ବାପା ବସ୍ ଡ୍ରାଇଭର, ପୁଅ ଏବେ ବକ୍ସ ଅଫିସ୍ କିଙ୍ଗ

1 min read

ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ପରଦାକୁ ଆସୁଛି ବ୍ଲକବଷ୍ଟର କନ୍ନଡ ଫିଲ୍ମ KGF ସିକ୍ୱେଲ୍ KGF-2 । ପୁଣିଥରେ ପରଦାରେ ଦେଖିବାକୁ ମିଳିବ ସୁପରଷ୍ଟାର ୟଶ୍ ଓରଫ ରକି ଭାଇଙ୍କ ଜବରଦସ୍ତ ଆକ୍ସନ। ସପ୍ତାହେ ପୂର୍ବରୁ ବୁକିଂ ହୋଇଗଲାଣି ଟିକେଟ୍ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମକୁ ନେଇ ରହିଛି ଅଦ୍ଭୁତ ଉତ୍ସାହ । ସୁପରଷ୍ଟାର ୟସଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍ କହିବାର ଅନ୍ଦାଜରେ ସମସ୍ତେ ଫିଦା । ଏସବୁ ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ସୁପରଷ୍ଟାର ୟଶଙ୍କ ସଂଘର୍ଷର କାହାଣୀ । ଆପଣ ଜାଣିଲେ ଆଶ୍ଟର୍ଯ୍ୟ ହେବେ ଯେ କୋଟି କୋଟି ଟଙ୍କାର ମାଲିକ ସୁପରଷ୍ଟାର ୟଶ୍ ଦିନେ ମାତ୍ର ୩୦୦ ଟଙ୍କାରୁ ଆରମ୍ଭ କରିଥିଲେ କ୍ୟାରିୟର୍ ।

ୟଶଙ୍କ ପୂରା ନାଁ ହେଉଛି ନବୀନ କୁମାର ଗୌଡ଼ । ୧୯୮୬ ଜାନୁଆରୀ ୮ ତାରିଖରେ କର୍ଣ୍ଣାଟକ ହାସନରେ ତାଙ୍କ ଜନ୍ମ । ୟଶଙ୍କ ବାପା ଅରୁଣ କୁମାର କର୍ଣ୍ଣାଟକ ଟ୍ରାନ୍ସପୋର୍ଟ କର୍ପୋରେସନରେ ଜଣେ ବସ୍ ଡ୍ରାଇଭର ଥିବାବେଳେ ତାଙ୍କ ମା ପୁଷ୍ପା ଜଣେ ଗୃହିଣୀ । ବାପା-ମାଙ୍କ ଇଚ୍ଛା ଥିଲା, ୟଶ ସରକାରୀ ଚାକିରି କରନ୍ତୁ । କିନ୍ତୁ ପାଠ ପଢାରେ ତାଙ୍କ ମନ ଲାଗୁନଥିଲା । କାହିଁକି ନା ସେ ପିଲାଦିନୁ ହିଁ ଅଭିନେତା ହେବାକୁ ଚାହୁଁଥିଲେ । ମାଟ୍ରିକ ପରେ ସେ ନିଜ ବାପାଙ୍କୁ କହିଦେଲେ ଯେ ସେ ଆଉ ପଢ଼ିବେନି ଫିଲ୍ମରେ ଅଭିନୟ କରିବେ । କିନ୍ତୁ ବାପା ତାଙ୍କୁ ବୁଝାଇବା ପରେ ସେ ପାଠ ପଢ଼ାରେ ମନ ଦେଲେ । ହେଲେ ମନ ତାଙ୍କର ଥିଲା ଅଭିନୟ ପାଖରେ । ସେ କେମିତି ବି ହେଉ ନିଜ ସ୍ୱପ୍ନ ପୂରା କରିବାକୁ ଚାହୁଁଥିଲେ । ଆଉ ଦିନେ କାହାକୁ କିଛି ନଜଣାଇ ଘରୁ ଲୁଚି ପଳାଇ ଆସିଥିଲେ ବେଙ୍ଗାଲୁରୁ । ହାତରେ ଥିଲା ମାତ୍ର ୩ ଶହ ଟଙ୍କା । ସେଇଠୁ ଆରମ୍ଭ ହୋଇଥିଲା ୟଶଙ୍କ ସଂଘର୍ଷ ଯାତ୍ରା ।

ଏତେ ସହଜ ନଥିଲା ୟଶଙ୍କ ସଫଳତାର ଯାତ୍ରା । ହାତରେ ମାତ୍ର ୩୦୦ ଟଙ୍କା ସେ ପୁଣି ବେଙ୍ଗାଲୁରୁ ଭଳି ସହରରେ । ତାଙ୍କୁ ଡର ଲାଗୁଥିଲା, ହେଲେ ସଂଘର୍ଷ କରିବାକୁ ସେ ଡରୁ ନଥିଲେ । କାହିଁକି ନା ମନରେ ଥିଲା ଗୋଟିଏ ଲକ୍ଷ୍ୟ, ମୁଁ ଷ୍ଟାର ହେବି । ଆଉ ଏହି ଗୋଟିଏ ଲକ୍ଷ୍ୟ ହିଁ ତାଙ୍କୁ ସଂଘର୍ଷ କରିବାକୁ ସାହସ ଯୋଗାଇଥିଲା ।

ପ୍ରଥମେ ସେ ଥିଏଟରରେ କାମ କରୁଥିଲେ । ହେଲେ ଅଭିନୟ ନୁହେଁ, ବ୍ୟାକଷ୍ଟେଜରେ କାମ କରି ଟଙ୍କା ରୋଜଗାର କରୁଥିଲେ ଓ ନିଜ ପେଟ ପୋଷୁଥିଲେ । ପରେ ୨୦୦୮ରେ ୟଶଙ୍କୁ ମିଳିଥିଲା ବଡ ବ୍ରେକ୍ । ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବାକୁ ମିଳିଥିଲା ସୁଯୋଗ । କନ୍ନଡ ଫିଲ୍ମ ‘ମୋଗିନା ମନାସୁ’ ଜରିଆରେ ବଡ ପରଦାରେ ଏଣ୍ଟ୍ରି ମାରିଲେ ୟଶ୍ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ବେଷ୍ଟ ସପୋର୍ଟିଂ ଆକ୍ଟରର ଫିଲ୍ମ ଫେୟାର ଆୱାର୍ଡ । ଆଉ ତା’ପରେ ରାଜଧାନୀ, ଗଜକେଶରୀ, ମାଷ୍ଟରପିସ୍ ଭଳି ହିଟ୍ ଫିଲ୍ମରେ ଅଭନୟ କରିଥିଲେ ୟଶ ।  ତେବେ ତାଙ୍କୁ ପରିଚୟ ଦେଇଥିଲା ଫିଲ୍ମ ‘କେଜିଏଫ୍’ ଚାପ୍ଟର ୱାନ୍ । ଯାହା ବକ୍ସ ଅଫିସରେ କରିଥିଲା ଧମାଲ୍ ।

ଏହି ଫିଲ୍ମ ପରେ ୟଶ୍ ସାଜିଗଲେ ସୁପରଷ୍ଟାର୍ । ତେବେ ୟଶ୍ ବ୍ୟକ୍ତିଗତ ଜୀବନରେ ଖୁବ୍ ଶାନ୍ତ ସ୍ୱଭାବର ମଣିଷ । ୟଶ୍ ଆଜି ଯାଏଁ କେବେ ବି କୌଣସି ବିବାଦରେ ପଡି ନାହାନ୍ତି । ରାଧିକା ପଣ୍ଡିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ପରେ ସେ ତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୟଶଙ୍କ ପିତା ଏବେ ବି ବସ୍ ଡ୍ରାଇଭର କାମ କରୁଛନ୍ତି । ଆପଣ ଭାବୁଥିବେ ଯେ ପୁଅ ଏତେ ବଡ଼ ଷ୍ଟାର ହେଲେ ପିତା ବସ୍ ଡ୍ରାଇଭର ? ବାସ୍ତବରେ ୟଶଙ୍କ ପିତା କୁହନ୍ତି ଯେ ସେ ଏହି କାମ କରି ହିଁ ପୁଅ ୟଶକୁ ଏତେ ବଡ଼ କରିପାରିଛନ୍ତି । ତେଣୁ ସେ କେବେ ବି ଏହି କାମକୁ ଅସମ୍ମାନ କରିବେ ନାହିଁ । ଯେତେଦିନ ପାରିବେ ସେତେଦିନ ପର୍ଯ୍ୟନ୍ତ ସେ ବସ୍ ଡ୍ରାଇଭର ହିଁ ରହିବେ ।