ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଆଜି ଚୈତ୍ର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଦେବ ଦେବ ମହାଦେବ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ବାହୁଡ଼ା ଯାତ୍ରା । ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ରଥ ଆଜି ବାହୁଡ଼ିବ । ମହାମାରୀ ଯୋଗୁ ରୁକୁଣା ରଥ ଯାତ୍ରା ଦୁଇ ବର୍ଷ ଧରି ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ଚଳିତବର୍ଷ ଏହା ବେଶ୍ ଧୁମଧାମରେ ପାଳନ କରାଯାଉଛି । ଆଜି ଅପରାହ୍ନ ସାଢ଼େ ୩ଟାରେ ଅଣଲେଉଟା ରଥର ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସକାଳ ସାଢ଼େ ୬ଟାରେ ମଙ୍ଗଳା ଆଳତୀ ଓ ଅବକାଶ ପରେ ୮ଟା ୩୦ ମିନିଟରେ ରୋଷ ହୋମ ଓ ପାକ୍ କାର୍ଯ୍ୟ କରାଯିବ । ସାଢେ ୯ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ ରହିଛି । ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ଅଧରପଣା ପୂଜା ଓ ସାଢ଼େ ୧ଟାରୁ ୩ଟା ମଧ୍ୟରେ ଲିଙ୍ଗରାଜ ଓ କେଦାରଗୌରୀଙ୍କ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି ।