spot_img
Home Blog Page 4482

ଋଷ-ୟୁକ୍ରେନ ଯୁଦ୍ଧରେ ପଡ଼ିପାରେ ଯବନିକା, ମଙ୍ଗଳବାର ଆଣ୍ଟୋନିଓ-ପୁଟିନ ଭେଟଘାଟ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ପଦକ୍ଷେପ ନେବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଆସନ୍ତା ମଙ୍ଗଳବାର ସେ ମସ୍କୋ ଗସ୍ତ କରି ଯୁଦ୍ଧରେ ଯବନିକା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ। ପରେ ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ହାତବାନ୍ଧି ବସିଥିବା ଜାତିସଂଘ ମହାସଚିବ ବ୍ୟକ୍ତିଗତ ସ୍ତରରେ ଆଲୋଚନା ଲାଗି ଉଦ୍ୟମ କରିଛନ୍ତି । ଗସ୍ତ ନେଇ ଜାତିସଂଘ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଚୀନ ଓ ଋଷ ମଧ୍ୟରେ ସମ୍ପର୍କରେ ଫାଟ ଯୋଗୁ ଜାତିସଂଘ ସମସ୍ୟାରେ ପଡ଼ିଛି । ଏପରିକି ଆକ୍ରମଣକୁ ଚୀନ ନିନ୍ଦା କରି ନଥିବା ବେଳେ ଋଷ ପାଶ୍ଚାତ୍ୟ ରାଷ୍ଟ୍ର ଚକ୍ରାନ୍ତର ଶିକାର ହୋଇଛି ବୋଲି କହିଆସିଛି ଚୀନ । ଗତ ମାର୍ଚ୍ଚ ୨୬ରେ ଶେଷ ଥର ଲାଗି ଗୁଟେରସ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ ।

ସେପଟେ ଜେଲେନସ୍କି କହିଛନ୍ତି, ୟୁକ୍ରେନ ଉପରେ ଋଷର ଆକ୍ରମଣ ଏଇମାତ୍ର ଆରମ୍ଭ ହୋଇଛି ଏବଂ ସାରା ୟୁକ୍ରେନକୁ କବଜା କରିବା ଲାଗି ଋଷ ଯୋଜନା କରିଛି । ଏହା ସହ ୟୁକ୍ରେନକୁ ସହାୟତା ଲାଗି ପୁଣି ଥରେ ବିଭିନ୍ନ ରାଷ୍ଟ୍ରକୁ ଅନୁରୋଧ କରିଛନ୍ତି ଜେଲେନସ୍କି । ବର୍ତ୍ତମାନ ୟୁକ୍ରେନର ପ୍ରାୟ ସମସ୍ତ ଉପକୂଳ ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ଋଷ । ସେପଟେ ମସ୍କୋ ବି କହିଛି, ସାମ୍ରାଜ୍ୟବାଦୀ ଶକ୍ତିଙ୍କଠାରୁ ପୂର୍ବ ଓ ଦକ୍ଷିଣାଞ୍ଚଳ ୟୁକ୍ରେନକୁ ମୁକ୍ତ କରିବା ଲାଗି ଋଷ ଅଭିଯାନ ଜାରି ରଖିଛି । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି, ଦକ୍ଷିଣ ୟୁକ୍ରେନର ରାଜନୈତିକ ଭବିଷ୍ୟତକୁ ଋଷ ଗୁରୁତ୍ବ ଦେଉଛି ।

ଅନ୍ୟପଟେ ୟୁକ୍ରେନକୁ ଭାରୀ ସାମରିକ ଅସ୍ତ୍ର ପ୍ରଦାନ କରିବା ଲାଗି ଘୋଷଣା କରିଛି କାନାଡ଼ା । ସେହିପରି ଯୁଦ୍ଧକୁ ନେଇ ଆସୁଛି ୟୁକ୍ରେନବାସୀଙ୍କ ଦୟନୀୟତାର ଚିତ୍ର । ବିଭିନ୍ନ ମାରାତ୍ମକ ରୋଗରେ ସଢୁଥିବା ଲୋକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି । ହୃଦରୋଗ, ମଧୁମେହ, କର୍କଟ ରୋଗରେ ହଜାର ହଜାର ଲୋକ ଜୀବନ ମରଣ ସମସ୍ୟାରେ ଛଟପଟ ହେଉଥିବା ସୂଚନା ମିଳିଛି । କୌଣସି ସ୍ଥାନରେ ସ୍ବାସ୍ଥ୍ୟସେବା ମିଳୁ ନଥିବାରୁ, ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି ।

 

ମସଜିଦରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୩ ଜୀବନ

କାବୁଲ: ସମୂହ ନମାଜ ପାଠ ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗତକାଲି ପ୍ରାର୍ଥନା ବେଳେ ବିସ୍ଫୋରଣ ହେବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି।ଏହାର ଦିନକ ପୂର୍ବରୁ ମଧ୍ୟ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ୍‌ ନିଜକୁ ଦାୟୀ କରିଛି। ଏହି ହମଲା ପାଇଁ ଆଇଏସଆଇଏସ୍‌ ବିବୃତି ଜାରି କରିବାର ଦିନକ ପରେ ହିଁ ପୁଣି ଏକ ମସଜିଦରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ଶୁକ୍ରବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଥିଲେ ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ସେ କହିଛନ୍ତି, “କୁଣ୍ଡୁଜରେ ଥିବା ଗୋଟିଏ ମସଜିଦରେ ଆତଙ୍କାବାଦୀମାନେ ଆକ୍ରମଣ କରିଛନ୍ତି। ସମୂହ ନମାଜ ପାଠ ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ଏହି ଆକ୍ରମଣ ହୋଇଛି । ଏହି ଘଟଣାରେ ଛୋଟ ପିଲାଙ୍କ ସହ ମୋଟ ୩୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ଆମେ ଏହି ଘଟଣାକୁ ନିନ୍ଦା କରୁଛୁ ଓ ମୃତାହତଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛୁ।”

ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁରେ ଚାଞ୍ଚଲ୍ୟ, ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁରେ ଚାଞ୍ଚଲ୍ୟ । ହଂସପୁର ଗାଁର ମୁଖ୍ୟରାସ୍ତାରେ ଜଣଙ୍କୁ ବାଡ଼େଇ ବାଡ଼େଇ ହତ୍ୟା । ମୃତକ ହେଲେ ହଂସପୁର ବଡ଼ସାହିର କୃଷ୍ଣ ପରିଡ଼ା  । ସେ ପ୍ରଥମେ ବିବାହ କରିଥିଲେ, କିନ୍ତୁ କିଛି ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା । ପୁଣି ସେ ବିବାହ କରିଥାନ୍ତେ । ମାଆ ଓ ଭଣଜାଙ୍କୁ ନେଇ ତାଙ୍କ ପରିବାର । ସିମେଣ୍ଟ ଦୋକାନ କରି ପରିବାର ଗୁଜରାଣ ମେଣ୍ଟାଉଥିଲେ କୃଷ୍ଣ ପରିଡ଼ା ।

ତେବେ କିଏ ଓ କାହିଁକି କୃଷ୍ଣ ପରିଡ଼ାଙ୍କୁ ହତ୍ୟା କରିଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି । ଦୁର୍ବୃତ୍ତ କୃଷ୍ଣଙ୍କୁ ପଛପଟୁ ଅତର୍କିତ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିଦାନ ଓ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ରୋଗୀ ସେବା । କର୍କଟ ରୋଗୀଙ୍କୁ ଅନ୍ୟତ୍ର କିମ୍ବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ମିଳିଲା ପ୍ରଶାସନିକ ଅନୁମୋଦନ । ପ୍ରତିଷ୍ଠା ହେବ ରାଜ୍ୟ ଜନ ସ୍ଵାସ୍ଥ୍ୟ ନିଦାନ ବା ପରୀକ୍ଷାଗାର ଏବଂ କ୍ୟାନ୍ସର କେୟାର ସେଣ୍ଟର । କ୍ୟାନ୍ସର କେୟାର ସେଣ୍ଟର ପାଇଁ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ, ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୪୯ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି ।

ରାଜ୍ୟ ଜନସ୍ଵାସ୍ଥ୍ୟ ନିଦାନ ବିଭାଗ ପାଇଁ ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ, ଏଥିପାଇଁ ବିଭାଗ ପକ୍ଷରୁ ୨୦ କୋଟି ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନୁମୋଦନ ମିଳିଛ । ଉଭୟ ବିଭାଗ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର, ସୁମନ ବେରି ହେବେ ନୂଆ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଅଚାନକ ଇସ୍ତଫା । ଗତ ଅଗଷ୍ଟ ୨୦୧୭ରୁ ନୀତି ଆୟୋଗର ଉପାଧ୍ୟକ୍ଷ ଦାୟିତ୍ବ ନେଇଥିବା ରାଜୀବ କୁମାରଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜୀବଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ସରକାର । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ରାଜୀବ କୁମାର ସରକାରଙ୍କ ବହୁ ଗୁରୁତ୍ବ ଯୋଜନାରେ ସାମିଲ ଥିଲେ । ସେ ମଧ୍ୟ ସେଣ୍ଟର ଫର ପଲିସି ରିସର୍ଚ୍ଚର ସିନିୟର ଫେଲୋ ଥିଲେ । ଅରବିନ୍ଦ ପାନଗାରିୟାଙ୍କ ସ୍ଥାନରେ ନିଯୁକ୍ତି ପାଇଥିଲେ ରାଜୀବ କୁମାର । ଅଚଳ ସମ୍ପତ୍ତିକୁ କାର୍ଯ୍ୟକ୍ଷମ କରିବା, ପୁଞ୍ଜି ପ୍ରତ୍ୟାହାର ଆଦି ପ୍ରସଙ୍ଗରେ ସେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା ।

ରାଜୀବ କୁମାର ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ସୁମନ ବେରୀ । ନ୍ୟାସନାଲ କାଉନସିଲ୍ ଫର ଆପ୍ଲାଏଡ ଇକୋନମିକ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଭାବରେ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ସୁମନ । ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ସମ୍ପର୍କିତ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଆଜିଠୁ ଆରମ୍ଭ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦଘାଟନ କରିବେ । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନର ଏହି ମେଳାରେ ଚଳିତ ବର୍ଷ ମୋଟ୍‍ ୧୦୦ଟି ଷ୍ଟଲ ପଡ଼ିଥିବା ବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ମେଳାରେ ଯୋଗ ଦେଇଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ କଳାନୈପୂଣ୍ୟ ପ୍ରଦର୍ଶନ ସହ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ।

ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀମାନଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ । ସେହିପରି ଚଳିତ ଥର ଫୁଡ କୋର୍ଟ ମଧ୍ୟ ହୋଇନାହିଁ । ସୂଚନା ଅନୁସାରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇଥାଏ । କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ହୋଇପାରିନଥିଲା ।

ଅସହ୍ୟ ତାତିରେ ଆଉଟୁ ପାଉଟୁ ଓଡ଼ିଶା, କାଲିଠୁ ଆହୁରି ବଢ଼ିବ ପାରଦ

ଭୁବନେଶ୍ୱର: ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ଓଡ଼ିଶା । କାଲିଠୁ ଆହୁରି ବଢ଼ିବ ପାରଦ । କାଳ ବୈଶାଖୀ ବର୍ଷା ଫଳରେ ଦୁଇ ଦିନ ସାମାନ୍ୟ ତାତି କମିଥିବାବେଳେ ଆସନ୍ତାକାଲିଠାରୁ ପୁଣି ବଢ଼ିବ ପାରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା । ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ୪୦ ଡିଗ୍ରୀ ଉପର ରହିବ ତାପମାତ୍ରା । ଦିନରେ ଅତ୍ୟଧିକ ଗରମ ଓ ସଂଧ୍ୟାରେ କାଳ ବୈଶାଖୀ ବର୍ଷା ଲୋକଙ୍କୁ ପାଇଁ କାଳ ସାଜୁଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲଶ୍ବର ଓ ଭଦ୍ରକରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗୋଟିଏ କିମ୍ବା ୨ଟି ସ୍ଥାନରେ କୁଆପଥର ବର୍ଷା ସହ ଘଡଘଡି ଜନିତ ବର୍ଷା ହେବା ନେଇ ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ।

ବାହାଘର ପ୍ରୋସେସନ ବେଳେ ପାଟିତୁଣ୍ଡ, ଟେଣ୍ଟ ମାଲିକଙ୍କୁ ହାଣିଦେଲେ ଡିଜେ ଗାଡ଼ି କର୍ମଚାରୀ

ପୁରୀ: ଡିଜେ ଗାଡ଼ି ଟେଣ୍ଟ କପଡ଼ା ଚିରାରୁ ପାଟିତୁଣ୍ଡ । ଟେଣ୍ଟ ମାଲିକଙ୍କୁ ହାଣିଦେଲା ଡିଜେ ଗାଡ଼ି କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନିମାପଡ଼ାରୁ ବାଲିକନ୍ଦଳକୁ ବରଯାତ୍ରୀ ଯାଉଥିଲେ । ରୋଷଣୀ କରି ଯାଉଥିବା ବେଳେ ସେହି ଗାଁର ଅନ୍ୟ ଏକ ବିବାହ ଉତ୍ସବରେ ଲାଗିଥିବା ଟେଣ୍ଟକୁ ଚିରି ପକାଇଥିଲା ଡିଜେ ଗାଡ଼ି । ଏହା ଦେଖି ଟେଣ୍ଟ ମାଲିକ ପପୁ ପ୍ରଧାନ ଏକୁଟିଆ ଯାଇ ବାଲିକନ୍ଦଳ ଗାଁ ମୁଣ୍ଡରେ ଡିଜେ ଗାଡ଼ିକୁ ଅଟକାଇଥିଲେ । ଘଟଣାକୁ ନେଇ ପାଟିତୁଣ୍ଡ ହେବାରୁ ଡିଜେ ଗାଡ଼ିରେ ଥିବା କର୍ମଚାରୀମାନେ ଟେଣ୍ଟ ମାଲିକ ପପୁଙ୍କୁ ହାଣି ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପପୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଘଟଣାକୁ ନେଇ ଏରବଙ୍ଗ ଗାଁର ଶତାଧିକ ଲୋକେ ଉତ୍ତ୍ୟକ୍ତ ହୋଇ ଡିଜେ ପାଇଁ ଆସିଥିବା ଭାଗି ବେହେରାଙ୍କ ବିବାହ ମଣ୍ଡପକୁ ଭଙ୍ଗାରୁଜା କରିବା ସହ ଭୋଜି ଖାଦ୍ୟକୁ ଫୋପଡ଼ା ଫିଙ୍ଗା କରିଥିଲେ । ଘଟଣାସ୍ଥଳରେ ଗୋପ, କୋଣାର୍କ, ନିମାପଡ଼ା ଆଇଆଇସି ଓ ନିମାପଡ଼ା ଏସଡିପିଓଙ୍କ ସମେତ ଅନେକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କନ୍ୟାର ଭିଣୋଇ ସମେତ ବରଯାତ୍ରୀଙ୍କ ସମସ୍ତ ଗାଡିକୁ ଥାନାରେ ଅଟକ ରଖିଛି ଗୋପ ପୋଲିସ । ଖୁବଶୀଘ୍ର ଡିଜେ ଗାଡ଼ି ଓ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଥିବା ବେଳେ ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁର ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ଅଛନ୍ତି ।

ଆଜିଠୁ ୩ ଦିନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଓ୍ବାନ ଟୁ ଓ୍ବାନ

ଭୁବନେଶ୍ୱର: ଆହୁରି ସଶକ୍ତ ହେବ ବିଜେଡି । ରାଜ୍ୟ ସରକାରଙ୍କ ପ୍ରତିଟି ଲୋକାଭିମୁଖୀ ଯୋଜନା ଓ ବିକାଶ ସହ ଯୋଡ଼ି ହେବେ ସାଧାରଣ ଲୋକ । ଆଜିଠାରୁ ୩ ଦିନ ସାଙ୍ଗଠନିକ ସ୍ଥିତିକୁ ନେଇ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୩ଟି ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ନିବାସରେ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ପ୍ରତ୍ୟେକ ଦିନ ୧୦ରୁ ୧୧ ଜଣ ପର୍ଯ୍ୟବେକ୍ଷକ ଏହି ବୈଠକରେ ଯୋଗଦେବେ । ସକାଳୁ ସନ୍ଧ୍ୟା ଭିତରେ ବିଭିନ୍ନ ସମୟରେ ଦୁଇରୁ ତିନିଜଣ ଲେଖାଏଁ ପର୍ଯ୍ୟବେକ୍ଷକମାନଙ୍କ ସହିତ ସଭାପତି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଆଗାମୀ ଦିନରେ ସଂଗଠନକୁ ଲୋକପ୍ରିୟତାର ଶୀର୍ଷରେ ପହଁଚାଇବାକୁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଫଳତା ଓ ବିଫଳତାର ହିସାବ ନେବେ । ଏଥିସହିତ ଯେଉଁ ଜିଲ୍ଲାପରିଷଦ ଜୋନରେ ଆଶାନୁରୂପ ପ୍ରଦର୍ଶନ କରିପାରିନି ଦଳ, ସେଠାରେ ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।

ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ

ମସ୍କୋ: ୟୁକ୍ରେନକୁ ଫେରିବ କି ଶାନ୍ତି ? କେବେ ବନ୍ଦ ହେବ ଯୁଦ୍ଧ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ବିତିବାକୁ ଯାଉଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ । ମଙ୍ଗଳବାର ଉଭୟଙ୍କ ମଧ୍ୟରେ ମସ୍କୋରେ ହେବ ଶାନ୍ତି ନେଇ ଶୀର୍ଷ ଆଲୋଚନା । ଏହା ସହ ପଡ଼ିପାରେ ଯୁଦ୍ଧରେ ଯବନିକା ।

ଦିନକୁ ଦିନ ୟୁକ୍ରେନ୍ ଯୁଦ୍ଧ ଜୋର ଧରିଥିବା ବେଳେ ୨ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଗୁଟେରସ ପ୍ରଥମ ଥର ଲାଗି ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ବେଳେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭଙ୍କ ସହ ବି ଗୁଟେରସ କରିବେ ଆଲୋଚନା । ଯୁଦ୍ଧକୁ ଦୁଇମାସ ପୂରିବାକୁ ଯାଉଥିବାବେଳେ ଗୁଟେରସଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

ଏନେଇ ଗୁଟରେସ୍ ପୁଟିନଙ୍କ ସହ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଚିଠି ଲେଖି ମସ୍କୋରେ ଭେଟିବାକୁ କହିଛନ୍ତି । ଏନେଇ ଗୁଟରେସ୍ ୨ଟି ଅଲଗା ଅଲଗା ଚିଠି ଋଷିଆନ୍ ଫେଡେରେସନ୍ ଓ ୟୁକ୍ରେନକୁ ଲେଖିଥିବା ଜଣାପଡ଼ିଛି ।