spot_img
Home Blog Page 4403

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ପଢ଼ା ହେବ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । କେଉଁ କ୍ଲାସରେ ଏହି କୋର୍ସ ରହିବ ସେନେଇ SCERT ବିଚାର ବିମର୍ଷ କରୁଛନ୍ତି । ନବମ ଦଶମରେ କ’ଣ ରହିବ, ତଳ କ୍ଲାସରେ କେଉଁ କୋର୍ସ ରହିବ, ସେ ଦିଗରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ । ତେଣୁ ଶୀଘ୍ର ତାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଚୀନର ଚୁଙ୍ଗକ୍ବିଙ୍ଗ ବିମାନବନ୍ଦରରେ ଅଘଟଣ, ବିମାନ ଉଡ଼ାଣ ସମୟରେ ରନଓ୍ୱେରେ ଖସିପଡ଼ି ଦୁର୍ଘଟଣା

ବେଜିଂ: ବିମାନବନ୍ଦରରେ ଜଳିଗଲା ବିମାନ । ଚୀନର ଚୁଙ୍ଗକ୍ୱିଙ୍ଗ ବିମାନବନ୍ଦରରେ ଘଟିଛି ଏଭଳି ଦୁର୍ଘଟଣା  । ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଉଡାଣ ସମୟରେ ରନଓ୍ବେରେ ଖସିଯିବାରୁ ଦୁର୍ଘଟଣାଗ୍ରସ୍ତ ହେବା ସହ ବିମାନରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ  ମୋଟ ୧୨୨ ଜଣ ଥିଲେ ୧୧୩ ଜଣ ଯାତ୍ରୀ ଓ ୯ ଜଣ ବିମାନରେ ଥିବା କର୍ମଚାରୀ ଥିଲେ । ଉଡାଣ ବେଳେ ହିଁ ବିମାନରେ ନିଆଁ ଲାଗିଯାଇଥିଲା । ତେବେ ସମସ୍ତ ଯାତ୍ରୀ ଏବଂ ବିମାନ ମେମ୍ବରମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିଛି ଜଣ ଯାତ୍ରୀ ଆହତ ହୋଇଥିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିମାନରେ କେମିତି ନିଆଁ ଲାଗିଲା କାରଣ ଜଣାପଡିନାହିଁ  ।

ସୂଚନା ଅନୁସାରେ, ବିମାନଟି ଚୀନର ଦକ୍ଷିଣପଶ୍ଚିମ ସହର ଚୋଙ୍ଗକ୍ୟୁଇଙ୍ଗରୁ ଲୋକଙ୍କ ଧରି ତିବ୍ବତର ନୟିଙ୍ଗଚିକୁ ଯିବାର ଥିଲା । ତେବେ ଟେକଅପ ବେଳେ ବିମାନଟି ଯାତିନ୍ତ୍ର ତ୍ରୁଟିରେ ସମ୍ମୁଖୀନ ହୋଇଥିଲା । ଏହାପରେ ଏହି ବିମାନର ଉଡ଼ାଣକୁ ବାତିଲ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ରନ-ୱେ ଅତିକ୍ରମ କରି ଆଗକୁ ମାଡ଼ି ଯାଇଥିଲା । ଫଳରେ ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । ଏଥିସହ ବିମାନର ଗୋଟିଏ ଡେଣାର କିଛି ଅଂଶ ମଧ୍ୟ ନିଆଁରେ ଧ୍ୱଂସ ହୋଇ ଯାଇଛି।

ଇଡି ପଞ୍ଝାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ୧୩୩ କୋଟିର ଫିକ୍ସ ଡିପୋଜିଟ୍ ସିଜ୍

ଖୋର୍ଦ୍ଧା: ସିଜ୍ ହେଲା ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି । ଇଡିର ଚଢ଼ାଉରେ ୧୩୩ କୋଟିର ଫିକ୍ସ ଡିପୋଜିଟ୍‌ ସିଜ୍ ହୋଇଥିବାବେଳେ ୬୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ଏହି ସବୁ ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୂଚନା ଅନୁସାରେ ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍ କରିଥିଲା ଇଡି । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଟଙ୍କା ହେରଫେର ଅଭିଯୋଗରେ ଚଢାଉ କରାଯାଇଥିଲା । ଗତକାଲି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ହୋଇଥିଲା । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରିଛି ।

ଉତ୍ତର କୋରିଆରେ ଚିହ୍ନଟ ହେଲା ପ୍ରଥମ କୋଭିଡ ମାମଲା

ଉତ୍ତର କୋରିଆ: ଉତ୍ତର କୋରିଆରେ ଚିହ୍ନଟ ହେଲା ପ୍ରଥମ କୋଭିଡ ମାମଲା । ଏନେଇ ସାରା ଦେଶରେ ଲକଡାଉନ ଘୋଷଣା ସହ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଉତ୍ତର କୋରିଆ । ଦେଶରେ କୋଭିଡ ମାମଲା ଚିହ୍ନଟ ହେବାପରେ ଏମରଜେନ୍ସି ଘୋଷଣା ହୋଇଛି । କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ୨୦୨୦ ପରଠାରୁ ଉତ୍ତର କୋରିଆରେ କରୋନା ଗୋଟିଏ ବି ମାମଲା ଚିହ୍ନଟ ହୋଇନଥିଲା । ପରିସ୍ଥିତିକୁ ଦେଖି କିମ୍‌ ଜଙ୍ଗ୍‌ ଏକ ବୈଠକ ଡାକି ନିଷ୍ପତ୍ତି ନେଇଛନ୍ତି । ଜ୍ୱର ଓ ଥଣ୍ଡାରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କଠାରୁ ନିଆଯାଇଥିବା ନମୁନାରୁ ଜଣାପଡ଼ିଛି ଯେ, ସେ କୋଭିଡର ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।

ସ୍ୱିଡେନ ସହ ବ୍ରିଟେନର ପ୍ରତିରକ୍ଷା ରାଜିନାମା, ଋଷ ଆକ୍ରମଣ କଲେ ମିଳିବ ସହାୟତା

କିଭ୍: ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ୟୁରୋପର କିଛି ଅଣନାଟୋ ଦେଶ ଉପରେ ପଡ଼ିଛି । ସ୍ୱିଡେନ ଓ ଫିନଲାଣ୍ଡ ଭଳି ନିରପେକ୍ଷ ଦେଶ ମଧ୍ୟ ଏବେ ଋଷ ଓ ୟୁକ୍ରେନ ଆକ୍ରମଣକୁ ଖୋଲାଖୋଲି ବିରୋଧ କରିଛନ୍ତି । ଏସବୁ ମଧ୍ୟରେ ସ୍ୱିଡେନ ସହ ଏକ ସୁରକ୍ଷା ଚୁକ୍ତି କରିଛି ବ୍ରିଟେନ । ଯଦି ସ୍ୱିଡେନ ଉପରେ ଆକ୍ରମଣ ହୁଏ, ତାହା ହେଲେ ବ୍ରିଟେନ ସହାୟତା କରିବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ସ୍ୱିଡେନ୍ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଫିନଲାଣ଼୍ଡ ସହ ମଧ୍ୟ ବ୍ରିଟେନ ଏଭଳି ଏକ ଚୁକ୍ତି କରିବା ସମ୍ଭାବନା ରହିଛି ।

ସେପଟେ ୭୭ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଥମିବାର ନାଁ ନେଉନି ସମର । ବର୍ତ୍ତମାନ ସୁଦ୍ଧା ୨୬ ହଜାର ୩୫୦ ଋଷ ସୈନ୍ୟ ପ୍ରାଣ ହରାଇଛି ବୋଲି ଦାବି କରିଛି ୟୁକ୍ରେନ । ଏହା ସହ ୧୯୯ ବିମାନ, ୧୬୦ ହେଲିକପ୍ଟର, ୧୧୮୭ ଟ୍ୟାଙ୍କ, ୩୯୦ ୟୁଏଭି ନଷ୍ଟ ହୋଇଛି ବୋଲି ସୂଚନା ଦେଇଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ । ତେଣେ ଆମେରିକାଠାରୁ ୟୁକ୍ରେନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଭ କରି ଯୁଦ୍ଧକୁ ଜୋରଦାର କରୁଥିବାବେଳେ କୃଷ୍ଣସାଗରରେ ଋଷ ମୁତୟନ କରିଛି ୬ଟି ଯୁଦ୍ଧ ଜାହାଜ, ୨ଟି ବୁଡ଼ାଜାହାଜ । ଏହି ଜାହାଜରେ ୫୦ରୁ ଅଧିକ କ୍ରୁଜ୍ ମିଜାଇଲ ଖଞ୍ଜାଯାଇଥିବା ସୂଚନା ମିଳିଛି ।

ଶତ୍ରୁରାଷ୍ଟ୍ରଙ୍କ ବିରୋଧରେ ଖୁବ୍ ଶୀଘ୍ର ବିଭିନ୍ନ ସ୍ଥାନରେ ଜଳ, ସ୍ଥଳ ଓ ଆକାଶକୁ ନିକ୍ଷେପ ହୋଇପାରୁଥିବା ହାଇପରସୋନିକ ମିସାଇଲ ମୁତୟନ କରିବାକୁ ଘୋଷଣା କରିଛି ଋଷ । ତେଣେ ୟୁକ୍ରେନକୁ ଟକ୍କର ଦେବାକୁ ଋଷ ମୁତୟନ କରିଛି ଅତ୍ୟାଧୁନିକ BMP-1AM ଲଢୁଆ ଯାନ । ଉଭୟ ରାତି ଓ ଦିନରେ ଅପରେଟ ହୋଇପାରୁଥିବା ଏହି ଟ୍ୟାଙ୍କ ୟୁକ୍ରେନ ଲାଗି ବିପଦ ସାବ୍ୟସ୍ତ ହେବ । ସେପଟେ ଅର୍ଥନୈତିକ ସଙ୍କଟ ଘନୀଭୂତ ହେଉଥିବାବେଳେ ଋଷର ୪ଜଣ ଆଞ୍ଚଳିକ ଗଭର୍ଣ୍ଣର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତୋମସ୍କ, ସାରାତୋଭ, କିରୋଭ ଓ ମାରିଏଲର ଗଭର୍ଣ୍ଣର ଅର୍ଥନୈତିକ ସଂକଟ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଏହି ପଦକ୍ଷେପ ନେଇଛନ୍ତି । ତେଣେ ୟୁକ୍ରେନକୁ ଆମେରିକା ୪୦ ବିଲିୟନ ଡଲାର ସାମରିକ ଓ ମାନବିକ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛି ।

ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷଙ୍କ ଘୋଷଣା, ସପ୍ତାହରେ ଦେଶରେ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଘୋଷଣା । ଚଳିତ ସପ୍ତାହରେ ଦେଶରେ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ । ସେ କହିଛନ୍ତି ଦେଶରେ ଅସ୍ଥିରତା ଦୂର ଲାଗି ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ । ଏହାସହ ସମ୍ବିଧାନର ଧାରା ୧୯ରୁ ସଂଶୋଧନ କରାଯିବ । ଯାହାଫଳରେ ପାର୍ଲାମେଣ୍ଟ ଅଧିକ କ୍ଷମତାଶାଳୀ ହେବ । ସେପଟେ ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ କେଉଁଠାରେ ଅଛନ୍ତି ତାହାର ସୂଚନା ମିଳିପାରିନାହିଁ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତାକୁ ନେଇ କୁହୁଳୁଥିବା ହିଂସା ଚରମ ସୀମାରେ ପହଞ୍ଚିଛି । ପୋଡ଼ାଜଳା, ବିକ୍ଷୋଭ ଯୋଗୁ ସାରାଦେଶରେ ବ୍ୟାପକ ଅରାଜକତା ଜାରି ରହିଛି । ସଡ଼କରେ ହିଂସା ରୋକିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସୁଟ୍ ଅନ୍ ସାଇଟ୍ ଅର୍ଡର ଦେଇଛି । ସେପଟେ ଶ୍ରୀଲଙ୍କାରେ ଲୋକତନ୍ତ୍ର, ସ୍ଥିରତା, ଆର୍ଥିକ ସୁଧାର ପାଇଁ ଭାରତ ସବୁ ପ୍ରକାର ସହଯୋଗ ଜାରି ରଖିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚୀ କହିଛନ୍ତି ।

ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ, ମେଘମୁକ୍ତ ଆକାଶ ସହ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ଦୂର ହେଲା ବାତ୍ୟା ଭୟ । ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଙ୍କେତ ଉଠାଇ ଦିଆଯାଇଛି । ଆସନ୍ତାକାଲିଠୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ମେଘମୁକ୍ତ ଆକାଶ ସହ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି । ଦୁଇଦିନ ଭିତରେ ସବୁ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ହେବ । ୧୫ ତାରିଖ ବେଳକୁ ସ୍ୱାଭାବିକଠାରୁ ଉପରମୁହାଁ ହେବ ପାରଦ । ଫଳରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚି ପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଏହି ରାଶିର ବ୍ୟକ୍ତିମାନେ ଶତ୍ରୁ ପ୍ରତି ସାବଧାନ ରୁହନ୍ତୁ !

ମେଷ : ଆଜିର ଦିନରେ ଆପଣ ଚିନ୍ତିତ ରହିପାରନ୍ତି । ସନ୍ତାନ ପକ୍ଷରୁ କୌଣସି ଦୁଃଖଦ ଖବର ଶୁଣିବାକୁ ମିଳିପାରେ । ସନ୍ଧ୍ୟା ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ । ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବାଣୀରେ ମଧୁରତା ରକ୍ଷା କରନ୍ତୁ, ନଚେତ୍, ପରିବାରର କୌଣସି ସଦସ୍ୟଙ୍କ ସହ ବିବାଦ ଉପୁଜିପାରେ । ଦାନ ଏବଂ ପୁଣ୍ୟ କାର୍ଯ୍ୟରେ ସମୟ ବିନିଯୋଗ କରିବେ, ପରବର୍ତ୍ତୀ ମୁହୂର୍ତ୍ତରେ ଯାହାର ଲାଭ ମିଳିବ । ଶ୍ୱଶୁର ଘରର କୌଣସି ସଦସ୍ୟଙ୍କ ସହ ବିବାଦ ଉପୁଜିପାରେ ।

ବୃଷ : ରାଜନୈତିକ କ୍ଷେତ୍ର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଉତ୍ତମ । ରାଜନୀତିରେ ପଦୋନ୍ନତି ହୋଇପାରେ । ଅପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ମହିଳା ବନ୍ଧୁଙ୍କ ସାହାଯ୍ୟରେ ଧନ ଲାଭ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ନିଶ୍ଚିତ ସଫଳତା ମିଳିବ । ବନ୍ଧୁଙ୍କ ସହ ଆପଣ ସେୟାର ମାର୍କେଟରେ ଧନ ନିବେଶ କରିପାରନ୍ତି ।

ମିଥୁନ : ଏକାଧିକ କାର୍ଯ୍ୟର ସମ୍ମୁଖୀନ ହେବାରୁ ଆଜି ଚିନ୍ତା ବଢ଼ିପାରେ । ସନ୍ଧ୍ୟା ସମୟରେ ଅଟକିଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ମନ ପ୍ରସନ୍ନ ରହିବ । ସନ୍ତାନଙ୍କୁ ସଫଳତା ମିଳିପାରେ । କୌଣସି ମୂଲ୍ୟବାନ ବସ୍ତୁ ନିଖୋଜ କିମ୍ୱା ଚୋରି ହେବାର ଆଶଙ୍କା ରହିଛି । ଏଥିପାଇଁ ସାବଧାନ ରୁହନ୍ତୁ । ଦାନ କାର୍ଯ୍ୟରେ ଧନ ନିବେଶ କାରଣରୁ ଯଶକୀର୍ତ୍ତି ବଢ଼ିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଅସୁସ୍ଥତା ଦେଖାଦେଇପାରେ ।

କର୍କଟ : ଆଜିର ଦିନରେ ଏହି ରାଶିର ବ୍ୟକ୍ତିଙ୍କୁ ସମ୍ପତ୍ତି ପ୍ରାପ୍ତି ହୋଇପାରେ । ସମ୍ପତ୍ତି ପ୍ରାପ୍ତି ହେବାକୁ ଆଶା ରଖିଥିବା ବ୍ୟକ୍ତିଙ୍କ ମନୋକାମନା ପୂର୍ଣ୍ଣ ହେବ । ସନ୍ଧ୍ୟା ସମୟରେ କୌଣସି ପ୍ରିୟ ପରିଜନଙ୍କୁ ସାକ୍ଷାତ କରିବେ । ମାନସମ୍ମାନ ବୃଦ୍ଧି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବ୍ୟବସାୟ ସମ୍ୱନ୍ଧିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।

ସିଂହ : ବ୍ୟବସାୟରେ କୌଣସି ନୂତନ ଯୋଜନା ଚିନ୍ତା କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ସର୍ବଦା ବିଶେଷ ସଫଳତା ମିଳିବ । ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ । କାର୍ଯ୍ୟରେ ଅଧିକ ପରିଶ୍ରମ ହେତୁ ଚକ୍ଷୁ ଯନ୍ତ୍ରଣା ଦେଖାଦେଇପାରେ । ନିଜ ବାଣୀରେ ମଧୁରତା ଆଣିବାକୁ ଚେଷ୍ଟା କରନ୍ତୁ । ଧନ ଉଧାର ନେବାକୁ ଚାହୁଁଥିଲେ ସହଜରେ ମିଳିଯାଇପାରେ ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ଫଳଦାୟକ । ସନ୍ତାନ ପକ୍ଷରୁ ଆପଣଙ୍କୁ କୌଣସି ସନ୍ତୋଷଜନକ ଖବର ମିଳିପାରେ । ବ୍ୟବସାୟରେ ସହଭାଗିତାଙ୍କ ସହ ବିବାଦ ଉପୁଜିପାରେ । ଯଶ ଓ କୀର୍ତ୍ତି ବୃଦ୍ଧି ହେବ । ରୋଜଗାର କ୍ଷେତ୍ରରେ ଉନ୍ନତି କରିବେ । ପଦୋନ୍ନତି ହୋଇପାରେ । କୌଣସି ସମ୍ପତ୍ତି କ୍ରୟ କିମ୍ୱା ବିକ୍ରୟ କଲେ ସାବଧାନତା ଅବଲମ୍ୱନ କରନ୍ତୁ ।

ତୁଳା : ପାଖଆଖ ପରିବେଶ ଭଲ ରହିବ । ବ୍ୟବସାୟରେ ଚାଲିଥିବା ସମସ୍ୟାର ସମାଧାନ ହେବ । ବନ୍ଧୁଙ୍କ ସହ କୌଣସି ଦୂର ଯାତ୍ରା କରିବାକୁ ଯୋଜନା କରିପାରନ୍ତି । ଏଥିରେ ନିଜ ବାପାଙ୍କ ପରାମର୍ଶ ନିଅନ୍ତୁ । ପରିବାରର ସମସ୍ତ ସଦସ୍ୟଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ କରିପାରନ୍ତି । ପ୍ରେମ ଜୀବନରେ ଜୀବନସାଥୀଙ୍କ ପ୍ରତି ସମ୍ପର୍କ ନିବିଡ଼ ହେବ । ପର୍ଯ୍ୟାପ୍ତ ପରିମାଣରେ ଧନ ଲାଭ ହେବ । ମନ ପ୍ରସନ୍ନ ରହିବ ।

ବିଛା : ଆଜିର ଦିନଟି ମଧ୍ୟମ ଫଳଦାୟକ ରହିବ । ତେଲ ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରୁହନ୍ତୁ । ଶୁଦ୍ଧ ଏବଂ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ । ନଚେତ୍ କୌଣସି ସମସ୍ୟା ଦେଖାଦେଇପାରେ । ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀଙ୍କ ସୁବର୍ଣ୍ଣ ସୁଯୋଗ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଜମିବାଡ଼ି ସମସ୍ୟା ଦେଖାଦେଇପାରେ ।

ଧନୁ : ବିରୋଧୀଙ୍କ ମୁହଁରୁ ନିଜ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟରକିତ ହେବେ । ସାବଧାନ ରୁହନ୍ତୁ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି । ସନ୍ଧ୍ୟା ସମୟରେ କୌଣସି ଶୁଭ ଖବର ମିଳିପାରେ । ଶ୍ୱଶୁର ଘର ପକ୍ଷରୁ କିଛି ଧନ ଲାଭ ହୋଇପାରେ । ଏଥିରେ ଆପଣ ଋଣ ସୁଝିପାରନ୍ତି । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ ।

ମକର : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନଟି ଶୁଭ ରହିବ । ଚାକିରି ପାଇଁ ଦାର୍ଘ ଦିନ ଧରି ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଅତିଶୀଘ୍ର ସଫଳତା ମିଳିବ । ସନ୍ଧ୍ୟା ସମୟରେ କୌଣସି ଅତିଥିଙ୍କ ଆଗମନ ହୋଇପାରେ । ଏଥିପାଇଁ ଖର୍ଚ୍ଚ ବଢ଼ିବ । ପାରିବାରିକ ସମସ୍ୟାର ସମାଧାନ ଚାହୁଁଥିଲେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଙ୍କ ସହ କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ।

କୁମ୍ଭ : ସ୍ୱାସ୍ଥ୍ୟରେ ଅବହେଳା ଦେଖାଦେଇପାରେ । ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କୌଣସି ସମସ୍ୟାର ସମାଧାନ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପଡ଼ୋଶୀଙ୍କ ସହ କଳହରୁ ନିବୃତ୍ତ ରୁହନ୍ତୁ । ଅନେକ ଶତ୍ରୁ ଉପୁଜିପାରନ୍ତି । ଶତ୍ରୁଙ୍କୁ ପରାଜୟ ପାଇଁ ନିଜ ବୁଦ୍ଧିର ପ୍ରୟୋଗ କରନ୍ତୁ ।

ମୀନ : ଆଜି ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସନ୍ତାନଙ୍କ ପାଠପଢ଼ା ପାଇଁ ଚିନ୍ତା ବଢ଼ିପାରେ । ପାରିବାରିକ ବିବାଦ ଦେଖାଦେଇପାରେ । କୌଣସି ଧାର୍ମିକ କ୍ଷେତ୍ରକୁ ଯିବାର ସୁଯୋଗ ମିଳିପାରେ । ଖର୍ଚ୍ଚ ବଢ଼ିବ । ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବ । କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ ଏଥିସହ କାର୍ଯ୍ୟକ୍ଷେତ୍ରରେ ମନ ଲାଗି ରହିବ ।

 

ବ୍ରଜରାଜନଗର ଉପନିର୍ବାଚନ ପାଇଁ କମ୍ପିବ ମୈଦାନ, ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ବିଜେଡି

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ମୈଦାନ । ନାମାଙ୍କନ ପତ୍ର ଦାଖଲ ପରେ ଆରମ୍ଭ ହୋଇଛି ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିଛି । ଡୋରୁ ଟୁ ଡୋର କ୍ୟାମ୍ପେନିଂକୁ ସବୁ ଦଳର ଗୁରୁତ୍ବ ଦେଇଛନ୍ତି । ନୂଆ ଯୋଜନାରେ ମଇଦାନକୁ ଓହ୍ଲାଇବ ବିଜେଡି । ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଦଳ ରଣନୀତିରେ ପରିବର୍ତ୍ତନ କରିବ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଧିକାଂଶ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦେବ ବିଜୁ ଜନତା ଦଳ । ପଶ୍ଚିମ ଓଡ଼ିଶାର ସ୍ଥିତି ଓ ସେଠାର ଲୋକଙ୍କ ଆବଶ୍ୟକତାକୁ ସେହି ଅଞ୍ଚଳର ନେତା ହିଁ ଠିକ୍ ଭାବେ ବୁଝିପାରିବେ । ତେଣୁ ଏପରି ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପାଇଁ କେନ୍ଦ୍ରୀୟ ନେତାଙ୍କ ଦେଖାନଥିଲା । ଉପନିର୍ବାଚନରେ ବି ସମାନ ସ୍ଥିତି ଦେଖାଦେଇପାରେ । ଅନ୍ୟପଟେ କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି । ତଥାପି ଦଳ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାର କରିପାରେ ।

ଦାୟିତ୍ବ ନେବା ପରେ ଆକ୍ସନ ମୋଡ୍‌ରେ ଡିସିପି, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଆହତ

ଭୁବନେଶ୍ୱର: ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ରାଜଧାନୀରେ ବର୍ଷର ପ୍ରଥମ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଡକାୟତ ଚକ୍ରଧର ବାରିକ ଓରଫ ଚକରା ବାରିକ ଆହତ । ଏନକାଉଣ୍ଟରରେ ଚକରାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଚକରାକୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ସ୍ପେସାଲ ସ୍କ୍ୱାଡ ଓ ଖଣ୍ଡଗିରି ପୋଲିସର ମିଳିତ ଏନକାଉଣ୍ଟରରେ ଏନକାଉଣ୍ଟର କରାଯାଇଛି । ବରମୁଣ୍ଡା ମେଳଣ ପଡ଼ିଆରେ ଡକାୟତି ପାଇଁ ଯୋଜନ କରୁଥିଲେ ୬ରୁ ୭ ଜଣ ଡକାୟତ । ଖବର ପାଇ ପୋଲିସ୍ ଗ୍ୟାଙ୍ଗକୁ ଧରିବାକୁ ଗଲା ବେଳେ ଚକରା ବୋମାମାଡ଼ କରିଥିଲା । ଏହାସହ ପୋଲିସ ଉପରକୁ କରିଥିଲା ଗୁଳିମାଡ଼ ।

ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା । ଅନ୍ଧାରର ସୁଯୋଗ ନେଇ ୬ ଡ଼କାୟତ ଖସି ପଳାଇଥିଲେ । ତେବେ ଚକାର ନାଁରେ ଭୁବନେଶ୍ୱରରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ବ୍ରାଉନସୁଗର, ଡକାୟତି, ଲୁଟ, ଛିନତାଇ ଭଳି ଅପରାଧରେ ଚକରାର ସମ୍ପୃକ୍ତି ଥିବା ସୂଚନା ମିଳିଛି । କୁଖ୍ୟାତ ଡକାୟତ ରବି ରାଓ ଥିଲା ଚକରାର ମୁଖ୍ୟ ସହଯୋଗୀ । ଏହି ବୋମାମାଡ଼ରେ ଦୁଇ ପୋଲିସ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ଟି ଅଫୁଟା ବୋମା, କାର ଓ ୩ଟି ମୋବାଇଲ ସହ ମଦ ବୋତଲ ଜବତ ହୋଇଛି । ଘଟଣାସମ୍ପର୍କରେ ଖବର ପାଇ ଡିସିପି କ୍ୟାପିଟାଲ ହସ୍ପିଟାଲ ଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁରା ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରାଯାଉଛି । ଅପରାଧ ଦମନ ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଥିବା କହିଛନ୍ତି ଡିସିପି ପ୍ରତୀକ ସିଂ ।