ଉଷ୍ମ ହେଉଛି ବ୍ରଜରାଜନଗର ଗ୍ରାଉଣ୍ଡ, ଆଜି ଶେଷ ଦିନରେ ନାମାଙ୍କନ ଦାଖଲ କରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ବ୍ରଜରାଜନଗର: ଉଷ୍ମ ହେଉଛି ବ୍ରଜରାଜନଗର ଗ୍ରାଉଣ୍ଡ । ବିଗ୍ ଫାଇଟ୍ ପାଇଁ ମଇଦାନରେ ଯୋଦ୍ଧା । ଆଜି ନାମାଙ୍କନର ଶେଷ ଦିନ । ଅନ୍ତିମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଆଜି ନାମାଙ୍କନ ଦାଖଲ କରିବେ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ପ୍ରଚାର ମଇଦାନ ।

ଚଳିତ ଉପ ନିର୍ବାଚନରେ ନୂଆ ଯୋଜନାରେ ମଇଦାନକୁ ଓହ୍ଲାଇବ ବିଜେଡି । ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଦଳ ରଣନୀତିରେ ପରିବର୍ତ୍ତନ କରିବ । ଅଧିକାଂଶ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ୱ ଦେବ ଦଳ । ପଶ୍ଚିମ ଓଡ଼ିଶାର ସ୍ଥିତି ଓ ସେଠାର ଲୋକଙ୍କ ଆବଶ୍ୟକତାକୁ ସେହି ଅଞ୍ଚଳର ନେତା ହିଁ ଠିକ୍ ଭାବେ ବୁଝିପାରିବେ । ତେଣୁ ଏପରି ରଣନୀତି ପ୍ରସ୍ତୁତ କରୁଛି ବିଜେଡି ।

ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପାଇଁ କେନ୍ଦ୍ରୀୟ ନେତାଙ୍କ ଦେଖାନଥିଲା । ଉପନିର୍ବାଚନରେ ବି ସମାନ ସ୍ଥିତି ଦେଖାଦେଇପାରେ । ଅନ୍ୟପଟେ କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି । ତଥାପି ଦଳ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ପ୍ରଚାର କରିପାରେ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ।