ମାହାଙ୍ଗା ଗଣହତ୍ୟା: କିପରି ୫ ଜଣଙ୍କୁ ମାରିଲା ସୈତାନ ଭାଇ, ଚାଲିଛି ପୋଲିସର ତଦନ୍ତ

ମାହାଙ୍ଗା: ମାହାଙ୍ଗାରେ ବଡ଼ ଭାଇ ପରିବାର ୫ ଜଣଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଛି ପୋଲିସ । ଆଜି ୫ ମୃତ ଦେହର ପୋଷ୍ଟମର୍ଟମ ହେବ । ସେପଟେ ବାଲିଚନ୍ଦ୍ରପୁର ଥାନାରେ ଅଟକଥିବା ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ନିଜ ହେପାଜତକୁ ନେଇଛି ମାହାଙ୍ଗା ପୋଲିସ । କଡ଼ା ସୁରକ୍ଷା ମଧ୍ୟରେ ମାହାଙ୍ଗା ଥାନାକୁ ଅଭିଯୁକ୍ତ ଶିବ ପ୍ରସାଦକୁ ନିଆଯାଇଛି । ଗତକାଲି ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଶିବକୁ ଅଧିକ ପଚରାଉଚରା କରିବା ପରେ ଏହି ଗଣହତ୍ୟା ଉପରୁ ପରଦା ହଟିବ ।

ମାହାଙ୍ଗାରେ ସାନ ଭାଇ ବଡ଼ ଭାଇର ପୂରା ପରିବାର ସଫା କରିବା ପରେ କଟକ ରୁରାଲ୍ ଏସପି ଓ କେନ୍ଦ୍ରାଞ୍ଚଳ ଆଇଜି ଗତକାଲି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଜାଗା ବିବାଦ ନେଇ ଦୀର୍ଘ ଦିନ ଧରି ଦୁଇ ଭାଇଙ୍କ ଭିତରେ ମନୋମାଳିନ୍ୟ ଓ ଝଗଡ଼ା ଲାଗି ରହୁଥିଲା । ୫ଜଣକୁ ହତ୍ୟା ପଛରେ କଣ କେବଳ ସଂପତ୍ତି ବିବାଦ କାରଣ ନା ଆଉ କୌଣସି କଥାକୁ ନେଇ ବିବାଦ ଲାଗି ରହିଥିଲା ? ହଠାତ୍ ହତ୍ୟା କରିବାକୁ ନିଷ୍ପତ୍ତି ନେଲା ଶିବ ନା ଆଗରୁ କରିଥିଲେ ଯୋଜନା ? ପରିବାରର ୫ଜଣଙ୍କୁ ଏକା ମାରିଥିଲା କି ଶିବ ? ନା ହତ୍ୟାରେ ଆଉ କେହି ସହଯୋଗ କରିଥିଲେ? କେମିତି ପଡ଼ୋଶୀ କିଛି ଶୁଣିପାରିଲେନି? ରାତି ଖାଇବାରେ ନିଶା ଦେଇଥିଲା କି ଶିବ? ହତ୍ୟା ପରେ ଓ ପୂର୍ବରୁ କାହାକୁ କଲ୍ କରିଥିଲା ଶିବ ? ଘଟଣାର ସମସ୍ତ ଦିଗ ନେଇ ତନାଘନା କରୁଛି ପୋଲିସ ।