ତାଇୱାନ ଉପରେ ଆକ୍ରମଣ ହେଲେ ମୁହଁତୋଡ଼ ଜବାବ : ବାଇଡେନ୍

ନୂଆଦିଲ୍ଲୀ: ତାଇଓ୍ୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ । ତାଇଓ୍ୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାଇ ଦେଇଛନ୍ତି । ଯାହାର ତୀବ୍ର ବିରୋଧ କରିଛି ଚୀନ । ଚୀନକୁ ହେୟଜ୍ଞାନ କରିବାର ଭୁଲ  କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି ।

ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଛନ୍ତି ଯେ, ଚୀନ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ । ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇଓ୍ୱାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇଓ୍ୱାନ ସେନାକୁ ସହାୟତା କରିବ ।

ସୂଚନାଯୋଗ୍ୟ ଯେ, ଜଣେ ଚୀନ ମିଲିଟାରୀ ଅଫିସରଙ୍କ ଏକ ଲିକ୍ ଅଡିଓ ଲିକ୍‌ ହୋଇଛି । ଅଡିଓରେ ଚୀନର ଟପ୍ ମିଲିଟାରୀ ଅଫିସରଙ୍କୁ ତାଇବାନ ବିପକ୍ଷ ଯୁଦ୍ଧ ନେଇ ରଣନୀତି ସମ୍ପର୍କରେ କହୁଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଅଡିଓ କ୍ଳିପଟି ୫୭ ମିନଟର  । ଏଥିରେ ଚୀନର ଟପ୍ ଓ୍ୱାର ଜେନେରାଲ ତାଇୱାନରେ କିଭଳି ଯୁଦ୍ଧ ଆରମ୍ଭ କରାଯିବ ଏବଂ ଆଗକୁ ବଢ଼ାଯିବ ସେ ନେଇ ଆଲୋଚନା ହୋଇଛି । ଅଡିଓରୁ ଜଣାପଡ଼ୁଛି ଯେ, ଚୀନର ପିପଲ୍ସ ଲିବରେସନ୍ ଆର୍ମି ସ୍ଥଳପଥର ଆକ୍ରମଣ ନେଇ ଯୋଜନା କରୁଛି । ସାଇବର ଆକ୍ରମଣ ଏବଂ ଅନ୍ତରୀକ୍ଷରେ ଥିବା ହତିଆରର ବ୍ୟବହାର ନେଇ ମଧ୍ୟ ରଣନୀତିର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସାରା ବିଶ୍ୱର ବିଭିନ୍ନ ସଂସ୍ଥାରେ ଚୀନ ନିଜ ନାଗରିକଙ୍କୁ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ସକ୍ରିୟ କରିବା ନେଇ ମଧ୍ୟ ଯୋଜନା ହେଉଛି ।

ସାମାଜିକ କର୍ମୀ ଜେନିଫର ଝୋଗଂ ଟ୍ୱିଟ୍‌ କରି ଦାବି କରିଛନ୍ତି ଯେ, ପ୍ରଥମଥର ପାଇଁ ଚୀନରେ ଜେନେରାଲସ୍ତରରେ ଟପ୍ ସିକ୍ରେଟ ମିଟିଂକୁ ରେକର୍ଡିଂ କରି ଲିକ୍ କରାଯାଇଛି । ଏଥିଲାଗି ଜଣେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ତିନ ମେଜର ଜେନରାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ବହୁ ଅନ୍ୟ ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତେବେ ଏଭଳି ଅଡିଓ ଲିକ୍‌ କରିବା, ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସିପିସିରେ ବିଦ୍ରୋହର ସବୁଠାରୁ ବଡ଼ ପ୍ରମାଣ ବୋଲି କୁହାଯାଉଛି ।

ଦାବି କରାଯାଉଛି ଯେ, ଏହି ବୈଠକ ୧୪ ମଇରେ ହୋଇଥିଲା । ଏହାର ଅଡିଓ ପ୍ରଥମ ଥର ପାଇଁ ଲ୍ୟୁଡ୍ ମିଡିଆ ଲିକ୍ କରିଥିଲା । ଲ୍ୟୁଡ୍ ମିଡିଆର କହିବା ହେଲା ଯେ,ଏହି ଅଡିଓ ସିପିସିର ଏକ ବଡ଼ ଅଧିକାରୀ ଲିକ୍ କରିଛନ୍ତି । ଯିଏ ତାଇୱାନକୁ ନେଇ ଜିନ୍ ପିଙ୍ଗ୍‌ଙ୍କ ଉଦ୍ଦେଶ୍ୟକୁ ଉଜାଗର କରିବାକୁ ଚାହୁଁଛନ୍ତି । ଅଡିଓରେ ହୋଇଥିବା କଥାବାର୍ତ୍ତାରୁ ଅନୁମାନ କରାଯାଉଛି ଯେ, ଏହି ବୈଠକରେ ରାଜନୈତିକ ନେତୃତ୍ୱ ବ୍ୟତୀତ, ପାର୍ଟି ସେକ୍ରେଟାରୀ, ଡେପୁଟୀ ସେକ୍ରେଟାରୀ, ଗଭର୍ଣ୍ଣର ଏବଂ ଭାଇସ୍ ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅଡିଓ ଏଭଳି ସମୟରେ ଆସିଛି ଯେତେବେଳେ ତାଇୱାନରେ ଚୀନ ସେନାର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଖୁବ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ ମଇ ମାସରେ  ତାଇଓ୍ୱାନ ଏୟାରସ୍ପେଶରେ ଚୀନ ୬୮ ମିଲିଟାରୀ ଏୟାରକ୍ରାଫ୍ଟ ପଠାଇସାରିଛି । ଏମାନଙ୍କ ମଧ୍ୟରେ ୩୦ ଫାଇଟର ଜେଟ୍, ୧୯ ପ୍ଳେନ୍, ୯ହେଲିକପ୍ଟର ସାମିଲ ।  ଯାହା ତାଇୱାନ ବିପକ୍ଷରେ ଚୀନ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିବା ସନ୍ଦେହକୁ ସୁଦୃଢ଼ କରୁଛି ।  ତାଇୱାନ ଚୀନର ଦକ୍ଷିଣ ପୂର୍ବ ତଟଠାରୁ ପାଖାପାଖି ୧୦୦ ମାଇଲ ଦୂରରେ ଅବସ୍ଥିତ । ସେ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ବିବେଚିତ କରେ । ଯେତେବେଳେ କି ଚୀନ ଏହାକୁ ନିଜ ପ୍ରଦେଶ ଭାବେ ବିବେଚିତ କରେ । ଏବଂ ଏହାକୁ ପୁଣି ଚୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।