ମୃତ୍ୟୁର ଅନ୍ୟ ନାଁ ‘ଲେଡି ଡେଥ୍’

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବଢିବା ସହ ପଦାକୁ ଆସୁଛି ଜଣକ ପରେ ଜଣେ ସ୍ନାଇପରଙ୍କ କାରନାମା । ଯେଉଁମାନଙ୍କ ଟାର୍ଗେଟରେ ରହିଛନ୍ତି ଉଭୟ ପକ୍ଷର ସେନା । ବିଶେଷ କରି ମହିଳା ସ୍ନାଇପରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଯୁଦ୍ଧ ଭିତରେ ୟୁକ୍ରେନ ସେନା ଋଷର ଏମିତି ଜଣେ ମହିଳା ସ୍ନାଇପରଙ୍କୁ କାବୁ କରିଛି, ଯିଏ ୪୦ ଲୋକଙ୍କୁ ହତ୍ୟା କରି ସାରିଛି । ଇରିନା ଷ୍ଟାରିକୋଭା ନାମକ ଏହି ମହିଳାଙ୍କ ଫଟୋ ବି ଜରି କରିଛି ୟୁକ୍ରେନ । ୨୦୧୪ରୁ ୟୁକେନ ଇରାନାଙ୍କୁ ଖୋଜୁଥିଲା । ପୂର୍ବ ୟୁକ୍ରେନରେ ଉଗ୍ରବାଦୀଙ୍କ ସହ ମିଶି ଇରିନା କାମ କରୁଥିଲା ।

ସେହିପରି ଯୁଦ୍ଧ ଭିତରେ ୟୁକ୍ରେନର ଜଣେ ଲେଡି ସ୍ନାଇପରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ମହିଳା ଜଣଙ୍କ ୟୁକ୍ରେନ ବ୍ୟାଟଲ୍ ଫିଲ୍ଡରେ ଏବେ ବି ଋଷ ସେନାଙ୍କ ପାଇଁ କାଳ ହୋଇ ବୁଲୁଛନ୍ତି ।

ତେବେ ଆଜି ଆମେ ଏମିତି ଜଣେ ଲେଡି ସ୍ନାଇପରଙ୍କ ବିଷୟରେ କହିବାକୁ ଯାଉଛି ଯାହାକୁ ବିଶ୍ବ ‘ଲେଡି ଡେଥ୍’ ଭାବେ ଜାଣେ । ତେବେ କିଏ ଏହି ମହିଳା ? କେଉଁ ସମୟରେ ଖେଳୁଥିଲେ ରକ୍ତର ହୋଲି ? କେତେ ଜଣ ତାଙ୍କ ବନ୍ଧୁକର ଶିକର ହୋଇଛନ୍ତି ? ଶେଷ ସମୟ କେମିତି କଟିଥିଲା, ଆସନ୍ତୁ ଜାଣିବା ।

ଲେଡି ଡେଥ୍ ଲଡ୍ୟୁମିଲା ପାଭଲିଚେଙ୍କୋ

ସମୟ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର । ସୋଭିଏତ ସଂଘରୁ ଲଢୁଥିବା ଲଡ୍ୟୁମିଲା ପାଭଲିଚେଙ୍କୋଙ୍କୁ ନେଇ ସାରା ଦୁନିଆ ଭୟଭିତ ଥିଲା । ସେ ଏମିତି ଜଣେ ସ୍ନାଇପର ଥିଲେ, ଯାହାଙ୍କ ଆଗକୁ ଆସିବାର ଅର୍ଥ ମୃତ୍ୟୁକୁ ଆମନ୍ତ୍ରଣ । ଜଣେ କି ଦୁଇ ଜଣ ନୁହେଁ ୩୦୯ ଲୋକଙ୍କୁ ଶିକାର କରିଥିଲା ଲଡ୍ୟୁମିଲାଙ୍କ ବନ୍ଧୁକ ।

ସୋଭିଏତ ଋଷ ପାଇଁ ଯୁଦ୍ଧକୁ ଓହ୍ଲାଇଥିବା ଏହି ଲେଡି ସ୍ନାଇପର ବୁଲି ବୁଲି ନାଜି ସମର୍ଥକଙ୍କୁ କରୁଥିଲେ ଟାର୍ଗେଟ୍ । ତାଙ୍କ ୩୦୯ ଟାର୍ଗେଟରେ ଅଧିକାଂଶ ଥିଲେ ନାଜି । ତାଙ୍କ ଲକ୍ଷ୍ୟ ଏତେ ସଠିକ ଥିଲା ଯେ, କୁହାଯାଏ ତାଙ୍କ ଆଗକୁ ଆସୁଥିବା ଶତ୍ରୁଙ୍କ ମୃତ୍ୟୁ ସୁନିଶ୍ଚିତ । ଏଥିପାଇଁ ତାଙ୍କୁ ‘ଲେଡି ଡେଥ’ ନାଁ ଦିଆଯାଇଥିଲା ।

୧୯୪୨ରେ ଏକ ଘା’ କାରଣରୁ ସେ ସ୍ନାଇପର କାମ ଛାଡି ଦେଇଥିଲେ । ବର୍ତ୍ତମାନର ୟୁକ୍ରେନ ରାଜଧାନୀ କିଭ ବାସିନ୍ଦା ଥିଲେ ଲଡ୍ୟୁମିଲା ପାଭଲିଚେଙ୍କୋ ।