ପରିବେଷଣ ହେବ ୨୦ଟି ଜନଜାତିର ସମୁଦାୟ ୩୧ଟି ନୃତ୍ୟ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି । ମଇ ୧୯ ତାରିଖଠାରୁ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଦ୍ୱିତୀୟ ଦିବସ ନୃତ୍ୟ ମହୋତ୍ସବରେ ୨୦ଟି ଜନଜାତି ସଂପ୍ରଦାୟର ସମୁଦାୟ ୩୧ଟି ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସରେ ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପାରିକ ଘୁସାଡ଼ି ନୃତ୍ୟ ପରିବେଷିତ ହୋଇଥିଲା ।

ନୃତ୍ୟ ସମୟରେ କଳାକାରମାନେ ଶରୀରକୁ ଚୂନରେ ପେଣ୍ଟ କରିଥିବାବେଳେ ବିଭିନ୍ନ ମଂଜିର ହାର ଓ ଛୋଟ ଛୋଟ ଘଣ୍ଟିରେ ସଜାଇ ହୋଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ମିଜୋ ଜନଜାତିଙ୍କର ସରଲାମକାଇ ନୃତ୍ୟ, ଓଡ଼ିଶାର ସାନ୍ତାଳ ଜନଜାତିଙ୍କର କଳସି ନୃତ୍ୟ ପରିବେଷିତ ହୋଇଥିଲା । କଳସି ନୃତ୍ୟରେ କଳାକାରମାନେ ନିଜ ପାରମ୍ପରିକ ବେଶଭୂଷାରେ ଡ୍ରମ, ବଂଶୀ ଆଦି ବାଦ୍ୟ ବଜାଇ ନୃତ୍ୟ କରିଥିଲେ । ସେହିପରି ଝାଡ଼ଖଣ୍ଡ ଓରାଓଁ ଜନଜାତିଙ୍କର କରମଥାପଡ଼ି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କର ଢେମ୍‌ସା ନୃତ୍ୟ, ଗୋଆର ଭେଲିପ୍‌ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା  ।

ସେହିପରି ଛତିଶଗଡ଼ର ଗୌରମାର ମାଣ୍ଡରି ନୃତ୍ୟ, ଆନ୍ଧ୍ରପ୍ରଦେଶର କନ୍ଧ ଜନଜାତିଙ୍କ ମୟୂରାନୃତ୍ୟ, ରାଜସ୍ଥାନର ଭିଲ୍‌ମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ, ହିମାଚଳ ପ୍ରଦେଶର ତାଳ ଗାଡ଼ି ଜନଜାତିଙ୍କର ହରନତର ନୃତ୍ୟ ପରିବେଷିତ ହୋଇଥିଲା ।  ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା କଳାକାରମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ
କରିଥିଲେ । ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି ଆଦିବାସୀ ନୃତ୍ୟ ମହୋତ୍ସବ ମଇ ୨୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬.୩୦ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।