ବରଗଡ଼ ଜିଲ୍ଲା ବରପାଲିରେ ଚାଞ୍ଚଲ୍ୟ, ଦୁଇଦିନରେ ମିଳିଲା ଦୁଇଜଣଙ୍କ ମୃତଦେହ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲିରେ ଚାଞ୍ଚଲ୍ୟ । ଗତ ସୋମବାର ଯୁବତୀଙ୍କ ମୃତଦେହ ମିଳିଥିବା ବେଳେ ଗତକାଲି ପୋଲିସ ଖୋଜୁଥିବା ପୁରୁଷ ବନ୍ଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାଟି ଥିଲା ଏଭଳି । ଗତ ସୋମବାର ମହଦା ଗାଁ ନିକଟରେ ଥିବା ରାଞ୍ଜଜୋର ପୋଲତଳୁ ରକସା ପଞ୍ଚାୟତ ତେଜଙ୍ଗ ଗାଁର ଅନ୍ଧାରୀ ଦୀପଙ୍କ ମୃତଦେହ ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ହତ୍ୟା ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ମୃତ ଅନ୍ଧାରୀଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜୁଥିଲା ପୋଲିସ ।

କିନ୍ତୁ ଗତକାଲି ସେହି ପରୁଷ ବନ୍ଧୁଙ୍କ ମୃତଦେହ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଏକ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଅତାବିରା ରୁଗୁଡିଟିକିରାର ଗୁଣନାଥ ମିର୍ଦ୍ଧା । ସେ ତେଜଙ୍ଗ ହାଇସ୍କୁଲରେ ଶିକ୍ଷକ ଥିଲେ । ଆଶ୍ଚର୍ଯ୍ୟର କଥା ହେଲା, ଗୁଣନାଥଙ୍କ ଶବ ଝୁଲନ୍ତା ଅବସ୍ଥାରେ ରହିଥିଲା । ହେଲେ ହାତ ଓ ଗୋଡ଼କୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା ।

ଯୁବତୀଙ୍କ ମୃତ୍ୟୁ ଖବର ପାଇ ଗୁଣନାଥ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଗଳିତ ମୃତଦେହକୁ ଦେଖି ପୋଲିସ୍ ଯୁବତୀଙ୍କ ମୃତ୍ୟୁ ପୂର୍ବରୁ ଗୁଣନାଥଙ୍କ ମୃତ୍ୟୁ ହୋଇଥିବା ବି ସନ୍ଦେହ କରୁଛି । ଅନ୍ୟପକ୍ଷରେ ଚଳିତ ମାସ ୧୨ ତାରିଖରେ ଗୁଣନାଥ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥାନ୍ତେ । ହେଲେ ଏହା ପୂର୍ବରୁ ସନ୍ଦେହଜନକ ଭାବେ ମୃତ୍ୟୁ ଏବେ ସସପେନ୍ସ ବଢାଇଛି । ଅନ୍ଧାରୀ ଓ ଗୁଣନାଥଙ୍କ ମଧ୍ୟରେ କ’ଣ ସଂପର୍କ ଥିଲା ଓ ଏହି ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।