ଆଲିୟାଙ୍କ ଦାଦା ମୁକେଶଙ୍କୁ ଏପର୍ଯ୍ୟନ୍ତ ମିଳିନି ନିମନ୍ତ୍ରଣ, କାରଣ ହେଉଛି…

ମୁମ୍ବାଇ:  ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ବିବାହ ଦୁଇ ପରିବାରର ସହମତିକ୍ରମେ ପ୍ରାୟ ୨୮ ସମ୍ପର୍କୀୟଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଅନୁସାରେ ଆଲିୟାଙ୍କ ଦାଦା ମୁକେଶ ଭଟ୍ଟଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପଟେ କପୂର ପରିବାରରେ ରଣବୀରଙ୍କ ଦାଦା ରଣଧୀର କପୂରଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କୁ ମଧ୍ୟ ବିବାହକୁ ନେଇ ନିମନ୍ତ୍ରଣ ପହଞ୍ଚିନାହିଁ । ଯାହାର ସୂଚନା ନିଜେ ରଣଧୀର କପୂର ଦେଇଛନ୍ତି ।

ଖବର ଅନୁସାରେ, ଗତବର୍ଷ ଯେତେବେଳେ ମୁକେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ବିଶେଷ ଫିଲ୍ମସର ଭାଗବଣ୍ଟା ହୋଇଥିଲା, ସେହି ସମୟରେ ଆଲିୟାଙ୍କ ବାପା ମହେଶ ଭଟ୍ଟ ସେଥିରେ ଖୁସି ନଥିଲେ । ଅବଶ୍ୟ ମହେଶ ଭଟ୍ଟ ଟେକନିକ୍‌ ଏବଂ କ୍ରିଏଟିଭ୍‌ କନ୍ସଲଟାଣ୍ଟ ଭାବରେ ପ୍ରଡକ୍ସନ ସହିତ ଜଡ଼ିତ ଥିଲେ । କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼ । ଏହା ବ୍ୟତୀତ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ  ମୁକେଶ ଭଟ୍ଟଙ୍କ ବୟାନରେ ନାରାଜ ହୋଇ ଯାଇଥିଲେ ଭାଇ ମହେଶ ଭଟ୍ଟ ।  ତେଣୁ କୁହାଯାଉଛିଯେ, ଏହି କାରଣରୁ ମୁକେଶ ଭଟ୍ଟଙ୍କୁ ବିବାହରେ ନିମନ୍ତ୍ରଣ କରାଯାଇନାହିଁ ।

ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ବିବାହ କେଉଁ ତାରିଖରେ ହେବ, ତାହାକୁ ନେଇ ମହେଶ ଭଟ୍ଟଙ୍କ ବିବୃତ୍ତି ଆସିବା ପରେ ମଧ୍ୟ ଏହାକୁ ନେଇ ଏବେ ମଧ୍ୟ ଦ୍ୱନ୍ଦ୍ୱ ଜାରି ରହିଛି । କିନ୍ତୁ ଉଭୟଙ୍କ ପରିବାର ସହିତ ଜଡ଼ିତ ସମ୍ପର୍କୀୟଙ୍କ କହିବା ହେଉଛି ବିବାହ ତାରିଖ ବଦଳିବାର କୌଣସି କାରଣ ହିଁ ନାହିଁ । କିନ୍ତୁ ବାହାଘରର ସ୍ଥାନ ବଦଳିପାରେ । କାରଣ ବିବାହର ସମସ୍ତ ଫଟୋ ଏବଂ ଭିଡ଼ିଓକୁ ସିକ୍ରେଟ୍‌ ରଖାଯିବ ।

ସୂଚନା ଅନୁସାରେ ଉଭୟଙ୍କ ବିବାହରେ ମାତ୍ର ୨୮ ସମ୍ପର୍କୀୟ ସାମିଲ ହେବେ । ଏହି ମଧ୍ୟରୁ ରଣବୀରଙ୍କ ପରିବାରର ଅଧିକ ସଦସ୍ୟ ଏବଂ ଆଲିୟାଙ୍କ ପରିବାରର କମ୍‌ ସଦସ୍ୟ ସାମିଲ ହେବାର ଯୋଜନା ରହିଥିବା କୁହାଯାଉଛି ।