ମୋଦିଙ୍କ ସହାୟତା ଲୋଡିଲେ POKରେ ଗଣ ଦୁଷ୍କର୍ମ ଶିକାର ମହିଳା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନ ମହିଳା । ପାକିସ୍ତାନରେ ନ୍ୟାୟ ନପାଇବାରୁ ମୋଦୀଙ୍କୁ ନିବେଦନ କରିଛନ୍ତି ମହିଳା ଜଣଙ୍କ । ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଥିଲା । ଗଣ ଦୁଷ୍କର୍ମ ପରେ ମହିଳା ଜଣଙ୍କ ନ୍ୟାୟ ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ନିରନ୍ତର ନିବେଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ଯାହା ଫଳରେ ଉକ୍ତ ମହିଳା ଜଣଙ୍କ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଥିବା ମହିଳାଙ୍କ ନାମ ହେଉଛି ମାରିଆ ତାହିର । ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଓ ତାଙ୍କ ପିଲାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଛି । ହତ୍ୟା ଧମକକୁ ନେଇ ସେ ଏକ ଭାବ ପ୍ରବଣ ଭିଡିଓ ସେୟାର କରି କହିଛନ୍ତି, ‘ମୋତେ ୭ ବର୍ଷ ପୂର୍ବେ ଗଣ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ନ୍ୟାୟ ପାଇଁ ମୁଁ ସଂଗ୍ରାମ କରୁଛି । ହେଲେ ପାକିସ୍ତାନ ପୋଲିସ, ସରକାର ଓ ନ୍ୟାୟପାଳିକା ନ୍ୟାୟ ଦେବାରେ ସକ୍ଷମ ହୋଇନାହାନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡୁଛି ।’

ମାରିଆ ଏହି ଭିଡିଓ ମାଧ୍ୟମରେ କହିଛନ୍ତି କି ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ମୋତେ ଭାରତ ବସିବାକୁ ଅନୁମତି ଦିଅନ୍ତୁ । କାହିଁକି ନା ପାକିସ୍ତାନରେ ମୋ ପ୍ରତି ଏବଂ ମୋ ସନ୍ତାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏଠାକାର ପୋଲିସ ଓ ରାଜନେତା ଚୌଧୁରୀ ତାରିକ୍ ଫାରୁକ୍ ଯେକୌଣସି ସମୟରେ ମୋତେ ଓ ମୋ ପିଲାଙ୍କୁ ହତ୍ୟା କରିପାରନ୍ତି । ତେଣୁ ମୋତେ ଭାରତରେ ରହିବାକୁ ଅନୁମତି ଦିଅନ୍ତୁ ।

ସୂଚନା ଅନୁସାରେ ୨୦୧୫ ମସିହାରେ ମାରିଆଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା । ଏହି ଜଘନ୍ୟ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କୁ ସେ କଠୋର ଦଣ୍ଡ ଦେବା ପାଇଁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ସେୟାର କରି ସେହି ଜଘନ୍ୟ କାଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେହି ଭିଡିଓରେ ଅପରାଧୀର ନାଁ ବି କହିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ କଥା ଯେ ଏହି ଜଘନ୍ୟ ଅପରାଧକୁ ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାରିଆକୁ ନ୍ୟାୟ ମିଳିପାରିନାହିଁ।