spot_img
Home Blog Page 4438

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ଆସିବ କାମଚଳା ବଜେଟ୍‌, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିବେ । କାମଚଳା ବଜେଟ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ ଗୃହରେ ଉପସ୍ଥାପନ କରିବେ । ଏହା ପରେ ଅନ୍ୟ ଏକ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ୧ ଲକ୍ଷ ୬ ହଜାର ୪୯୭ କୋଟିର ଭୋଟ ଅନ୍ ଆକାଉଣ୍ଟ ଗ୍ରାଣ୍ଟ ଗୃହରେ ଅନୁମତି ପାଇଁ ଉପସ୍ଥାପନ କରିବେ । ଏହା ଆସନ୍ତାକାଲି ବ୍ୟୟ ମଞ୍ଜୁର ବିଲ୍ ଆକାରରେ ଅନମୋଦନ ଲାଭ କରିବ । ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଦୁଇ ଲକ୍ଷ କୋଟିର ବଜେଟ ଆକଳନ କରାଯାଇଛି । ପାଖାପାଖି ଏକ ଲକ୍ଷ କୋଟିର କାମଚଳା ବଜେଟ ସରକାର ଆଣିବେ । ୩୧ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ କରାଯିବ । ଅନ୍ୟପକ୍ଷରେ ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତି କରଣ, ଯୋଗାଣ ଓ ଖାଉଟି କଲ୍ୟାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶକ୍ତି, ଶିଳ୍ପ, ସମବାୟ, ସୂକ୍ଷ୍ମ,କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।

ତୈଳ ଦର ପାଇଁ ୟୁପିଏ ସରକାରଙ୍କୁ ଦାୟୀ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଦର ଲଗାତାର ବଢିବାରେ ଲଗିଛି । ଆଉ ଏହି ଦର ବୃଦ୍ଧି ପାଇଁ ସରକାର ଋଷ ଓ  ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୟୁପିଏ ସରକାର ତେଲ ନେଇ ଯେଉଁ ଚୁକ୍ତି କରିଥିଲା ଏବଂ ଋଷ ଓ ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପେଟ୍ରୋଲ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଛି ।

ଅର୍ଥମନ୍ତ୍ରୀ ରାଜ୍ୟସଭାରେ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଶ୍ୱ ବଜାରରେ ଯୋଗାଣରେ ବଧା ହେଉଥିବାରୁ କିଛି ସପ୍ତାହ ଧରି ତୈଳ ଦର ବୃଦ୍ଧି ପାଉଛି । ଏହା ବ୍ୟତୀତ ପୂର୍ବ ୟୁପିଏ ସରକାର ଦେଇଥିବା ୨ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ ବା ଚୁକ୍ତି କାରଣରୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପଡୁଛି । ତେବେ ଏହାର ମୁକାବିଲା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି।

୨୦୨୬ ସୁଦ୍ଧା ପ୍ରଭାବ ପଡ଼ିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ତୈଳ ଚୁକ୍ତି ଅନୁସାରେ ୨୦୨୬ ସୁଦ୍ଧା ସମସ୍ତ ସୁଧ ଦେବାକୁ ପଡିବ । ଆଉ ଏହାର ସିଧାସଳଖ ପ୍ରଭାବ କରଦାତା ଉପରେ ପଡ଼ିବ । ଏକ ଦଶନ୍ଧି ପୂର୍ବରୁ ୟୁପିଏ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତୈଳ ଚୁକ୍ତି କାରଣରୁ ଗ୍ରାହକମାନଙ୍କୁ ଏବେ ବି ଏହାଇ ଭରଣା କରିବାକୁ ପଡ଼ୁଛି । ଫଳସ୍ୱରୂପ ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି ।

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରରେ ନୟାଗଡ଼ ସବ-ଡିଭିଜନର ରୁରାଲ ଓ୍ୱାର୍କ୍ସ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ ଓ ନୟାଗଡ଼ରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ବିଭାଗ ଉଠେଇ ନେଇଥିବାବେଳେ, ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ସରକାରୀ ବାସଭବନରେ ଭିଜିଲାନ୍ସ ଜେରା କରୁଛି ।

ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଭୁବନେଶ୍ୱର ପଟିଆରେ ଥିବା ବସେରା ଇମ୍ପ୍ରେସନ ପ୍ଲସର ଭଡ଼ା ଘର, କଟକ କିଶୋର ନଗର ସ୍ଥିତ ପୈତୃକ ଘର, କଟକ ଆଲିସା ବଜାରରେ ଥିବା ଏକ ମହଲା କୋଠା, ଖଣ୍ଡଗିରି ଗାୟତ୍ରୀ ବିହାରରେ ଥିବା ଦୁଇ ମହଲା କୋଠା, ନୟାଗଡ଼ରେ ଥିବା କାର୍ଯ୍ୟାଳୟ ଓ ବାସଭବନରେ ଚାଲିଛି ଚଢ଼ାଉ । କଟକ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଓ୍ୱାରେଣ୍ଟ ବଳରେ ଜାରି ରହିଛି ଚଢ଼ାଉ । ଏହି ଚଢାଉରେ ୫ ଜଣ ଡିଏମସି, ୫ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ସନ୍‌ରାଇଜର୍ସ ହାଇଦରାବାଦକୁ ୬୧ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରାୟାଲସ

ପୁଣେ: ମଙ୍ଗଳବାର ମଇଦାନରେ ରାଜସ୍ଥାନ ରାୟାଲସ ଓ ସନରାଇଜର୍ସ ହାଇଦରାବାଦ ସାମ୍ନାସାମ୍ନୀ ହୋଇଛନ୍ତି ।  ଆଇପିଏଲ୍‌ର ୪ର୍ଥ ଦିନରେ ବିପୁଳ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍‌ସ। ସନ୍‌ରାଇଜର୍ସ ହାଇଦରାବାଦକୁ ୬୧ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରି ରାଜସ୍ଥାନ ତା’ର ଅଭିଯାନ ଆରମ୍ଭ କରିଛି । ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ସହ ଆଉ କିଛି ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍‌ସ ୬ ୱିକେଟରେ ୨୧୦ ରନ୍‌ କରିଥିଲା। ୩୭ ରନ୍‌ରେ ୫ଟି ୱିକେଟ ହରାଇଥିବା ସନ୍‌ରାଇଜର୍ସ ଶେଷରେ ୭ ୱିକେଟ ହରାଇ ୧୪୯ ରନ୍‌ କରିବା ରେ ସଫଳ ହୋଇଥିଲା ।

ସନ୍‌ରାଇଜର୍ସର ଐଡେନ୍ ମାର୍କରାମ ଓ ୱାଶିଂଟନ ଶେଷଆଡ଼କୁ ଭଲ ବ୍ୟାଟିଂ କରିଥିଲେ ବି ଏହା ଟିମକୁ ଜିତାଇ ପାରିନଥିଲା । ୨୧୧ ରନ୍‌ ଲକ୍ଷ୍ୟ କରି ଖେଳ ଆରମ୍ଭ କରିଥିବା ସନରାଇଜର୍ସ ୫ମ ଓଭରରେ ମାତ୍ର ୯ ରନ୍‌ ସ୍କୋର୍‌ରେ ୩ଟି ପ୍ରମୁଖ ୱିକେଟ ହରାଇଥିଲା । ଅଧିନାୟକ କେନ୍‌ ୱିଲିୟମ୍‌ସନ ୨ ରନ୍‌କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ଓ ନିକୋଲାସ୍ ପୁରନ୍‌ ଖାତା ଖୋଲି ପାରିନଥିଲେ ।

ତେବେ ଏହି ମ୍ୟାଚରେ ସାମ୍‌ସନ ବ୍ୟାଟିଂ କରି ୨୭ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୫୫ ରନ୍‌ କରିଥିଲେ। ଶେଷଆଡ଼କୁ ସିମ୍ରନ୍ ହେତ୍‌ମେୟର ମାତ୍ର ୧୩ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୨ ରନ୍‌ କରିଥିଲେ । ରିୟାନ୍ ପରାଗ ୧୨ ରନ୍‌ କରିଥିଲେ। ଶେଷ ୩ ଓଭରରୁ ୪୦ ରନ୍‌ ହୋଇଥିଲା। ଏହାସହ ଉମ୍ରାନ୍ ମାଲିକ୍ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସଞ୍ଜୁ ସାମ୍‌ସନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ମାନସ ସ୍ୱାଇଁ ହତ୍ୟା ମାମଲା, ସାମ୍ନାକୁ ଆସିଲା ପୁରୀ ସମୂଦ୍ରକୂଳରେ ସୁଟିଂର ସତ

ଭୁବନେଶ୍ୱର: ମାନସ ସ୍ୱାଇଁ ହତ୍ୟା ମାମଲା । ସାମ୍ନାକୁ ଆସିଲା ପୁରୀ ସମୂଦ୍ରକୂଳରେ ସୁଟିଂର ସତ । ପୁରୀରେ ସର୍ଟ ଫିଲ୍ମ ନୁହେଁ ବରଂ ଭଜନ ସୁଟିଂ ହୋଇଥିଲା । ଏହି ଭଜନରେ ନିରଞ୍ଜନ ସେଠୀ ବାପା ଭୂମିକାରେ ଅଭିନୟ କରିଥିଲା । ଭଜନରେ ସମୁଦ୍ର ଭିତରୁ ଛୁଆକୁ ଉଦ୍ଧାର କରିବାର ସିନ୍ ଥିଲା । ତା’ପରେ ଆଉ ଗୋଟେ ସିନରେ ଡାଇରେକ୍ଟର ଟେକ୍ ଦେବା ପରେ ନିରଞ୍ଜନ ହାତ ଟେକି ଅଭିନୟ କରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଭିଡ଼ିଓରେ ନିରଞ୍ଜନଙ୍କ ପତ୍ନୀ ଭୂମିକାରେ ଜଣେ ମହିଳା ଅଭିନୟ କରିଥିଲେ । ଏହା ବ୍ୟତୀତ ଅନେକ କଳାକାର ଓ ଶର୍ମିଷ୍ଠାଙ୍କ ଭାଉଜ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ଏ ଭଜନ ପାଇଁ ଗତ ଜାନୁଆରୀ ମାସରେ ସୁଟିଂ ହୋଇଥିଲା । ତେବେ ଭଜନ ସୁଟିଂ ପରେ ପୁରୀରେ ସିକ୍ରେଟ ସୁଟିଂ ହୋଇଥିଲା କି? ଏ ସମ୍ପର୍କରେ ରିମାଣ୍ଡରେ ଜେରା ବେଳେ ପଦାକୁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

ସେପଟେ ସାମ୍ନାକୁ ଆସିଛି ଶର୍ମିଷ୍ଠାର ଏକ ସିକ୍ରେଟ୍‌ ଭିଡିଓ । ମାନସ ଅନେକ ଦିନ ଧରି ଘରକୁ ନ ଫେରିବା ପରେ ବ୍ୟସ୍ତ ହୋଇ ପଡ଼ିଥିଲେ ତାଙ୍କ ପରିବାର ଲୋକ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ମିଳିନଥିଲା ମାନସଙ୍କ ପତ୍ତା । ଏହାପରେ ମାନସଙ୍କ ସହଯୋଗୀ ଓ ମାନସଙ୍କ ମାଆ ଶର୍ମିଷ୍ଠା ପାଖକୁ ଆସିଥିଲେ । ମାନସଙ୍କ ସଂପର୍କରେ ପଚାରିବାରୁ ସିଧା ସିଧା ଫାଙ୍କି ଦେଇଥିଲା ଶର୍ମିଷ୍ଠା । ମାନସଙ୍କୁ ଚାନ୍ଦବାଲିରୁ କିଡନାପ୍‌ କରି ଆଣିବା ପରେ ଭୁବନେଶ୍ୱରରେ ନିର୍ଯାତନା ଦେଇଥିଲେ ଅଭିଯୁକ୍ତ । ଦୟାଲ ଆଶ୍ରମରେ ମାନସଙ୍କୁ ପିଟି ପିଟି ମାରି ଦେଇଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରଣପୁର ନିକଟରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ ଅଭିଯୁକ୍ତ । ହତ୍ୟା କରିବା ପରେ ବି ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲା ଶର୍ମିଷ୍ଠା । ଚୋର ମୁହଁ ଟାଣ ଭଳି, ମେମୋରୀ ଚିପ୍‌ ନେଇ ଅଣ୍ଡରଟେକିଂ ଲେଖେଇ ମାନସଙ୍କୁ ଛାଡ଼ି ଦେଇଥିବା ମିଛ କହିଥିଲା । ଏପରିକି ପୋଲିସକୁ ସହଯୋଗ ଛଡ଼ା ଆଉ କିଛି ଉପାୟ ନଥିବା କହିଥିଲା ।

ଆରମ୍ଭ ହୋଇଯାଇଛି ଶୈବପୀଠ ମହାବିନାୟକର ପୁନଃରୁଦ୍ଧାର କାର୍ଯ୍ୟ

ଭଦ୍ରକ: ଏବେ ଆହୁରି ମନୋରମ ହେବ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବପୀଠ  । ପୀଠର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର  । ଓଳାସୁଣି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପୀଠର ସୌନ୍ଦର୍ଯୀକରଣକୁ ଗୁରୁତ୍ବ ଦେଇଛି ପର୍ଯ୍ୟଟନ ବିଭାଗ  ।

ବଦଳିବାକୁ ଯାଉଛି ମହାବିନାୟକର ଚେହେରା । ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକର ପୁନଃରୁଦ୍ଧାର କାର୍ଯ୍ୟ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର  । ପୀଠ ପରିସରରେ ସୁନ୍ଦର ପାର୍କ ସହିତ ପାଦଚଲା ରାସ୍ତା, ଘାସ ଗାଲିଚା, ଆଲୋକୀକରଣ ଓ ଛୋଟ ପିଲାଙ୍କ ପାଇଁ ଅନେକ ଆମୋଦପ୍ରମାଦର ବ୍ୟବସ୍ଥା ହେଉଛି  । ପାହାଡ଼କୁ ଆହୁରି ମନଲୋଭା କରିବାକୁ କରାଯାଇଛି କୃତ୍ରିମ ଝରଣା  । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇ ସେମାନଙ୍କୁ ରୋଜଗାର ମଧ୍ୟ ପ୍ରଦାନ କରାଯାଇଛି  ।

କେବଳ ମହାବିନାୟକ ନୁହେଁ, ଓଳାଶୁଣୀ ଇକୋ ଟୁରିଜିମ କ୍ଷେତ୍ରର ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି  । ଏଠାରେ ମଧ୍ୟ ପାହାଡ଼ ଉପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି  । ଫନି ବାତ୍ୟା ପରଠୁ ଓଳାସୁଣି ପାହାଡ଼ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା  । ଏବେ ଏହାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ  ।

୯ ଦିନରେ ୮ ଥର ବଢ଼ିଲାଣି ତେଲ ଦର, ଏଥର ଲିଟର ପିଛା ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ତେଲ ଦର । କ୍ରମାଗତ ଭାବେ ଆଜି ପୁଣି ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ମିଶାଇ ୯ ଦିନରେ ଲଗାତର ଭାବେ ୮ ଥର ବଢ଼ିଲାଣି ତେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୧ ଟଙ୍କା ୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୨ ଟଙ୍କା ୨୭ ପଇସାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୫ ଟଙ୍କା ୮୮ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୧୦ ପଇସାରେ ପହଞ୍ଚିଛି । ଏପଟେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଆଜିର ନୂଆ ଦରକୁ ମିଶାଇ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୧୧ ପଇସାରୁ ବୃଦ୍ଧି ପାଇ ୧୦୭ ଟଙ୍କା ୯୭ ପଇସା ଓ ଡିଜେଲ ଲିଟର ପିଛା ୯୬ ଟଙ୍କା ୮୩ ପଇସାରୁ ବୃଦ୍ଧି ପାଇ ୯୭ ଟଙ୍କା ୬୮ ପଇସାରେ ପହଞ୍ଚିଛି ।

ଚାରି ମାସର ବ୍ୟବଧାନ ପରେ ଗତ ୨୨ ତାରିଖରୁ ନିୟମିତ ଭାବେ ବଢୁଛି ତେଲ ଦର । କେବଳ ୨୪ ମାର୍ଚ୍ଚରେ ତେଲ ଦର ସ୍ଥିର ଥିଲା । ତେବେ ୨୯ମାର୍ଚ୍ଚରେ ବଢିଥିବା ତେଲ ଦରକୁ ମିଶାଇ ଗତ ୯ଦିନ ହେବ ପାଖାପାଖି ୫ଟଙ୍କା ୫୦ପଇସା ତେଲ ଦର ବୃଦ୍ଧି ପାଇଛି ।

କେଉଁ ଦିନ କେତେ ବଢିଛି ତେଲ ଦର ?

୨୨ ମାର୍ଚ୍ଚ – ୮୦ ପଇସା

୨୩ ମାର୍ଚ୍ଚ – ୮୦ ପଇସା

୨୫ ମାର୍ଚ୍ଚ – ୮୦ ପଇସା

୨୬ ମାର୍ଚ୍ଚ – ୮୦ ପଇସା

୨୭ ମାର୍ଚ୍ଚ – ୫୦ ପଇସା

୨୮ ମାର୍ଚ୍ଚ – ୩୦ ପଇସା

୨୯ ମାର୍ଚ୍ଚ – ୮୦ ପଇସା

୩୦ ମାର୍ଚ୍ଚ – ୮୦ ପଇସା

ଏଫଆଇଏଚ୍ ପ୍ରୋ ଲିଗ୍ ହକି: ଭୁବନେଶ୍ୱରରେ ପହଞ୍ଚିଲା ଇଂଲଣ୍ଡ ପୁରୁଷ ହକି ଦଳ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଏଫଆଇଏଚ୍ ପ୍ରୋ ଲିଗ୍ ହକି । ଏଫଆଇଏଚ୍ ପ୍ରୋ-ଲିଗ୍ ହକି ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଲା ଇଂଲଣ୍ଡ ପୁରୁଷ ହକି ଟିମ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଇଂଲଣ୍ଡ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସନ୍ତା ଏପ୍ରିଲ ୨ ଓ ୩ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭାରତ ବିପକ୍ଷରେ ଟର୍ଫକୁ ଓହ୍ଲାଇବ ଇଂଲଣ୍ଡ । ସେପଟେ ଇଂଲଣ୍ଡର ମହିଳା ହକି ଟିମ୍ ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳିଙ୍କୁ କରୋନା ହେବାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବାକୁ ଥିବା ମହିଳା ମ୍ୟାଚକୁ ସ୍ଥଗିତ କରାଯାଇଛି ।

ସୂଚନା ଅନୁସାରେ ଏଫଆଇଏଚ୍ ପ୍ରୋ ଲିଗ୍ ହକିରେ ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ୮ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ଓ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ଜର୍ମାନୀ ତଳକୁ ରହିଛି । ତେବେ ଆସନ୍ତା ଏପ୍ରିଲ ୨ ଓ ୩ରେ ଇଂଲଣ୍ଡ ବିପକ୍ଷରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଯିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ମୁହାଁମୁହିଁ ହେବେ ନିରଞ୍ଜନ ଓ ଶର୍ମିଷ୍ଠା

ଭୁବନେଶ୍ୱର: ସତ ଉଗାରୁଛି ଶର୍ମିଷ୍ଠା । କ୍ୟାମେରାମ୍ୟାନ ମାନସକୁ କାହିଁକି ହତ୍ୟା କଲା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ ବଖାଣୁଛି ଶର୍ମିଷ୍ଠା । ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ୪ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ଅନ୍ୟ ତିନି ଅଭିଯୁକ୍ତ ଝୁନା, ନିରଞ୍ଜନ ଓ ରଞ୍ଜନକୁ ମହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ନିରଞ୍ଜନକୁ ସାମ୍ନା ସାମ୍ନି ବସାଇ ସତ ଉଗାରିବ କ୍ରାଇମବ୍ରାଞ୍ଚ ।

କାହିଁକି କରିଥିଲେ ହତ୍ୟା? ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ କ’ଣ ଯୋଜନା କରିଥିଲ? ହତ୍ୟା ପଛରେ ଥିଲା କି ଚିପ୍‌ ଓ ଅଶ୍ଳୀଳ ଭିଡିଓ? କୁଆଡ଼େ ଗଲା ମେମୋରୀ ଚିପ୍‌? ମେମୋରି ଚିପରେ କ’ଣ ରହିଛି? ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ମଧ୍ୟରେ କେମିତି ଥିଲା ସମ୍ପର୍କ? ଏମିତି କିଛି ପ୍ରଶ୍ନକୁ ନେଇ ଗୁଡେଇ ତୁଡେଇ ଜେରା ଚାଲିଛି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ତଦନ୍ତ ଦିଗହରା କରିବାକୁ ଉଦ୍ୟମ କରୁଥିବାରୁ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରିବାକୁ ମଧ୍ୟ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ଅଗ୍ନିପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଟିଚାଳନା

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ଅଗ୍ନିପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଟିଚାଳନା । ଅନାସ୍ଥା ଭୋଟରେ ଅନୁପସ୍ଥିତ ରହିବା ଲାଗି ପାକିସ୍ତାନ ତେହରିକ-ଇ-ଇନସାଫ ବା ପିଟିଆଇର ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ । ଇମ୍ରାନଙ୍କ ବିରୋଧରେ ପାକ୍ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରଠାରୁ ଉଭୟ ସରକାର ଓ ବିରୋଧୀଙ୍କ ଜାରି ରହିଛି ଗେମପ୍ଲାନ ।

ଦୁଇ ଦିନ ତଳେ ବିରୋଧୀ ଦଳ ନେତା ତଥା ପିଏମଏଲ-ଏନ୍ ସଭାପତି ଶେହବାଜ ସରିଫଙ୍କ ଦ୍ବାରା ଏହି ପ୍ରସ୍ତାବ ଆଗତ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂସଦକୁ ରଖାଯାଇଥିଲା ମୁଲତବୀ । ଆସନ୍ତା ଏପ୍ରିଲ ୩ ତାରିଖରେ ହିଁ ସଂସଦରେ ଅନାସ୍ଥା ଭୋଟ ହୋଇପାରେ ବୋଲି ଆଶା କରାଯାଉଛି । ୩୪୨ ସଦସ୍ୟ ବିଶିଷ୍ଟ ପାକ୍ ସାଂସଦରେ ମ୍ୟାଜିକ ନମ୍ବର ରହିଛି ୧୭୨ ।

ଏହାପୂର୍ବରୁ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପାକିସ୍ତାନ-ତେହରିକ-ଇ-ଇନସାଫ ସଦସ୍ୟ ଉସମାନ ବଜାଦାର ଓ ଗୃହ ନିର୍ମାଣମନ୍ତ୍ରୀ ତଥା ସହଯୋଗୀ ପାକିସ୍ତାନ ମୁସଲିମ ଲିଗ କ୍ୟାଦର ନେତା ତାରିକ ବାସିର ସୀମା ଇସ୍ତଫା ଦେଇଛନ୍ତି । କୁହାଯାଉଛି ଇମ୍ରାନ ନିଜର ଗାଦି ବଞ୍ଚାଇବାକୁ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଳିଦାନ ଦେଇଛନ୍ତି ।