ଆକ୍ସନ ମୁଡରେ ମେୟର, ମୈତ୍ରୀ କେନ୍ଦ୍ରରେ ସୁଲୋଚନାଙ୍କ ଚଢ଼ାଉ

ଭୁବନେଶ୍ୱର: ସହିଦନଗର ମୈତ୍ରୀ କେନ୍ଦ୍ରରେ ମେୟର ସୁଲୋଚନା ଦାସଙ୍କ ଚଢ଼ାଉ । ହିତାଧିକାରୀଙ୍କୁ ସୁଲଭରେ ଓ ସୁବିଧାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମାଗଣାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ରହିଛି ବ୍ୟବସ୍ଥା । ହେଲେ ସହିଦନଗର ସ୍ଥିତ ଏହି ମୈତ୍ରୀ କେନ୍ଦ୍ରରେ ସାମଗ୍ରୀ ଯୋଗାଣରେ ଅନିୟମିତତା ଓ ହିତାଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ହିତାଧିକାରୀ ଚାଉଳ ନେବାକୁ ଆସି ଲମ୍ବା ଧାଡିରେ ଠିଆ ହୋଇଥିଲେ ମଧ୍ୟ ଦୋକାନ ଖୋଲା ଯାଇନଥିଲା ।

ପରେ ଲୋକଙ୍କ ସମସ୍ୟା ସମ୍ପର୍କରେ ସୂଚନା ପାଇ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ମୈତ୍ରୀ କେନ୍ଦ୍ର ତତ୍ୱାବଧାରକ ପହଞ୍ଚିଥିଲେ । ହେଲେ ଷ୍ଟକ ନଥିବା କହିଥିଲେ । ପରେ ମେୟର ପୋଲିସ ଉପସ୍ଥିତିରେ ମୈତ୍ରୀ କେନ୍ଦ୍ରକୁ ଖୋଲିବା ପରେ ଭିତରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଯୋଗାଣ ବିଭାଗ ଅଧିକାରୀ, ମେୟର ଏବଂ ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ଲୋକଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା ।