୨୦ ଦେଶକୁ ବ୍ୟାପିଲା ମଙ୍କିପକ୍ସ, ଚିହ୍ନଟ ହେଲେଣି ୨୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ୨୦ ଦେଶକୁ ବ୍ୟାପିଲା ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୨୦୦ରୁ ଅଧିକ ସଂକ୍ରମିତ । ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମଙ୍କିପକ୍ସ ଏପରି ଏକ ଭାଇରସ ଯାହାକି ଦନ୍ତଯୁକ୍ତ ପ୍ରାଣୀ ଓ ବାନରଜାତୀୟ ପ୍ରାଣୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଏହି ୨୦୦ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ରୋଗୀ କେନ୍ଦ୍ର ଓ ପଶ୍ଚିମ ଆଫ୍ରିକାର ବୋଲି ବିଶ୍ବବ୍ୟାଙ୍କ କହିଛି । ୧୯୭୦ ଦଶକରେ ପ୍ରଥମ ଥର ଲାଗି କଙ୍ଗୋରେ ଏହି ସଂକ୍ରମଣ ଦେଖାଦେଇଥିଲା । ପରେ ଏହାକୁ ନିର୍ମୂଳ କରାଯାଇଥିଲା ବୋଲି ଘୋଷଣା କରାଯାଇଥିଲା ।

ମାତ୍ର ପ୍ରାୟ ୩ ଦଶନ୍ଧି ପରେ ପୁନର୍ବାର ମଙ୍କିପକ୍ସ ଚିହ୍ନଟ ହୋଇଛି । ତେବେ ମଙ୍କିପକ୍ସ ନିୟନ୍ତ୍ରଣକ୍ଷମ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ମଙ୍କିପକ୍ସ ସଂକ୍ରମଣ ରୋକିବା ଲାଗି ସର୍ଭେଲାନ୍ସ କରାଯିବା ସହ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ସଂକ୍ରମଣ ଏବେ କାମେରନ, କଙ୍ଗୋ ଓ ନାଇଜେରିଆରେ ନିଜର କାୟା ବିସ୍ତାର କରିଛି । ମଙ୍କିପକ୍ସ ବ୍ୟାପିବ ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।