ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଲଘୁଚାପ । ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ତେବେ ସମ୍ଭାବ୍ୟ ବାତ୍ୟା ନେଇ କିଛି ସମୟ ପରେ ଆସିବ ସ୍ପଷ୍ଟ ଚିତ୍ର । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଂଜାମ, ଅନୁଗୁଳ, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ୪୦ରୁ ୫୦ କିଲୋମିଟର ବେଗରେ ବହୁଛି ପବନ । ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବର୍ଷାର ପରିମାଣ ବଢ଼ିବ । ଏହି ସମୟରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ ।
ଯୁଦ୍ଧର ୭୨ ଦିନରେ ପୂର୍ବ ଓ ଦକ୍ଷିଣ ପୂର୍ବ ୟୁକ୍ରେନରେ ଋଷ ଚଳାଇଛି ଧ୍ବଂସଲୀଳା
କିଭ୍: ଋଷ ବିରୋଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଗୁରୁତର ଅଭିଯୋଗ । ଆକ୍ରମଣରେ ଦେଶରେ ଧ୍ୱଂସ ହେଲାଣି ୪୦୦ରୁ ଅଧିକ ହସ୍ପିଟାଲ ଓ ପ୍ରତିଷ୍ଠାନ । ଏହାମଧ୍ୟରେ ରହିଛି ହସ୍ପିଟାଲ, ମାତୃକାଳୀନ କେନ୍ଦ୍ର, ଓପିଡି ଇତ୍ୟାଦି । ଡାକ୍ତରମାନେ ହସ୍ପିଟାଲ ଛାଡ଼ି ଅନ୍ୟତ୍ର ଚାଲିଗଲେଣି । ଋଷ ଅଧିକୃତ ଅଞ୍ଚଳରେ ସ୍ବାସ୍ଥ୍ୟ ସଂକଟ ଅତି ଗୁରୁତର ଆକାର ଧାରଣ କଲାଣି ବୋଲି କହିଛନ୍ତି ଜେଲେନସ୍କି ।
ଚିକିତ୍ସା ଅଭାବରୁ କ୍ୟାନସର, ମଧୁମେହ ରୋଗୀଙ୍କ ଅବସ୍ଥା ଜଟିଳ ହୋଇଛି । ଇନସୁଲିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମେଡିସିନର ଅଭାବ ଯୋଗୁ ହଜାର ହଜାର ରୋଗୀ ଜୀବନ ମରଣ ସମସ୍ୟାରେ ରହିଥିବା ସେ କହିଛନ୍ତି । ଅନ୍ୟପଟେ କ୍ରେମଲିନ କହିଛି, କେବଳ ସାମରିକ ସ୍ଥଳଗୁଡିକ ଉପରେ ହିଁ ହମଲା କରାଯାଇଛି ।
ସେପଟେ ଯୁଦ୍ଧର ଅବସାନ ଲାଗି ପୁଣି ଥରେ ଆହ୍ବାନ ଦେଇଛନ୍ତି ଜାତିସଂଘ, ଆମେରିକା, ଆୟାରଲ୍ୟାଣ୍ଡ, ଫ୍ରାନ୍ସ ଓ ମେକ୍ସିକୋ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ୟୁକ୍ରେନବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ । ପୋର୍ଟସିଟି ମାରିୟୁପୋଲରେ ତୃତୀୟ ପର୍ଯ୍ୟାୟ ରେସକ୍ୟୁ ଅପରେସନ ଜାରି ରହିଛି । ଆଜଭୋସ୍ତାଲ ଷ୍ଟିଲ ପ୍ଲାଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ଜାତିସଂଘ ଓ ରେଡକ୍ରସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି ।
ଯୁଦ୍ଧର ୭୨ ଦିନରେ ପୂର୍ବ ଓ ଦକ୍ଷିଣ ପୂର୍ବ ୟୁକ୍ରେନରେ ଋଷ ଚଳାଇଛି ଧ୍ବଂସଲୀଳା । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରି କୁଲେବା କହିଛନ୍ତି, ୟୁକ୍ରେନରେ ଋଷ କ୍ଷେପଣାସ୍ତ୍ର ଆତଙ୍କବାଦ ଚଳାଇଛି । କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ବହୁ ବିଦ୍ୟୁତ ଷ୍ଟେସନ, ରେଳ ଷ୍ଟେସନ, ଇନ୍ଧନ ଡିପୋ, ଗୋଳବାରୁଦ ଗୋଦାମ ନଷ୍ଟ ହୋଇଛି ବୋଲି ସେ କହିଛନ୍ତି ।
ଦୀର୍ଘ ଦିନର ଅପେକ୍ଷାର ଘଟିଲା ଅନ୍ତ, ଖୋଲିଲା କେଦାରନାଥ ମନ୍ଦିରର ଦ୍ୱାର
ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି । ଆଜି ଖୋଲିଛି ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଆଜି ସକାଳ ୬ଟା ୨୫ରେ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ପ୍ରାୟ ୨୦ ହଜାର ଭକ୍ତ ଦ୍ୱାର ଖୋଲିବା ବେଳେ ଉପସ୍ଥିତ ଥିଲେ ।

ଦ୍ୱାର ଫିଟା ନୀତିର ଆରମ୍ଭ କେମିତି ହୁଏ ?
ପ୍ରଥମେ ସକାଳୁ ସକାଳୁ କେଦାରନାଥର ପୂଜାରୀଙ୍କୁ ଥାଟପାଟରେ ମନ୍ଦିରକୁ ଅଣାଯାଇଥିଲା । ଏହାପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ଏବଂ କିଛି ସମୟ ପରେ ଦ୍ୱାର ଖୋଲାଯାଇଥିଲା । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୈନିକ ୧୨ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବାର ଅନୁମତି ରହିଛି । ସେହିପରି ବଦ୍ରିନାଥରେ ୧୫ ହଜାର ଓ ଗଙ୍ଗୋତ୍ରୀରେ ୭ ହଜାର ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ ।
ତେବେ ଏହାପୂର୍ବରୁ ଗଙ୍ଗୋତ୍ରୀ ଓ ଯମୁନେତ୍ରୀରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲିସାରିଛି । ଏହାସହ ମେ ୮ରେ ବଦ୍ରିନାଥର ଦ୍ୱାର ଫିଟାଯିବ । କବାଟ ଖୋଲିବା ପରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି । କାରଣ ସେମାନେ ପୂର୍ବରୁ ପଞ୍ଜୀକରଣ ମଧ୍ୟ କରିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ: କରୋନାରେ ଭାରତର ସର୍ବାଧିକ ରୋଗୀଙ୍କର ମୃତ୍ୟୁ ହୋଇଛି
ନୂଆଦିଲ୍ଲୀ: ମହାମାରୀ କରୋନାରେ ଭାରତର ସର୍ବାଧିକ ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ରିପୋର୍ଟକୁ ଚାଲେଞ୍ଜ କରିଛି ଭାରତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସରକାର । କୋଭିଡ୍ ମୃତକଙ୍କ ରିପୋର୍ଟ ଜାରି କରି ଡବ୍ଲୁଏଚଓ କହିଛି ଯେ, ମହାମାରୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଶ୍ୱରେ ୧୪.୯ ମିଲିଅନ ଲୋକେ ପ୍ରାଣ ହରାଇଛନ୍ତି । ସେଥିରୁ ଭାରତର କେବଳ ୪.୭ ମିଲିଅନ ରହିଛି ।
ତେବେ ଏହି ରିପୋର୍ଟକୁ ଅସ୍ୱୀକାର କରିଛି ଭାରତ। ନିକଟରେ ଭାରତ ସରକାର କରୋନା ମୃତକଙ୍କ ତଥ୍ୟ ଜାରି କରିଥିଲେ । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡରେ ମୃତକଙ୍କର ଯେଉଁ ତଥ୍ୟ ଜାରି କରିଛି ଏଥିରେ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରେ ଆକାଶ ପାତାଳ ତଫାତ୍ ରହିଛି ।
ଡବ୍ଲୁଏଚଓ ମୁତାବକ ୧ ଜାନୁୟାରୀ ୨୦୨୦ରୁ ୩୧ ଡିସେମ୍ୱର ୨୦୨୧ ମଧ୍ୟରେ ୪୭ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଯାହକୁ ଅସ୍ବିକାର କରିଛି ଭାରତ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ସାରା ବିଶ୍ବରେ ହୋଇଥିବା ମୃତକଙ୍କ ସଂଖ୍ୟା ସଠିକ ଗଣନା ହୋଇନାହିଁ । ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ।
ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଗ୍ୟାସ ଲିକ୍ ହେବାରୁ ୟାତାୟତ ବାଧାପ୍ରାପ୍ତ
ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ନୟାଗଡ଼ ନିକଟରେ ଉପରେ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଟାଙ୍କିରୁ ଲିକ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ୍ । ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲେ ଏହି ଗ୍ୟାସ ବୋଝେଇ ଟ୍ରକ । ଯାତାୟତ ବହୁଳ ଏହି ଜାତୀୟ ରାଜପଥରେ ଅତ୍ୟଧିକ ଗ୍ୟାସ ଲିକ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ଯେଉଁଭଳି ଭାବେ ଟାଙ୍କିରୁ ଗ୍ୟାସ ନିର୍ଗତ ହେବାରେ ଲାଗିଛି । ତାହା ବଡ ଧରଣର ଦୁର୍ଘଟଣା ଘଟାଇବା ଅନୁମାନ କରିହେଉଛି । ଅର୍ଥାତ ଟାଙ୍କିଟି ଫାଟି ଯିବାର ମଧ୍ୟ ଭୟ ରହିଛି । ତେବେ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ କିମ୍ବା ଦମକଳ କର୍ମଚାରୀ ମାନେ ପହଞ୍ଚି ନାହାନ୍ତି । ସେପଟେ ରାସ୍ତା ଉପରେ ଏଭଳି ଦୁର୍ଘଟଣା ଘଟିଥିବାରୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

