କାଶ୍ମୀର ବୁଲିବାକୁ ୩୫ ଶହ କିମି ଟ୍ରକ୍ ଚଲାଇଲେ ମହିଳା

କାଶ୍ମୀର: ପୃଥିବୀର ଭୂସ୍ବର୍ଗ କାଶ୍ମୀର । ଯେଉଁଠିକୁ ଥରେ ଯିବାକୁ ସବୁ ଭାରତୀୟଙ୍କ ଥାଏ ଇଚ୍ଛା । କେବଳ ଭାରତୀୟ ନୁହଁନ୍ତି, ବିଶ୍ବର କୋଣ ଅନୁକୋଣରୁ ଅପରୂପ କାଶ୍ମୀରକୁ ଦେଖିବାକୁ ଓ ଏହାର ପ୍ରକୃତିକ ଶୋଭାରାଜିରେ ନିଜକୁ ହଜାଇ ଦେବାକୁ ଛୁଟି ଆସିଥାନ୍ତି ପର୍ଯ୍ୟଟକ । ଆଜି ଆମେ ଏମିତି ଜଣେ କାଶ୍ମୀର ପ୍ରେମୀଙ୍କ ବିଷୟରେ କହିବାକୁ ଯାଉଛି, ଯିଏ ନିଜ ସ୍ବପ୍ନ ପୂରଣ କରିବାକୁ ୩୫ ଶହ କିମି ନିଜେ ଟ୍ରକ ଡ୍ରାଇଭ କରି କାଶ୍ମୀରରେ ପହଞ୍ଚି ଯାଇଛନ୍ତି । ତାଙ୍କର ଏହି ଯାତ୍ରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ତାଙ୍କ ଏହି ଟ୍ରକ ଯାତ୍ରାର ଭିଡିଓ ଦେଖୁଛନ୍ତି ତାରିଫ ନକରି ରହି ପାରୁନାହାନ୍ତି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ମହିଳାଙ୍କ ସମ୍ପର୍କରେ ଯିଏ କେରଳରୁ ୩୫ ଶହ କିମି ଟ୍ରକ ଚଲାଇ କାଶ୍ମୀର ବୁଲିବାକୁ ପହଞ୍ଚି ଯାଇଛନ୍ତି ।

ଜେଲାଜା ରଥିଶ । ବୟସ ୪୦ ବର୍ଷ । ଇଚ୍ଛା କାଶ୍ମୀର ବୁଲିବା । ଏଥିପାଇଁ କେରଳର ଏର୍ଣ୍ଣାକୁଲମରୁ ଡ୍ରିମ ଡେଷ୍ଟିନ୍ କାଶ୍କୀରକୁ ଫେବୃଆରୀ ୨ରୁ ଆରମ୍ଭ କରିଥିଲେ ଯାତ୍ରା । ଏହି ଯାତ୍ରାରେ ତାଙ୍କର ସାଥୀ ଥିଲେ ପତି ରଥିଶ ଏବଂ ସମ୍ପର୍କୀୟ ଅନୀସ । ଏହି ଲମ୍ବା ଯାତ୍ରା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକେ କରିଥିଲେ ଉତ୍ସାହିତ ।

କେରଳରୁ କାଶ୍ମୀର ମଝିରେ ୬ ରାଜ୍ୟ

୨ ଫେବୃଆରୀରେ ଏର୍ଣ୍ଣାକୁଲମରୁ ପ୍ଲାଏଉଡ ନେଇ ଜେଲାଜା ପୁଣେରେ ପହଞ୍ଚି ଥିଲେ । ସେଠାରେ ପ୍ଲାଏଉଡ ଅନଲୋଡ ହେବା ପରେ ପିଆଜ ଲୋଡ କରି କାଶ୍ମୀର ଅଭିମୁଖେ ବାହାରି ଯାଇଥିଲେ । ଏର୍ଣ୍ଣାକୁଲମରୁ କାଶ୍ମୀରକୁ ଏହି ଯାତ୍ରାର ଭ୍ଲଗ୍ ଭିଡିଓ କରିଥିଲେ ଜେଲାଜା । ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳୁଛି, ‘ଫିଲ୍ମରେ ଯେଉଁ ସ୍ଥାନ ଦେଖିଥିଲି, ଆଜି ମୁଁ ସେହି ସ୍ଥାନରେ ।’

ସେ ଆହୁରି କହିଛନ୍ତି, ‘ଗୁଲମର୍ଗରେ ପହଞ୍ଚିବା ମୋ ପାଇଁ ସବୁଠାରୁ ଖୁସିର ସମୟ ଥିଲା । ତଥାପି ବିଶ୍ବାସ ହେଉ ନଥିଲା ମୁଁ ସେଠାରେ ପହଞ୍ଚି ସାରିଥିଲି ।’

ଜେଲାଜା ଏହି ଯାତ୍ରା ୬ଟି ରାଜ୍ୟ ଦେଇ କାଶ୍ମୀରରେ ଶେଷ ହୋଇଥିଲା । କେରଳରୁ ଯାତ୍ରା ଆରମ୍ଭ କରି ଜେଲାଜା କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଦେଇ କାଶ୍ମୀରରେ ପହଞ୍ଚି ଥିଲେ ।

ପିଲାଦିନୁ ଥିଲା ଡ୍ରାଇଭିଂ ଇଚ୍ଛା

ଜେଲାଜା କହିଛନ୍ତି, ‘ପିଲାଟି ଦିନରୁ ଡ୍ରାଇଭିଂ କରିବାକୁ ଇଚ୍ଛା ଥିଲା । ହେଲେ ଘରର ପରିସ୍ଥିତି ଯୋଗୁଁ ମୁଁ ଡ୍ରାଇଭିଂ ଶିଖି ପାରିନଥିଲି । ବିବାହ ପରେ ଡ୍ରାଇଭିଂ ଶିଖିଥିଲି । ମୁଁ ଆଗରୁ ଦୁଇଥର ଟ୍ରକରେ ପତିଙ୍କ ସହ ମୁମ୍ବାଇ ଯାଇଥିଲି । ଆମକୁ ଯେତେବେଳେ ପୁଣେ ଅର୍ଡର ମିଳିଥିଲା, ସେଠାରୁ କାଶ୍ମୀର ଜିନିଷ ନେବାକୁ ଆମେ ଯୋଜନା କରିଥିଲୁ । ଆଉ ସ୍ବଭାଗ୍ୟକୁ ଆମକୁ ଅର୍ଡର ମିଳି ଯାଇଥିଲା । ଏଥିରେ ଆମର ଖର୍ଚ୍ଚ କମ ହୋଇଥିଲା । ଆମେ ଟ୍ରକ ଭିତରେ ଶୋଉଥିଲୁ । ବହୁତ ସମୟରେ ଆମେ ଟ୍ରକ ଭିତରେ ମଧ୍ୟ ଖାଇବା ପ୍ରସ୍ତୁତ କରିଥିଲୁ ।’