ବିବାହର ୯ ଦିନ ପରେ ଜୀବନ ହାରିଲେ ଯୁବକ

ମାଲକାନଗିରି: ବିବାହର 9 ଦିନ ପରେ ଜୀବନ ହାରିଲେ ଯୁବକ । ସ୍ତ୍ରୀକୁ ତାଙ୍କ ପରିବାର ଲୋକେ ନ ଛାଡିବାରୁ କୀଟନାଷକ ପିଇ ଆତ୍ମହତ୍ୟା କଲେ ଯୁବକ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି 9 ଗ୍ରାମରେ । ଗାଁର ସଞ୍ଜିତ ହାଲଦାର 14 ତାରିଖ ଦିନ ବୋଇଲାପାରି ଗ୍ରାମର ଗାୟତ୍ରୀ ପଡିଆମୀଙ୍କୁ ଭଲପାଇ ବିବାହ କରିଥିଲେ । 16 ତାରିଖ ଦିନ ଗାୟତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇଯାଇଥିଲେ । ସଞ୍ଜିତ ସ୍ତ୍ରୀକୁ ଆଣିବାକୁ ଯାଇଥିଲେ ସୁଦ୍ଧା ଗାୟତ୍ରୀଙ୍କୁ ଛାଡି ନଥିଲେ ତାଙ୍କ ପରିବାର ଲୋକେ । ଘଟଣାକୁ ନେଇ 20 ତାରିଖ ଦିନ ଗ୍ରାମରେ ଏକ ବୈଠକ ମଧ୍ୟ ବସିଥିଲା ।

କିନ୍ତୁ ବୈଠକରେ କୌଣସି ସୁଫଳ ମିଳିନଥିଲା । ଘଟଣା ପରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୀବ ନିଜ ଚାଷ ଜମିରେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ପ୍ରଥମେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ହେଲେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଭିଯୋଗ ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ୍ ।