spot_img
Home Blog Page 4481

ଦୁର୍ଘଟଣା ସମୟରେ କାର ଏୟାରବ୍ୟାଗ୍ କାମ ନଦେଲେ କମ୍ପାନୀକୁ ଦେବାକୁ  ହେବ କ୍ଷତିପୁରଣ

ନୂଆଦିଲ୍ଲୀ: ପୂର୍ବରୁ ଯଦିଓ କାରରେ ଏୟାରବ୍ୟାଗ୍‌ ଆସୁନଥିଲା ଏବେ କିନ୍ତୁ ନିରାପତ୍ତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କାର୍‌ କମ୍ପାନୀ ଗାଡ଼ିରେ ଏୟାର ବ୍ୟାଗ୍‌ ବା ବେଲୁନ୍‌ ଦେଉଛନ୍ତି । ଏହାଦ୍ୱାରା ଜଣେ ବ୍ୟକ୍ତି ସହଜରେ ଦୁର୍ଘଟଣାରୁ ବର୍ତ୍ତିଯିବ । ଏହି ନିରାପତ୍ତାକୁ ଦୃଷ୍ଟିରେ ରଖି ଅକ୍ୱୋବର ୧ ତାରିଖରୁ ସମସ୍ତ ୬ ସିଟର ଗାଡ଼ିରେ ୬ଟି ଏୟାର ବ୍ୟାଗକୁ ବାଧ୍ୟତାମଳକ କରାଯିବ ବୋଲି କହିଛନ୍ତି ସରକାର ।  କିନ୍ତୁ ଏୟାରବ୍ୟାଗକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତିଯେ, ଯଦି କୌଣସି ଦୁର୍ଘଟଣାରେ ଏୟାରବ୍ୟାଗ୍‌ କାମ କରିବ ନାହିଁ ତେବେ କମ୍ପାନୀ ସମସ୍ତ କ୍ଷତିପୂରଣ ଭରଣ କରିବ ।

କୋର୍ଟ ଠିକ୍‌ ଏହିଭଳି ଏକ ମାମଲାରେ କାର ନିର୍ମାତା ହୁଣ୍ଡାଇକୁ କହିଛନ୍ତିଯେ, ଦୁର୍ଘଟଣାରେ ହୋଇଥିବା ଦୁର୍ଘଟଣା ପାଇଁ ଶୈଳେନ୍ଦ୍ର ଭଟ୍ଟନାଗର ନାମକ ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ । ଯେଉଁ ଦୁର୍ଘଟଣା ୨୦୧୭ ମସିହାରେ ହୋଇଥିଲା ।  ଶୈଳେନ୍ଦ୍ର ଭଟ୍ଟନାଗର ଅଗଷ୍ଟ ୨୦୧୫ରେ ହ୍ୟୁଣ୍ଡାଇର କ୍ରେଟା କିଣିଥିଲେ । ନଭେମ୍ବର ୨୦୧୭ରେ ତାଙ୍କର ଗାଡ଼ିରେ ଏକ ଦୁର୍ଘଟଣା ଘଟିଥିଲା ।  ଭଟ୍ଟନାଗର କଂଜ୍ୟୁମର ଫୋରମରେ ଏତଲା ଦେଇଥିଲେ । ତାଙ୍କ କହିବା ଥିଲା କ୍ରେଟାର ନିରାପତ୍ତା ଫିଚରକୁ ନଜରରେ ରଖି ସେ ଉକ୍ତ ଗାଡ଼ି କିଣିଥିଲେ । କିନ୍ତୁ ଦୁର୍ଘଟଣା ଘଟିଲା । ଦୁର୍ଘଟଣା ଘଟିବା ସ୍ୱଭାବିକ କଥା । କିନ୍ତୁ ଏୟାରବ୍ୟାଗ୍‌ କାମ କଲା ନାହିଁ । ଯାହାଦ୍ୱାରା ତାଙ୍କୁ ଗମ୍ଭୀର ଆଘାତ ଲାଗିଲା ।

କଂଜ୍ୟୁମର ଫୋରମର ଗୋଟିଏ ଆଦେଶରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଗଲା । କୋର୍ଟ ଗାଡ଼ି କମ୍ପାନୀକୁ ଗାଡ଼ି ରିପ୍ଲେସ ପାଇଁ ଆଦେଶ ଦେଲେ । କମ୍ପାନୀର କହିବା ଥିଲା ଯେପର୍ଯ୍ୟନ୍ତ ସାମ୍ନାରୁ ଶକ୍ତ ଝଟକା ନଲାଗିଛି ଏୟାରବ୍ୟାଗ୍‌ କାମ କରେ ନାହିଁ । କିନ୍ତୁ କୋର୍ଟ କହିଲେ, ଗ୍ରାହକ ଫିଜିକ୍ସର ବିଶେଷଜ୍ଞ ନୁହଁନ୍ତି । ତେଣୁ କୌଣସି ଘଟଣାରେ ବ୍ୟାଗ ଏବଂ ତା’ର ଶକ୍ତି ବିଷୟରେ ଆକଳନ କରିବା ଅସମ୍ଭବ ।

କଲବଲ କରୁଛି ତାତି, ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ୱର: ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା । ସାରା ରାଜ୍ୟରେ ଅସହ୍ୟ ଖରା ସହ ଗରମ ଅନୁଭୂତ ହେଉଛି । ତେବେ ରାଜ୍ୟରେ ଏବେ ସବୁଠାରୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଗତକାଲି ଭୁବନେଶ୍ୱରେ ୪୦.୮ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ଗତକାଲିର ଏହି ରେକର୍ଡ ଆଜି ଭାଙ୍ଗିବ ଭୁବନେଶ୍ୱର । କାରଣ ଆଜି ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱରର ତାପମାତ୍ର ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ଓ ଚାନ୍ଦବାଲିରେ ୩୭.୮ ଡିଗ୍ରୀ, ବାଲେଶ୍ୱର ୩୭.୨ ଡିଗ୍ରୀ, ସମ୍ବଲପୁରରେ ୩୭ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦ୍ୱୀପରେ ୩୧.୮ ଡିଗ୍ରୀ ଓ ଗୋପାଳପୁରରେ ୩୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କ୍ୟାରିୟର ଆରମ୍ଭରେ ଷ୍ଟୁଡିଓ ଚଟାଣ ସଫା କରୁଥିଲେ ରବିନା

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ KGF-2ରେ ଅଭିନୟ କରିଥିବା ପ୍ରତେକ ଚରିତ୍ରକୁ ନେଇ ଚର୍ଚ୍ଚା ହେଉଛି । ଏଥିରେ ଅଭିନୟ କରିଛନ୍ତି ୨ଜଣ ବଲିଉଡ୍ ସେଲିବ୍ରିଟି । ରବିନା ଟଣ୍ଡନ ଏବଂ ସଞ୍ଜୟ ଦତ୍ତଙ୍କ ଚରିତ୍ର ଏବଂ ଅଭିନୟକୁ ସିନେମା ପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି ।

ଏବେ କିନ୍ତୁ ରବିନା ନିଜର ଏକ ପୂରୁଣା ଅନୁଭୁତି ସେୟାର କରିଛନ୍ତି । ସେ କହିଛନ୍ତି ଯେ, ମୋ କ୍ୟାରିୟର୍ ଆରମ୍ଭରେ ମୋତେ ଷ୍ଟୁଡିଓ ଚଟାଣ ସଫା କରିବାକୁ କୁହାଯାଉଥିଲା । ସେ ଅଭିନେତ୍ରୀ ହେବେ ବୋଲି କେବେ ଭାବି ନଥିଲେ ।

ସେ ଆହୁରୀ କହିଛନ୍ତି ଯେ, ମୋ କାମ ଥିଲା ଷ୍ଟୁଡିଓ ଏବଂ ଗାଧୁଆଘର ଚଟାଣରେ ପଡ଼ିଥିବା ଅଳିଆ ସଫା କରିବା । ସେତେବେଳେ ଲୋକେ କହୁଥିଲେ ତୁମେ କ୍ୟାମେରା ପଛରେ କ’ଣ କରୁଛ ତୁମକୁ ତ କ୍ୟାମେରା ଆଗରେ ରହିବାର ଅଛି । ମୁଁ ସେତେବେଳେ କହୁଥିଲି ନା ନା ମୁଁ ପୁଣି ଅଭିନେତ୍ରୀ । ସିନେମା ଜଗତରେ ମୁଁ ଡିଫଲ୍ଟ । ମୁଁ କେବେ ଭାବି ନଥିଲି ମୁଁ ଅଭିନେତ୍ରୀ ହେବି ବୋଲି ।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ରବିନା ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର୍ କେ ଫୁଲ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ସେବେଠୁ ଆଜି ଯାଏ ସେ ବଲିଉଡରେ ଲମ୍ବା କ୍ୟାରିୟର୍ କରିଛନ୍ତି । ଏବେ KGF-2ରେ ତାଙ୍କର ଅଭିନୟ ଚର୍ଚ୍ଚାର ବିଷୟ ହୋଇଛି ।

ଆରମ୍ଭ ହେଲା ତିନି ଦିନିଆ ପର୍ଯ୍ୟବେକ୍ଷକ ବୈଠକ, ଜିଲ୍ଲାଓ୍ୱାରୀ ହିସାବ ନେଉଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ତୃଣମୂଳ ସ୍ତରରେ ବିଜେଡିକୁ ଆହୁରି ସୁଦୃଢ଼ ତଥା ସୁସଂଗଠିତ କରିବାକୁ ଆରମ୍ଭ ହୋଇଛି ପର୍ଯ୍ୟବେକ୍ଷକ ବୈଠକ । ୨୦୨୪ ସାଧାରଣ ନିର୍ବାଚନକୁ ପାଇଁ ବିଜେଡି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକଙ୍କ ସହ ୱାନ ଟୁ ୱାନ କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ୯ ଜିଲ୍ଲାର ୮ ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଆଜି ପ୍ରଥମେ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ କଥା ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୟାଗଡ଼ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଏହାପରେ ପରେ ନବୀନ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ସହ ଟିକନିକ୍ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଲୋଚନା ସମୟରେ ପୌର ଓ ପଞ୍ଚାୟତରେ କିଛି ସ୍ଥାନରେ କାହିଁକି ବିଜେଡି ପଛୁଆ ରହିଗଲା ତା’ର କାରଣ ୧୦ ଦିନ ଭିତରେ ରିପୋର୍ଟ କରିବାକୁ କୁହାଯାଇଛି । ମାଇକ୍ରୋ ଲେଭେଲରେ କ’ଣ ଅସୁବିଧା ତାହା ପଚାରି ବୁଝିଛନ୍ତି ନବୀନ ପଟ୍ଟନାୟକ । ତେବେ ନିର୍ବାଚନ ଏକ ନିରନ୍ତର ପ୍ରକ୍ରିୟା । ୨୦୨୪ ନିର୍ବାଚନ ପାଇଁ ବିଜେଡି ପୂରା ପ୍ରସ୍ତୁତ ବୋଲି ବୈଠକ ପରେ କହିଛନ୍ତି ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ । ଆଜି କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ବର, ନୟାଗଡ଼, ଅନୁଗୁଳ, ନବରଙ୍ଗପୁର, ଡେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ହେଉଛି ।

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କ୍ୱାର୍ଡ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କ୍ୱାର୍ଡ । କେନ୍ଦ୍ରୀୟ ଜୋନ୍ ସ୍କ୍ୱାର୍ଡରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଛନ୍ତି । ସେହିପରି ସମ୍ବଲପୁର ଜୋନାଲ୍ ସ୍କ୍ୱାର୍ଡରେ ୩୫ ଜଣ ରହିଥିବାବେଳେ ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାର୍ଡରେ ୩୦ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଯୁକ୍ତ ଦୁଇ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ୱାର୍ଡରେ ସଦସ୍ୟ ଭାବେ ସାମିଲ କରାଯାଇଛି ।

ଯେଉଁମାନେ ଏହି ସ୍କ୍ୱାର୍ଡରେ ରହିଛନ୍ତି ସେମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆସନ୍ତା ୨୬ ତାରିଖ ସୁଦ୍ଧା ରିଲିଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କେନ୍ଦ୍ରୀୟ ଜୋନ୍‌ର ସ୍କ୍ୱାର୍ଡରେ ସିଧାସଳଖ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକଙ୍କୁ ଏବଂ ବାକି ତିନୋଟି ଜୋନ୍‌ର ସଦସ୍ୟମାନେ ନିଜ ନିଜ ଜୋନ୍‌ରେ ୨୭ ତାରିଖ ସୁଦ୍ଧା ରିପୋଟିଂ କରିବାକୁ କୁହାଯାଇଛି । ସେହିପରି ୨୨ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ପରିବର୍ତ୍ତନ କରାଯାଇଛି ।

୩ଶହ ବର୍ଷ ପୁରୁଣା ମନ୍ଦିର ଭାଙ୍ଗିବାପାଇଁ କିଏ ଦେଇଥିଲା ଆଦେଶ?

ଅଲବର୍: କିଏ ଭାଙ୍ଗିଲା ୩ଶହ ବର୍ଷର ପୁରୁଣା ମନ୍ଦିର? କିଏ ଦେଇଥିଲା ଆଦେଶ ? ରାଜସ୍ଥାନରେ ଆଗାମୀ ବର୍ଷ ନିର୍ବାଚନ ଥିବାରୁ ଏତେ ବର୍ଷର ପୁରୁଣା ଶିବ ମନ୍ଦିର ଭାଙ୍ଗିବା ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି ।

ବିଜେପି ଉପରେ ହିନ୍ଦୁଙ୍କ ଭାବାବେଗ ଉପରେ ଆଘାତ ପହଞ୍ଚାଇବା ଆରୋପ ଲଗାଇଛି କଂଗ୍ରେସ । କଂଗ୍ରେସ ଆରୋପ ଲଗାଇଛି ଯେ, ଅଲବରର ଏହି ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ନଗରପାଳିକା ନେଇଛି ଯେଉଁଠି ବିଜେପି ବହୁମତରେ ଜିତିଛି ।

ଅଲବର ଜିଲ୍ଲା ପ୍ରଶାସନର କହିବା କଥା ହେଲା ନଗରପାଳିକା ବୈଠକରେ ସର୍ବସମ୍ମତିରେ ଅବୈଧ ନିର୍ମାଣ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିଲା । ଆଗକୁ ସହରରେ ମାଷ୍ଟର ପ୍ଲାନ୍ ଲାଗୁ ହେବ । ଏହି ପ୍ଲାନ କାର୍ଯ୍ୟକାରୀ ହେବା ନେଇ ଆସୁଥିବା ବାଧାକୁ ହଟେଇବାକୁ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିରେ ନଗରପାଳିକା ଅଧ୍ୟକ୍ଷ ସତିଶ ଦୁହାରିଆ ଏବଂ ଏଥିରେ ସାମିଲ ବୈଠକରେ ନିଆଯାଇଥିଲା ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଗତକାଲି ରାଜସ୍ଥାନର ଅଲବର ଜିଲ୍ଲାରେ ଥିବା ଏକ ୩ ଶହ ବର୍ଷ ପୁରୁଣା ଶିବ ମନ୍ଦିରକୁ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଥିଲା । ଶିବ ମନ୍ଦିରରେ ଜୋତା ପିନ୍ଧି ମୂର୍ତ୍ତି ଉପରେ ମେସିନ୍‌ ଚଲାଇବା ଦ୍ୱାରା ହିନ୍ଦୁବାଦୀ ସଙ୍ଗଠନକୁ ଗଭୀର ଆଘାତ ପହଞ୍ଚିଥିଲା ।  ଏହାକୁ ବିରୋଧ କରି ନଗର ପାଳିକା ଇଓ,ଏସଡିଏମ ଏବଂ ରାଜଗଡ଼ ବିଧାୟକଙ୍କ ବିରୋଧରେ ଏତଲା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ମନ୍ଦିର ଭଙ୍ଗାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି ।

ଯେଉଁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଛନ୍ତି ସେମାନେ କଳାପାହାଡ଼: ସୁର ରାଉତରାୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ । ବିରୋଧକାରୀଙ୍କ ଉପରେ ବର୍ଷିଲେ କଂଗ୍ରସ ବିଧାୟକ ସୁରେଶ ରାଉତରାୟ । ଦେଶର ସବୁ ମନ୍ଦିରର ବିକାଶ ହେଉଛି, ପୁରୀର କାହିଁକି ହେବନି? ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ବିକାଶ ସମୟରେ ବିରୋଧ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ମନ୍ଦିରରେ ବିକାଶମୂଳକ କାର୍ଯ୍ୟକ୍ରମ ହେବା ଦରକାର । ଏହାକୁ ବିରୋଧ କରିବା ଉଚିତ ନୁହେଁ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ କଳା ପାହାଡ଼ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ସୂଚନା ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ସୁରେଶ ରାଉତରାୟ । ଏହା ସହ ପୁରୀ ସହରକୁ ସୁନ୍ଦର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଟଣୀ ବିଧାୟକ । ଏହାସହ ରାଜ୍ୟର ସବୁ ଧର୍ମାନୁଷ୍ଠାନର ବିକାଶ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଦେଶରେ ୨୪ ଘଣ୍ଟାରେ ୨ ହଜାର ୫୨୭ ପଜିଟିଭ ଚିହ୍ନଟ, ଓଡ଼ିଶାରେ ସର୍ବନିମ୍ନ ଜଣେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୨ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟାରେ ଦେଶରେ ୩୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣ ୨ ହଜାରରୁ ଅଧିକ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି । ଏହି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୦୭୯ ରହିଛି । ସେହିପରି ପଜିଟିଭିଟି ରେଟ କଥା ଯଦି କହିବା ତାହାଲେ ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ ୦.୫୬ ରହିଛି । ତେବେ ଗତ ୨୪ ଘଣ୍ଟାରେ ୧ ହଜାର ୬୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ କିନ୍ତୁ ଆଶ୍ବସ୍ତିକର ସ୍ଥିତି ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ରାଜ୍ୟରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରର ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ସେ କ୍ବାରେଣ୍ଟାଇନରେ ଥିଲେ । ଶୂନରୁ ୧୮ ବର୍ଷ ବୟସର କେହି ବି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଆକ୍ଟିଭ କେସ୍ ଶହେ ତଳେ ରହିଛି । ରାଜ୍ୟରେ ଆକ୍ଟିଭ କେସ୍ ୮୫ ଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ ଆକ୍ରନ୍ତ ।

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି

ନନ୍ଦିଘୋଷ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଚେତାବନୀ ଦେଲା ୟୁଜିସି ।  ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ଏଆଇସିଟିଇ  ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ। ଏହା କଲେ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।

ୟୁଜିସି ଏବଂ ଏଆଇସିଟିଇ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଭାରତର ଯେ କୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେ କୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତର ଚାକିରୀ କିମ୍ବା ଉଚ୍ଚଶିକ୍ଷା ପାଇବାକୁ ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ।

ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ୱାରା ନାଗରିକତ୍ୱ ପ୍ରାପ୍ତ ପ୍ରବାସୀ ତଥା ସେମାନଙ୍କ ପିଲାମାନେ ଗୃହ ମନ୍ତ୍ରୀଳୟରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏନେଇ ୟୁଜିସି ପକ୍ଷରୁ ଏକ ବିଂଜ୍ଞପ୍ତି ପ୍ରକାଶ ପାଇଛି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଭାବେ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ। କୋଭିଡ -୧୯ ମହାମାରୀ ପରେ ଚୀନ୍ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡ଼ଭାଇଜାରୀ ଆସିଥିଲା।

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ମୟୂରଭଞ୍ଜ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ । ମୟୂରଭଞ୍ଜ ଝାରପୋଖରିଆ ଥାନା ପାଣ୍ଡରା ଗାଁରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ । ମୃତକ ହେଲେ ଅଞ୍ଜଳି ସିଂ। ଅଭିଯୁକ୍ତ ନିଶାଶକ୍ତ ସ୍ବାମୀ କାହ୍ନୁ ସିଂ । ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ନିଶାସକ୍ତ ସ୍ବାମୀ କାହ୍ନୁ ପତ୍ନୀ ଅଞ୍ଜଳିକୁ ନୃଶଂସ ଭାବେ ମାଡ଼ ମାରି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

କିନ୍ତୁ ପତ୍ନୀହନ୍ତା କାହ୍ନୁ ସିଂର କହିବା କଥା, କାମରୁ ଫେରିବା ବେଳକୁ ସ୍ତ୍ରୀ ଘରେ ନଥିଲା । ଅସଞ୍ଜତ ଅବସ୍ଥାରେ ଦେଖିବା ପରେ ରାଗିଯାଇ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ କଚାଡ଼ି ଦେଇଥିଲା । ଫଳରେ କାହ୍ନୁଙ୍କ ସ୍ତ୍ରୀ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା । କାହ୍ନୁ ଓ ଅଞ୍ଜଳୀଙ୍କର ୨ ସନ୍ତାନ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏଥିସହ ମୃତ ସ୍ତ୍ରୀ ଅଞ୍ଜଳିର ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ରଘୁନାଥ ମୁର୍ମୁ ମେଡ଼ିକାଲକୁ ପଠାଯାଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ଘଟଣାର ତଦନ୍ତ କରିବ ପୋଲିସ ।