ପୁଣି ଫେରିଲା ତାତି, ୪୦ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି । ବିଭିନ୍ନ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି  । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼, ସୋନପୁରରେ ଅଧିକ ତାପମାତ୍ରା ଅନୁଭୁତ ହେଉଛି ।

ସେପଟେ ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ଦିନେ କି ୨ଦିନ ମଧ୍ୟରେ କେରଳ ଛୁଇଁବା ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବା ନେଇ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ ଆରବସାଗର ଏବଂ ଏହାର ଆଖପାଖରେ ପଶ୍ଚିମା ପବନ ଶକ୍ତିଶାଳୀ ହେଉଛି । ଏହାର ପ୍ରଭାବରେ କେରଳ ଉପକୂଳ ଏବଂ ଦକ୍ଷଣ ଆରବସାଗରରେ ମେଘଖଣ୍ଡ ଠୁଳ ହୋଇଛି । ଏହା ସହ ମୌସୁମୀ ସକ୍ରିୟ ହେବା ପାଇଁ ଆନୁଷଙ୍ଗିକ ପାଣିପାଗ ନିୟାମକ ସହାୟକ ହେଉଛି । ଆଜି ଆରବସାଗର ଏବଂ ଲାକ୍ଷାଦୀପରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସକ୍ରିୟ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।