ଅନୁଭବ ଭିଡିଓ ପାର୍ଟ- ୩ ; ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ବେଳେ ବର୍ଷା କେଉଁଠି ଥିଲେ ?

1 min read

ଭୁବନେଶ୍ୱର: ଅନୁଭବ ଭିଡିଓ ପାର୍ଟ- ୩ । ଚର୍ଚ୍ଚିତ ସେଲିବ୍ରିଟି କପଲ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଏବେ ଚର୍ଚ୍ଚାରେ । ଲଗାତର ଭାବେ ସୋସିଆଲ ମିଡିଆରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ଜାରି କରି ଚାଲିଛନ୍ତି । ଅନୁଭବଙ୍କ ଭିଡିଓକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ସାଂସଦ ଅନୁଭବ ଜାରି କରିଛନ୍ତି ଆଉ ଏକ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ, ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଏହାପରେ ପାଲଟା ଭିଡିଓ ଜାରି କରି ଅନୁଭବ କହିଛନ୍ତି, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ପ୍ରଥମେ ସେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ ବୋଲି ସେ ଭିଡିଓ ମାଧ୍ୟମରେ କହିଛନ୍ତି ।

ବର୍ଷା ତାଙ୍କୁ ସ୍ୱାମୀ ବୋଲି କହୁଛନ୍ତି, ହେଲେ ଗଣମାଧ୍ୟମରେ ଯେତେବେଳେ ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ହେଉଥିଲା, ସେତେବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ? ଏବେ ତାଙ୍କ କଥା ପଡ଼ିବାରୁ ସେ ଥାନାକୁ ଯାଇ କାହିଁକି ଧୈର୍ଯ୍ୟହରା ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହାସହ ସମ୍ମାନ ସହ ଅଲଗା ହେବାକୁ ବର୍ଷାଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ । ନଚେତ୍ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି । କେବଳ ଏତିକି ନୁହେଁ, ବର୍ଷାଙ୍କ ସବୁ ଡକ୍ୟୁମେଣ୍ଟ ଜାଲ୍‌ ବୋଲି କହିଛନ୍ତି ଅନୁଭବ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କିଏ ସତ କହୁଛି କିଏ ମିଛ କହୁଛି ? ସେଥିପାଇଁ ଭିଡିଓ ମାଧ୍ୟମରେ ପଲିଗ୍ରାଫ୍, ଲାଏ ଡିଟେକ୍ସନ ଓ ମେଡିକାଲ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି । ବର୍ଷା ବି ଏହି ଟେଷ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚାଲେଞ୍ଜ କରିଛନ୍ତି ଅନୁଭବ ।