ଦିଶା ଗଣଦୁଷ୍କର୍ମ: ‘ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ହୋଇଛି ଏନକାଉଣ୍ଟର’

1 min read

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ହାଇଦ୍ରାବାଦ ଏନକାଉଣ୍ଟର ମାମଲା । ସୁପ୍ରିମକୋର୍ଟରେ ଦାଖଲ ହେଲା ସାରପୁକାର କମିଶନ ରିପୋର୍ଟ । ଭେଟେରିନାରି ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପାଇଁ ଜାଣିଶୁଣ ଏନକାଉଣ୍ଟର କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ଏହି ସନ୍ଦିଗ୍ଧ ଏନକାଉଣ୍ଟରକୁ ନେଇ ବିତର୍କ ସୃଷ୍ଟି ହେବା ପରେ ସୁପ୍ରମିକୋର୍ଟ ଗଠନ କରିଥିଲେ କମିଟି । ପ୍ରାଣ ହରାଇଥିବା ୪ଜଣଙ୍କ ମଧ୍ୟରୁ ୩ ଜଣ ଥିଲେ ନାବାଳକ । ରିପୋର୍ଟରେ କୁହାଯାଇଛି- ଏହି ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଲାଗି ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଗୁଳିଚାଳନା କରିଥିଲା ।

ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲୁ ନବୀନ ଓ ସି. ଚେନକେସଭୁଲୁ । ସେମାନଙ୍କ ମଧ୍ୟରେ ଥିଲେ ୩ ଜଣ ନାବାଳକ । ଗତ ନଭେମ୍ବର ୨୦୧୯ରେ ଭେଟେରିନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏହି ଚାରିଜଣଙ୍କୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିଲା । ବିତର୍କ ସୃଷ୍ଟି ହେବା ପରେ ଏହି ଘଟଣାର ତଦନ୍ତ ଲାଗି ତିନିଜଣିଆ ତଦନ୍ତ କମିଶନ ଗଠିତ ହୋଇଥିଲ । ଏନକାଉଣ୍ଟର ନେଇ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନଙ୍କ ଯୁକ୍ତିକୁ ପ୍ରଧାନବିଚାରପତି ଜଷ୍ଟିସ ଏନଭି ରମଣା. ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ହିମା କୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ ।

ଗତ ବର୍ଷ ଅଗଷ୍ଟ ୩ ତାରିଖରେ ଅଧିକ ତଦନ୍ତ ଲାଗି କମିଶନକୁ ସୁପ୍ରମିକୋର୍ଟ ଅଧିକ ୬ ମାସ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨୦୧୯ ଡିସେମ୍ବର ୧୨ରେ ସାରପୁକାର କମିଶନ ଗଠିତ ହୋଇଥିଲା । ଏହି କମିଶନରେ ସଦସ୍ୟ ଥିଲେ ପୂର୍ବତନ ବମ୍ବେ ହାଇକୋର୍ଟ ଜଜ ରେଖା ସୋନ୍ଦର ହାଲଦାର ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି.ଆର. କାର୍ତ୍ତିକେୟନ । ଏନକାଉଣ୍ଟର ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଲାଗି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି ।