ଋଷ ହାତକୁ ଯାଉଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ

କିଭ୍: ଋଷ ହାତକୁ ଯାଉଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ । ପୂର୍ବ ୟୁକ୍ରେନର ରେଲଓ୍ବେ ହବ୍ ଲିମାନକୁ ଋଷ ସମର୍ଥିତ ବିଦ୍ରୋହୀ ସମ୍ପୂର୍ଣ୍ଣ କବଜା କରିବା ପରେ ଏବେ ସିଭିରୋଡୋନେସ୍କ ସହରକୁ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ ।

ସହରର ଚାରିପଟୁ ଗୋଳବର୍ଷଣ ସହ ଏୟାରଷ୍ଟ୍ରାଇକ ଜାରି ରହିଛି । ଲିମାନକୁ ୟୁକ୍ରେନ ହାତଛଡ଼ା କରିଛି ବୋଲି ବିଧିବଦ୍ଧ ଘୋଷଣା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେକସି ଆରସ୍ତୋଭିଚ । ସମଗ୍ର ପୂର୍ବ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ଋଷ ସୈନ୍ୟ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି ।

ଋଷ ସୈନ୍ୟ ସିଭିରୋ ଡୋନେସ୍କ ଓ ଲିସିକାନସ୍କରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ସିଭିରୋ ଡୋନେସ୍କ ମେୟର କହିଛନ୍ତି, ସହରର ୯୦ ପ୍ରତିଶତ କୋଠା ଧ୍ବଂସ ହୋଇଗଲାଣି । କେବଳ ଏହି ସହରରେ ୧୫ଶହରୁ ଅଧିକ ଲୋକ ପ୍ରାଣ ହରାଇଲେଣି ବୋଲି ସେ କହିଛନ୍ତି । ଗତ ଫେବ୍ରୁଆରୀରେ ସହରର ଲୋକସଂଖ୍ୟା ୧ ଲକ୍ଷ ଥିବା ବେଳେ, ବର୍ତ୍ତମାନ ମାତ୍ର ୧୨ ହଜାର ଲୋକ ରହିଥିବା ସେ କହିଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ର ଆସିବାରେ ବିଳମ୍ବର ସୁଯୋଗ ଋଷ ନେଉଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ଯୁଦ୍ଧକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଋଷ ଆଉ ୧୨ ବାଟାଲିୟନ ସୈନ୍ୟ ମୁତୟନ କରିଛି । ସେପଟେ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ କହିଛନ୍ତି, ମସ୍କୋ ସହ କୌଣସି ପ୍ରକାର କଥାବାର୍ତ୍ତା କରାଯିବ ନାହି । ଏହି ଯୁଦ୍ଧରେ ୟୁକ୍ରେନର ବିଜୟ ହେବ ।