଭିତରେ ଲାଗିଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ବୈଠକରେ ନିଆଯାଇଛି ନିଷ୍ପତ୍ତି । ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧିମାନେ ଯୋଗଦେଇଥିଲେ ।

AICTEର ବଡ଼ ନିଷ୍ପତ୍ତି, ନାମ ଲେଖାଇବେ ଯୁକ୍ରେନ ଫେରନ୍ତା ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଇଁ AICTEର ବଡ଼ ନିଷ୍ପତ୍ତି । ୟୁକ୍ରେନରୁ ଭାରତ ଫେରିଥିବା ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପଦକ୍ଷେପ ନେବାକୁ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ AICTE ଲେଖିଛି ଚିଠି । AICTE ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକଙ୍କୁ ବି ଚିଠି ଲେଖିଛନ୍ତି ଏଆଇସିଟିଇ । ଖାଲିପଡ଼ିଥିବା ସିଟରେ ସେମାନଙ୍କ ନାମଲେଖାର ସୁଯୋଗ ଦେବାକୁ ପଦକ୍ଷେପ ନେବାକୁ ଦେଇଛନ୍ତି ପରାମର୍ଶ । ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଅନୁସାରେ ନାମଲେଖା କରିବାକୁ ଏଆଇସିଟିଇ ପକ୍ଷରୁ କୁହାଯାଇଛି ।

ୟୁକ୍ରେନ ଯୁଦ୍ଧ ପରେ ଶିକ୍ଷା ବର୍ଷ ଅଧାରୁ ଛାତ୍ରଛାତ୍ରୀ ଭାରତ ଫେରିଥିବାରୁ ସେମାନଙ୍କ ଭବିଷ୍ୟତ ସଙ୍କଟ ବଳୟକୁ ଠେଲି ହୋଇଯାଇଛି । ଏମବିବିଏସ ପଢ଼ିବା ଲାଗି ଇଚ୍ଛୁକ ଛାତ୍ରଛାତ୍ରୀ ୟୁକ୍ରେନ ଯିବାକୁ ଚାହିଁଥିଲେ । କମ୍ ଖର୍ଚ୍ଚରେ ସେଠାରେ ମେଡିକାଲ ଶିକ୍ଷା ମିଳୁଥିବାରୁ ହଜାର ହଜାର ସଂଖ୍ୟକ ପିଲା ସେଠାକୁ ଯାଇ ପଢୁଥିଲେ । ନ୍ୟାସନାଲ ମେଡିକାଲ କମିଶନ ବା ଏନଏମସି ପକ୍ଷରୁ ୨୦୨୧ରେ ଜାରି ଗାଇଡଲାଇନରେ ରହିଛି ଯେ ଯେଉଁ ଛାତ୍ରଛାତ୍ରୀ ବିଦେଶକୁ ମେଡିକାଲ ପଢ଼ିବା ଲାଗି ଯିବେ କୌଣସି ବିଦେଶୀ ବିଶ୍ବବିଦ୍ୟାଳୟରୁ ଭାରତୀୟ ବିଶ୍ବବିଦ୍ୟାଳୟକୁ ସେମାନଙ୍କ ଟ୍ରାନସଫର ହୋଇପାରିବ ନାହିଁ । ଉଭୟ ଆଡମିଶନ ଗାଇଡଲାଇନ ଓ ସିଲେକ୍ସନ ସୂଚୀରେ ଭିନ୍ନତା ଥିବାରୁ ଏନଏମସି ଏହି ନିୟମ ରଖିଛି । ଏହି ପ୍ରସଙ୍ଗ ବି ସଂସଦରେ ଉଠିଛି ।

ଆମେରିକା ରେଳ ଷ୍ଟେସନରେ ଲଗାତାର ଗୁଳିମାଡ଼, ୫ ମୃତ

ନ୍ୟୁୟର୍କ:  ଆମେରିକାର ନ୍ୟୁୟର୍କର ବ୍ରୁକଲିନରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଏପର୍ଯ୍ୟନ୍ତ ୫ ଜଣଙ୍କ ଜୀବନ ଯାଇଛି ।  ଷ୍ଟେସନ ମଧ୍ୟରେ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ଜୀବନ ଯାଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ମୃତାହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ ପୂରା ମେଟ୍ରୋ ଷ୍ଟେସନରେ ଆତଙ୍କ ଦେଖିବାକୁ ମିଳିଛି। ଲୋକମାନେ ଏଣେତେଣେ ଦୌଡ଼ୁଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ତେବେ ଏହା ପଛର ବାସ୍ତବ କାରଣ କ’ଣ  ଏହା ବାବଦରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।। କିନ୍ତୁ ଗୁଳିମାଡ଼ ପରେ ଷ୍ଟେସନରେ ଲୋକମାନେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ବ୍ରୁକଲିନ ଅଂଚଳରେ ଥିବା ସବଓ୍ବେ ଷ୍ଟେସନରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ହଠାତ ଯାତ୍ରୀମାନଙ୍କ ଉପରକୁ ଗୁଳି ଚଳାଇବାରୁ ଅତି କମରେ ୧୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ପୁଣି ଘଟଣାସ୍ଥଳରୁ କେତେକ ଅଫୁଟା ବିସ୍ଫୋରକ ଜବତ ହୋଇଥିବା ନ୍ୟୁୟର୍କ ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ଆହତ ବ୍ୟକ୍ତିମାନେ ଏଣେତେଣେ ପଡ଼ିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମା’ଙ୍କ ଏହି ମନ୍ଦିରରେ ୪୦ ଦିନ ଦୀପ ଲଗାଇଲେ ପୂରଣ ହୁଏ ମନସ୍କାମନା

0

ଦେଶରେ ମା’ ଦୁର୍ଗାଙ୍କ ଅନେକ ମନ୍ଦିର ରହିଛି । ସେହି ମନ୍ଦିର ମଧ୍ୟରୁ ମେରଠ ସ୍ଥିତ ନବଚଣ୍ଡୀ ମାତାଙ୍କ ପ୍ରସିଦ୍ଧ ମନ୍ଦିର ଗୋଟିଏ । କୁହାଯାଏ ନବଚଣ୍ଡୀ ମାତାଙ୍କ ଏହି ମନ୍ଦିର ହଜାରରୁ ଅଧିକ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା ।

କୁହାଯାଏ ଯେ କେବଳ ହିନ୍ଦୁ ହିଁ ନୁହେଁ ବରଂ ମୁସଲିମ ଧର୍ମ ଲୋକେ ମଧ୍ୟ ଏହି ମନ୍ଦିରରେ ମା’ଙ୍କୁ ଦର୍ଶନ କରିଥାନ୍ତି | ଏହି ମନ୍ଦିରରେ ଶହ ଶହ ବର୍ଷ ପୁରୁଣା ଏକ ଖଣ୍ଡା ଅଛି। ଏହି ଖଣ୍ଡା ବ୍ରିଟିଶ ଅମଳର ବୋଲି କୁହାଯାଏ। ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏହି ଖଣ୍ଡାକୁ ମଧ୍ୟ ପୂଜା କରନ୍ତି। ଦଶହରା ଅବସରରେ ବିଧି ବିଧାନ ଅନୁସାରେ ଏହି ଖଣ୍ଡାକୁ ପୂଜା କରାଯାଇଥାଏ।

ପ୍ରତି ବର୍ଷ ଏଠାରେ ନୌଚନ୍ଦି ମେଳା ଲାଗେ। ଏହି ମେଳା ବହୁତ ପ୍ରସିଦ୍ଧ। ଏହି ମେଳା ମେରଠର ପରିଚୟ। ନଵଚଣ୍ଡୀ ମନ୍ଦିରର ଠିକ ସାମ୍ନାରେ ଏକ ମଜାର ଅଛି। ହିନ୍ଦୁ ଧର୍ମାବଲମ୍ବୀ ଯେତେବେଳେ ମନ୍ଦିର ଦର୍ଶନ ପାଇଁ ଆସନ୍ତି ମଜାର ଯାଆନ୍ତି। ମୁସଲିମ ଧର୍ମାବଲମ୍ବୀ ଯେତେବେଳେ ମଜାର ଆସନ୍ତି ସେମାନେ ମଧ୍ୟ ମନ୍ଦିରରେ ଦର୍ଶନ କରନ୍ତି।

କୁହାଯାଏ ଯେ ନଵଚଣ୍ଡୀ ମାତାଙ୍କ ମନ୍ଦିରରେ ଯେଉଁ ଭକ୍ତ ଲଗାତାର ମା’ଙ୍କୁ ଦର୍ଶନ କରି ୪୦ ଦିନ ଦୀପ ଜାଳେ ଓ ପ୍ରସାଦ ଅର୍ପଣ କରେ ମା’ ତାଙ୍କ ମନୋସ୍କାମନା ନିଶ୍ଚୟ ପୂରଣ କରନ୍ତି। କିମ୍ବଦନ୍ତୀ କହେ, ନଵଚଣ୍ଡୀ ମା’ଙ୍କ ମନ୍ଦିର ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀ ସ୍ଥାପନା କରିଥିଲେ। ସେ ହିଁ ଏହି ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ଏହି ମନ୍ଦିର ଯାଏଁ ପହଂଚିବାକୁ ସେ ଏକ ଗୁପ୍ତ ରାସ୍ତା ମଧ୍ୟ ତିଆରି କରିଥିଲେ। ସେ ଏହି ଗୁପ୍ତ ରାସ୍ତା ଦେଇ ପୂଜା କରିବାକୁ ଆସୁଥିଲେ।

ନଵଚଣ୍ଡୀ ମାତା ମନ୍ଦିର ଦିଲ୍ଲୀରୁ ୬୫ କିଲୋମିଟର ଦୂର। ଏଠାରୁ ସିଟି ବସ ସାହାଯ୍ୟରେ ନୌଚନ୍ଦି ଗ୍ରାଉଣ୍ଡ ପହଞ୍ଚି ପାରିବେ। ଏଠାରୁ ମାତାଙ୍କ ମନ୍ଦିର ମାତ୍ର ୩ କିଲୋମିଟର।

ବୁଧବାର ଭୁବନେଶ୍ୱର ପାଳିବ ୭୪ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଏପ୍ରିଲ ୧୩ ତାରିଖ । ରାଜଧାନୀ ପାଳିବ ଜନ୍ମଦିନ  ।  ୭୪ ତମ ପ୍ରତିଷ୍ଠା ଦିବସ ପାଳିବ ଭୁବନେଶ୍ବର । ୧୫ ହଜାର ଜନସଂଖ୍ୟା ଏବେ ୧୫ ଲକ୍ଷରେ ପହଁଚିଛି । ପରିସୀମା ସହ ବଢିଛି ଏକାମ୍ରକ୍ଷେତ୍ରର କଳେବର । ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର । ଏହାର ଇତିହାସ ୩ ହଜାର ବର୍ଷ ପୁରୁଣା । ୧୯୪୮ ମସିହା ପରକୁ ନୂଆ ଓ ତା ପୂର୍ବ ସମୟକୁ ପୁରୁଣା ଭୂବନେଶ୍ବର ଭାବେ ଗଣନା କରାଯାଇଥାଏ । ୧୯୪୮ ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।

ଏକ ସୁନ୍ଦର ସହର ଭାବେ ଗଢିତୋଳିବାକୁ ୧୯୪୬ ମସିହାରେ ଜର୍ମାନର ପ୍ଲାନର, ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ ଓ ଭୁବନେଶ୍ବରର ପାଇଁ ଏକକାଳୀନ ପ୍ରସ୍ତୁତ ହୋଇଥିଲା ନକ୍ସା । ଇତି ମଧ୍ୟରେ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଛି । ସମୟ ସହିତ ତାଳ ଦେଇ ବଢିବାରେ ଲାଗିଛି ଭୁବନେଶ୍ବର । ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର ।

ଦୀର୍ଘ ୨୨ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ବରର କଳେବର । ବିଏମସିରେ ପ୍ରତିଷ୍ଠା ଦିବସ ପାଳନ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବିକାଶର ଧାରା ଜାରି ରହିଥିବାବେଳେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମେୟର । କୋଭିଡ କଟକଣା ଯୋଗୁଁ ପ୍ରଭାବିତ ହୋଇଥିବା ରାଜଧାନୀ ପ୍ରତିଷ୍ଠା ଦିବସକୁ ଦୁଇ ବର୍ଷ ବ୍ୟବଧାନରେ ପୁଣି ଜାକଜମକରେ ପାଳନ କରିବାକୁ ନିଆଯାଇଛି ନିଷ୍ପତ୍ତି । ଓଡ଼ିଶା ବିଧାନସୌଧ ସମ୍ମୁଖରେ ସକାଳ ୭ଟା ୩୦ରେ ପାଳନ ହେବାକୁ ଥିବାବେଳେ ଉତ୍କଳ ମଣ୍ଡପରେ ଅପରାହ୍ନରେ ହେବ ବିଭିନ୍ନ କାର୍ଯ୍ୟକ୍ରମ  ।

 

ଏପ୍ରିଲ୍ ୨୬ରୁ CBSE ଟର୍ମ ୨ ପରୀକ୍ଷା, ଆସିଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସିବିଏସ୍ଇ ଟର୍ମ ୨ ପରୀକ୍ଷା ଦେବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରାୟ ୩୪ ଲକ୍ଷ ପରୀକ୍ଷାର୍ଥୀ । ଏହି ପରୀକ୍ଷା ଏପ୍ରିଲ୍ ୨୬ ତାରିଖରୁ ଆରମ୍ଭ ହେବ । ରିପୋର୍ଟ ଅନୁସାରେ ସିବିଏସ୍ଇ ଟର୍ମ ୨ ପରୀକ୍ଷା ଲାଗି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ସ୍କୁଲକୁ ଚଳିତ ସପ୍ତାହରେ ଆସିଯିବ । ଏବଂ ପରୀକ୍ଷାର୍ଥୀ ନିଜ ସ୍କଲୁରୁ ଆଡମିଟ୍ କାର୍ଡ ପାଇ ପାରିବେ ।

 CBSE Term 2 Exams 2022 Guidelines Released

ଆଡମିଟ୍ କାର୍ଡ ସହ ଚଳିତ ସପ୍ତାହରେ ରୋଲ୍ ନମ୍ବର ମିଳିବ । ଆଡିମିଟ୍ କାର୍ଡରେ କୌଣସି ତ୍ରୁଟି ଥିଲେ ସୁଧାରି ହେବ । ପ୍ରାଇଭେଟ୍ ଷ୍ଟୁଣ୍ଡେଣ୍ଟ cbse.gov.inକୁ ଯାଇ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେବ । ଗୋଟିଏ କକ୍ଷରେ ସର୍ବାଧିକ ୧୮ ଜଣ ବସି ପରୀକ୍ଷା ଦେଇପାରିବେ । ପରୀକ୍ଷା ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ।

ସାବଧାନ ରୁହନ୍ତୁ: ଟ୍ରେନରେ ଚେନ୍ ପୁଲିଙ୍ଗ୍ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଟ୍ରେନ ଯାତ୍ରା ସମୟରେ ଅଯଥାରେ ଚେନ୍ ପୁଲିଙ୍ଗ୍ ର ଅପବ୍ୟବହାର ଟ୍ରେନ୍ ପରିଚାଳନା ଓ ସମୟାନୁବର୍ତ୍ତିତାକୁ ପ୍ରଭାବ ପକାଇଥାଏ ଯାହାଦ୍ୱାରା ଟ୍ରେନ ଚଳାଚଳ ବିଳମ୍ବ ଘଟାଏ | ଏକ ବୈଧ, ଯୁକ୍ତିଯୁକ୍ତ ଏବଂ ପର୍ଯ୍ୟାପ୍ତ କାରଣ ବିନା ଆଲାର୍ମ ଚେନ୍ ଟାଣିବା ରେଳ ନିୟମ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ  । ଏପରି କରୁଥିବା ବ୍ୟକ୍ତିଙ୍କୁ ଜରିମାନା କରାଯାଇପାରେ ଏବଂ ତାଙ୍କୁ ଜେଲ ଯିବାକୁ ପଡିପାରେ  । ଏହା ସହ ତିନିମାସ ଜେଲ ଦଣ୍ଡ କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନାକୁ ଆକର୍ଷିତ କରିପାରେ  ।

ବାରମ୍ବାର ସଚେତନତା ଏବଂ ଜରିମାନା ଲାଗୁ କରିବା ପରେ ମଧ୍ୟ ରେଳ ବ୍ୟବହାରକାରୀ ବିଶେଷ ଭାବେ ଯାତ୍ରୀମାନେ ଏହା ସହ ଜଡିତ ନିୟମ ବିଷୟରେ ପ୍ରାୟତ ସଚେତନ ନୁହଁନ୍ତି  । ଏହା ଜୀବନକୁ ବିପଦରେ ପକାଇପାରେ  । ବେଆଇନ ଭେଣ୍ଡିଂ ଓ ସୁରକ୍ଷା କର୍ମୀ ଏବଂ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ପରିହାର କରି ରେଳ ସେକ୍ସନ ମଧ୍ୟରେ ଟ୍ରେନ ର ଶୃଙ୍ଖଳା ଟାଣିବା ରେଳବାଇର ନଜରକୁ ଆସିଥାଏ | ଏହାଦ୍ୱାରା ଟ୍ରେନଗୁଡିକର ଚଳାଚଳ ସ୍ଥିତିକୁ ବିଳମ୍ବ କରିଥାଏ ଯାହା ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇଥାଏ  । ରେଳବାଇ ମଧ୍ୟ ଏଥି ଯୋଗୁଁ ବହୁ ରାଜସ୍ୱ ହରାଉଛି ଏବଂ ଏହା ମାନବ ଜୀବନ ଓ ସମ୍ପତ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ  ।

କୌଣସି ବୈଧ କାରଣ ବିନା ଟ୍ରେନରେ ଚେନ୍ ଟାଣିବା ପାଇଁ ପୂର୍ବତଟ ରେଳପଥ ଏହାର ଏହାର କାର୍ଯ୍ୟବଳକୁ ପ୍ରସ୍ତୁତ କରିଛି  । ଟ୍ରେନ୍ ଯାତ୍ରା ସମୟରେ ବୈଧ କାରଣ ବିନା ଶୃଙ୍ଖଳା ଟାଣିବା ସମ୍ପୂର୍ଣ୍ଣ ନିଷେଧ  । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଚେନ୍ ଟାଣିବା ଉପରେ କଡା ନଜର ରଖିବା ପାଇଁ ପୂର୍ବତଟ ରେଳପଥ ଏହାର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟରକୁ ଏକ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି  । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳ ସୁରକ୍ଷା ବଳ (ଆରପିଏଫ), ସିଭିଲ ଡିଫେନ୍ସ ୱିଙ୍ଗ ଏବଂ ପୂର୍ବ ତଟ ରେଳବାଇର ଅନ୍ୟ ରେଳ ଅଧିକାରୀ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି  ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏକ ବିଶାଳ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯାତ୍ରୀମାନଙ୍କୁ କୌଣସି ବୈଧ କାରଣ ବିନା ଚେନ୍ ନ ଟାଣିବାକୁ ଚେତାବନୀ ଦେଇଛି ଏବଂ ସହ-ଯାତ୍ରୀମାନଙ୍କୁ ବୈଧ କାରଣ ବିନା ଶୃଙ୍ଖଳା ଟାଣୁଥିବା ଲୋକଙ୍କୁ ବିରୋଧ କରିବାକୁ ଅନୁରୋଧ କରିଛି  ।ଅଯଥାରେ ଟ୍ରେନ ଯାତ୍ରା ସମୟରେ ଚେନ ଟାଣିବାକୁ ବିରୋଧ କରିବାକୁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଛି ଯେ ସାମାନ୍ୟ ଜରୁରୀ ପାଇଁ ସେମାନେ ଟ୍ରେନ କଣ୍ଡକ୍ଟର, ଟିଟିଇ, ଆରପିଏଫ୍ ଟ୍ରେନ୍ ଏସକର୍ଟ ଦଳ, କୋଚ୍ ଆଟେଣ୍ଡାଣ୍ଟ ଏବଂ ଅନ୍ୟ କୌଣସି ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କୁ ସୂଚିତ କରିପାରିବେ  ।