spot_img
Home Blog Page 4449

ସାଉଦି ଆରବରେ ପାକ୍ ପ୍ରଧାନମନ୍ତ୍ରୀ ହଟହଟା, ମଦିନା ମସଜିଦରେ ଲାଗିଲା ଚୋର ଚୋର ସ୍ଲୋଗାନ

ଦୁବାଇ: ଆନ୍ତର୍ଜାତିକ ମହଲରେ ପାକିସ୍ତାନର ଛବି ବଦଳିବାର ନାଁ ଧରୁ ନାହିଁ । ବରଂ ବେଳକୁ ବେଳ ଏହା ଆହୁରି ମଳିନ ହେବାରେ ଲାଗିଛି । ଯାହାର ପ୍ରତିଫଳନ ଏବେ ସାଉଦି ଆରବରେ ଦେଖିବାକୁ ମିଳିଛି । ଆତଙ୍କବାଦ, ଆର୍ଥିକ ଅନଟନ ଏବଂ ମାନବାଧିକାର ଉଲ୍ଳଘଂନକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ସମେତ ଖୋଦ୍ କେତେକ ଇସଲାମିକ ରାଷ୍ଟ୍ରରେ ପାକିସ୍ତାନ ପୂର୍ବରୁ ବଦନାମ ହୋଇସାରିଛି । ତେବେ ସାଉଦି ଆରବ ଭଳି ପ୍ରମୁଖ ମୁସଲମାନ ରାଷ୍ଟ୍ରରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ନୱାଜଙ୍କୁ ପୁଣି ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

ପ୍ରଧାନମନ୍ତ୍ରୀ ଭାବେ ଶାହାବାଜ୍ ନିଯୁକ୍ତ ହେବା ପରେ ପ୍ରଥମ ବିଦେଶ ଗସ୍ତ ଭାବେ ସେ ତାଙ୍କ ମନ୍ତ୍ରିମଣ୍ଡଳ ସହ ଏବେ ତିନି ଦିନିଆ ଗସ୍ତରେ ସାଉଦି ଆରବ ଯାଇଛନ୍ତି । କିନ୍ତୁ ଶୁକ୍ରବାର ଶାହବାଜ୍ ତାଙ୍କ ମନ୍ତ୍ରୀମାନଙ୍କ ସହ ମଦିନା ମସଜିଦ୍ ପରିଦର୍ଶନରେ ଯାଉଥିବା ବେଳେ ତାଙ୍କୁ ଘୋର ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ଏହି ମସଜିଦରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତି ଥିବା ଶହ ଶହ ଲୋକ ତାଙ୍କ ଉଦ୍ଦେଶ୍ୟରେ ଚୋର, ଚୋର ବୋଲି ନାରା ଦେଇଥିଲେ। ଏହାକୁ ଦେଖି ଶାହବାଜ୍ ଏକପ୍ରକାର ଅପଦସ୍ଥ ହୋଇପଡ଼ିଥିଲେ । ଏଭଳି ନାରା ଦେଇଥିବା ଲୋକମାନଙ୍କୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଏଭଳି କାଣ୍ଡ ଭିଆଇଥିବା ନୱାଜଙ୍କ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଜାରି, ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାକୁ ରାଜି ହେଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର ଅର୍ଥନୀତି ବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ହୋଇ ଚାଲିଥିବା ବେଳେ ରାଜନୈତିକ ସଙ୍କଟ ଏହି ସ୍ଥିତିକୁ ଆହୁରି ବେହାଲ କରିବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରକୁ ବରଖାସ୍ତ କରିବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇ ଆସୁଛି । କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ କୌଣସି ସ୍ଥିତିରେ ଗାଦି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ତାଙ୍କ ମନ୍ତ୍ରିମଣ୍ଡଳର ବହୁ ବରିଷ୍ଠ ସଦସ୍ୟ ଇସ୍ତଫା ଦେଇସାରିଛନ୍ତି । ତେବେ ସବୁ ମହଲର ଦାବିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଗୋଟାବୟା ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ବିଦା କରିବାକୁ ଶୁକ୍ରବାର ସହମତ ହୋଇଛନ୍ତି ।

ଦେଶର ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଏକ ମିଳିତ ସରକାର ପ୍ରତିଷ୍ଠା କରିବାକୁ ଗୋଟାବାୟା ପୂର୍ବରୁ ବିରୋଧୀଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ସବୁ ବିରୋଧୀ ଦଳ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ବିଦା କରି ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ସେ ଏବେ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସବୁ ଦଳକୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ସହିତ ଏହି ପରିଷଦ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବ ବୋଲି ଗୋଟାବାୟା କହିଛନ୍ତି । ଯଦି ମହିନ୍ଦା ରାଜପକ୍ଷେ ବିଦା ହୁଅନ୍ତି ତେବେ ଶ୍ରୀଲଙ୍କା ରାଜନୀତିରେ ରାଜପକ୍ଷେ ପରିବାରର କ୍ଷମତା ଏକ ପ୍ରକାର କ୍ଷୁର୍ଣ୍ଣ ହେବ । ରାଷ୍ଟ୍ରପତି ଗୋଟାବାୟାଙ୍କ ସମେତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ଅର୍ଥମନ୍ତ୍ରୀ ଏବଂ ଅନ୍ୟ ବହୁ ବିଭାଗର ବରିଷ୍ଠ ମନ୍ତ୍ରୀ ଏହି ପରିବାରର ରହିଥିଲେ।  କିନ୍ତୁ ଶ୍ରୀଲଙ୍କାରେ ଆର୍ଥିକ ଅନଟନ ଆରମ୍ଭ ହେବା ପରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ରାଜପକ୍ଷେ ପରିବାରକୁ ବିରୋଧ କରିଥିଲେ। ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ରାଜପକ୍ଷେ ପରିବାର ହିଁ ଦାୟୀ ବୋଲି କୁହାଯିବା ପରେ ଏହି ପରିବାରର ବହୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ।

 ୫୦ ବିଶ୍ୱବିଦ୍ୟାଳୟ ପ୍ରଧ୍ୟାପକଙ୍କୁ ବିଦାକଲା ତାଲିବାନ

କାବୁଲ: ପାଠ ପଢାଇବେ ମୌଲନା ମୌଲବୀ । ମାଙ୍କଡ଼ ହାତକୁ ଶାଳଗ୍ରାମ ଗଲାଭଳି ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଆଉ ସେଠାରେ କେଉଁଭଳି ଭାବେ ବ୍ୟବସ୍ଥା କରାଯିବ ତାହା ସମ୍ପୂର୍ଣ୍ଣ ନିର୍ଭର କରେ ତାଲିବାନ ଉପରେ । ଏବେ ତାଲିବାନ ନଜର ଆଫଗାନିସ୍ତାନର ଶିକ୍ଷା ବ୍ୟବସ୍ଥା ଉପରେ । ଆଉ ଏଭଳି ପରିସ୍ଥିତିରେ ଆଫଗାନିସ୍ତାନରେ ଶିକ୍ଷା ବ୍ୟବସ୍ଥା ଯେ ବଦଳିବ, ସେଭଳି ଆଶା ନକରିବା ଭଲ । କାରଣ ଶିକ୍ଷା ବ୍ୟବସ୍ଥାକୁ ନେଇ ତାଲିବାନ ସରକାର ଯେଭଳି ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ତାହା ଏଭଳି ଆଶାକୁ ମଉଳାଇ ଦେବ ।

ଶିକ୍ଷା ବ୍ୟବସ୍ଥାକୁ ନେଇ ତାଲିବାନ ସରକାର ନିକଟରେ ଯେଉଁ ପଦକ୍ଷେପ ନେଇଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସୂଚନା ଅନୁସାରେ ଆଫଗାନିସ୍ତାନର ମଜାର-ଇ-ସରିଫସ୍ଥତ ବଲ୍ଖ ବିଶ୍ବବିଦ୍ୟାଳୟର ୫୦ ଉଚ୍ଚ ଶିକ୍ଷିତ ପ୍ରଧ୍ୟାପକଙ୍କୁ ବିଦାକରି ସେମାନଙ୍କ ସ୍ଥାନରେ ମୌଲାନା କିମ୍ବା ନିଜ ସଂଗଠନର ସଦସ୍ୟଙ୍କୁ ନିଯୁକ୍ତ କରିଛି । ଆଫଗାନିସ୍ତାନ ଖବରକାଗଜ ‘ଆଫଗାନିସ୍ତାନ ଡେଲି’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।

ଏହି ସଂଖ୍ୟକ ପ୍ରଧ୍ୟାପକମାନଙ୍କୁ ହଟାଯିବା ପଛର ମୁଖ୍ୟକାରଣ ସେମାନଙ୍କ ସଂପ୍ରଦାୟ ଏବଂ ଜାତି ବୋଲି କୁହାଯାଉଛି । ଏହି ପ୍ରଧ୍ୟାପକମାନଙ୍କ ମଧ୍ୟରୁ  ୨୭ ଜଣ ତାଜିକ୍, ୧୨ ହାଜାରାସ , ୫ ପସ୍ତୁନ, ଦୁଇ ଆରବୀୟ ଏବଂ କିଛି ଉଜବେକିସ୍ତାନ ପ୍ରଧ୍ୟାପକ ରହିଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ଡକ୍ଟରେଟ୍ ଡିଗ୍ରୀ ପାଇଥିବା ବେଳେ  ୩୬ ଜଣ ମାଷ୍ଟର ଡିଗ୍ରୀ ଏବଂ ୧୦ ଜଣ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଏସସବିରେ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବେନି ରୋଗୀ, ଖୁବଶୀଘ୍ର ଓପିଡିରେ ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ

କଟକ: କଟକ SCB ମେଡିକାଲ ବର୍ହି ବିଭାଗ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା । ମେ’ ୯ ତାରିଖରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଇ-ସ୍ୱାସ୍ଥ୍ୟ.ଓଡ଼ିଶା.ଗଭ୍‌.ଇନ୍ ପୋର୍ଟାଲରେ ଅନଲାଇନ୍ ସ୍ଲଟ ବୁକିଂର ସୁବିଧା ପାଇବେ ରୋଗୀ ଓ ତାଙ୍କ ସମ୍ପର୍କୀୟ । ଏହାଦ୍ବାର ଓପିଡି ଟିକେଟ୍ ରେଜିଷ୍ଟ୍ରେସନ ପାଇଁ ଆଉ ଲମ୍ବା ଧାଡ଼ିରେ ଲୋକଙ୍କୁ ଠିଆ ହେବାକୁ ପଡ଼ିବନି । ଅନଲାଇନ୍ ମାଧ୍ୟମରେ ଘରେ ବସି ଯେକୌଣସି ବିଭାଗ ଡାକ୍ତରଙ୍କ ନିକଟରେ ଚିକିତ୍ସା ପାଇଁ ବୁକିଂ କରିହେବ । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କଲେଜ ଓ ହସ୍ପିଟାଲରେ ରେଜିଷ୍ଟାର ଡକ୍ଟର ଅବିନାଶ ରାଉତ ।

ଭାରତର କଡ଼ା ଜବାବ ପରେ ଚେତିଲା ଚୀନ, ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବାକୁ ଦେଲା ଅନୁମତି

ନୂଆଦିଲ୍ଲୀ : ଏଥର ଚୀନ ଯାଇପାରିବେ ଭାରତୀୟ ଛାତ୍ରଛାତ୍ରୀ । ଦୀର୍ଘ ଦିନର ବ୍ୟବଧାନ ପରେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବାକୁ ଅନୁମତି ଦେଇଛନ୍ତି । ଚୀନକୁ ଭାରତର କଡ଼ା ଜବାବ ପରେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । କରୋନା ମହାମାରୀକୁ ନେଇ ଚୀନରେ ବିଭିନ୍ନ ବିଷୟରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସ୍ବଦେଶ ଫେରି ଆସିଥିଲେ ।

କିନ୍ତୁ କରୋନା ସ୍ଥିତ ବଦଳିବାପରେ ଅନ୍ୟ ରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବା ଲାଗି ସେଠାକାର ସରକାର ଅନୁମତି ଦେଇଥିଲେ ହେଁ ଭାରତୀୟଙ୍କ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ କିଛି ଦିନ ତଳେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯିବା ସହିତ ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହାପରେ ଏବେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଚୀନ ଫେରିବା ଲାଗି ଅନୁମତି ଦେଇଥିବା ଜଣାପଡ଼ିଛି।

ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ଚୀନ ଯିବା ନିତାନ୍ତ ଜରୁରୀ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏବେ ଭିସା ପ୍ରଦାନ କରାଯିବ ବୋଲି ଚୀନ କହିଛି । ଏହିକ୍ରମରେ ଆସନ୍ତା ମେ ’ ମାସ ୮ ତାରିଖ ସୁଦ୍ଧା ଭାରତୀୟ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିବେ। ଏହାପରେ ସେମାନଙ୍କ ପାଠ୍ୟକ୍ରମ ସମ୍ପର୍କରେ ତର୍ଜମା କରି ଚୀନ ସରକାରଙ୍କ ପକ୍ଷରୁ ଆବଶ୍ୟକ ସ୍ଥଳେ ଭିସା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଶିବସେନା ନେତା ହରିଶ ସିଙ୍ଗଲା ଗିରଫ

ପଟିଆଲା: ପଞ୍ଜାବ ପଟିଆଲାରେ ଗୋଷ୍ଠୀ ସଂଘର୍ଷ ମାମଲା । ଘଟଣାରେ ଶିବସେନା ନେତା ହରିଶ ସିଙ୍ଗଲା ଗିରଫ ହୋଇଛନ୍ତି । ତେଣେ ଶିବସେନା ପଞ୍ଜାବ ଶାଖା କାର୍ଯ୍ୟକାରୀ ସଭାପତି ପଦରୁ ତାଙ୍କୁ କରାଯାଇଛି ବହିଷ୍କାର । ଖଲିସ୍ତାନୀ ସଂଗଠନ ବିରୋଧରେ ଶିବସେନା (ବାଲଠାକରେ) ଗୋଷ୍ଠୀର ଏକ ଶୋଭାଯାତ୍ରା ବାହାରିବା ପରେ ଗତକାଲି କେତେକ ଶିଖ ସଂଠଗନ ପକ୍ଷରୁ କରାଯାଇଥିଲା ପ୍ରତିବାଦ ।

ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ମାଡ଼ କରିବା ସହ ଘଟଣାସ୍ଥଳରେ ବୁଲିଥିଲା ଖଣ୍ଡା । ଉତ୍ତେଜନା ରୋକିବା ଲାଗି ପୋଲିସ କରିଥିଲା ଫାଙ୍କା ଗୁଳିଚାଳନା । ସେପଟେ ରାଜ୍ୟରେ ଅସ୍ଥିରତାକୁ ପ୍ରୋତ୍ସାହନ ଦିଆଯିବ ନାହିଁ ଏବଂ ଅଶାନ୍ତି ସୃଷ୍ଟିକାରୀଙ୍କୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସ୍ଥିତି ନିୟନ୍ତ୍ରଣ ଲାଗି ଗତକାଲି ରାତି ୭ଟାରୁ ଆଜି ଭୋର ଯାଏ ଲାଗୁ ହୋଇଥିଲା କର୍ଫ୍ୟୁ ।

କାଲିଠୁ ତାତିରେ ଲାଗିବ ବ୍ରେକ, କାଳବୈଶାଖୀ ପ୍ରଭାବରେ କମିବ ପାରଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ କମିବ ପାରଦ । ମେ’ ୧ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ଦିନର ତାପମାତ୍ରା । ଆସନ୍ତାକାଲିଠାରୁ ପାରଦ କମିଥିବାବେଳେ ଆଜିବି କଲବଲ କରିବ ତାତି । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପାରଦ ଉପରମୁହାଁ ରହିବ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେପଟେ ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି ପୂର୍ବାନୁମାନ କରିଛି । ଏହି ଘୂର୍ଣ୍ଣିବଳୟ ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବା ନେଇ ଅଧିକାଂଶ ମଡେଲ୍ ଦର୍ଶାଉଛି । ଏପରିକି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଯାଉଥିବା ଜଣାପଡ଼ିଛି ।

 

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସୁଛି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି । ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କୋର୍ଟର ଭିତ୍ତିଭୂମିର ବିକାଶ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ଏହା ସହ ବିଚାର ବିଭାଗରେ ଖାଲିଥିବା ପଦବୀର ପୂରଣ, ପଡ଼ି ରହିଥିବା ମାମଲାର ବିଚାର, ଇ-କୋର୍ଟ, ଆଇନ ସେବାକୁ ତ୍ୱରିତ କରିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରାୟ ୬ ବର୍ଷ ପରେ ଏହି ଧରଣର ବୈଠକ ଆୟୋଜିତ ହେବାକୁ ଯାଉଛି । ଶେଷ ଥର ଲାଗି ଗତ ୨୦୧୬ ଏପ୍ରିଲ ୨୪ରେ ଏହି ଧରଣର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ ଯୋଗଦେବେ । କିଛି ମାସ ତଳେ ମୁଖ୍ୟ ବିଚାରପତି ଏନଭି ରମଣା ଏକ ଜାତୀୟ ବିଚାର ବିଭାଗୀୟ ଭିତ୍ତିଭୂମି କର୍ତ୍ତୃପକ୍ଷ ବା ଏନଜେଆଇଏଆଇ ପ୍ରତିଷ୍ଠା ଲାଗି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । କୋର୍ଟଗୁଡିକର ଭିତ୍ତିଭୂମିର ବିକାଶ ଲାଗି ଏଥିରେ ପ୍ରସ୍ତାବ ରହିଥିଲା । ଏହି ପ୍ରସ୍ତାବ ଅନୁସାରେ ସମ୍ମିଳନୀରେ ଆଲୋଚନା ହେବା ଆଶା ରହିଛି ।

 

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ରାଉରକେଲା: ଅଶାନ୍ତ ହେଉଛି ସୁନ୍ଦରଗଡ଼ । ସନ୍ଧ୍ୟା ହେଲେ ଫୁଟୁଛି ଗୁଳି । ଶୁକ୍ରବାର ସନ୍ଧ୍ୟାରେ ସୁନ୍ଦରଗଡ ଟାଉନ୍ ଥାନା ଅନ୍ତର୍ଗତ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିକାଣ୍ଡ ହୋଇଛି । ଗୁଳିମାଡ଼ରେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Firing In Sundargarh College Road One Dead

ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ଦୁଇ ଦୁର୍ବୃତ୍ତ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଅଭିଯୋଗ ପାଇ ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମୁରାରୀଙ୍କ ମୃତଦେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ ।

ମିସେସ୍‍ ଇଣ୍ଡିଆ ଟାଇଟଲ୍‍ ଜିତିଲେ ବାଲେଶ୍ୱରର ରୂପ୍‍ସା

ଭୁବନେଶ୍ୱର: ମିସେସ୍‍ ଇଣ୍ଡିଆ -୨୦୨୨ର ଟାଇଟଲ୍‍ ଜିତିଛନ୍ତି ଓଡ଼ିଆ ମହିଳା ରୂପ୍‍ସା ନାୟକ । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଗ୍ଲାମର୍‍ ୱାର୍ଲ୍ଡ ପକ୍ଷରୁ ଆୟୋଜିତ ‘ମିସେସ୍‍ ଇଣ୍ଡିଆ -୨୦୨୨’ ଟାଇଟଲ୍‍ ଓ କ୍ରାଉନ୍‍ ଜିତି ଅନ୍ୟ ମହିଳାମାନଙ୍କ ପାଇଁ ରୋଲ୍‍ ମଡେଲ୍‍ ପାଲଟି ଯାଇଛନ୍ତି । ଗତ ରବିବାରରେ ମୁମ୍ବାଇରେ ଆୟୋଜିତ ମିସେସ୍‍ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ୨ ଶହ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ‘ମିସେସ୍‍ ଇଣ୍ଡିଆ-୨୦୨୨’ର ବିଜେତା ହୋଇପାରିଛନ୍ତି ।

କର୍ପୋରେଟ୍‍ ସେକ୍ଟରରେ କାମ କରି ମଧ୍ୟ ଫ୍ୟାସନ୍‍ ଦୁନିଆରେ ପାଦ ଥାପି ଭାରତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଟାଇଟଲ୍‍ ଜିତିଛନ୍ତି ରୁପ୍‍ସା । ପରିବାର ଓ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ତୁଲାଇବା ସହ ନୂଆ ନୂଆ କରି ଗ୍ଲାମର ଦୁନିଆରେ ପାଦଥାପି ଅନ୍ୟ କର୍ମଜୀବୀ ଓ ବିବାହିତ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜନ୍ମଭୂମି ବାଲେଶ୍ୱର ହୋଇଥିଲେ ବି ଗତ କିଛିବର୍ଷ ହେଲା ମୁମ୍ବାଇରେ କାର୍ଯ୍ୟରତ । ପୂର୍ବରୁ ବହୁ ମଡେଲ ଶୋ’ରେ ଅଂଶଗ୍ରହଣ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ‘ଟଙ୍କା ତୋତେ ସଲାମ୍‍’ରେ ମଧ୍ୟ ଅଭିନୟ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ପର୍ଯ୍ୟାୟରେ ପରିପାଟ୍ଟୀ ପରିଧାନଠାରୁ ଆରମ୍ଭ କରି ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ନିଜର ଟ୍ୟାଲେଣ୍ଟ ଦର୍ଶାଇ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି । ଏହାସହ ନିଜକୁ ଉପସ୍ଥାପନା କରି ବେଶ୍‍ ପ୍ରଶଂସା ସାଉଣ୍ଟିଥିଲେ । ଏତେସବୁ ଟାଇଟଲ୍‍ ଜିତିବା ପରେ ମଡେଲ ଦୁନିଆରେ ନିଜର କ୍ୟାରିୟର୍‍ ଗଢିବା ଲାଗି ଦେଖିଛନ୍ତି ଅନେକ ସ୍ୱପ୍ନ ।

ବିଭିନ୍ନ ବିଷୟବସ୍ତୁରେ ସେ ବିଭିନ୍ନ ପର୍ଯ୍ୟାୟରେ ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍‍ ହାସଲ କରି ପାରିଛନ୍ତି । ସଫ୍ଟୱେୟାର୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମ ପରେ ମୁମ୍ବାଇରେ ଏକ ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟରତ ଅଛନ୍ତି । ବିବାହ ପରେ ଏହି ଟାଇଟଲ୍‍ ଜିତିବାର ଶ୍ରେୟ ସ୍ୱାମୀ ତଥା ପରିବାର ଲୋକଙ୍କୁ ଦେଇଛନ୍ତି । ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଗ୍ଲାମର ଦୁନିଆରେ ନିଜର ପାରଦର୍ଶିତା ଦେଖାଇଛନ୍ତି ରୂପ୍‍ସା ।