କଟକ: ହୋଟେଲ ଭିତରେ ମୃଦୁପାନୀୟ କାରଖାନା । ଜଗତପୁର ଅଞ୍ଚଳରେ ସିଏମସି ସ୍ବାସ୍ଥ୍ୟ ବିଭାଗ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ । କାରଖାନାରୁ 4 ହଜାର ବୋତଲ ମୃଦୁ ପାନୀୟ ସିଜ କରିବା ସହିତ ସ୍ବାସ୍ଥ୍ୟ ବିଭାଗ 4 ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ମୃଦୁପନୀୟକୁ ଜବତ କରି ପରୀକ୍ଷା ପାଇଁ ନେଇଛି । କାରଖାନାର ମାଲିକ ଜିତେନ୍ଦ୍ର ସାହୁ ଗତ କିଛିବର୍ଷ ହେବ ଜଗତପୁର ଡିଗି ସାହିରେ ଏହି କାରଖାନା କରିଥିଲେ । ତେବେ ଗତ ଏକମାସ ହେବ ସେ ତରୋଳରେ ଏକ ହୋଟେଲ କଡ଼ରେ ଏହି କାରଖାନା କରିଥିଲେ ।

ମୃଦୁ ପାନୀୟ କରିବାର କୌଣସି ନୀତି ନିୟମ ମାନୁ ନଥିବା ଜଣାପଡିଛି । କାରଖାନାର ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି । ଏସବୁ ମୃଦୁ ପାନୀୟ ଜଗତପୁର ସମେତ ଯାଜପୁର, କେନ୍ଦ୍ରାପଡାକୁ ବିକ୍ରି ପାଇଁ ପଠାଯାଉଥିଲା । ବଜ଼ାରରୁ ଚିନି ଆଣି ଏହାକୁ ସିରାରେ ପରିଣତ କରିବା ପରେ କେମିକାଲ ଓ ପାଣି ମିଶାଇ ବଟଲିଂ କରାଯାଉଥିଲା । ଏକ ନାମୀ ବ୍ରାଣ୍ଡକୁ ଅନୁକରଣ କରି ଠିକ ସେହିପରି ଦେଖାଯାଉଥିବା ବୋତଲରେ ପ୍ୟାକିଙ୍ଗ କରାଯାଇ ଏହା ବଜ଼ାରକୁ ଛଡା ଯାଉଥିଲା । ପୋଲିସ କାରଖାନାକୁ ସିଲ୍ କରିବା ସହିତ ଜିତେନ୍ଦ୍ରକୁ ଅଟକ ରଖିଛି ।