କୁନି ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ଓଡ଼ିଶାର ଦୁଇ ପ୍ରତିଭା

ଜଗତସିଂହପୁର: ପରିଚୟ ଦେଇଛି ପ୍ରତିଭା । କମ ବୟସରେ ବିରଳ ରେକର୍ଡର ଅଧିକାରୀ ହୋଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର କୁନି ପ୍ରତିଭା । କିଏ ଅନର୍ଗଳ ଶ୍ଳୋକ ପଢୁଛି ଆଉ କିଏ ଦେଶ ବିଦେଶର ଜଣାଅଜଣାକୁ ଅନାୟସରେ ନିର୍ଭୁଲ ଭାବରେ କହୁଛି । ଏଭଳି ନିଆରା ପ୍ରତିଭାକୁ ମିଳିଛି ପୁରସ୍କାର । ଜଗତସିଂହପୁର ଓ ସାଲେପୁରରୁ ଦେଖିବା ଦୁଇ କୁନି ପ୍ରତିଭାଙ୍କର ସଫଳତାର କାହାଣୀ ।

ଦେବାନଶୀ ରାୟ । ବୟସ ମାତ୍ର ଅଢେଇ ବର୍ଷ । ଖେଳୁଛି, ବୁଲୁଛି, କୁନି ଦୁଷ୍ଟାମୀରେ ମନ ମୋହୁଛି । ହେଲେ ୟା ଭିତରେ ସେ ହୋଇଛନ୍ତି ବିରଳ ରେକର୍ଡର ଅଧିକାରୀ । ନିଜର ପ୍ରତିଭା ବଳରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଗୌରବ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ବିରିବାଟି ଗାଁର ଦେବାନଶୀ । ଅନର୍ଗଳ ଗୀତା ପାଠ ସହିତ ବିଭିନ୍ନ ରାଜଧାନୀ ଓ ଅନ୍ୟାନ୍ୟ ସାମଗ୍ରୀର ନାଁ କହି ଇଣ୍ଡିଆ ବୁକରେ ପାଇଛନ୍ତି ସ୍ଥାନ । ତାଙ୍କ ସଫଳରେ ପରିବାର ସହିତ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଖୁସି ।

ଇଏ ହେଲେ ସାଲେପୁରର କ୍ରିଷ୍ଣାଦେବ ସାହୁ । କୁନି ବୟସରେ ବଡ଼ ସଫଳତା ପାଇଥିବା ଆଉ ଜଣେ ପ୍ରତିଭା । ବୟସ ୩ବର୍ଷ ବି ହୋଇନି । ହେଲେ ପାରଦର୍ଶିତା ବଳରେ ଇଣ୍ଡିଆ ବୁକ୍‌ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ, ଓଡ଼ିଶାର ସମସ୍ତ ଜିଲ୍ଲା ଓ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ରେକର୍ଡ କରିଛନ୍ତି କିଷ୍ଣାଦେବ । ଏହା ସହିତ ଓଡ଼ିଆ ଶବ୍ଦର ଇଂରାଜୀ ଉଚ୍ଚାରଣ , ପଣକିଆ ଓ ଓଡିଆରେ କବିତା ପଂକ୍ତିକୁ ମଧ୍ୟ ସେ ସହଜରେ କରିପାରୁଛନ୍ତି ଉଚ୍ଚାରଣ । ଆଗାମୀ ଦିନରେ ପୁଅ ଆହୁରି ସଫଳତା ପାଇବ ବୋଲି ଆଶା ରଖିଛନ୍ତି କୀର୍ତି ରଂଜନ ସାହୁ । ସ୍ଫୁଟିତ ପ୍ରତିଭାକୁ ମିଳୁଛି ସମ୍ମାନ । କମ ବୟସରେ ବିରଳ ରେକର୍ଡ ଅଧିକାରୀ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣୁଛନ୍ତି କୁନି ପ୍ରତିଭା ।