spot_img
Home Blog Page 4524

ଚଳିତବର୍ଷ ଶେଷ ହେବ ନିର୍ମାଣ କାର୍ଯ୍ୟ, ନୂଆ ରୂପରେ ଆସିବ ବରମୁଣ୍ଡା ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡର ନୂଆ ରୂପରେଖ ଏଇବର୍ଷ ଦେଖିବେ ରାଜ୍ୟବାସୀ । ଚଳିତବର୍ଷ ଶେଷ ହେବ ବରମୁଣ୍ଡା ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ । ପୂର୍ବ ଭାରତର ପ୍ରମୁଖ ବସଷ୍ଟାଣ୍ଡ ହେବାକୁ ଯାଉଛି ବରମୁଣ୍ଡା । ସୂଚନା ମୁତାବକ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଛି ବସ୍‌ ଟର୍ମିନାଲ  । ବହୁ ପ୍ରତିକ୍ଷୀତ ଟର୍ମିନାଲ କାର୍ଯ୍ୟ ଚଳିତବର୍ଷ ଶେଷ ହେବ । ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ନୂଆ ରୂପରେଖ ଦେବାକୁ ଆରମ୍ଭ କରିଛନ୍ତି କାର୍ଯ୍ୟ  ।

ସେପଟେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି ଘରୋଇ ବସ ମାଲିକ ସଂଘ । ଦୈନଦିନ ୧୫ ଶହ ବସ ଏହା ମଧ୍ୟରେ ଚଳପ୍ରଚଳ କରୁଛି । ଏଣୁ କାମ ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ସୁବିଧା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ସଂଘ ।  ଟର୍ମିନାଲ ନିର୍ମାଣ ପୂର୍ବରୁ ଶୌଚାଳୟ, ପିଇବା ପାଣି ଆଦିର ବ୍ୟବହାର ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରିଛି ସଂଘ ।

ତେବେ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଏକ ନୂତନ ରୂପ ଦେବାକୁ ରାଜ୍ୟ ସରକାର ଏହାର ପ୍ରଜୋକ୍ଟ କାର୍ଯ୍ୟ ଆରମ୍ଭ କରିଥିଲେ  । ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ ନେଇ ଏକ ପ୍ରତିକାତ୍ମକ ଚିତ୍ର ପ୍ରକାଶ କରିଥିଲେ  । ନୂତନ ବସଷ୍ଟାଣ୍ଡରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ବୋଲି ଆଗରୁ ଏନେଇ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି  ।

ମୋଦିଙ୍କ ସହାୟତା ଲୋଡିଲେ POKରେ ଗଣ ଦୁଷ୍କର୍ମ ଶିକାର ମହିଳା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନ ମହିଳା । ପାକିସ୍ତାନରେ ନ୍ୟାୟ ନପାଇବାରୁ ମୋଦୀଙ୍କୁ ନିବେଦନ କରିଛନ୍ତି ମହିଳା ଜଣଙ୍କ । ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଥିଲା । ଗଣ ଦୁଷ୍କର୍ମ ପରେ ମହିଳା ଜଣଙ୍କ ନ୍ୟାୟ ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ନିରନ୍ତର ନିବେଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ଯାହା ଫଳରେ ଉକ୍ତ ମହିଳା ଜଣଙ୍କ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଥିବା ମହିଳାଙ୍କ ନାମ ହେଉଛି ମାରିଆ ତାହିର । ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଓ ତାଙ୍କ ପିଲାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଛି । ହତ୍ୟା ଧମକକୁ ନେଇ ସେ ଏକ ଭାବ ପ୍ରବଣ ଭିଡିଓ ସେୟାର କରି କହିଛନ୍ତି, ‘ମୋତେ ୭ ବର୍ଷ ପୂର୍ବେ ଗଣ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ନ୍ୟାୟ ପାଇଁ ମୁଁ ସଂଗ୍ରାମ କରୁଛି । ହେଲେ ପାକିସ୍ତାନ ପୋଲିସ, ସରକାର ଓ ନ୍ୟାୟପାଳିକା ନ୍ୟାୟ ଦେବାରେ ସକ୍ଷମ ହୋଇନାହାନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡୁଛି ।’

ମାରିଆ ଏହି ଭିଡିଓ ମାଧ୍ୟମରେ କହିଛନ୍ତି କି ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ମୋତେ ଭାରତ ବସିବାକୁ ଅନୁମତି ଦିଅନ୍ତୁ । କାହିଁକି ନା ପାକିସ୍ତାନରେ ମୋ ପ୍ରତି ଏବଂ ମୋ ସନ୍ତାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏଠାକାର ପୋଲିସ ଓ ରାଜନେତା ଚୌଧୁରୀ ତାରିକ୍ ଫାରୁକ୍ ଯେକୌଣସି ସମୟରେ ମୋତେ ଓ ମୋ ପିଲାଙ୍କୁ ହତ୍ୟା କରିପାରନ୍ତି । ତେଣୁ ମୋତେ ଭାରତରେ ରହିବାକୁ ଅନୁମତି ଦିଅନ୍ତୁ ।

ସୂଚନା ଅନୁସାରେ ୨୦୧୫ ମସିହାରେ ମାରିଆଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା । ଏହି ଜଘନ୍ୟ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କୁ ସେ କଠୋର ଦଣ୍ଡ ଦେବା ପାଇଁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ସେୟାର କରି ସେହି ଜଘନ୍ୟ କାଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେହି ଭିଡିଓରେ ଅପରାଧୀର ନାଁ ବି କହିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ କଥା ଯେ ଏହି ଜଘନ୍ୟ ଅପରାଧକୁ ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାରିଆକୁ ନ୍ୟାୟ ମିଳିପାରିନାହିଁ।

ବଲାଙ୍ଗୀରରେ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ରାଜସ୍ୱ ବିଭାଗ ପ୍ରମୁଖ ସଚିବ

ବଲାଙ୍ଗୀର: ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବଲାଙ୍ଗୀର ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଫୋକସରେ ରହିଛି ବଲାଙ୍ଗୀର ଜିଲ୍ଲାର ବିକାଶ ପ୍ରକଳ୍ପ । ଚାଲିଥିବା ବିଭିନ୍ନ ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ରାଜସ୍ବ ବିଭାଗର ପ୍ରମୁଖ ସଚିବ । ଅଧପନ୍ତରିଆ କାମର ଅଗ୍ରଗତି ନେଇ ସେ ସମୀକ୍ଷା କରିଛନ୍ତି ।

ସରକାରୀ ଯୋଜନାର ସୁପରିଚାଳନା ସହ ଜାଗା ମିଶନରେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଜମିପଟା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସତ୍ୟବ୍ରତ ସାହୁ । ଏହା ସହିତ ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ, ବାଇପାସ୍, ରିଙ୍ଗରୋଡ କାର୍ଯ୍ୟର ଅଗ୍ରଗତି ନେଇ ସେ ତଦାରଖ କରିଛନ୍ତି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ  ।

ଅନେକ ନିର୍ମାଣଧିନ ପ୍ରକଳ୍ପର ସମୀକ୍ଷା କାର୍ଯ୍ୟ କରିଥିଲେ  । ଯେଉଁ ଉନ୍ନତି ମୂଳ୍କ କାର୍ଯ୍ୟ ଗୁଡ଼ିକ ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି  । ତାହାର ମଧ୍ୟ ସମୀକ୍ଷା କରିଥିଲେ  । କେଉଁ କାରଣରୁ ପ୍ରକଳ୍ପ ବନ୍ଦ ହୋଇ ରହିଛି ଓ ଏଥିପାଇଁ ମୁଖ୍ୟତଃ କଣ ସମସ୍ୟା ଆସୁଛି ସେନେଇ ସ୍ଥାନୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ  ।

ଏବେ ୧୦ ମିନିଟରେ OLA କରିବ ଫୁଡ୍‌ ଡେଲିଭରି

ନୂଆଦିଲ୍ଲୀ: ଫୁଡ୍‌ ଡେଲିଭରି   ଆପ୍‌ ଗୁଡ଼ିକ ଆଜିକାଲି ଲୋକଙ୍କ କାମକୁ ଅଧିକ ସହଜ କରି ଦେଇଛି । ଯେପରିକି ସ୍ୱିଗି ଏବଂ ଜୋମାଟୋ । ଗୋଟିଏ ଅର୍ଡରରେ ଆପଣଙ୍କ ଘରେ ଆସି ଆପଣଙ୍କ ପସନ୍ଦର ଖାଦ୍ୟ ପହଞ୍ଚି ଯାଉଛି । ଏବେ ଏହିଭଳି ସୁବିଧା ଯୋଗାଇବାକୁ ଯାଉଛି ‘ଓଲା’ । କିନ୍ତୁ ଓଲାର ସେବା ଖୁବ୍‌ ଭିନ୍ନ । ଏଥିପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।  ମାତ୍ର ୧୦ ମିନିଟରେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚିଯିବ ।  କମ୍ପାନୀ ଏହି ସେବାର ଟ୍ରାଏଲ ଆରମ୍ଭ କରି ଦେଇଛି । ନିକଟରେ ସ୍ୱିଗି ଏବଂ ଜୋମାଟୋ ମଧ୍ୟ ଏହିଭଳି ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରୁଥିଲେ ।

ଓଲା ବାଙ୍ଗାଲୁରୁରେ ଏହି ନୂଆ ସେବାର ଟେଷ୍ଟିଂ ଆରମ୍ଭ କରିଛି । କିନ୍ତୁ ଏବେ ଏହା ଲିମିଟେଡ୍‌ ଡିସ୍‌ ଉପରେ ସୀମିତ ରହିଛି ।

ଓଲା ତା’ର ୧୦ ମିନିଟ୍‌ ଫୁଡ୍‌ ଡେଲିଭରି ସର୍ଭିସରେ ଖେଚୁଡ଼ି, ପିଜ୍ଜା ଏବଂ କାଠି ରୋଲ ଭଳି ଆଇଟମ ସାମିଲ କରିଛି । ତେବେ ଖାଦ୍ୟ ସମ୍ପୂର୍ଣ୍ଣ ତାଜା ତିଆରି ହେବ ବୋଲି କମ୍ପାନୀ ଦାବି କରିଛି ।

  ତେବେ ଓଲା ଖିଚଡ଼ି ଏକ୍ସପେରିମେଣ୍ଟ, ପରାଠା ଏକ୍ସପେରିମେଣ୍ଟ, ବିରିୟାନୀ ଏକ୍ସପେରିମେଣ୍ଟ ଏବଂ ନାସ୍ତା ଏକ୍ସପ୍ରେସ୍‌ ନାମରେ କିଚେନ୍‌ ମଧ୍ୟ ଚଲାଉଛି ।

କାଶ୍ମୀର ବୁଲିବାକୁ ୩୫ ଶହ କିମି ଟ୍ରକ୍ ଚଲାଇଲେ ମହିଳା

କାଶ୍ମୀର: ପୃଥିବୀର ଭୂସ୍ବର୍ଗ କାଶ୍ମୀର । ଯେଉଁଠିକୁ ଥରେ ଯିବାକୁ ସବୁ ଭାରତୀୟଙ୍କ ଥାଏ ଇଚ୍ଛା । କେବଳ ଭାରତୀୟ ନୁହଁନ୍ତି, ବିଶ୍ବର କୋଣ ଅନୁକୋଣରୁ ଅପରୂପ କାଶ୍ମୀରକୁ ଦେଖିବାକୁ ଓ ଏହାର ପ୍ରକୃତିକ ଶୋଭାରାଜିରେ ନିଜକୁ ହଜାଇ ଦେବାକୁ ଛୁଟି ଆସିଥାନ୍ତି ପର୍ଯ୍ୟଟକ । ଆଜି ଆମେ ଏମିତି ଜଣେ କାଶ୍ମୀର ପ୍ରେମୀଙ୍କ ବିଷୟରେ କହିବାକୁ ଯାଉଛି, ଯିଏ ନିଜ ସ୍ବପ୍ନ ପୂରଣ କରିବାକୁ ୩୫ ଶହ କିମି ନିଜେ ଟ୍ରକ ଡ୍ରାଇଭ କରି କାଶ୍ମୀରରେ ପହଞ୍ଚି ଯାଇଛନ୍ତି । ତାଙ୍କର ଏହି ଯାତ୍ରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ତାଙ୍କ ଏହି ଟ୍ରକ ଯାତ୍ରାର ଭିଡିଓ ଦେଖୁଛନ୍ତି ତାରିଫ ନକରି ରହି ପାରୁନାହାନ୍ତି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ମହିଳାଙ୍କ ସମ୍ପର୍କରେ ଯିଏ କେରଳରୁ ୩୫ ଶହ କିମି ଟ୍ରକ ଚଲାଇ କାଶ୍ମୀର ବୁଲିବାକୁ ପହଞ୍ଚି ଯାଇଛନ୍ତି ।

ଜେଲାଜା ରଥିଶ । ବୟସ ୪୦ ବର୍ଷ । ଇଚ୍ଛା କାଶ୍ମୀର ବୁଲିବା । ଏଥିପାଇଁ କେରଳର ଏର୍ଣ୍ଣାକୁଲମରୁ ଡ୍ରିମ ଡେଷ୍ଟିନ୍ କାଶ୍କୀରକୁ ଫେବୃଆରୀ ୨ରୁ ଆରମ୍ଭ କରିଥିଲେ ଯାତ୍ରା । ଏହି ଯାତ୍ରାରେ ତାଙ୍କର ସାଥୀ ଥିଲେ ପତି ରଥିଶ ଏବଂ ସମ୍ପର୍କୀୟ ଅନୀସ । ଏହି ଲମ୍ବା ଯାତ୍ରା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକେ କରିଥିଲେ ଉତ୍ସାହିତ ।

କେରଳରୁ କାଶ୍ମୀର ମଝିରେ ୬ ରାଜ୍ୟ

୨ ଫେବୃଆରୀରେ ଏର୍ଣ୍ଣାକୁଲମରୁ ପ୍ଲାଏଉଡ ନେଇ ଜେଲାଜା ପୁଣେରେ ପହଞ୍ଚି ଥିଲେ । ସେଠାରେ ପ୍ଲାଏଉଡ ଅନଲୋଡ ହେବା ପରେ ପିଆଜ ଲୋଡ କରି କାଶ୍ମୀର ଅଭିମୁଖେ ବାହାରି ଯାଇଥିଲେ । ଏର୍ଣ୍ଣାକୁଲମରୁ କାଶ୍ମୀରକୁ ଏହି ଯାତ୍ରାର ଭ୍ଲଗ୍ ଭିଡିଓ କରିଥିଲେ ଜେଲାଜା । ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳୁଛି, ‘ଫିଲ୍ମରେ ଯେଉଁ ସ୍ଥାନ ଦେଖିଥିଲି, ଆଜି ମୁଁ ସେହି ସ୍ଥାନରେ ।’

ସେ ଆହୁରି କହିଛନ୍ତି, ‘ଗୁଲମର୍ଗରେ ପହଞ୍ଚିବା ମୋ ପାଇଁ ସବୁଠାରୁ ଖୁସିର ସମୟ ଥିଲା । ତଥାପି ବିଶ୍ବାସ ହେଉ ନଥିଲା ମୁଁ ସେଠାରେ ପହଞ୍ଚି ସାରିଥିଲି ।’

ଜେଲାଜା ଏହି ଯାତ୍ରା ୬ଟି ରାଜ୍ୟ ଦେଇ କାଶ୍ମୀରରେ ଶେଷ ହୋଇଥିଲା । କେରଳରୁ ଯାତ୍ରା ଆରମ୍ଭ କରି ଜେଲାଜା କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଦେଇ କାଶ୍ମୀରରେ ପହଞ୍ଚି ଥିଲେ ।

ପିଲାଦିନୁ ଥିଲା ଡ୍ରାଇଭିଂ ଇଚ୍ଛା

ଜେଲାଜା କହିଛନ୍ତି, ‘ପିଲାଟି ଦିନରୁ ଡ୍ରାଇଭିଂ କରିବାକୁ ଇଚ୍ଛା ଥିଲା । ହେଲେ ଘରର ପରିସ୍ଥିତି ଯୋଗୁଁ ମୁଁ ଡ୍ରାଇଭିଂ ଶିଖି ପାରିନଥିଲି । ବିବାହ ପରେ ଡ୍ରାଇଭିଂ ଶିଖିଥିଲି । ମୁଁ ଆଗରୁ ଦୁଇଥର ଟ୍ରକରେ ପତିଙ୍କ ସହ ମୁମ୍ବାଇ ଯାଇଥିଲି । ଆମକୁ ଯେତେବେଳେ ପୁଣେ ଅର୍ଡର ମିଳିଥିଲା, ସେଠାରୁ କାଶ୍ମୀର ଜିନିଷ ନେବାକୁ ଆମେ ଯୋଜନା କରିଥିଲୁ । ଆଉ ସ୍ବଭାଗ୍ୟକୁ ଆମକୁ ଅର୍ଡର ମିଳି ଯାଇଥିଲା । ଏଥିରେ ଆମର ଖର୍ଚ୍ଚ କମ ହୋଇଥିଲା । ଆମେ ଟ୍ରକ ଭିତରେ ଶୋଉଥିଲୁ । ବହୁତ ସମୟରେ ଆମେ ଟ୍ରକ ଭିତରେ ମଧ୍ୟ ଖାଇବା ପ୍ରସ୍ତୁତ କରିଥିଲୁ ।’

୧୪ ଏପ୍ରିଲରୁ ଏହି ୩ଟି ରାଶିର ଖରାପ ସମୟ ଆରମ୍ଭ

ନୂଆଦିଲ୍ଲୀ: ୧୪ ଏପ୍ରିଲରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି  । ଏହିଦିନ ପ୍ରାୟ ସକାଳ ୮ଟା ୫୬ ମିନିଟରେ ମେଶ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ଜ୍ୟୋତିର୍ବିଦଙ୍କ କହିବା ହେଉଛି ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କେତେକ ରାଶି ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।  କିନ୍ତୁ ମେଷ, ବୃଷ ଏବଂ ମୀନ ରାଶି ପାଇଁ ଏହା ଖୁବ୍‌ କଷ୍ଟଦାୟକ ରହିବ । ତେଣୁ ଏହି ସମସ୍ତ ରାଶି ସାବଧାନତା ଅବଲମ୍ବନ କରିବା ଉଚିତ୍‌ ।

ମେଷ:  ଏହି ସମୟରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । କର୍ମସ୍ଥଳରେ କଳହ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଆପଣଙ୍କ ଚାକିରି ଏବଂ ବ୍ୟବସାୟ ଉପରେ ପଡ଼ିପାରେ । ଅହଂକାର ହେତୁ ଆପଣଙ୍କ ପ୍ରେମ ଜୀବନରେ ସ୍ଥିତି ବିଗିଡ଼ିପାରେ ଏବଂ ସମ୍ପର୍କରେ ଭଟ୍ଟା ଆସିପାରେ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ  ବିବାଦ ସୃଷ୍ଟି ହେଲେ ସମସ୍ୟାରେ ପଡ଼ିପାରନ୍ତି ।

ବୃଷ: ସୂର୍ଯ୍ୟ ଆପଣଙ୍କ ରାଶିରେ ବିରାଜମାନ କରିବା ଦ୍ୱାରା ଆପଣ  ବିଦେଶରୁ ଭଲ ଲାଭ ପାଇବେ । ଆପଣଙ୍କ ଖର୍ଚ୍ଚ ବଢ଼ିପାରେ । ଧାରକୁ ଦେଇଥିବା ଟଙ୍କା ବୁଡ଼ିଯାଇପାରେ । କର୍ମକ୍ଷେତ୍ରରେ ନିଜ ଶତ୍ରୁକୁ ନେଇ ସାବଧାନ ରହିବା ଜରୁରୀ । ଏହାଦ୍ୱାରା ଆପଣଙ୍କ ଚିନ୍ତା ବଢ଼ିପାରେ । ବ୍ୟବସାୟକୁ ସନ୍ତୋଷଜନକ ଭାବରେ ଚଲାଇବାକୁ ହେଲେ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

ମୀନ ରାଶି:  ସୂର୍ଯ୍ୟଙ୍କ ସ୍ଥାନ ପରିବର୍ତ୍ତନ ଆପଣଙ୍କ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ । ଏଥିପାଇଁ ଆପଣଙ୍କୁ ଖୁବ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଧନ ସମ୍ବଦ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସତର୍କ ରୁହନ୍ତୁ ।  ପାରିବାରିକ ଖର୍ଚ୍ଚ ମଧ୍ୟ ବଢ଼ିପାରେ । ଆପଣଙ୍କ ମଧ୍ୟରେ କ୍ରୋଧ ଏବଂ କଥାରେ ଅସଭ୍ୟତା ଆସିପାରେ, ତେଣୁ ଜଗିରଖି କଥା କହିବେ । ସାଙ୍ଗରେ କାମ କରୁଥିବା କର୍ମଚାରୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।

ଏହାକୁ ବାଦ୍‌ ଦେଲେ ମିଥୁନ,କର୍କଟ,ସିଂହ, କନ୍ୟା, ତୁଳା, ବିଛା,ଧନୁ, ମକର ଏବଂ କୁମ୍ଭ ରାଶିର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ବାପା ବସ୍ ଡ୍ରାଇଭର, ପୁଅ ଏବେ ବକ୍ସ ଅଫିସ୍ କିଙ୍ଗ

ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ପରଦାକୁ ଆସୁଛି ବ୍ଲକବଷ୍ଟର କନ୍ନଡ ଫିଲ୍ମ KGF ସିକ୍ୱେଲ୍ KGF-2 । ପୁଣିଥରେ ପରଦାରେ ଦେଖିବାକୁ ମିଳିବ ସୁପରଷ୍ଟାର ୟଶ୍ ଓରଫ ରକି ଭାଇଙ୍କ ଜବରଦସ୍ତ ଆକ୍ସନ। ସପ୍ତାହେ ପୂର୍ବରୁ ବୁକିଂ ହୋଇଗଲାଣି ଟିକେଟ୍ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମକୁ ନେଇ ରହିଛି ଅଦ୍ଭୁତ ଉତ୍ସାହ । ସୁପରଷ୍ଟାର ୟସଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍ କହିବାର ଅନ୍ଦାଜରେ ସମସ୍ତେ ଫିଦା । ଏସବୁ ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ସୁପରଷ୍ଟାର ୟଶଙ୍କ ସଂଘର୍ଷର କାହାଣୀ । ଆପଣ ଜାଣିଲେ ଆଶ୍ଟର୍ଯ୍ୟ ହେବେ ଯେ କୋଟି କୋଟି ଟଙ୍କାର ମାଲିକ ସୁପରଷ୍ଟାର ୟଶ୍ ଦିନେ ମାତ୍ର ୩୦୦ ଟଙ୍କାରୁ ଆରମ୍ଭ କରିଥିଲେ କ୍ୟାରିୟର୍ ।

ୟଶଙ୍କ ପୂରା ନାଁ ହେଉଛି ନବୀନ କୁମାର ଗୌଡ଼ । ୧୯୮୬ ଜାନୁଆରୀ ୮ ତାରିଖରେ କର୍ଣ୍ଣାଟକ ହାସନରେ ତାଙ୍କ ଜନ୍ମ । ୟଶଙ୍କ ବାପା ଅରୁଣ କୁମାର କର୍ଣ୍ଣାଟକ ଟ୍ରାନ୍ସପୋର୍ଟ କର୍ପୋରେସନରେ ଜଣେ ବସ୍ ଡ୍ରାଇଭର ଥିବାବେଳେ ତାଙ୍କ ମା ପୁଷ୍ପା ଜଣେ ଗୃହିଣୀ । ବାପା-ମାଙ୍କ ଇଚ୍ଛା ଥିଲା, ୟଶ ସରକାରୀ ଚାକିରି କରନ୍ତୁ । କିନ୍ତୁ ପାଠ ପଢାରେ ତାଙ୍କ ମନ ଲାଗୁନଥିଲା । କାହିଁକି ନା ସେ ପିଲାଦିନୁ ହିଁ ଅଭିନେତା ହେବାକୁ ଚାହୁଁଥିଲେ । ମାଟ୍ରିକ ପରେ ସେ ନିଜ ବାପାଙ୍କୁ କହିଦେଲେ ଯେ ସେ ଆଉ ପଢ଼ିବେନି ଫିଲ୍ମରେ ଅଭିନୟ କରିବେ । କିନ୍ତୁ ବାପା ତାଙ୍କୁ ବୁଝାଇବା ପରେ ସେ ପାଠ ପଢ଼ାରେ ମନ ଦେଲେ । ହେଲେ ମନ ତାଙ୍କର ଥିଲା ଅଭିନୟ ପାଖରେ । ସେ କେମିତି ବି ହେଉ ନିଜ ସ୍ୱପ୍ନ ପୂରା କରିବାକୁ ଚାହୁଁଥିଲେ । ଆଉ ଦିନେ କାହାକୁ କିଛି ନଜଣାଇ ଘରୁ ଲୁଚି ପଳାଇ ଆସିଥିଲେ ବେଙ୍ଗାଲୁରୁ । ହାତରେ ଥିଲା ମାତ୍ର ୩ ଶହ ଟଙ୍କା । ସେଇଠୁ ଆରମ୍ଭ ହୋଇଥିଲା ୟଶଙ୍କ ସଂଘର୍ଷ ଯାତ୍ରା ।

ଏତେ ସହଜ ନଥିଲା ୟଶଙ୍କ ସଫଳତାର ଯାତ୍ରା । ହାତରେ ମାତ୍ର ୩୦୦ ଟଙ୍କା ସେ ପୁଣି ବେଙ୍ଗାଲୁରୁ ଭଳି ସହରରେ । ତାଙ୍କୁ ଡର ଲାଗୁଥିଲା, ହେଲେ ସଂଘର୍ଷ କରିବାକୁ ସେ ଡରୁ ନଥିଲେ । କାହିଁକି ନା ମନରେ ଥିଲା ଗୋଟିଏ ଲକ୍ଷ୍ୟ, ମୁଁ ଷ୍ଟାର ହେବି । ଆଉ ଏହି ଗୋଟିଏ ଲକ୍ଷ୍ୟ ହିଁ ତାଙ୍କୁ ସଂଘର୍ଷ କରିବାକୁ ସାହସ ଯୋଗାଇଥିଲା ।

ପ୍ରଥମେ ସେ ଥିଏଟରରେ କାମ କରୁଥିଲେ । ହେଲେ ଅଭିନୟ ନୁହେଁ, ବ୍ୟାକଷ୍ଟେଜରେ କାମ କରି ଟଙ୍କା ରୋଜଗାର କରୁଥିଲେ ଓ ନିଜ ପେଟ ପୋଷୁଥିଲେ । ପରେ ୨୦୦୮ରେ ୟଶଙ୍କୁ ମିଳିଥିଲା ବଡ ବ୍ରେକ୍ । ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବାକୁ ମିଳିଥିଲା ସୁଯୋଗ । କନ୍ନଡ ଫିଲ୍ମ ‘ମୋଗିନା ମନାସୁ’ ଜରିଆରେ ବଡ ପରଦାରେ ଏଣ୍ଟ୍ରି ମାରିଲେ ୟଶ୍ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ବେଷ୍ଟ ସପୋର୍ଟିଂ ଆକ୍ଟରର ଫିଲ୍ମ ଫେୟାର ଆୱାର୍ଡ । ଆଉ ତା’ପରେ ରାଜଧାନୀ, ଗଜକେଶରୀ, ମାଷ୍ଟରପିସ୍ ଭଳି ହିଟ୍ ଫିଲ୍ମରେ ଅଭନୟ କରିଥିଲେ ୟଶ ।  ତେବେ ତାଙ୍କୁ ପରିଚୟ ଦେଇଥିଲା ଫିଲ୍ମ ‘କେଜିଏଫ୍’ ଚାପ୍ଟର ୱାନ୍ । ଯାହା ବକ୍ସ ଅଫିସରେ କରିଥିଲା ଧମାଲ୍ ।

ଏହି ଫିଲ୍ମ ପରେ ୟଶ୍ ସାଜିଗଲେ ସୁପରଷ୍ଟାର୍ । ତେବେ ୟଶ୍ ବ୍ୟକ୍ତିଗତ ଜୀବନରେ ଖୁବ୍ ଶାନ୍ତ ସ୍ୱଭାବର ମଣିଷ । ୟଶ୍ ଆଜି ଯାଏଁ କେବେ ବି କୌଣସି ବିବାଦରେ ପଡି ନାହାନ୍ତି । ରାଧିକା ପଣ୍ଡିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ପରେ ସେ ତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୟଶଙ୍କ ପିତା ଏବେ ବି ବସ୍ ଡ୍ରାଇଭର କାମ କରୁଛନ୍ତି । ଆପଣ ଭାବୁଥିବେ ଯେ ପୁଅ ଏତେ ବଡ଼ ଷ୍ଟାର ହେଲେ ପିତା ବସ୍ ଡ୍ରାଇଭର ? ବାସ୍ତବରେ ୟଶଙ୍କ ପିତା କୁହନ୍ତି ଯେ ସେ ଏହି କାମ କରି ହିଁ ପୁଅ ୟଶକୁ ଏତେ ବଡ଼ କରିପାରିଛନ୍ତି । ତେଣୁ ସେ କେବେ ବି ଏହି କାମକୁ ଅସମ୍ମାନ କରିବେ ନାହିଁ । ଯେତେଦିନ ପାରିବେ ସେତେଦିନ ପର୍ଯ୍ୟନ୍ତ ସେ ବସ୍ ଡ୍ରାଇଭର ହିଁ ରହିବେ ।

IPL ୨୦୨୨: ଆଜି ମୁମ୍ବାଇକୁ ଭେଟିବ ପଞ୍ଜାବ, ପ୍ରଥମ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୨୩ ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳ ସେମାନଙ୍କ ଶେଷ ମ୍ୟାଚରେ ପରାଜୟ ବରଣ କରି ଆସିଥିବାରୁ ଏହି ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବେ ।

ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ଚଳିତ ସିଜିନରେ ବିଜୟରୁ ଆରମ୍ଭ କରିଥିଲା ମୟଙ୍କ ବାହିନୀ । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିଲା ପଞ୍ଜାବ । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ପୁଣି ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ଲାଭ କରିଥିଲା । କିନ୍ତୁ ଚତୁର୍ଥ ମ୍ୟାଚରେ ଗୁଜୁରାଟ ଟାଇଟନ୍ସଠାରୁ ପରାସ୍ତ ହୋଇଥିଲା ପଞ୍ଜାବ । ପଞ୍ଜାବ ଚଳିତ ସିଜିନରେ ୪ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କଥା ଯଦି କହିବା ତାହାଲେ ଚଳିତ ସିଜିନରେ ନୈରାଶଜନକ ପ୍ରଦର୍ଶନ କରିଛି ମୁମ୍ବାଇ । ମୁମ୍ବାଇ ପ୍ରଥମ ୪ଟି ମୁକାବିଲାରେ ୪ଟି ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ପ୍ଲେ-ଅଫକୁ ଯିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଜିର ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ୨୭ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ୧୪ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟଲାଭ କରିଥିବାବେଳେ ୧୩ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିଜୟ ଲାଭ କରିଛି ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ସିଆରପିସି ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ପୂର୍ବରୁ ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ମାନସଙ୍କୁ ଅପହରଣ କରିବାକୁ ଯାଇଥିବା ୫ ଅଭିଯୁକ୍ତଙ୍କ ଟିଆଇ ପରେଡ ହେବ । ଶର୍ମିଷ୍ଠା ରାଉତ, ରଞ୍ଜନ ନାୟକ, ଝୁନା ଭୋଇ, ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଚିହ୍ନଟ କରିବେ ୩ ଜଣ ସାକ୍ଷୀ । ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବା ପାଇଁ ଚଣ୍ଡିଖୋଲ ଯାଇଥିବା ବେଳେ ଟାଙ୍ଗି ଟୋଲ ଗେଟରେ ଥିବା ସିସିଟିଭିରେ ଫଟୋ କଏଦ ହୋଇଥିଲା ଶର୍ମିଷ୍ଠାଙ୍କ କାର । ଚଣ୍ଡିଖୋଲ ଜାରକାରେ ମାନସର ମୋବାଇଲକୁ ପିଙ୍ଗି ନଥିଲେ । ଅଭିଯୁକ୍ତମାନେ ମୋବାଇଲକୁ ଜାଣିଶୁଣି ଏକ ଚା’ ଦୋକାନରେ ଛାଡ଼ିଥିଲେ । ଏହା ସହ ଡିଲିଟେଡ ଫାଇଲ ରିକଭରି ପାଇଁ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମାମଲାରେ ବିବେକ ଓ ଭାଗ୍ୟଧରକୁ ଜେଲରେ ଜେରା ପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ କରିଛି ଆବେଦନ ।

 

ଆଲିୟାଙ୍କ ଦାଦା ମୁକେଶଙ୍କୁ ଏପର୍ଯ୍ୟନ୍ତ ମିଳିନି ନିମନ୍ତ୍ରଣ, କାରଣ ହେଉଛି…

ମୁମ୍ବାଇ:  ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ବିବାହ ଦୁଇ ପରିବାରର ସହମତିକ୍ରମେ ପ୍ରାୟ ୨୮ ସମ୍ପର୍କୀୟଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଅନୁସାରେ ଆଲିୟାଙ୍କ ଦାଦା ମୁକେଶ ଭଟ୍ଟଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପଟେ କପୂର ପରିବାରରେ ରଣବୀରଙ୍କ ଦାଦା ରଣଧୀର କପୂରଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କୁ ମଧ୍ୟ ବିବାହକୁ ନେଇ ନିମନ୍ତ୍ରଣ ପହଞ୍ଚିନାହିଁ । ଯାହାର ସୂଚନା ନିଜେ ରଣଧୀର କପୂର ଦେଇଛନ୍ତି ।

ଖବର ଅନୁସାରେ, ଗତବର୍ଷ ଯେତେବେଳେ ମୁକେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ବିଶେଷ ଫିଲ୍ମସର ଭାଗବଣ୍ଟା ହୋଇଥିଲା, ସେହି ସମୟରେ ଆଲିୟାଙ୍କ ବାପା ମହେଶ ଭଟ୍ଟ ସେଥିରେ ଖୁସି ନଥିଲେ । ଅବଶ୍ୟ ମହେଶ ଭଟ୍ଟ ଟେକନିକ୍‌ ଏବଂ କ୍ରିଏଟିଭ୍‌ କନ୍ସଲଟାଣ୍ଟ ଭାବରେ ପ୍ରଡକ୍ସନ ସହିତ ଜଡ଼ିତ ଥିଲେ । କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼ । ଏହା ବ୍ୟତୀତ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ  ମୁକେଶ ଭଟ୍ଟଙ୍କ ବୟାନରେ ନାରାଜ ହୋଇ ଯାଇଥିଲେ ଭାଇ ମହେଶ ଭଟ୍ଟ ।  ତେଣୁ କୁହାଯାଉଛିଯେ, ଏହି କାରଣରୁ ମୁକେଶ ଭଟ୍ଟଙ୍କୁ ବିବାହରେ ନିମନ୍ତ୍ରଣ କରାଯାଇନାହିଁ ।

ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ବିବାହ କେଉଁ ତାରିଖରେ ହେବ, ତାହାକୁ ନେଇ ମହେଶ ଭଟ୍ଟଙ୍କ ବିବୃତ୍ତି ଆସିବା ପରେ ମଧ୍ୟ ଏହାକୁ ନେଇ ଏବେ ମଧ୍ୟ ଦ୍ୱନ୍ଦ୍ୱ ଜାରି ରହିଛି । କିନ୍ତୁ ଉଭୟଙ୍କ ପରିବାର ସହିତ ଜଡ଼ିତ ସମ୍ପର୍କୀୟଙ୍କ କହିବା ହେଉଛି ବିବାହ ତାରିଖ ବଦଳିବାର କୌଣସି କାରଣ ହିଁ ନାହିଁ । କିନ୍ତୁ ବାହାଘରର ସ୍ଥାନ ବଦଳିପାରେ । କାରଣ ବିବାହର ସମସ୍ତ ଫଟୋ ଏବଂ ଭିଡ଼ିଓକୁ ସିକ୍ରେଟ୍‌ ରଖାଯିବ ।

ସୂଚନା ଅନୁସାରେ ଉଭୟଙ୍କ ବିବାହରେ ମାତ୍ର ୨୮ ସମ୍ପର୍କୀୟ ସାମିଲ ହେବେ । ଏହି ମଧ୍ୟରୁ ରଣବୀରଙ୍କ ପରିବାରର ଅଧିକ ସଦସ୍ୟ ଏବଂ ଆଲିୟାଙ୍କ ପରିବାରର କମ୍‌ ସଦସ୍ୟ ସାମିଲ ହେବାର ଯୋଜନା ରହିଥିବା କୁହାଯାଉଛି ।