୮୭ ବର୍ଷ ବୟସରେ ଦଶମ ପାସ୍ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ୮୭ ବର୍ଷ ବୟସରେ ଦଶମ ପାସ୍ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଖ୍ୟାତ ରାଜନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ମଙ୍ଗଳବାର ସକାଳେ ରାଜ୍ୟ ଶିକ୍ଷା ବିଭାଗ ତାଙ୍କୁ ‘ମାର୍କସିଟ୍‌’ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଦିନ ବୀର ଶିରୋମଣି ମହାରାଣା ପ୍ରତାପଙ୍କ ୪୨୮ତମ ଜୟନ୍ତୀରେ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକ୍‌ ଦଲ୍‌’ ମୁଖ୍ୟ ଓମ୍‌ପ୍ରକାଶ ଚୌତାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ‌େ ଉତ୍ସବସ୍ଥଳରେ ପହଞ୍ଚିବା କ୍ଷଣି ଶିକ୍ଷା ବ‌ୋର୍ଡର ଅଧିକାରୀମାନେ ତାଙ୍କୁ ପରୀକ୍ଷା ଫଳାଫଳ ପ୍ରଦାନ କରିଥିଲେ।

୨୦୧୯ରେ ଓମ୍‌ପ୍ରକାଶ ଚୌତାଲା ୧୦ଶ୍ରେଣୀ ପରୀକ୍ଷା ଦେଇଥିଲେ କିନ୍ତୁ, ଇଂରାଜୀ ପରୀକ୍ଷା ଦେଇ ପାରି ନ ଥିଲେ। ଏଥିଯୋଗୁଁ ‘ହରିୟାଣା ସ୍କୁଲ୍‌ ଏଡୁକେସନ୍‌ ବୋର୍ଡ’ ତାଙ୍କ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ସ୍ଥଗିତ ରଖିଥିଲେ। ଶେଷରେ ଗତ ଅଗଷ୍ଟ ମାସରେ ସେ ଇଂରାଜୀ ପରୀକ୍ଷା ଦେଇ ୮୮% ନମ୍ବର ରଖିଲେ ।

ତେବେ କେବଳ ସେତିକି ନୁହେଁ ଚୌତାଲା ୧୦ମ ପରୀକ୍ଷା ଦେବା ଉପରେ ଅଭିଷେକ ବଚ୍ଚନଙ୍କ ‘ଦଶ୍‌ୱି’ ଚଳଚ୍ଚିତ୍ର ପର୍ଯ୍ୟବେଶିତ ହୋଇଛି । ଏଥିରେ ଅଭିଷେକ ବଚ୍ଚନ ଓ ନିମ୍‌ରତ୍‌ କ‌ୌର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ଚୌତାଲା ଦଶମ ପାସ କରିବା ପରେ ଟୁଇଟ୍‌ କରି ଅଭିଷେକ ଓ ନିମ୍ରତ କୌର୍‌ ଚୌତାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିଷେକ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ବଧାଇ ଦଶ୍‌ୱି । ଆଉ ନିମ୍‌ରତ୍‌ ଲେଖିଛନ୍ତି ଯେ, ଅତି ଚମତ୍କାର। ବାସ୍ତବରେ ବୟସ ଗୋଟିଏ ଯୋଡ଼ିଏ ସଂଖ୍ୟା ମାତ୍ର।