ଆଜି ରାଜଧାନୀ ପାଳିବ ୭୪ତମ ପ୍ରତିଷ୍ଠା ଦିବସ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ସବୁ କ୍ଷେତ୍ରରେ ଆଙ୍କିଛି ବିପ୍ଳବର ନକ୍ସା

ଭୁବନେଶ୍ୱର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ସ୍ୱୀକୃତି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀର ଶୁଭ ଦିଆଯାଇଥିଲା । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ଆମ ରାଜଧାନୀ । ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି ।

ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ୱାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ୱର । ଦୀର୍ଘ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ୱରର ବିକାଶ । ପ୍ରତିଷ୍ଠା ଦିବସରେ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ବେସାମରିକ ପ୍ୟାରେଡ ଓ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେବେ । ଏହାସହ ୧୩ ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ୨୦୨୨ ପ୍ରଦାନ କରାଯିବ ।